ଆଶଙ୍କା
ଆଶଙ୍କା
ଆଶାଟିଏ ଜାଗି ଜଗାଇ ରଖିଲା ଯାମିନୀ ଯାକ
ଜହ୍ନ ହସୁଥିଲା ପାହାନ୍ତି ଆସିଲା ରାବିଲା କାକ ,
ମହମହ ହୋଇ ବାସୁଥିଲା ଯେଉଁ ସୁଗନ୍ଧା ରାତି
ଶେଷ ଯାଏଁ ଖାଲି ମନକୁ ଜଳାଇ ଭରିଲା ତାତି ।
କାହା ଆଗମନ ପ୍ରତୀକ୍ଷାରେ ଥିଲି ଏଯାଏଁ ଚେଇଁ
ଶବ୍ଦଟିଏ ହେଲେ ଚମକେ ହୃଦୟ ତୁରିତେ ଡେଇଁ ,
ଭାବନାର ଏକ ଲହରୀ ଉପରେ ଯାଆନ୍ତେ ବହି
ଘାତ ପ୍ରତିଘାତେ ବୁଡିଲି ଭଉଁରୀ ଭିତରେ ରହି ।
ଉନ୍ମନେ ଆତୁର କଣ୍ଠଦେଶୁ ଭୟେ ଚିତ୍କାର ଆସେ
ପ୍ରଭାତ ପର୍ଯ୍ୟନ୍ତ ଛଟପଟ ହେଲି ଅବ୍ୟକ୍ତ ପ୍ରାସେ ,
ଭଲ ପାଇବାର ପୃଥିବୀ ଭିତରେ ନିଜେ ମୁଁ ଅଜ୍ଞ
ଆହୁତି ହେଲି କି ପୂର୍ଣ୍ଣ କରିବାରେ ପ୍ରେମର ଯଜ୍ଞ ।
ବେଗ ଉଦବେଗର ପ୍ରଶମନ ଅର୍ଥେ ଅନ୍ୱେଷି ରତ୍ନ
ପ୍ରାଣପଣେ ଥାଇ ବିଫଳ ହୋଇଲା ସମସ୍ତ ଯତ୍ନ ,
ଓସ୍ତପତ୍ର ପ୍ରାୟେ ଥରୁଥିଲା ମୋର ଶରୀର ମନ
ସ୍ନେହର ସାଗରେ ଭାସିଗଲା ଏହି ଯୌବନ ଧନ ।
ଆୟୁଷ ସହିତ ଉତ୍ତୁରି ଗଲା ମୋ" ଦେହର ରଙ୍ଗ
ନୀରସ ଜୀବନେ ଅକସ୍ମାତ ହେଲା ଭାବନା ଭଙ୍ଗ ,
ଅନ୍ଧାର ଗଳିରେ ଦିଶେନାହିଁ ଯେବେ ପ୍ରକୃତ ଲକ୍ଷ୍ୟ
ନିରାଶାର ନିଆଁ ଅକାଳରେ ଦହେ କୋମଳ ବକ୍ଷ ।
ନିଷ୍ଫଳ କାମନା ବିଷଣ୍ଣତା ଦେଲା ଗଲି କି ହାରି
ଫଳବତୀ କାହୁଁ ହୋଇବ ସଂଶୟ ରହିଲା ଜାରି ,
ଆଶଙ୍କା ଭିତରେ ଶୁଖିଗଲା ଗଳା ଆପଣା ଛାଏଁ
ତୃଷାତୁର ରହି ଶୋକେ ଜଳୁଥାଏ ସକାଳ ଯାଏଁ ।
