ଆଶଙ୍କା ରକତ କଇଁ
ଆଶଙ୍କା ରକତ କଇଁ
ରକତ କଇଁ ଟି ଚମକି ଚାହୁଁଛି
ଜହ୍ନ ଆସୁନାହିଁ କାହିଁକି,
ଦିନ ସରିଲାଣି ସଞ୍ଜ ଘାରିଲାଣି
ଉଇଁବାକୁ ମନେ ନାହିଁକି।।
ପୀୟା ପୀରତିକୁ ମରମ ତାତିକୁ
ଶରମ ପଣତେ ଘୋଡେଇ
ଅକୁହା କଥାକୁ ଅସହା ବ୍ୟଥାକୁ
ବୁକୁ ତଳେ ରଖି ଲୁଚେଇ
ଛାତିର ବାରତା ଆଖି ତଳେ ଧରି
ପଚାରେ ଆପଣା ଛାଇକି,
ଉଇଁବାକୁ ମନେ ନାହିଁ କି।।
ଅଧର କମଳେ ଆବେଗ ଅନେକ
ପୀରତି ରଙ୍ଗରେ ରଙ୍ଗେଇ
ଭଳି ଭଳି ଭଙ୍ଗୀ ଇଙ୍ଗିତ ଯେତେକ
ତରଙ୍ଗେ ତରଙ୍ଗେ ଦୋଳାଇ
ଚହଲା ଛାତି କୁ ନିଃଶ୍ବାସ ଗତିକୁ
ଗୁପତେ ପଚାରେ ଯାଇକି
ଉଇଁବାକୁ ମନେ ନାହିଁ କି।।
ଚାଇଁ ଚାଇଁ ଖରା ଚଅଁକା ଚଅଁକା
ତତଲା ତତଲା ପାଣି
ଅତୀବ ମନ୍ଥର ପ୍ରତିକ୍ଷା ପ୍ରହର
କାଳ ବିତେ ବେଳ ଗଣି
ଅନ୍ତିମ ଘଡ଼ିର ଅପେକ୍ଷା ଅତିଷ୍ଠ
ସହି ହୁଏ ନାହିଁ ତହିଁକି
ଉଇଁବାକୁ ମନେ ନାହିଁ କି।।
ବାରୁଣୀ ଗଗନ ଅରୁଣୀମା କ୍ଷୀଣ
ଅସ୍ତାଚଳ ଚୂଳ ଅନ୍ଧାର
ପୂରୁବେ କାହିଁକି ଚନ୍ଦ୍ରିକା ନାହିଁକି
ନାହିଁକି ଆଲୋକ ଝଙ୍କାର
ଫାଙ୍କା ଫାଙ୍କା ଲାଗେ ରଙ୍କା ଜିଗରଟା
ଫିକର କରୁଛି କାହିଁକି
ଉଇଁବାକୁ ମନେ ନାହିଁ କି।।
ଅଳପ ବେଳର ଅବୁଝା ପିପାଷା
ପାପୀହା ଛାତିର କୋହ
ଅନେକ କଥାର ଏକ ପରିଭାଷା
ଚକୋର ଆଖିର ଲୁହ
ସହି ହେଉନାହିଁ ରହି ହେଉନାହିଁ
କୁହ କେହି ବେଗେ ଯାଇକି
ଉଇଁବାକୁ ମନେ ନାହିଁକି।।
ଆପଣା ଜନର ଆପଣା ପଣିଆଁ
ପୀରତି ରସିକ କାନ୍ତ
ଆଖିର ଅପେକ୍ଷା ଛାତିର ପ୍ରତୀକ୍ଷା
ପରଖିବା ଆଶା ମାତ୍ର
ଅପେକ୍ଷିତ ନେତ୍ର ଉପେକ୍ଷାକୁ ଭିତ
ଆଶଙ୍କା ଅନେକ ବହିକି
ଉଇଁବାକୁ ମନେ ନାହିଁ କି।।

