ଆସ ରସିକ ପ୍ରବର,
ଆସ ରସିକ ପ୍ରବର,
ବାଙ୍କ ବିହାରୀ ହେ ବାଙ୍କ ଚୂଳ ଧାରି
ବଙ୍କିମ ଚନ୍ଦ୍ର ଅଧର
ବାଙ୍କ ଚାହାଁଣୀରେ ବରଜ ବାଳିଏ
ବାଇ ହେଲେଣି ସକଳ
ଆସ ,ଆସ ରସିକ ପ୍ରବର
ତୁମ ବିନା କୁଞ୍ଜ ଦିଶୁନାହିଁ କଞ୍ଜ
ବନ ଦିଶେ ହା ହା କାର ।।
ବଂଶୀ ସ୍ୱନ ସମ ଶୁଣେ ସଦା କର୍ଣ୍ଣ
ମୃଦୁ ମଳୟ ଝଙ୍କାର
ବନ୍ୟ ପଶୁ ଚାଲି ସତେ ହେ ମୁରଲୀ
ଆସିବା ଭ୍ରମ ସଂଚାର
କାହିଁ, ମଥୁରାରୁ ଗୋପପୁର
କ୍ଷଣେ ହେଁ ଅନ୍ତର ହେଲେ ଗୋପପୁର
ହୋଇଯାଏ ଅନ୍ଧକାର ।।
ବଉଳା ବାଉଳି ହମ୍ବାଳି ହମ୍ବାଳି
ସାଇତିଛି ସ୍ତନେ କ୍ଷୀର
ବରଜ ବାଳିଏ ଠେକିଏ ଠେକିଏ
ସାଇତି ଲବଣୀ ସର
କାହିଁ, ଗଲ ହେ ଲବଣୀ ଚୋର
ଗୋପର ଆକାଶେ କଳା ଘନ ଭାସେ
ବିରସ ଗୋପ ନାଗର ।।
ବରଜ ସୁନ୍ଦରୀ ସେ ରାଧିକା ଗୋରି
ଶୋଇଛି କିଳିଣ ଦ୍ଵାର
ବକଟେ ପିଲାଟେ କଂସ ଧନୁ ନାଟେ
ହୋଇଛି ଅତିଥି ତାର
ଡାକି, ନେଲାଟି ଦୂତ ଅକ୍ରୁର
କପଟ ମନରେ କପଟ ଯେ କଲେ
ତୁମ ମାମୁଁ କଂସାସୁର ।।