STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ଆସ ମାଗୋ ଅବତରି

ଆସ ମାଗୋ ଅବତରି

1 min
593

ଆଶ୍ଵିନେ ଆଶିଷ ଘେନି 

ଆସ ମାଗୋ ମୃଦୁପଦେ 

କାଶଫୁଲ ଶୁଭ୍ର ଚାମରରେ,

ମୁଗ୍ଧ ହେଉ ଏ ଜଗତ

ନବପ୍ରାଣ ଜାଗିଉଠୁ 

ନବରାତ୍ରୀ ଭବ୍ୟ ପ୍ରହରରେ। 


ଶାରଦ ସରସ ନଭେ

ଫୁଟିଉଠୁ ନୀଳପଦ୍ମ 

ତୁମ୍ବ ପାଇଁ ଚାନ୍ଦୁଆ ସଜାଇ,

ସାତ୍ଵିକ ସୁଗନ୍ଧ ଭରି

ବହିଯାଉ ଗନ୍ଧବାହ 

ତୁମ୍ଭ ଆଗମନକୁ ସୂଚାଇ। 


ଘୁଞ୍ଚିଯାଉ ମେଘମାଳା

ତୁମ୍ଭ ଆସିବାର ପଥେ 

ଅକାରଣେ ନହେଉ ବାଧକ,

ପର୍ବଣର ମହା ଋତୁ

ନ ସାଜୁ ନିରବ ସାକ୍ଷୀ 

ଝଡ଼ ବାତ୍ୟା ନହେଉ ଭକ୍ଷକ। 


ତୋଫା ଜହ୍ନ ହସି ଉଠୁ

ତୁମ୍ଭ ମସ୍ତକେ ବିରାଜି 

ଶୁଭ୍ରଜ୍ୟୋତି ଖେଳୁ ଚଉଦିଗେ,

ଝିଲିମିଲି ତାରା ଗଣ

ତୁମ୍ଭ ପଣତରେ ସାଜି 

ଭରିଦେଉ ରୋଷଣୀ ସରାଗେ। 


ସବୁଜ ସମ୍ଭାର ଭରି

ଧରଣୀ ପିନ୍ଧାଉ ଶାଢ଼ୀ 

ତୁମ୍ଭଙ୍କୁ ହେ ମହାମାୟୀ ଶ୍ରଦ୍ଧାରେ,

ରଙ୍ଗୀନ ପୁଷ୍ପ ଗୁଚ୍ଛରେ

ସଜାଇ ଏ ପୁରବାସୀ 

ଧନ୍ୟ ହୋନ୍ତୁ ଲୋଟି ତୁମ୍ଭ ପୟରେ। 


ତୁମ୍ଭ ଆଗମନେ ହେଉ

ସତ୍ୱରେ ଅୟମାରମ୍ଭ 

ମନୁଷତ୍ୱର ଚରମ ବିକାଶ,

ଚେତନାରେ ଭରିଯାଉ

ଶାଶ୍ୱତ ଭାବନା ରାଜି 

ଅଧର୍ମର ସ୍ୱତଃ ହେଉ ନାଶ।


ଅନ୍ତଃରୀକ୍ଷ ଗର୍ଭ ଚିରି

ଜୟମା ଜୟମା ଧ୍ୱନୀ 

ପ୍ରକମ୍ପିତ ହେଉ ଚଉଦିଗ,

ଝରୁ ତୁମ୍ଭ କୃପାବାରି

ଅଣୁ ପରମାଣୁ ଯାଏଁ 

ଭିଜୁ ବ୍ରହ୍ମାଣ୍ଡର ସର୍ବଭାଗ। 


ପ୍ରାଣୀ ମାତ୍ରେ ଧନ୍ୟ ହେଉ

ଦିବ୍ୟରୁପ ଦର୍ଶନରେ 

ମୋହ ଭାଙ୍ଗି ମୋକ୍ଷଲାଭ ହେଉ,

ଚିନ୍ତାରୁ ଚେତନା ଯାଏଁ

ତୁମ୍ଭ ଭାବ ସବେଗରେ 

ଅନାୟାସେ ସଞ୍ଚରିତ ହେଉ।


ଆଉ ଏକ ନବସୂର୍ଯ୍ୟ

ଉଇଁଆସୁ ପୂର୍ବାକାଶେ 

ମମତାର ଉଷ୍ମରଶ୍ମି ସାଥେ,

ଆସ ମାଗୋ ନାଶକର

ଅଧର୍ମ ଅନ୍ୟାୟ ଯେତେ 

ଧରାପୃଷ୍ଠ ରହୁ ସୁରକ୍ଷିତେ। 


ପାହିଯାଉ ଅମାରାତି

ତୁମ୍ଭ ଅସ୍ତ୍ର ପ୍ରହାରରେ 

ଦିବ୍ୟାଲୋକେ ଭରୁ ଏ ଭୁବନ

କରୁଣା କଟାକ୍ଷ ବାରେ

ଭୂମିଠାରୁ ଭୁମା ଯାଏଁ 

ଛୁଇଁଯାଉ କୋଣ ଅନୁକୋଣ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational