STORYMIRROR

Ramachandra Bhutia

Romance Tragedy

4  

Ramachandra Bhutia

Romance Tragedy

ଆର ଜନ୍ମେ ହେବ ଦେଖା

ଆର ଜନ୍ମେ ହେବ ଦେଖା

1 min
299

ଆଜି ବି ଝୁରୁଛି ହଜିଲା ଦିନ କୁ

ମୋ ପ୍ରେମ ଅଫେରା ସତେ

ତୁ ସିନା ଗଢିଲୁ ସୁନା ର ସଂସାର

ତୋ, ସ୍ମୃତି ରେ ଦିନ ମୋ ବିତେ         ।।


ଚାହିଁବି ମୁଁ ଆଜି ଭୁଲି ପାରୁନାହିଁ

ଅଭୁଲା ସେ ପିଲାଦିନ

ଅଲଗା ଶରୀର ସିନା, ଥିଲା ଯେ ଆମର

ହେଲେ, ଗୋଟିଏ ତ ଥିଲା ମନ         ।।


ବରକୋଳି ଚୋରି କଇଁ ଫୁଲ ତୋଳି

ଆଣି ଦିଏ ତୋର ହାତେ

ଖିଲିଖିଲି ହସି ଗପୁଥିଲୁ କେତେ

ବାହାନା କରି ତୁ ସତେ              ।।


ମିଛ ଡାଲି ଭାତ ସଡେଇ ରେ ରାନ୍ଧି

ତୁ ଯେବେ ଦେଉ ପରଷି

ମିଛରେ କନିଆଁ ସାଜି ତୁ ମୋହର

ପାଖେ ଯାଉଥିଲୁ ବସି               ।।


କେତେ ଭଲ ଥିଲା ସେଇ ପିଲାଖେଳ

ବୁଣିଥିଲା ପ୍ରୀତି ମଞ୍ଜି

ହୋଇନି ଅଙ୍କୁର ଆସିଲା ମରୁଡି

ଶୁଖିଲା ସେ ବାଜି ଝାଞ୍ଜି             ।।


ଆମ ଗାଁ ମୁଣ୍ଡରେ ଛୋଟ ଇସ୍କୁଲ ରେ

ଯେବେ ପାଠ ପଢୁଥିଲେ

ଘରେ କହି ମିଛ ଇସ୍କୁଲ୍ ନ ଯାଇ

ବିଲମାଳେ ଲୁଚୁଥିଲେ              ।।


ମିଛ କହି ଯେବେ ଧରା ପଡ଼ୁଥିଲି

ମାରନ୍ତି ଗୁରୁଜୀ ମୋତେ

ମାଡ଼ ଦେଖି ମୋର ହସୁଥିଲୁ ସାଥୀ

ଚିଡାଉଥିଲୁ ତୁ କେତେ              ।।


ମିଛେ ଅଭିମାନ କରି ଋଷୁଥିଲି

ଧରୁଥିଲୁ ତୁହି କାନ

ସେଥିପାଇଁ କି ତୁ ଛାଡି ଚାଲିଗଲୁ

କରି ମୋ ଉପରେ ମାନ             ।।


ପୂର୍ଣ୍ଣମୀ ତିଥିରେ ପ୍ରେମ ନଈକୂଳେ 

ତୋଳୁଥିଲେ ପ୍ରୀତି ସୌଧ

ସେଇ ବାଲିଘର ପ୍ରତୀକ ପ୍ରେମର

ଦେଖି, ହେଉଥିଲେ ଦୁହେଁ ମୁଗ୍ଧ         ।।


ଗାଁ ମନ୍ଦିର ରେ ଦେଉଳ ବେଢା ରେ

ପ୍ରେମ ର ପ୍ରଦୀପ ଜାଳି

ମନାସି ମାଗିଛେ ଦୁହେଁ ଆମପାଇଁ

ସେ କଥା ପାରେ ନା ଭୁଲି            ।।


ସେଇ ବାଲିଘର ଭାଙ୍ଗିଗଲା ଆଜି

ସତେ, ଲାଗିଲା କାହା ନଜର

ଅଧା ବାଟେ ମୋର ହାତ ଛାଡି ଦେଇ

ଚାଲିଗଲୁ କରି ପର                ।।


ଗଢ଼ିଲୁ ସଂସାର ଆଉ କା ସାଥୀ ରେ

ଆଜି ବି ତୋ ବାଟ ଚାହେଁ

ଦିନ ପରେ ଦିନ ରାତି ବିତିଯାଏ

କେବେ ତୁ ଫେରିବୁ ହାଏ             ।।


କେତେ ଭଲ ଥିଲା ପିଲାଦିନ ପ୍ରେମ

ସାଜିଛି ଆଜି ସେ ସ୍ମୃତି

ଫଗୁଣ ଆସୁନି ଆଜି ମୋ ଜୀବନେ

ଖାଲି ବଇଶାଖ ତାତି               ।।


ଶାଶ୍ବତ ପବିତ୍ର ଥିଲା ଆମ ପ୍ରେମ

ଆଜି ବି ତା ପ୍ରତୀକ୍ଷା ରେ

ଲୁହ ଅଞ୍ଜୁଳି ରେ ଛାତି ର କୋହ ରେ

ସ୍ମୃତି ର ତର୍ପଣ କରେ                ।।


ପ୍ରେମ ନଦୀତୀରେ କରିଛି ପ୍ରତୀକ୍ଷା

ଦିନେ ଫେରିବୁ, ବୋଲି ମୋ ଆଶା

ଏ ଜନମେ ଯଦି ହେବ ନାହିଁ ଭେଟ

ନିଶ୍ଚେ, ଆର ଜନ୍ମେ ହେବ ଦେଖା         ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance