ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସର ଚିନ୍ତନ
ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସର ଚିନ୍ତନ
ସେପ୍ଟେମ୍ବର ମାସ ପନ୍ଦର ତାରିଖ
ଗୁରତ୍ବପୂର୍ଣ୍ଣ ଦିବସ
ସାରା ବିଶ୍ବ ଆଜି ପାଳନ କରୁଛି
ଗଣତନ୍ତ୍ରର ଦିବସ |
ଆନ୍ତର୍ଜାତୀୟ ଗଣତନ୍ତ୍ରଦିବସେ
ଚିନ୍ତନ ମହନୀୟ
ଗଣଙ୍କର ପାଇଁ ଗଣଙ୍କ ଶାସନ
ଗଣଦ୍ବାରା କମନୀୟ |
ଲୋକଙ୍କର ମତ ସର୍ବସମ୍ମତ
ସର୍ବଦା ରଖେ ଗୁରୁତ୍ବ
ଗଣଙ୍କ କଲ୍ୟାଣ ଗଣଙ୍କର ଦ୍ବାରା
ହୁଏ ସଦା ସଂପାଦିତ|
ନିର୍ବାଚନ ଦ୍ବାରା ପ୍ରତିନିଧି ବାଛି
ସଂସଦ ଗଠନ କରି
ନିଜର ହାତରେ ନିଜର ଶାସନ
ସଂସଦର ଭାଗ୍ୟଡୋରୀ |
ନିଜର ନାବରେ ନିଜେ ହିଁ ନାଉରୀ
ସ୍ବହସ୍ତେ ଶାସନ ଡୋରୀ
ସଂଖ୍ୟାରେ ଗରିଷ୍ଠ ମତରେ ଚାଲଇ
ଶାସନ କଲ୍ୟାଣ କାରୀ |
ଲୋକଙ୍କର ଆଶା ବିଶ୍ବାସ ଓ ଭୟ
ଉଦବେଗର ଫାଇଦା
ନେଇ ବେଳେ ବେଳେ କୁଚକ୍ରୀ କରଇ
ଧନ ଜୀବନ ସଉଦା |
ବସାଇବ ନାହିଁ ସେପରି ଲୋକଙ୍କୁ
କେବେ ବି ଭଉଣୀ ଭାଇ
ଶାସନର ଗାଦି ପାଇଗଲା ପରେ
ବୁହାନ୍ତି ଦୁଃଖର ନଈ |
ଗଣତନ୍ତ୍ରରେ ତ ଅସନ୍ତୁଷ୍ଟ ହେବା
ଅଟେ ଆମ ଅଧିକାର
ଲୋଡାହେଲେ ଆମେ ଉଠାଇ ପାରିବା
ଆମ ପ୍ରତିବାଦ ସ୍ବର |
ଡରିବାର ନାହିଁ ଗଣତନ୍ତ୍ର ଅଟେ
ଗଣଙ୍କର ସୁଶାସନ
ଅନ୍ୟାୟ ଅନୀତି ଦୁର୍ନୀତି ଲୁଣ୍ଠନ
ନାହିଁ ଭ୍ରଷ୍ଟାଚାର ସ୍ଥାନ |
ଭାଙ୍ଗିବା ଗଢିବା ସବୁ ଆମ ହାତେ
ଗଣତନ୍ତ୍ରର ଶାସନେ
ନିଜଭାଗ୍ୟ ଡୋରୀ ନିଜ ହସ୍ତେ ବୋଲି
ସଦା ରଖିଥିବ ମନେ |
ମଦ ମାଂସ ଲୋଭ ଅର୍ଥର ଲାଳସା
ଯେତେ ସବୁ ପ୍ରଲୋଭନ
ବଙ୍ଗୋପ ସାଗରେ ବିସର୍ଜନ କରି
କର ତୁମେ ନିର୍ବାଚନ |
ଭଲ ଲୋକ ଯେବେ ନିର୍ବାଚିତ ହେବ
କରିବ ସେ ସୁଶାସନ
ଗରିବୀ ବେକାରୀ ହଟିବ ଧରାରୁ
ବଢିବ ଜୀଇଁବାର ମାନ|
ଜାତି ଧର୍ମ ମଧ୍ୟେ ଭେଦା ଭେଦ ଭାବ
ନାହିଁ ଗଣତନ୍ତ୍ରେ ସ୍ଥାନ
ଏକମାତ୍ର ଜାତି ମଣିଷ ଜାତି ହେ
ମାନବତା ଏକ ଧର୍ମ |
ହିଂସା କଷଣ ଅତ୍ୟାଚାର ନାହିଁ
ଗଣତନ୍ତ୍ର ଅଭିଧାନେ
ଶୋଷଣ ଲୁଣ୍ଠନ ନାରୀର ଧର୍ଷଣ
ଚଳେନି ରଖିବ ମନେ|
ଅଛି ବଞ୍ଚିବାର ଅଧିକାର ତୁମ
ନେଇ ପାରିବନି କେହି
ହୋଇଲେ ବଞ୍ଚିତ କର ପ୍ରତିବାଦ
ଅହିଂସା ପଥରେ ରହି |
ଜାଗ ଖଟିଖିଆ ଦିନ ମଜୁରିଆା
ଜାଗ ହେ ଦୁର୍ବଳ ଆଜି
ଉଠହେ କଙ୍କାଳ ଛିଡାଇ ଶୃଙ୍ଖଳ
ଗଣତନ୍ତ୍ର କହେ ଆଜି|
କରେ ନିବେଦନ ଆହେ ବିଶ୍ବଜନ
ଜାଗ୍ରତ ହୁଅ ହେ ଆଜି
ଗଣତନ୍ତ୍ର ଭିତ୍ତି ସୁଦୃଢ କର ହେ
ଜାଗ୍ରତ ପ୍ରହରୀ ସାଜି |
ଅନ୍ୟାୟ ଦେଖିଲେ ଚୂପ ବସ ନାହିଁ
କର ପ୍ରତିବାଦ ତାର
ଗଣତନ୍ତ୍ର ଅଟେ ଶୋଷଣ ବିହୀନ
ନ୍ୟାୟ ଶାସନ ସମାଜର |
ଗଣତନ୍ତ୍ରେ ନାହିଁ ସ୍ବୈର ଶାସନ କି
ଫାଶୀବାଦର ସ୍ଥାନ
ସବୁରି ମଙ୍ଗଳ ସବୁରି ବିକାଶ
ଗଣତନ୍ତ୍ର ମନ୍ତ୍ର ଜାଣ |
ଅକ୍ଷୟ ରହୁ ହେ ଗଣତନ୍ତ୍ର ବିଶ୍ବେ
ଖୋଲୁ ବିଶ୍ବ ବାତାୟନ
ଶାନ୍ତି ମଇତିରି ବିଶ୍ବ ଭ୍ରାତୃତ୍ବର
ବସୁଧୈବ କୁଟୁମ୍ବକମ୍ |
