ଆମେ ଓଡ଼ିଆ ଭାରି ବଢିଆ
ଆମେ ଓଡ଼ିଆ ଭାରି ବଢିଆ
ଆମେ ତ ଓଡ଼ିଆ ସବୁଠୁ ବଢ଼ିଆ
ହେବାକୁ ଭିଡିଛୁ ପାଗ
ଅନନ୍ଯ ଆମର ଭାଷା ସୁସାହିତ୍ଯ
ଛନ୍ଦ ଗୀତ ନୃତ୍ଯ ରାଗ ।
ଓଡ଼ିଶୀ ନୃତ୍ୟର ବେଶଭୂଷା ଠାଣି
ନେଇଥାଏ ମନ କିଣି
ଓଡିଶା ପଖାଳ ରସଗୋଲା ସ୍ବାଦ
ଖାଇଲେ ହିଁ ହୁଏ ଜାଣି ।
ସମ୍ବଲପୁରର ନୃତ୍ଯ ଡାଲଖାଇ
ରଙ୍ଗବତୀ ସୁର ତାଳେ
ଉଠିଯାଏ ଛାଏଁ ପାଦ ସଭିଙ୍କର
ମଲମଲ ଅଣ୍ଟା ଝୁଲେ ।
ଛଉ ଦଣ୍ଡନୃତ୍ଯ ବଡ ଚମତ୍କାର
ଅପୂର୍ବ ଘଣ୍ଟ ପାଟୁଆ
ମୋହିନିଏ ଚିତ୍ତ ଆମ ଲୋକକଳା
ପାଲା ଓ ଦାସକାଠିଆ ।
ସରଳ ସୁନ୍ଦର ଓଡ଼ିଆ ଚଳନୀ
ପରମ୍ପରା ସୁସଂସ୍କାର
ଉଛୁଳି ଉଠଇ ସେନେହ ସୋହାଗେ
ଆମ ଘର ପରିବାର ।
ବାର ମାସେ ପାଳୁ ଆମେ ତେର ପର୍ବ&nb
sp;
ଆଷାଢରେ ରଥଯାତ୍ରା
ଘରେ ଘରେ ହୁଏ ନାନା ପିଠାପଣା
ମଉଜ ରଜ ନିଆରା ।
କଳା ଓ ଭାସ୍କର୍ଯ୍ଯେ ପରିପୂର୍ଣ୍ଣ ଆମ
ମନ୍ଦିରମାଳିନୀ ରାଜ୍ଯ
କୋଣାରକ ପୁରୀ ଭୂବନେଶ୍ୱରରେ
ବିରାଜେ କୀର୍ତ୍ତି ଐତିହ୍ଯ ।
ବରଷଇ ରଙ୍ଗ ଫଗୁଣ ଦୋଳରେ
ସମୁଜ୍ଜ୍ୱଳ ଦୀପାବଳୀ
ପୁଣ୍ଯ କାର୍ତ୍ତିକରେ ଡଙ୍ଗାକୁ ଭସାଇ
ପୁକାରନ୍ତି ଆକାମାବୈ ।
ଆମ ସଂସ୍କୃତିର ଗୌରବ ଉଜ୍ଜ୍ବଳ
ଅତୀତର ଇତିହାସ
ସ୍ବର୍ଣିମ ଅକ୍ଷରେ ଅଛି ଲିପିବଦ୍ଧ
ଉଲ୍ଲସେ ସୁଖ ଭବିଷ୍ୟ ।
ଉତ୍କର୍ଷ ଉତ୍କଳ କଳିଙ୍ଗ କୋଶଳ
ପୁଣ୍ଯଭୂମି ମୋ ଓଡ଼ିଶା
ବିଜେ ଶ୍ରୀକ୍ଷେତ୍ରରେ ନିଳାଦ୍ରିଶ ନାଥ
ସର୍ବଦା ସାହା ଭରସା ।