ଆମେ କେତେ ସ୍ଵାଧୀନ ?
ଆମେ କେତେ ସ୍ଵାଧୀନ ?
ପୂର୍ଣ୍ଣ ସ୍ୱାଧୀନତା ଆମ ମନବାଞ୍ଛା
ମାଆ ଭାରତୀର ସ୍ୱପ୍ନ
ଭାଷଣ ବାଜିରେ ତ୍ରିରଙ୍ଗାଟା ଉଡେ
ଘଟେ ଏଠି କେତେ ବିଘ୍ନ ।
ଅହିଂସାର ମନ୍ତ୍ର ହେଲାଣି ବିବସ୍ତ୍ର
ନାହିଁ କେ' ମହାନ ଅତ୍ମା
ସ୍ୱାର୍ଥ ସାଧନାରେ ରାଜନେତା ହଜେ
ପାଏ ପୁଣି ସର୍ବ କ୍ଷମା ।
ନାରୀଜାତି ପ୍ରୀତି ଦୁଷ୍କର୍ମ ସମ୍ପତ୍ତି
ବ୍ୟଭିଚାରୀ ମୁଖେ ହସ
ସ୍ପଷ୍ଟ ଦିବାଲୋକେ ଉପଭୋଗେ ମାତେ
ସଭିଁଙ୍କୁ କରେସେ ବସ ।
ଦୁଷ୍କର୍ମ ରାକ୍ଷସ ରାଜପଥ ଷଣ୍ଢ
ନିର୍ଭୟ ରେ କରେ ପାପ
ଆରକ୍ଷୀ ବିପକ୍ଷି ପାରେ ନାହିଁ ଦେଖି
ଚକ୍ଷୁଥିବା ଅନ୍ଧ ନୃପ ।
ସ୍ୱାଧୀନ ତ୍ରିରଙ୍ଗା ବିଜୟର ଗାଥା
କୁନି ମୁନି କହେ ରାବି
ବଳିଷ୍ଠ ମଣିଷ ବୁଝେ ନାହିଁ ସତ
ଆଉକି ଉଇଁବ ରବି ।
ତ୍ରିତଳ ପ୍ରାସାଦ ରାଜତନ୍ତ୍ର ସୁଖ
ଗଣତନ୍ତ୍ର ବ୍ରହ୍ମଅସ୍ତ୍ର
ଲଭିନାହିଁ ଶିକ୍ଷା ସେହି ମାନବଟା
ସିଂହାସନେ ଅଳଙ୍କୃତ ।
କେତେତୁ ସ୍ୱାଧୀନ କହ ବାଇମନ
ତ୍ରିରଙ୍ଗାକୁ ଟିକେ ଦେଖି
ତ୍ରିରଙ୍ଗା ଉଡୁଛି ଫର ଫର ହୋଇ
ମନପ୍ରାଣ ଯାଏ ଲାଖି ।
ଏକି ଅସମାନତା ପ୍ରଶାସନ କର୍ତ୍ତା
ନାହିଁ ପୁଣି ଅନ୍ନଭୋଗ
କିଏ ଖାଇଯାଏ ସୁସ୍ୱାଦୁ ବ୍ୟଞ୍ଜନ
ଆଉକେ ପାଏନି ସାଗ ।
ଭଙ୍ଗା କୁଡିଆରେ ସପନର ନିଦ
ଶୋଇଯାଏ ଭବିଷ୍ୟତ
ରଙ୍ଗମହଲରେ ବାରାଙ୍ଗନା ନାଚେ
ପ୍ରେମପ୍ରେମୀ ମନମିତ ।
ଆମେତ ସ୍ୱାଧୀନ ସୁଯୋଗ୍ୟ ସନ୍ତାନ
ବେକାରୀ କୁଶଳୀ ଜନ
କରିଛୁ ପ୍ରତୀକ୍ଷା ମିଳିବ ସୁରକ୍ଷା
ମାଗିବୁନି କେଵେ ଧନ ।
ଜାଗ୍ରତ ପ୍ରହରୀ ମହାସେବାକାରୀ
ଜନନୀର ଯୋଗ୍ୟ ସୁତ
ଜଗିଛି ସୀମାରେ ଗୁରୁ ଦାୟିତ୍ୱରେ
ସେଇ ଏକା ପ୍ରାଣ ମିତ ।
ଅଗଷ୍ଟ ପନ୍ଦର ସ୍ମୃତିର ପରବ
ସଂଗ୍ରାମୀର ମୁକ ସାକ୍ଷୀ
ଦେଶପାଇଁ ଜିଏ ଜୀବନ ଦେଇଛି
ସୁମରିବା ସର୍ବେ ମିଶି ।
