STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ଆମ ଓଡ଼ିଆ ଭାଷା

ଆମ ଓଡ଼ିଆ ଭାଷା

2 mins
923


ଉତ୍କଳ ଭାରତୀ ଚରଣେ ନତ କରୁଛି ଶିର,

ଆଶୀର୍ବାଦ ଦିଅ ଜନନୀ ବନ୍ଦଇ ତୋ ପୟର।

ଓଡ଼ିଆ ଭାଷା କୋଣାରକ ଗଢି ଯେଉଁ ମହାନ,

ଅମର ହୋଇଲେ ପ୍ରଣମେ ତାଙ୍କ ପଦେ ଏ ଦୀନ।


ଶାସ୍ତ୍ରୀୟ ଭାଷାର ମାନ୍ୟତା ଲଭି ଭାଷା ଆମର,

ଉତ୍କଳ ଜନନୀ ଗଳାରେ ଶୋଭେ ମୌକ୍ତିକ ହାର।

ସାରଳା ଦାସ, କବିସୂର୍ଯ୍ୟ,ଦୀନକୃଷ୍ଣ, ଉପେନ୍ଦ୍ର,

ଗୋପାଳକୃଷ୍ଣ, ଅଭିମନ୍ୟୁ କବିକୁଳ ନରେନ୍ଦ୍ର।

ରାଧାନାଥ,ସ୍ବଭାବ କବି ଗଙ୍ଗାଧର ମେହେର,

ବାଣୀ ବରପୁତ୍ର ଗାଉଁଲି କବି ନନ୍ଦକିଶୋର।

ପ୍ରେମିକ କବି ମାୟାଧର,ସଚ୍ଚି ରାଉତରାୟ,

ସବୁଜ କବି ବଇକୁଣ୍ଠ,ସର୍ବେ ବାଣୀ ତନୟ।

ସମୃଦ୍ଧ କରିଲେ ଓଡ଼ିଆ ଭାଷା , ସଂସ୍କୃତି ତାର,

ପଦ ପଦବୀର ଆଶାରୁ ଥିଲେ ଯୋଜନ ଦୂର।


ବଡ଼ ଦୁଃଖ ଲାଗେ ଆଜିର ଦୁଇ ଦିନିଆ କବି,

ନିଜକୁ ଘୋଷଣା କରନ୍ତି କବିକୁଳର ରବି।

କିଏ କହେ ମୁଁ କବିମଣି,କିଏ କବି ନିର୍ମଳ,

କିଏ କହେ ମୁଁ କବି ରବି,କିଏ କବି ଶାର୍ଦ୍ଦୁଳ।

କେ କହେ ମୁଁ କବି ଚନ୍ଦନ,କିଏ କବି ଚମ୍ପକ,

କେ କହେ ମୁଁ ଭାଷା ବିଜ୍ଞାନୀ କିଏ ବେଦ-ସାଧକ।


ଏପରି ଉପାଧି ପାଇଁ କି ପୂର୍ବେ କବି ସମାଜ,

କରିଛନ୍ତି କେବେ ପ୍ରୟାସ,ଆସ ଚିନ୍ତିବା ଆଜ।

କାଗଜ ଫୁଲରେ ଚମ୍ପକ ରଙ୍ଗ ଯେବେ ବୋଳିବା,

ଅତର ବାସନା ଲଗାଇ ଯେବେ ଘ୍ରାଣ କରିବା,

ଚମ୍ପା ଫୁଲ ସଙ୍ଗେ ସମାନ କେବେ ହେଲାଣି କି'ସେ,

ତୂଳିରେ ହୁଏ କି ଅଙ୍କିତ ଇନ୍ଦ୍ରଧନୁ ଆକାଶେ !


ମୁଖ ପୁସ୍ତକରେ ଚେହେରା ଶତବାର ଦେଖାଇ,

ଶିଖରୀ ଦରୀରେ ଗରଜି କବି ହେଲାଣି କେହି ?

କହିପାର ମୋତେ ଈର୍ଷାଳୁ ତିଳେ ନାହିଁ ମୋ ଦୁଃଖ,

ଓଡ଼ିଆ ଭାଷାର ଅସ୍ମିତା, ତା'ର ଗୌରବ ରଖ।

ପୁରସ୍କାର କେହି ପାଇଲେ ତାକୁ କର ପ୍ରଶଂସା,

ହୃଦୟକୁ କର ନିର୍ମଳ ତେଜି ମନରୁ ହିଂସା।


ଭାଷାକୁ ସୁଦୃଢ କରିବା ପାଇଁ କର ପ୍ରୟାସ,

ହେଉ ମୂଳଲକ୍ଷ୍ୟ କରିବା ଦୂର ବନାନ ଦୋଷ।

ପିଲାଙ୍କୁ ଓଡ଼ିଆ ଶିଖାଅ ଯେବେ ଭାଷା ବଞ୍ଚିବ,

ଇଂରାଜୀକୁ ମୂଳ କରିଲେ ମାତୃଭାଷା ମରିବ।

ଦୁଇପଦ ପଛେ ଲେଖିବା,ଭାଷା ଭାବ ରଖିବା,

ଅବୁଝା କବିତା ଲେଖିଲେ ଆତ୍ମ ରତି କରିବା।


ଆମ ଭାଷା ପରି ସୁଦୃଢ ଭାଷା ନାହିଁ ସଂସାରେ,

ସରକାରୀ ଅବହେଳାରୁ ରହିଯିବ ଅନ୍ଧାରେ।

ଭାଷାର ଉନ୍ନତି ହୋଇବ ଦୃଷ୍ଟି ଦେଲେ ଶାସନ

ପ୍ରତିଭାର କରେ ନିଧନ ପ୍ରିୟା ପ୍ରୀତି ତୋଷଣ।

ପୁରସ୍କାର ପାଇଁ ସାହିତ୍ୟ ନଲଭୁ ତିରସ୍କାର,

ମନ୍ଦିର ପ୍ରସାଦେ ନ'ମିଶୁ ହେଡା,ଖତ,ଗୋବର।


ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଅନୁରୋଧ ଏତିକି,

ଗଙ୍ଗାନଦୀ ସମ କରନ୍ତୁ ସାହିତ୍ୟର ଗତିକି।

ପୁରସ୍କାର ଥରେ ପାଇଣ ଗର୍ବେ ଛାତି ଫୁଲାଇ,

ମମତ୍ବ ଅନ୍ଧାରେ ରହିଲେ ଭାଷା ବଞ୍ଚିବ ନାହିଁ।

ଉତ୍କଳ ଭାରତୀ ଗଳାରେ ଯେଉଁ ହାର ଲମ୍ବାଅ,

ନରହିବ ଯଦି ସୌରଭ ତହିଁ କି ଲାଭ କୁହ !


କବି ପରିଚୟ ଗୋଟିଏ କବିତାରୁ ମିଳଇ

ଗୋଟିଏ ଚନ୍ଦନ ଗଛରୁ ସାରା ବନ ବାସଇ।

ଗୋଟିଏ "କାରା କବିତା"ରୁ ଗୋପବନ୍ଧୁଙ୍କ ଜନ୍ମ,

ଗୋବିନ୍ଦଙ୍କୁ କଲା ପ୍ରସିଦ୍ଧ "ଅମାବାସ୍ୟାର ଜହ୍ନ"।

ସେପରି ସର୍ଜନା ସୌରଭ ଯିଏ ପ୍ରବାହ କରେ,

"କବି ଗଉରବ" ବୋଲିବେ ତାକୁ ସାରା ସଂସାରେ।

ଖାଲି କବିତାରୁ ସାହିତ୍ୟ ହୁଏ ନାହିଁ ସର୍ଜନା,

ଅବୋଧ୍ୟ ଦୁର୍ବୋଧ୍ୟ ହେଲେ ତା ସୃଜଇ ଆବର୍ଜନା।


ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ଗବେଷଣା,

ଦିନୁ ଦିନ ଆମ ଭାଷାରୁ ହୋଇ ଯାଉଛି ଉଣା।

ଗୋଦର ଗୋଡ଼ରେ ମାଉଁସ ହେଲେ ହିତ କାହାର,

ମୁଖ ପୁସ୍ତକରେ କବିତା ପ୍ରାବଲ୍ୟ ସେ ପ୍ରକାର।


ଈର୍ଷା ଠାରୁ ଦୂରେ ରହେ ଯା ନାମ ତା ବନ୍ଧୁପଣ,

ବନ୍ଧୁର ଗୌରବେ ଈର୍ଷାକୁ ହୃଦେ ନଦିଅ ସ୍ଥାନ।

ବଚନେ କାହିଁକି ବନ୍ଧୁ ହେ ଏତେ ଦରିଦ୍ର ଭାବ,

ହୋଇ ଏଡେ ପଦାଧିକାରୀ କିଆଁ ମନ ଅଭାବ !


ଦୋଷ ଥିଲେ କ୍ଷମା କରିବେ ବନ୍ଧୁଗଣ ସୁଜ୍ଞାନ,

ଗାଳି ଦେବା ପାଇଁ ଦେଉଛି ଅଧିକାର ସମ୍ପୂର୍ଣ୍ଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational