ଆମ ଘରର ମାନଚିତ୍ର
ଆମ ଘରର ମାନଚିତ୍ର
ବୋଉ କହୁଥିଲା
ମୋର କୁଆଡେ ବଡ ଭାଗ୍ୟ !
ମୁଁ ଜନ୍ମ ହେବା ସନ
ସୁଝାହେଲା ସାଉକାରର ପଇସା,
ବନ୍ଧା ପଡିଥିବା ଦୁଧିଆଳି କାଳିଗାଈ ଚମ୍ପା,
ଆଉ ପରି ନାହାକ ଠାରୁ
ଢ଼ିଙ୍କିଆ ପାଟ ଜମି ।
ସେବେଠୁ ଆମର କିଛି ଅଭାବ ନାହିଁ।
ପାଠ ପଢି ସିନା ବେକାର ହେଲି
ହେଲେ ଆମ ଗରୀବ ଘର ପାଇଁ
ସରକାର ଖଞ୍ଜି ଦେଲେ
ତିନିପୁରୁଷ ପାଇଁ ଟଙ୍କିକିଆ ଚାଉଳ,
ବିପିଏଲ/ରାସନ କାର୍ଡ,ବିଜୁ ସ୍ୱାସ୍ଥ୍ୟ ବୀମା,ଲେବରକାର୍ଡ ଭଳି ମାଳ ମାଳ ଯୋଜନା
ମୋ'ଜେଜେ ମାଆ ପାଇଁ ବିଧବା ଭତ୍ତା,
ହରିଶ୍ଚନ୍ଦ୍ର ଯୋଜନା ।
ବାପା ମୋର ଏବେ ଗାଁର କୁଜିନେତା
ପାଞ୍ଚ ବର୍ଷ ପାଇଁ ।
ଟଙ୍କା ପାଆଂଶରେ ଆମେ
ବିକିଦେଉ ଆମ ଭବିଷ୍ୟତ ।
ମୋ'ଭାଗ୍ୟର ତଣ୍ଟିରେ ଶିକୁଳି ବାନ୍ଧି
ସକାଳ ହେଲେ ଧାଆନ୍ତି ବାପା
ବେକାରି ପୁଅଲାଗି କୋଉ ସରପଞ୍ଚ,
ବିଡ଼ିଓ,ମନ୍ତ୍ରୀଙ୍କ ଦ୍ୱାରସ୍ଥ।
ପରପାଇଁ ଠିକା ନେଇଥିବା
ବାର୍ଦ୍ଧକ୍ୟଭତ୍ତା,ବିଜୁଳି ଆଲୁଅ
ଅଭାବି ଘର ପାଇଁ କାହାର
ଡିବିଏ କିରାସିନି ।
ସାମର୍ଥ୍ୟ କୁ ଉପହାସ
କରୁଥିବା ଆମ ଦାରିଦ୍ରତା ପାଇଁ
ଏବେ ମୋ ବୋଉ ଭାଗ୍ୟର ଦ୍ବାରସ୍ଥ ।
ଜାତକ ଦେଖି ନାହାକ ଦେଇଛି ପ୍ରତିକାର
ମୋ ବାପାଙ୍କ ଦେହାନ୍ତେ ବଦଳିବ
ଆମ ଘରର ମାନଚିତ୍ର
