ଆମ ଘର
ଆମ ଘର
ଜୀବନ ସହ ଅଠା ପରି ଯୋଡି ହେଇଥିଲା ବେଳେ
ଦୁଃଖର ପରସ୍ତକୁ ଆଶ୍ୱାସନାର ପାଣି ଲଗେଇ
ଓଟାରି ଅଲଗା କରିବାର ପ୍ରୟାସ
ଯେଉଁଠି ଚାଲିଥାଏ
ଝଡ଼ କାଳେ ଛୁଇଁ ଦେବ ବୋଲି
କାହା ଛାତି ଗୋଟେ ମୋଟା କାନ୍ଥ ପାଲଟି ସାରିଥାଏ
କାନ୍ଥ ଉପରେ ଶିରାଳ ହାତର ଛାତ
ପୋଷ ପୋଷ ଝାଳକୁ ପୋଛି
ଧୂଆଁ ପିଇ ସେଇଠି ବି କେହି ଜଣେ
ଭବିଷ୍ୟତକୁ ନିଆଁରେ ସେକି ସେକି ଅମୃତ ପିଏଇ ଦିଏ ।
ସୂର୍ଯ୍ୟ ଉଇଁବା ଆଗରୁ ସକାଳ
ସକାଳ ଆସିବା ଆଗରୁ ସଜା ହୁଏ ସ୍ୱପ୍ନ
କୋହମାନେ ମେଞ୍ଚା ମେଞ୍ଚା ବାଦଲରେ ଘନୀଭୂତ ହୋଇ
ବର୍ଷିବା ଆଗରୁ
ଆଉଁସି ଦିଏ କାହାର ସଜଳ ନିଶ୍ଵାସ
ପହଁରି ଯାଇ ହୁଏ ତେଣିକି
ପ୍ରଶାନ୍ତ ମହାସାଗର
ଝରିଆସେ ମଧ୍ୟାହ୍ନରେ ଛଳଛଳ ମରୁନିର୍ଝର
ନିଜ ମୁହଁ ଦେଖିବା ଆଗରୁ
ଦିଶିଯାଏ ବୈକୁଣ୍ଠ ମର୍ତ୍ତ୍ୟର ।
ଦିନେ ଦିନେ ଯୋଡିହୋଇ ରହିଥିବା
କଡ଼ିସବୁ ଟାଣି ହୁଏ ଏକାନ୍ତରେ
ଏଇ ଏବେ ଫିଟିଯିବ
ତୁଟିଯିବ ଫାଟି ଯିବ
କେତେ କେତେ ଭୟ ଆସି ନଖ ଦେଖାଏ
ଦାନ୍ତ ଦେଖାଏ
ହେଲେ ସେତେବେଳେ
କାହାର ଲୁହ ତ କାହାର ନିଦା ସ୍ଵର
ମେରି ଖୁଣ୍ଟ ପରି ସମ୍ଭାଳି ନିଏ ପ୍ରତିଥର
ସେମିତି ହସୁଥାଏ ଘର
ପୁରୁଷ ପୁରୁଷ ଧରି ଟାଣ ହେଉଥାଏ
ଖଟା-ମିଠା ସଂପର୍କର ଡୋର ।
