STORYMIRROR

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ଆମ ଘର ଅଗଣା

ଆମ ଘର ଅଗଣା

2 mins
6


ଆମ ଘର ଆମ ଅଗଣା ର କଥା

କଥା ସହ ଆତ୍ମୀୟତା 

ମୂକ ସାକ୍ଷୀ ଭାବେ ଅତି ପରିଚିତ 

ଅଗଣା ଘରର ଶ୍ରୋତା 

ମାନ ଅଭିମାନ ରାଗ ଋଷା କଥା

ଅଗଣା କୁ ସବୁ ଜଣା 

ଘରର ସୁଖ ଦୁଃଖ ହସ କାନ୍ଦ ରେ

ସହଭାଗୀ ସେ ଅଗଣା

ହାମ୍ବୁଡ଼ିବା ଗୁରୁଣ୍ଡିବା ପେଟେଇବା 

ଆରମ୍ଭ ସେ ଅଗଣା ରୁ

କ୍ରମେ ଠିଆ ହେବାର ସାହସ ପ୍ରାପ୍ତ

ଅଗଣା ନିର୍ଦ୍ଦେଶନା ରୁ

ଯୌଥ ପରିବାର ମିଳନର କେନ୍ଦ୍ର

ପ୍ରିୟ ଘରର ଅଗଣା

ମନ ଖୋଲା ହସ କାନ୍ଦ ଅଭିନୟ

ସବୁ ଅଗଣା କୁ ଜଣା ।


ଖରା ଦିନେ ଦିନ ଆଉ ରାତି ବିତେ

ଅଗଣା ଖୋଲା ମଞ୍ଚରେ

ଅଳ୍ପ ବସନ ରେ ଢାଙ୍କି ଦେହ ମୁଣ୍ଡ

ନିରାପଦ ଅଗଣାରେ

ଖରା ଦିନେ ରାତ୍ରୀ ଜେଜେଙ୍କ ସହିତ

ଶୋଇବାକୁ ଅଗଣାରେ

ପ୍ରତିଯୋଗିତା ସମ ସଂଘର୍ଷ ହୁଏ

ସାନ ପିଲାଙ୍କ ମଧ୍ୟରେ

ଆକାଶରେ ଜହ୍ନ ଦେଖା ତାରା ଗଣା

ଚାଲୁ ରହିଥିଲା ବେଳେ

ଜେଜେଙ୍କ ଗପରେ ହୁଁ ହୁଁ କହି କହି

ନିଦ ଆସିଯାଏ ବଳେ

ଶୀତଦିନେ ଜାକି ଜୁକି ବସି ଯିବା 

ଅଗଣା ଚୁଲି ମୁଣ୍ଡରେ

ସକାଳ ଖରାରେ ପିଠି କୁ ଦେଖେଇ

ବସି ହୁଏ ଆରାମରେ

ବର୍ଷା ଦିନେ ଅଗଣାରେ ପାଣି ଜମି

ପିଲାଙ୍କୁ କରେ ଇଶାରା

କାଗଜର ଡଙ୍ଗା ଭାସୁ ବା ନ ଭାସୁ

ଭିଜିବା ମଜା ନିଆରା


କାଉ ପାରା ଘର ଚଟିଆଙ୍କ ପ୍ରିୟ

ଆମ ଘରର ଅଗଣା

ପ୍ରାୟ ନିତିଦିନ କିଚିରି ମିଚିରି 

ଖାଇବାକୁ କିଛି ଦାନା

ଗୋବରରେ ଲିପା ହୁଏ ସେ ଅଗଣା

ପୂଜା ପର୍ବ ସମୟରେ

ଝୋଟି ଚିତା ସହ ସଫା ସୁତୁରା ରେ

ଶୋଭା ବଢ଼େ ଅଗଣାରେ

ଘର ଅଗଣାରେ ବୃନ୍ଦାବତୀ ସହ

ତୁଳସୀ ଗଛ ସୁବାସେ 

ସଞ୍ଜ ସକାଳେ ଦୀପ ଟିଏ ଜାଳି ମା'

ଘରର ଶୁଭ ମନାସେ 

ଯୌଥ ପରିବାର ଅଳି ଅର୍ଦ୍ଦଳି ରେ

ଘର ଓ ଅଗଣା ବ୍ୟସ୍ତ 

ଘର ବାହାରକୁ ଯିବା ଓ ଆସିବା 

ଖୁସି ବିରକ୍ତ ଏକତ୍ର

ଘରର ଅଗଣା ସୁଖର ଭଣ୍ଡାର

ବାନ୍ଧି ରଖେ ପରିବାର

ସତେ ଅବା ଘର କନ୍ୟା ରତ୍ନ ସମ 

ସଜେଇ ଥାଏ ସୁନ୍ଦର

କନ୍ୟା ରତ୍ନ ହେଉ ଘରର ଅଗଣା 

ପରିବାର ର ଗୌରବ

କନ୍ୟା ରତ୍ନ ସଦା ରହିଥିଲେ ଖୁସି

ଘର ପ୍ରତି ହେବ ଗର୍ବ ।


ଆଉ ନାହିଁ ଯୌଥ ପରିବାର ଭାବ

ନାହିଁ ଘରର ଅଗଣା

ଚାରି କାନ୍ଥ ଆଉ ଛାତ ତଳେ ମାତ୍ର

ଘର ଭାବେ ଜଣା ଶୁଣା

ଅଗଣା ଥାଇ ଘରଟିଏ କରିବା

ଆଉ ନାହିଁ ପରମ୍ପରା

ଏକାର୍ଣ୍ଣବର୍ତ୍ତି ପରିବାର ନାମରେ

ଖୁସି ଦୁଆର ପଶୋରା 

ମା ଆଉ ଅଗଣାରେ ଚାହିଁ ରହୁନି

ସ୍କୁଲ୍ ଫେରନ୍ତା ପିଲାଙ୍କୁ

ବାହୁ ମେଲେଇ ଘର ଅଗଣାରେ

ଆଲିଙ୍ଗନ କରିବାକୁ

ସ୍ମୃତି ଉଜ୍ଜୀବିତ ସେଇ ମାନଙ୍କର

ବିତିଛି ଯା' ଅଗଣାରେ

ଜୀବନ ସହିତ ଜଡ଼ିତ ଅଗଣା

ନୁହେଁ ଭୁଲି ସହଜରେ ।



Rate this content
Log in

Similar oriya poem from Classics