STORYMIRROR

Lokanath Rath

Inspirational

4  

Lokanath Rath

Inspirational

ଆମ ଗାଆଁ, ଆମ ଘର

ଆମ ଗାଆଁ, ଆମ ଘର

2 mins
230

ହାୟ ଏ ଜୀବନରେ ତୁ ଜୀବନ, 

ସବୁ ବୁଝି ସବୁ ଦେଖି କାଟୁଛୁ ତୋ ଦିନ. 

ଏବେ ନୂଆ ନୂଆ ଯେତେ ତୁ ଦେଖୁଛୁ, 

ପୁରୁଣାକୁ ବେଗି ଭୁଲି ତ ଯାଉଛୁ. 

ସହରର ଚାକଚକ୍ୟ କରିଛି କିମିଆ, 

ମିଥ୍ୟା ଆଭିଜାତ୍ୟ କରିଛି କି ଭୁଆଁ ?

ବଡ଼ ବଡ଼ ଗାଡି କଳା ପିଚ ପିଚ ରାସ୍ତା, 

ବହୁତଳ ଘର ପକ୍କା ତ ନୁହଁଇ ଶସ୍ତା. 

ବଡ ବଡ଼ ଦୋକାନ ବଜାରର ଭିଡ଼, 

ସେ ଭିତରେ ପଶି ଭାଙ୍ଗେ ପଞ୍ଜରା ହାଡ଼. 

ଆଭିଜାତ୍ୟକୁ ତୁ ବଞ୍ଚାଇବା ପାଇଁ, 

ଘର ଛାଡି ଦାମୀ ହୋଟେଲକୁ ଯାଉଛୁ ଧାଇଁ. 

ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବାର ପାଇଁ, 

କରଜେ ଡୁବିଛୁ କୃତ୍ରିମ ଥଣ୍ଡା ପବନ ପାଇଁ. 

ଲଗାଉଛୁ ଘରେ ଶୀତତାପନିଅନ୍ତ୍ରିତ ଯନ୍ତ୍ର, 

ରୋଗ କିଣି ନିଜକୁ କଷ୍ଟ ଦେଉ ଅତ୍ୟନ୍ତ. 

ଭୁଲିଛୁ ଅତୀତ ଭୁଲିଛୁ ତୁ ଗାଆଁ ଭିଟା ମାଟି, 

ଭୁଲିଛୁ ତୁ ରାସ୍ତା ଓ ଶଗଡ଼ ଗାଡି କି. 

ଭୁଲିଛୁ ତୁ ଆମ ଗାଆଁ, ଆମ ଘର, 

ଆମ ଚାଳଘର ଏବେ ବି ସୁନ୍ଦର. 

ସେ ଚାଳଘରେ ମାଟି ହାଣ୍ଡି ରନ୍ଧା ଖାଦ୍ୟ, 

ଏବେ କି ଭୁଲିଛୁ ତୁ ସୁନ୍ଦର ଗନ୍ଧ ଓ ସ୍ୱାଦ ?

ଆମ ଚାଳଘରର ସେ ଛଣ ଛପର, 

ସୁନ୍ଦର ଲିପା ପୋଛାର ମାଟି ଘର. 

ବାଡ଼ିପଟେ ସୁନ୍ଦର ଗଛର ସବୁଜ ପତ୍ର, 

ବାଡ଼ି ପରିବା ଓ ସଜ ଶାଗ ମିଳଇ ଏକତ୍ର. 

ଝରକା ଖୋଲି ଦେଲେ ଗ୍ରୀଷ୍ମ ଖରାବେଳେ, 

ତାଜା ତାଜା ଶୀତଳ ପବନ ଘରେ ଖେଳେ.

ସହରରେ ପିଇବାକୁ ପାଉ ବୋତଲର ପାଣି, 

ଗାଆଁ ଖଞ୍ଜା କୂଅ ଥଣ୍ଡା ପାଣି ମନ ନିଏ କିଣି. 

ଭୁଲିଛୁ କି ତୁ ଗାଆଁ ଚାଟଶାଳୀ ପଢା କଥା, 

ଚାଳଘର ଛାଇ ତଳେ ଗୁଞ୍ଜୁଥିଲେ ମଥା. 

ଅଛି ତ ପଢିବା ପାଇଁ ବଡ଼ ବଡ଼ ବିଦ୍ୟାଳୟ, 

ସହର ପରି ଚାଲେ ନାହିଁ ବିଦ୍ୟା ବ୍ୟବସାୟ. 

ରହିଛି ତା ଛଣ ଛପର, ସେ ତ ଚାଳଘର, 

କିନ୍ତୁ ଅଟେ ସେ ତ ଏବେ ବି ବିଦ୍ୟାର ମନ୍ଦିର. 

ବର୍ଷା କାଳେ ଚାଳଘରୁ ଯେବେ ବହେ ବର୍ଷା ପାଣି, 

ଫିକା ନାଲି ରଙ୍ଗ ସେ ପାଣି ମନ ନିଏ କିଣି. 

ଚାଳଘର ଚାଳ ଉପରେ ମାଡ଼ିଥିବା ଗଛର ଲତା, 

ପୋଇ, କାକୁଡି, ଜହ୍ନି, ଲାଉ ସଙ୍ଗେ କଲରା, ଛଚିନ୍ଦ୍ରା. 

ବର୍ଷା ଖରା ଶୀତ କାକର ଯେତେ ସେ ସବୁ ଖାଇ, 

ତାଜା ତାଜା ପୋଷକ ପରିବା ସଦା ଦେଉଥାଇ. 

ଗାଆଁରେ ରହିଛି ତ ଚାଷ ଜମି, ପଡିଆ ପଡିଛି, 

ସହରର ନିଶା ତତେ ଏବେ ପାଗଳ କରିଛି. 

ଏବେ ବି ସେ ମାଟିରେ ସୁନାର ଫସଲ ହେବ, 

ଯଦି ଟିକେ ତୋ ମୋହ ଏ ସହରୀ ଢ଼ାଞ୍ଚାରୁ ତୁଟିବ. 

ଟିକେ ଏବେ ଭାବି ଦେଖ, ଏ ସହର ନୁହଁଇ କାହାର, 

ଏବେ ବି ସମୟ ଅଛି ନିଜକୁ ତୁ ସଜାଗ କର. 

ଆମ ଗାଆଁ ଆମ ଘର ଅଟେ ଆମ ସଭିଙ୍କର, ବହୁତ ସୁନ୍ଦର, 

ଏ ଦୁନିଆରେ ଆମ ଚାଳଘରର ତ ନାହିଁ ପଟାନ୍ତର. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational