ଆମ ବହିଥାକ
ଆମ ବହିଥାକ
ହୀରା ନୀଳା ମୋତି ରଖିଥିଲେ ପୋତି
ଲାଗି ନଥାନ୍ତା ତ ଉଇ
ଦୁଃଖ ଯାଏ ବଢି ଥାକ ଯାଏଁ ଚଢି
ପୋକଟିଏ ଦେଲେ ଛୁଇଁ ।
ବହୁମୂଲ୍ୟ ଚିଜ ସାଇତିଛି ନିଜ
ଥାକରେ ସଜାଇ ରଖି
ରକ୍ଷଣାବେକ୍ଷଣେ ଦିନେ ଅବା କ୍ଷଣେ
ଏଯାଏଁ ଯାଇନି ଥକି ।
ଥିଲେ ଅବକାଶ ଇଚ୍ଛା ମୋ ପ୍ରକାଶ
ହୁଅଇ ପଢିବା ପାଇଁ
ପଢୁଥାଏ ଯେତେ ବାକି ଥାଏ ସେତେ
ସମ୍ପୂର୍ଣ୍ଣ ବି ହୋଇନାହିଁ ।
ଏହିସବୁ ପ୍ରତି ଦୁର୍ବଳତା ଅତି
ମାତ୍ରାରେ ରହିଛି ଜାଣି
ଏହି ଥାକେ ତାକୁ କାଢି ସେହି ଥାକୁ
ଝାଡିଝୁଡି ରଖେ ଆଣି ।
ଜଞ୍ଜାଳ ଚାପରେ ଦୁଃଖ ସନ୍ତାପରେ
ବହି ଏକମାତ୍ର ସାହା
ଆଶ୍ବାସନା ପାଏ ପାଖେ ଥିବା ଯାଏଁ
ଦର୍ଶାଏ ଜୀବନ ରାହା ।
ବହୁବିଧ ଜ୍ଞାନ ମିଳେ ବୋଲି ଧ୍ୟାନ
ରଖିଥାଏ ନିରନ୍ତର
କେତେକ ଚୟନ କରି ଅଧ୍ୟୟନ
ବୁଝି ନେବା ହିତକର ।
ଉପଲବ୍ଧ ଯହିଁ ଉପଯୁକ୍ତ ବହି
ନିଶ୍ଚୟ ଅମୂଲ୍ୟ ରତ୍ନ
ସମସ୍ତଙ୍କ ମିତ ଯେଣୁ ଘରେ ସ୍ଥିତ
ନେଉଥିବା ତାଙ୍କ ଯତ୍ନ ।