ଆଲୋ ନନ୍ଦରାଣୀ
ଆଲୋ ନନ୍ଦରାଣୀ
ଆଲୋ ନନ୍ଦରାଣୀ ହେଲୁକି ବାୟାଣୀ
କୃଷ୍ଣଙ୍କୁ ବୋଲୁତୁ ପୁଅ,
ନୁହେଁ ପୁଅ ତୋର କର୍ତ୍ତା ବ୍ରହ୍ମାଣ୍ଡର
ସୃଷ୍ଟିର ପାଳନ ହାର ଲୋ ରାଣୀ ।
ପୁତ୍ର ସ୍ନେହରେ ହେଉ ବାୟାଣୀ ଲୋ ରାଣୀ | l
ପୁତ୍ର ପ୍ରେମରେ ହେଉ ଅନ୍ଧୁଣୀ, ଲୋ ରାଣୀ | l
କେଉଁ ଜନ୍ମେ କେତେ ତପସ୍ୟା କରିଲୁ
କୃଷ୍ଣଙ୍କୁ ପାଇଲୁ କୋଲେ,
ଜଗତର କର୍ତ୍ତା ଅନାଦି ଠାକୁର
ତୋ କୋଳେ ଜନମ ହେଲେ ଲୋ ରାଣୀ ।
ମାଆ ଡାକ ତୁ ପାଇଲୁ ଶୁଣି, ଲୋ ରାଣୀ ।।
ସାରା ବିଶ୍ଵ ବ୍ରହ୍ମାଣ୍ଡ ଯା ଗର୍ଭେ ଅଛି
ତାକୁ ତୋ ଗର୍ଭେ ଧରିଲୁ ,
ଅନ୍ତଚିରି ଜାତ କରି ପୁଣି ତାକୁ
ସ୍ତନ ଭାଙ୍ଗି କ୍ଷୀର ଦେଲୁ ଲୋ ରାଣୀ।
କ୍ଷୀର ପିଅନ୍ତି ସେ ବେଣୁପାଣି ଲୋ ରାଣୀ | l
ନିତି ତୋର ହାତେ ସବୁ ସେବା କରୁ
ବନମାଳୀ କାଳିଆକୁ,
ଖେଳାଇ ବୁଲାଇ ନାନା ଗୀତ ଗାଇ
ଦେଇ ସର ଲବଣୀକୁ ଲୋ ରାଣୀ ।
ସ୍ନେହ ଶ୍ରଦ୍ଧାରେ ଭୁଞ୍ଜାଉ ପୁଣି ଲୋ ରାଣୀ | l
ଆଖି ପଳକରୁ କ୍ଷଣେ ଦୁରେ ଗଲେ
ବାତୁଳି ପ୍ରାୟକ ହେଉ,
ଚୋର ନିନ୍ଦା ଶୁଣି ସହିନ ପାରିଣ
କେତେ ମାଡ ଗାଳି ଦେଉ,ଲୋ ରାଣୀ।
ପୁଣି ବୋଲୁ ପୁତ୍ର ମୋ ନୟନମଣି ଲୋ ରାଣୀ. I
ପୁତ୍ର ପ୍ରେମରେ ହେଲୁ ଅନ୍ଧୁଣୀ ଲୋ ରାଣୀ,
ପୁତ୍ର ସ୍ନେହରେ ହେଉ ବାୟାଣୀ ଲୋ ରାଣୀ | l
