ଆଖିଲୁହ
ଆଖିଲୁହ
କେବେ କେବେ ଆଖିଲୁହ ହୋଇଥାଏ ସତ
ଆଉ କେବେ ଲାଗଇ ସିଏ ମିଛ,
ବୁଝିବା ବଡ଼ କଷ୍ଟ ସେଇ ଲୁହକୁ
କହିଯାଏ କଥା, ଲାଗେ ଦର୍ପଣ କାଚ |
ଯେବେ ଛାତିରେ ଭରି ଅନେକ କୋହ
କରିବାକୁ ହୁଏ ହସିବାର କିଛି ଛଳନା,
ସେହି ଆଖିଲୁହ ବାନ୍ଧି ହୋଇ ରହିଯାଏ
ଆଖିପତା କରି ଦିଏ ତାକୁ ଖେଳନା |
ବେଦନାର ବାର ବାର ଘାତ ପ୍ରତିଘାତ
ସହିବାକୁ ଚେଷ୍ଟା କରେ ସେହି ଆଖିଲୁହ,
ଦେଖେ ଯେବେ ଘେରିଅଛି ତାକୁ ଖାଲି
ବନ୍ଧ ହୋଇ ମମତାର ମାୟା ମୋହ |
ସେହି ମମତା ଜାଲରେ ଧରାପଡେ ଯେବେ
ଯାତନା ଦେଉଥିବା ବେଦନା ଆଉ ଦୁଃଖ,
ଆଖିଲୁହ ସବୁ ଦେଖେ, ତୁନି ପଡେ
ଆଶାରେ ଚାହିଁଥାଏ ପାଇବାକୁ କିଛି ସୁଖ |
ଯେବେ ଦେଖେ କିଛି ସୁଖକୁ ପାଖରେ
ଆଖିଲୁହ ସାଉଁଟି ନିଏ ତାକୁ ସବୁ,
ଓଠରେ ଫୁଟାଇ ପୁଣି କିଛି ହସ
ଉଛୁଳେ ସେଇ ବନ୍ଧରୁ, ଟିକେ ବହିବାକୁ |
ବହିଯାଏ ଆଖିଲୁହ, କିଛି କଥା ମାନେନା
ଛୁଇଂଯାଏ ଓଠକୁ, କିଛି କଥା କୁହେନା,
କିନ୍ତୁ ତାର ସେହି ନୀରବତା କହିଯାଏ
ଯାହା ସବୁ ଦେଖି, ବୁଝି ହୁଏନା |
ଦେଖି ସେହି ଆଖିଲୁହ କିଏ କହେ
ଝରୁଛି ଦେଖ ଆଖିରୁ ଆଷାଢ଼ ଶ୍ରାବଣ,
କିଏ କହେ ମୂଲ୍ୟବାନ ମୋତି ବୋଲି
କିଏ କହେ, ସେଥିରେ ଲୁଚିଛି ସପନ |
କେତେ କେତେ ଭିନ୍ନ ଭିନ୍ନ ଅର୍ଥରେ
ବୁଝାଏ ସିଏ ଭିନ୍ନ ଭିନ୍ନ ମନକୁ,
ଆଖି ସିଏ, କିଛି ଜାଣେ ନାହିଁ
ଧରି ରଖିଥାଏ ଖାଲି ସେହି ଆଖିଲୁହକୁ|
ସତେ ବଡ଼ ବିଚିତ୍ର ଏହି ଆଖିଲୁହ
କେବେ ବହିଯାଏ, ପୁଣି କେବେ ଶୁଖିଯାଏ,
କେବେ ଲୁଚିଥାଏ ସିଏ କୋହ ଭିତରେ
କେବେ ଆଖିରେ ରହି ହସ ଫୁଟାଏ |
ଧରିବାକୁ ଚେଷ୍ଟା କଲେ ଦିଏନାହିଁ ଧରା
ନିଜ ଇଛାରେ ବି ଯାଏନି ବୋହି,
ଏହି ଆଖିଲୁହ ଲାଗେ ବଡ଼ ଦଗାଦିଆ
ଅଜଣା ପ୍ରଶ୍ନର ଉତ୍ତର ଯାଏ କହି |
