ଆଖି ରହିଛି ସାକ୍ଷୀ
ଆଖି ରହିଛି ସାକ୍ଷୀ
ଖାଦ୍ୟ ଖାଇବା ପରେ ହେ ଭାଇ
ଆମେ ତ ପାଣି ପିଉ ,
ଧୋକା ଖାଇବା ପରେ ଆମେରେ
କଅଣ ପିଇଥାଉ?
ବଞ୍ଚିବା ପାଇଁ ଭାତ କି ରୁଟି
ଖାଦ୍ଯ ତ ଆମେ ଖାଉ,
ମାଡ କି ଗାଳି ଏ କେଉଁ ଖାଦ୍ୟ
ଆମେ ବି ତାକୁ ଖାଉ।
ପାଟିରେ ଆମେ ଖାଦ୍ୟ ଖାଉଛେ
ଶରୀର ରକ୍ଷା ପାଇଁ,
କମେଟ୍ ଖାଉ କେଉଁ ପାଟିରେ
କହି ପାରିବ ଭାଇ?
ଖାଇବା ପାଇଁ ପାଟିଟା ଅଛି
ଶୁଣିବା ପାଇଁ କାନ,
ମାଡ଼ ଖାଇବା ପାଇଁକି ଅଛି
କେଉଁ ନିର୍ଦ୍ଦିଷ୍ଟ ସ୍ଥାନ?
ବୋଝଟି ଓଜନିଆ ହେବାରୁ
ମୁଣ୍ଡେଇଥାଉ ଆମେ,
ଦୁଃଖର ବୋଝ କେତେ କ୍ଵିଣ୍ଟାଲ
କହି ପାରିବ ତୁମେ?
ଫଳଟି ସିନା ବନିଲେ ପାଚେ
ଏକଥା ଆମେ ଜାଣୁ,
ଆମେ ମଣିଷ ଫଳ ତ ନୋହୁଁ
କିପରି ଆମେ ବନୁଁ ?
କିଏ ବନୁଛି ଡାକ୍ତର ଆଉ
କିଏ ବା ବୈଜ୍ଞାନିକ,
କିଏ ସେ ପୁଣି ମନ୍ତ୍ରୀ ବନୁଛି
କି ଫଳ ଏଇ ଲୋକ?
ମାରିଲେ ମରି ଯାଏ ଜୀବଟି
ସମସ୍ତେ ଜାଣିଛନ୍ତି,
ମାରିଲା ଆଖି ଯଦି ଝିଅଟି
କିଏ ସେ ମରେ ଏଠି?
ଆୟୂ ସରିଲେ ପ୍ରାଣୀ ସମସ୍ତେ
ଅବଶ୍ୟ ଯିବେ ମରି,
କ'ଣ ପାଇଁ ବେଳେ ବେଳେ ଏ
ମନଟା ଯାଏ ମରି?
ବାଜିଲେ ବାଦ୍ୟ ନାଚିବ ଗୋଡ଼
କଳାର ଆକର୍ଷଣ,
ମନ କିପରି ନାଚେ ଏଠାରେ
କିଏ ସେ ଭାଇ ଜାଣ?
ମଦ ପିଇଲେ ମଦ ନିଶାରେ
ମଦୁଆ ଘାରି ହୁଏ,
କବିତା ନିଶା କେଉଁ ଭଳି ସେ
କବିକୁ ଘାରୁଥାଏ?
ଯେହେତୁ ଗୋଲ୍ ରଥର ଚକ
ଟାଣିଲେ ଯାଏ ଗଡ଼ି,
ବେଳ କିପରି ଯାଉଛି ଗଡ଼ି
ତା' ଚକ କେଉଁ ପରି ?
ଫୁଟିଲେ ସିନା ମଲ୍ଲୀ କି ଚମ୍ପା
ଚଉଦିଗକୁ ବାସେ,
ବାସେ ବି ବିଦ୍ୟା ପ୍ରତିଭା ଫୁଲ
କେଉଁ ଉଦ୍ୟାନେ ହସେ।
ଓଠ ହସୁଛି ଆଖି କାନ୍ଦୁଛି
ଆସିଲେ ସୁଖ ଦୁଃଖ,
କା'ହୃଦ ଯେବେ ହସେ ବା କାନ୍ଦେ
ଦେଖି ପାରେ କି ଲୋକ?
ଜିନିଷ ପତ୍ର ହୁଏ ନିଲାମ
ସଭିଏଁ ଜାଣିଥାନ୍ତି,
ଜୀବନ ପୁଣି ହୁଏ ନିଲାମ
ଲୋକେ ବି କହିଥାନ୍ତି।
ଗାଈଟି ବନ୍ଧା ହୁଏ ପଘାରେ
ଦୋଷୀ ବି ହୁଏ ବନ୍ଧା,
କେଉଁଥିପାଇଁ ଜୀବନ ଭାଇ
କା'ପାଖେ ପଡ଼େ ବନ୍ଧା ?
ଯିବା ଆସିବା ପାଇଁକି ବାଟ
ସବୁଠିଁ ପଡ଼ିଅଛି,
ସମସ୍ୟା ସମାଧାନର ବାଟ
କେଉଁଠି ଲମ୍ଵିଅଛି?
ବାଟରେ ସିନା ଅନେକ ଫାଟ
ଆଖିକୁ ଦିଶୁଥାଏ,
ସମ୍ପର୍କେ ଫାଟ ଯେବେ ପଡ଼ିବ
ଦେଖିପାରେ କି କିଏ?
ଦେଖୁଛେ ଆମେ ଜିନିଷ ଭାଙ୍ଗେ
ପ୍ରୟେତଃ ଜୀବନରେ,
ସ୍ଵପ୍ନ ବି ଭାଙ୍ଗେ ବିଶ୍ଵାସ ଭାଙ୍ଗେ
ଆମ ଅଜାଣତରେ।
ସଭିଏଁ ଦେଖି ପାରନ୍ତି ସିନା
ବିଲବାଡ଼ିର ଚାଷ,
ବୁଦ୍ଧି ଖଟିବା ଚାଷ କରିବା
ହୁଏ କି ବାହ୍ୟ ଦୃଶ୍ୟ?
ହୁଏ ଦେଖି ତ ନଦୀର ସ୍ରୋତ
ଆଗକୁ ବହିବାର,
ସମୟ ସ୍ରୋତ ବହୁଛି ହେଲେ
ଠିକଣା କାହିଁ ତାର?
ପ୍ରଭୁ ଚରଣେ ପ୍ରସାଦ ଭୋଗ
ସଭିଏଁ ପାଉଥାନ୍ତି,
ଭୋଗ କରିବା ସୁଖ ଦୁଃଖକୁ
ଦେଖି ପାରେ କି ଆଖି?
ଏମିତି ଯେତେ ଅଦେଖା ଶବ୍ଦ
ଅନୁଭବର କଥା,
ଜୀବନ ଚର୍ଯା କଥାରେ ଯୋଚା
ବଞ୍ଚିବା ପାଇଁ ବାର୍ତ୍ତା।
ନ ଦେଖି ହେଲେ ସୁଦ୍ଧା ଏ ସବୁ
ବିବେକ ପାରେ ଦେଖି,
ମସ୍ତିଷ୍କ କରେ ବିଚାର ବୋଧ
ଆଖି କେବଳ ସାକ୍ଷୀ।
