ଆଜିର ସମାଜରେ ନାରୀ
ଆଜିର ସମାଜରେ ନାରୀ
ସଂସାର କୁ ଆସିବା ପୂର୍ବରୁ
ନିର୍ବାପିତ ହୋଇଯାଏ ଜୀବନ ଦୀପ
ନିରୀହ ନିଶ୍ପାପ ଶିଶୁ କନ୍ୟାର
ଶିକାର ହୁଏ ଭ୍ରୁଣ ହତ୍ୟାର ।
ଶୈଶବରେ ପାଦ ଦଉ ଦଉ
ଖଡ଼ି ଓ ସିଲଟ ବଦଳରେ
ହାତକୁ ଆସେ ଝାଡୁ ଓ ପୋଛାକନା
ବାଦ୍ ପଡେନା ନିଷ୍ଠୁର ମାଲିକ ର ନିର୍ଯାତନା ରୁ
ହଜିଯାଏ ଶୈଶବ ର ବସନ୍ତ ନିର୍ଯାତନା ର ଗ୍ରୀଷ୍ମରେ ।
କୈଶୋର ର ଚପଳତାରେ ନିଜକୁ ହଜାଇ ଦେବା ପୂର୍ବରୁ
ହଜାଇବସେ ନିଜ ଅସ୍ତିତ୍ଵ
ବାଦ୍ ପଡେନା ସେ କାମୁକ ର ଲୋଳୁପ ଦୃଷ୍ଟିରୁ
ପ୍ରେମିକ ର ଛଳନା ରୁ
ଅଥବା ଚୋରା ଚାଲାଣ ରୁ
ଯଦି ଅବା ପହଞ୍ଚି ଯାଏ ଯୌବନକୁ
ଏବଂ ବାନ୍ଧି ହୋଇଯାଏ ବିବାହ ବନ୍ଧନରେ
ବଞ୍ଚି ପାରେନା ଯୌତୁକ ରାକ୍ଷସ କବଳରୁ
ଜଳି ଯାଏ ଯୌତୁକ ଯୁଇ ରେ ।
ଘାତ ପ୍ରତିଘାତ ସତ୍ତ୍ୱେ
ଯଦି ଅବା ପହଞ୍ଚି ଯାଏ ଜୀବନ ର ଶେଷ ପାହାଚ କୁ
ତଥାପି ମିଳେନି ଟିକିଏ ସହାନୁଭୂତି
ଟିକିଏ ଆପଣାପଣ ,କି ଏକ ଦରଦୀ ହୃଦୟ
ନିଜ ରକ୍ତ ସମ୍ପର୍କ ବି ନିଜକୁ ଅଲଗା କରିଦିଏ
ନିର୍ବାସିତ କରେ ଜରାଶ୍ରମ କୁ ।
ଜୀବନ ସୃଷ୍ଟିର ପ୍ରାରମ୍ଭରୁ
ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ
ପ୍ରତିଟି ପାହାଚରେ
ନାରୀ ହୁଏ ନିର୍ଯାତିତ, ନିଶ୍ପେସିତ
ଏବଂ ଚିର ଉପେକ୍ଷିତ
ଆଜିର ପୁରୁଷ କୈନ୍ଦ୍ରିକ ସମାଜରେ ।
"ନାରୀ ପୁରୁଷ ସମାନ" ର ନାରା
କିମ୍ବା" ବେଟି ବଚାଓ " ଆନ୍ଦୋଳନ
ଅଥବା ଆମେରିକୀୟ କବି ଏଡ୍ ରିନ୍ ଙ୍କ କବିତା
ନୀରର୍ଥକ ମନେହୁଏ
ଜାଗ୍ରତ କରିବାରେ ଆଜିର ସମାଜରେ ମାନବିକତା ।
ଫେରାଇ ଆଣିବାକୁ ହେବ ପଥଭ୍ରଷ୍ଠ ମଣିଷର
ନୈତିକତା, ମାନବିକତା ଓ ପୁରୁଷପଣିଆ
ଚରିତାର୍ଥ ହୁଏନା ପୁରୁଷତ୍ଵ
ଅତ୍ୟାଚାର, ବ୍ୟଭିଚାର ଓ ଅମାନୁଷିକତା ରେ
ଚରିତାର୍ଥ ହୁଏ ପୁରୁଷତ୍ୱ
ନାରୀ ସମ୍ମାନରେ , ନାରୀ ସମ୍ମାନରେ ।
