ଆଜିର ଶ୍ରବଣ
ଆଜିର ଶ୍ରବଣ
ପୂର୍ବାକାଶେ ହୁଏ ନିତି ସୂର୍ଯ୍ୟୋଦୟ
ଶୁଭଇ ପକ୍ଷୀ କୂଜନ
ମଙ୍ଗଳ ପ୍ରଭାତେ ବିଞ୍ଚି ହୋଇପଡେ
ସୁନେଲି ସୂର୍ଯ୍ୟ କିରଣ ।
ଦିନ ପ୍ରତି ଦିନ ହୁଏ ତୀବ୍ରତର
ପେଟପାଟଣାର ଚିନ୍ତା
ବଢେ ନାହିଁ କିନ୍ତୁ ଭୂସୀମା ପରିଧି
ସଙ୍କୁଚିତ କର୍ମପନ୍ଥା ।
କମିଯାଏ ବଳ ହୁଅନ୍ତି ଦୁର୍ବଳ
ବୟକ୍ରମେ ବାପାମାଆ
ପଢୁଥାଏ ଭାଇ ଭଉଣୀଟି ବଢି
ହୋଇଯାଏ ଘରଯୋଗ୍ୟା ।
ପାରିଗଲା ପୁଅ କାନ୍ଧେ ବହେ ଭାର
ଛାତିକୁ କରେ ପଥର
ଯାଏ ଦୂର ଦେଶ ଉପାର୍ଜନ ଆଶେ
ଛାଡି ନିଜ ଘର ଦ୍ୱାର ।
ମାନେ ନାହିଁ ସିଏ ଦିନ ଆଉ ରାତି
ବୁହାଏ ଦେହରୁ ଝାଳ
ଗଣ୍ଡିଏ ଖାଇକି ଖଣ୍ଡିଏ ପିନ୍ଧିକି
ଯୋଗାଇ ଥାଏ ଆହାର ।
ଚଳେ ଗୁଜୁରାଣ ଜୀବନ ସଂଗ୍ରାମ
ହସେ ଦୁଃଖି ପରିବାର
ଫେରିବା ପଥକୁ ଚାହିଁ ରହିଥାଏ
ନବବିବାହିତା ତାର ।
ଏ ନୁହେଁ କାହାଣୀ ଅଙ୍ଗେ ନିଭା କଥା
ସତ୍ୟ ଅଟଇ ବଚନ
ଭେଟିବି ପାରିବା ପ୍ରତି ଗ୍ରାମ ପୁରେ
ଅନେକ ଆଜି ଶ୍ରବଣ ।
ଶ୍ରବଣଙ୍କ ତ୍ୟାଗ ମହାନ ଆଦର୍ଶ
ଜୀବନର ମୂଳାଧାର
ଏ ଜାତି ବଞ୍ଚିଛି ମରଣ ହାରିଛି
ଜୟ ଶ୍ରବଣ କୁମାର ।
