ଆଜିର ନାରୀ
ଆଜିର ନାରୀ
ବଦଳିଛି ଆଜି ଦୁନିଆଟା ପରା
ନାରୀ ନର ସମଭାବ
ଅତୀତର ନାରୀ ଲାଜୁକୁଳି ଲତା
ନଥିଲା ତା ଅନୁଭବ ।
ସମୟ ସାଥୀରେ ତାଳ ଦେଇ ଆଜି
କରୁ ଅଛି ଉପାର୍ଜନ
ସ୍ବଇଛାରେ କରେ ହିସାବ ନିକାଶ
କିବା ଦାନ ଧର୍ମ ପୂଣ୍ୟ ।
ରାତ୍ରୀ ଚାଦରରେ ଢାଙ୍କି ସୋଇ ବସି
ଗୁଣେ ନାହିଁ ତାରା ଗୁଛ
ସେ ସବୁକୁ ଭାବେ ଅତୀତ କାହାଣୀ
ଭାବନାଟା ଆଜି ସ୍ବଚ୍ଛ ।
ଜହ୍ନ ଅଗଣାରେ ଝୋଟି କଟା ଖେଳ
ଅତୀତ ପେଡିରେ ଥୋଇ
ଏବେ କମ୍ପ୍ୟୁଟର ଯୁଗକୁ ଆଦରି
ଦାୟିତ୍ଵ ନେଉଛି ବୋହି ।
ପାହାଡ଼ ସେପାରି ନୁହେଁ ସେହି ଗୋରୀ
ରୁଣୁଝୁଣୁ ସ୍ବରେ ନାଚି
ପ୍ରତିଧ୍ୱନି ତାର ସୃଷ୍ଟି କରୁ ଥିବ
ବୟସ ମୁରୁଜ ବିଞ୍ଚି ।
ପ୍ରେମକୁ କରିନି ଜୀବନ ପୁଟୁଳି
ନିନ୍ଦା ଅପନିନ୍ଦା ସହି
ଛଳ ପ୍ରତାରଣା ଅନୁଭବ କରି
ପ୍ରତିବାଦ କରେ ଯାଇ ।
ଜହ୍ନି ଫୁଲ ସଂଜେ ତାରା ଫୁଲ କୁଞ୍ଜେ
ଅଛିଣ୍ଡା ଅଙ୍କକୁ ଧରି
ପ୍ରୀତିକୁ ଜାବୁଡ଼ି ଅକାରଣେ ବସି
କରେ ନାହିଁ ଅଶ୍ରୁ ବାରି ।
ଲଂଘିଛି ପର୍ବତ କୋମଳ ପାଦରେ
ଉଡିଛି ସେ ଡେଣା ମେଲି
ଆକାଶଟା ଏବେ ଛୋଟ ଲାଗେ ପରା
ଅତୀତକୁ ଯାଏ ଭୁଲି ।
ପାଷାଣ ଦେହରେ ଫୁଟାଇଛି ଫୁଲ
ଲେଖନୀ ମୁନରେ ଆଙ୍କି
ଆଜିର ନାରୀ ସେ ସର୍ବୋଚ୍ଚ ସ୍ଥାନରେ
କିଏ ଦେବ ତାକୁ ଫାଙ୍କି ।