ଆଜିର ଏକଲବ୍ୟ
ଆଜିର ଏକଲବ୍ୟ
ସମଗ୍ର ଏ ଆର୍ଯ୍ୟାବର୍ତ୍ତେ
ଗୁରୁଶିଷ୍ୟଙ୍କ ସଂପର୍କର ପରମ୍ପରା
ସାରା ବିଶ୍ଵରେ ଅନନ୍ୟ ନିଆରା,
ଭକ୍ତ ଓ ଭଗବାନଙ୍କ ପରି
ଯୁଗେ ଯୁଗେ ଅମ୍ଳାନ ପବିତ୍ର
ଯା'ର ଦୃଷ୍ଟାନ୍ତ ରହିଛି ଅନେକ
ସେ ଅଭୁଲା ଅପାଶୋରା।
ମାତ୍ର ଶିଷ୍ୟଭାବେ ଏକଲବ୍ୟଙ୍କ
ଚରିତ୍ର ବିଶେଷ ବିରଳ
ସେ ଥିଲେ ତତ୍କାଳୀନ ସମାଜର
ପଛୁଆ ଅନଗ୍ରସର ବର୍ଗର ଅସବର୍ଣ୍ଣ
ଆର୍ଯ୍ୟ ସଂସ୍କୃତି ବିଧି ବିଧାନରେ
ଶିକ୍ଷା ଗ୍ରହଣ ଲାଗି ଥିଲା ଅଙ୍କୁଶ
ତଥାପି ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି
ଜିଜ୍ଞାସାର ମନୋବୃତ୍ତି ନେଇ,
ସତ୍ୟ ନିଷ୍ଠାର ସହିତ ପରୋକ୍ଷରେ
ମହାନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ
ପ୍ରତିମୂର୍ତ୍ତି ସ୍ଥାପନ କରି
ଏକାଗ୍ରତାର ନିରବଚ୍ଛିନ୍ନ ଉଦ୍ୟମେ
ସଫଳତାର ସହ କଠିନ ଯୁଦ୍ଧବିଦ୍ୟା
ଲକ୍ଷଭେଦୀ ଶର ଚାଳନାରେ
ହୋଇ ଅନନ୍ୟ ଏକ ଓ ଅଦ୍ଵିତୀୟ
ପ୍ରମାଣ କରିଥିଲେ ନିଜ ସ୍ବଭାବର
"ଶ୍ରଦ୍ଧାବାନ୍ ଲଭତେ ଜ୍ଞାନମ୍"।
ବିନା ଆଜ୍ଞାରେ ଗୁପ୍ତବିଦ୍ୟା
ଏକଲବ୍ୟ କରିଥିବାରୁ ଗ୍ରହଣ
ଗୁରୁଙ୍କ ପରିଚୟ ଦେଲା ପରେ
ଗୁରୁଦକ୍ଷିଣା ସ୍ଵରୂପ ଦ୍ରୋଣାଚାର୍ଯ୍ୟଙ୍କ
ଇଚ୍ଛାର ଆଜ୍ଞାରେ ଛେଦନ କରି ସେ
ଦକ୍ଷିଣ ହସ୍ତର ବୁଢା ଆଙ୍ଗୁଳି
ଉପହାର ଦେଇଥିଲେ ତାଙ୍କ ଶ୍ରୀଚରଣେ,
ଜାଣି ସୁଦ୍ଧା ପରବର୍ତ୍ତୀ ସମୟରେ
ଅସମର୍ଥ ହେବେ ତୀର ଚାଳନାର ଲାଗି...
ଏ କଣ ଥିଲା ଏକାନ୍ତ ଜରୁରୀ ?
ନା ଏ ଥିଲା ଶଠତାର ଏକ ପ୍ରବଞ୍ଚନା ?
ନା ପ୍ରତିଭାକୁ ବିକଶିତ ନ କରିବାର
ସୁଯୋଗରୁ ବଞ୍ଚିତ କରି ରଖିବାକୁ
ଏକ ସୁଚିନ୍ତିତ କ୍ରୂର ଦୂରଭିସନ୍ଧି ?
ଉତ୍ତର ତାର ଅସମାହିତ
ସେ ଥିଲା ଉଚିତ କି ଅନୁଚିତ
ଭିନ୍ନ ଭିନ୍ନ ଦୃଷ୍ଟିକୋଣୁ ହୁଏ ଚର୍ଚ୍ଚିତ...
କିନ୍ତୁ ଏତେ ବଡ଼ ତ୍ୟାଗର ପରାକାଷ୍ଠା
ଦେଖାଇ ଏକଲବ୍ୟ ଶିଷ୍ଯମଧ୍ୟେ
ଆଜି ବି ଜାଜ୍ଵଲ୍ୟମାନ ତାରକା ରୂପେ
ସମସ୍ତ ଗୁରୁଙ୍କ ହୃଦେ ରହିଛନ୍ତି ଅମର,
ସମାଜର ଅଗ୍ରଗତି ସଭ୍ୟତାର ବିକାଶରେ
ଗବେଷଣା ଅନୁସନ୍ଧାନରେ
ଶିକ୍ଷଣ ପ୍ରକ୍ରିୟାର ଢାଞ୍ଚା ବଦଳି
ନେଇଛି କେତେ ନୂତନ ରୂପରେଖ।
ସର୍ବଶିକ୍ଷାର ଅଭିଯାନ
ସଭିଙ୍କ ପାଇଁ ଶିକ୍ଷା ଆଣିଦିଏ
ଶିଷ୍ୟମାନଙ୍କ ଜୀବନେ ସୁବିଧା ସୁଯୋଗ,
ଆଜିର ଏକଲବ୍ୟ ତା' ଶ୍ରଦ୍ଧାରେ
ଆହରଣ କରେ ପାରୁ ପର୍ଯ୍ୟନ୍ତ
ନିଜ ପ୍ରତିଭାକୁ କରି ବିକାଶ
ବିନିଯୋଗ କରେ ସମୂହ କଲ୍ୟାଣେ।
ଅବଶ୍ୟ ବିଭିନ୍ନ କ୍ଷେତ୍ରେ ତାର
ଦେଖିବାକୁ ମିଳେ ନାନା ବିଶୃଙ୍ଖଳା
ତାର ସମାଲୋଚନା ପର୍ଯ୍ୟାଲୋଚନା କରି
ତାର ପୁନଃରାୟ ସଂସ୍କାର ଆଣିବା
ସଭିଙ୍କ ପାଇଁ ଏ ଏକ ଆହ୍ବାନ,
କଣ କଲେ ବ୍ୟକ୍ତିତ୍ବ ଓ ଚରିତ୍ରର
ହେବ ଆଶାନୁରୂପକ ପରିପ୍ରକାଶ ?
ଜ୍ଞାନୀ ଗୁଣୀ ବିଜ୍ଞ ସଂସ୍କାରକଙ୍କର
ଚିନ୍ତା ଚେତନାକୁ କରେ ଆନ୍ଦୋଳିତ
କେମିତି ଆସିବ ସମାଜର ସ୍ଥିତାବସ୍ଥା ?
ଯା' ଆଜି ହୁଏ ଅତିଶୟ ଜରୁରୀ।
