ଆଜି ଦୀପାବଳି
ଆଜି ଦୀପାବଳି
କେବେ ଶୁଣିଛକି କିଏ ଜାଣିଛ କି?
ସକଳ ପୁରୁଷ ମୁକ୍ତିଦାତା ଯିଏ
ଶ୍ରାଦ୍ଧ ଦେବା କାହିଁ ଦେଖିଛ କି.....?
ଶ୍ରାଦ୍ଧ ବେଶ ଧରି ନୀଳାଦ୍ରୀ ବିହାରୀ
ପିତୃଲୋକେ ଦିଏ ପିଣ୍ଡକୁ ଟେକି l
କାର୍ତ୍ତିକର ଭଳି ଦେବ ଦୀପାବଳି
ମଗୁଶିରେ ଦିଏ ଶ୍ରଦ୍ଧା ଢ଼ାଳିକି l
କେବେ ଶୁଣିଛକି କିଏ....... ll
ମନୁଷ୍ୟ ପରି ଦେବ ସେ କଳା ମାଧବ
ତିନି ଭୁବନର ପତି ହୋଇକି,
ତିନିଦିନ କରେ ଦୀପଦାନ ପୁଣି
ଶୁଣି ଆଚମ୍ବିତ ଲାଗେ କାହିଁକି l
ଶ୍ରାଦ୍ଧ ବେଶ ଧରି ଶ୍ରଦ୍ଧାରେ ଶ୍ରୀହରି
ପିନ୍ଧେ ସୂତା ନାଗପୁରୀ ଶାଢ଼ୀକି.. ll
କେବେ ଶୁଣିଛକି କିଏ........ ll
ଶାଢ଼ୀ ରଙ୍ଗ ଧଳା ପିନ୍ଧେ କାଳୀଦଳା
ନନ୍ଦବଳା ପିତୃ ପୁରୁଷେ ଡ଼ାକି l
ଷୋଳ ହାତ ଲମ୍ବ ଧଡି ଫୁଟେ କୁମ୍ଭ
ନାଲି ରଙ୍ଗ ଶୋଭା ଶିରୀ ମଣ୍ଡିକି l
ସେ ଚକାନୟନ କରେ ପ୍ରଦର୍ଶନ
ମାନବୀୟ ଲୀଳା ଭଳି ଭଳିକି ll
କେବେ ଶୁଣିଛକି କିଏ.......... ll
ସେ କଳାବଦନ ଡ଼ାକି ଇନ୍ଦ୍ରଦ୍ୟୁମ୍ନ
ମାଗିଥିଲେ ବର ହାତ ଯୋଡିକି l
ନିବଂଶ ହୋଇଲେ କିଏ ଶ୍ରାଦ୍ଧ ଦେବ
ସେକଥା ମନରୁ ଭୁଲିଯାଇକି l
ନରଦେହେ ବିଜେ ପ୍ରଭୁ ନାରାୟଣ
ନିଜେ ପୁତ୍ର ହେଲେ ଶ୍ରାଦ୍ଧ ଦେଇକି ll
କେବେ ଶୁଣିଛକି କିଏ......... ll
ବିଗ୍ରହ ହୋଇକି ଗ୍ରହ ଶାନ୍ତି କଲେ
ପିତୃ ପୁରୁଷଙ୍କୁ ପାଣି ଦେଇକି l
ଶ୍ରୀଭୁଜେ ଚାଦର ସ୍ବର୍ଣ୍ଣ ଅଳଙ୍କାର
ଶିରଦେଶେ ଶ୍ରୀକାପଡା ପିନ୍ଧିକି l
ତଡାଗୀ, ନଳିଭୁଜ କୁଣ୍ଡଳ ଚନ୍ଦ୍ର ସୂର୍ଯ୍ୟ
ହରିଡ଼ା ମାଳି ଥାଏ ଗଳେ ଲମ୍ବିକି ll
କେବେ ଶୁଣିଛକି କିଏ......... ll
ଅଣ୍ଟାରେ କମର ପଟି ଶୋଭାପାଏ
ଆଡ଼କାନି ତାର ଦିଶେ ଝଟକି l
କାଶୀ ଧଡ଼ିଆର ବସ୍ତ୍ରରେ କାଳିଆ
ଶ୍ରୀମୁଖ ଦିଶଇ ଚାନ୍ଦ ଭଳିକି l
ପୁଷ୍ପାଳକ ଆଉ ସେବକ ସହିତେ
ଗହଳି ଲଗାଇ ଦିଏ ଭେଳିକି ll
କେବେ ଶୁଣିଛକି କିଏ........ ll
ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥି
ଅଦିତି କଶ୍ୟପେ ଶ୍ରାଦ୍ଧ ଦେଇକି l
ନିଜେ ଭଗବାନ ଜନ୍ମିଲେ ବାମନ
ଅବତାର ଗର୍ଭେ ରୂପ ନେଇକି l
ସନ୍ତୋଷ କରନ୍ତି ଶ୍ରାଦ୍ଧ ଦେଇ ନାଥ
ଯୁଗେ ଯୁଗେ କଥା ଗଲେ ରଖିକି ll
କେବେ ଶୁଣିଛକି କିଏ......... ll
ଅମାବାସ୍ୟା ଦିନ ଶ୍ରାଦ୍ଧ ଓ ତର୍ପଣ
ଜଗନ୍ନାଥ କଲେ ପୁଅ ହୋଇକି l
ଶ୍ରୀରାମଙ୍କ ତାତ ରାଜା ଦଶରଥ
ମାତ ଦେବୀ କୌଶଲ୍ୟାଙ୍କ ପାଇଁକି ll
ଏହିପରି ଭାବେ ଗଲା ଦୁଇଦିନ
ଶ୍ରଦ୍ଧାରୁ ଏ ଶ୍ରାଦ୍ଧ ହୋଇ ହୋଇକି ll
କେବେ ଶୁଣିଛକି କିଏ....... ll
ଶୁକ୍ଳ ପ୍ରତିପଦା ନନ୍ଦ ଓ ଯଶୋଦା
ଦେବକୀ ଓ ବସୁଦେବ ପାଇଁକି l
ଶ୍ରାଦ୍ଧ ଦେଲେ ନିଜେ ପ୍ରଭୁ ବାସୁଦେବ
ଜଗନ୍ନାଥ ରୂପେ ଅବତରିକି ll
ଶ୍ରାଦ୍ଧ ଦେଲେ ସେହି ଦିନ ଶ୍ରୀମୋହନ
ପିତା ଇନ୍ଦ୍ରଦ୍ୟୁମ୍ନ ପୁତ୍ର ହୋଇକି ll
କେବେ ଶୁଣିଛକି କିଏ........... ll
ଏହି ତିନିଦିନ ପୁରାଣେ ବର୍ଣ୍ଣନ
ଦେବ ଦୀପାବଳି ଅଛି ହୋଇକି l
ମୁକ୍ତି ଦିଏ ଯିଏ ସେ ପୁଣି ମୁକ୍ତିକାମୀ
କିଏ ନୁହେଁ ବଡ଼ କିଏ ସାନକି l
କର୍ତ୍ତବ୍ୟ ପଥରେ ରୁହ ଅବିରତ
ବିତ୍ତଶାଳୀ ଚିତ୍ତେ ଡାକେ ସାଇଁକି ll
ଜଗନ୍ନାଥ ବିନା ମୁକ୍ତି କାହିଁ କି??
କେବେ ଶୁଣିଛକି କିଏ........ ll
