ଆଇଁଷଖିଆ ବାର
ଆଇଁଷଖିଆ ବାର
ସପ୍ତାହକ ସାତ ବାରରେ ସଙ୍ଗାତ
ସପ୍ତାହକ ସାତବାର
ଏହି ସାତବାର ମଧ୍ୟରେ କେତୋଟି
ଆଇଁଷ ଖାଇବା ବାର।
ରବିବାର ଦିନ ମାଛ ମାଂସ ଖିଆ
ସୋମବାରେ ନିରାମିଷ
ମଙ୍ଗଳବାର ବି ଆଇଁଷ ବାରଣ
ବୁଧବାରେ ଖାଉ ମାଂସ।
ଗୁରୁବାର ଯଦି ଆଇଁଷ ଆସୁଛି
ଲକ୍ଷ୍ମୀ ଘରୁ ଛାଡିଯିବେ
ଶୁକ୍ରବାର ଦିନ ମାଛ ମାଂସ ପୁଣି
ମନ ଇଚ୍ଛା ଖାଉଥିବେ।
ଶନିବାର ଯଦି ଆଇଁଷ ଖାଉଛୁ
ଶନି ଯେ କୋପ କରିବେ
ତେଣୁ ବାର ଦେଖି ଆପଣମାନେ ହେ
ଆଇଁଷ ଯେତେ ଖାଇବେ।
ଆଇଁଷ ବାର ଓ ନିରାମିଷ ବାର
କେଉଁ ଶାସ୍ତ୍ରେ ଅଛି ଲେଖା
ଦେଖିବାକୁ ଗଲେ ସାତବାର ନାମେ
ସବୁ ଠାକୁର ଦେବତା।
କେତୋଟି ବାରରେ ଆଇଁଷ ଖାଇବା
ଏହା କ'ଣ ଠିକ୍ କଥା
ନିରାମିଷ ଆଉ ଆମିଷ ମଧ୍ୟରେ
ଅନେକ ଯେ ପାର୍ଥକ୍ୟତା।
କେତେକ ଅଛନ୍ତି ବାର ମାନନ୍ତିନି
ଆମିଷ ନିତି ଖାଆନ୍ତି
କେତେକ ଅଛନ୍ତି ଆମିଷ ଛାଡିକି
ଧାର୍ମିକିଆ କହୁଛନ୍ତି।
ପ୍ରକୃତ ଆଇଁଷ ମନରେ ଅଳିଆ
ରାଗ ହିଂସା ଅଭିମାନ
ଏ ସବୁକୁ ଛାଡି ଯିଏ ବଞ୍ଚିଅଛି
ସେ ନିରାମିଷାସୀ ଜାଣ।
ମାଛ ଖାଇବିନି ମଦ ମୁଁ ପିଇବି
ଏ କେଉଁ କଥାଟି କୁହ
ଭକତି ନ ଥାଇ ଓଷା ବ୍ରତ କଲେ
ସନ୍ତୋଷ ହେବେ କି ଦିଅଁ?
ନିରାମିଷ ଆଉ ନିଅଇଁଠା କିଏ
ଆମେ ଯେଣୁ ଜାଣୁ ନାହୁଁ
ପରବଚନରେ ପ୍ରବଚନ ଦେଇ
ମଦ ମାଛ ମାଂସ ଖାଉ।
ନିରାମିଷ ଆଉ ନିଅଇଁଠା ଯିଏ
ଖାଉଥିଲେ ଲାଗେ ମିଠା
କ୍ଷୀର ନୀର ବେଦ ସବୁତ ଅଇଁଠା
ନିରାମିଷ କେଉଁ କଥା?
ଅକର୍ମରେ ବାସୁଦେବ ପ୍ରୀତ ହୋନ୍ତି
କର୍ମ କଲେ କ୍ଷୟ ଯାଏ
ଅକର୍ମଟି କେଉଁ ଚିଜ ହେ ସଙ୍ଗାତ
ତାକୁ ବା କରୁଛି କିଏ?
ଆଖି ଦେଖା କାମ କରମଟି ସିନା
ଅକର୍ମ ଅଦୃଶ୍ୟ ଯୋଗ
ଯୋଗଟି ହେଉଛି ଆତ୍ମା ପରମାତ୍ମା
ମିଳନ ଅମୃତ ଭୋଗ।
ମାଗୁର ମାଛର ଝୋଳ ଖାଅ ପଛେ
ମୁଖେ ହରିହରି ବୋଲ
ଚଇତନ୍ଯ ବାଣୀ ଚେତନାରେ ଆଣି
ହେଜିଲେ ଉଦ୍ଧରି ଗଲ।
ଜୀବେ ଦୟା ରଖି ଆମିଷ ଛାଡ଼ିବା
କଥାଟି ହେଉଛି ଭଲ
ସ୍ନେହ ପ୍ରେମ ଆଦି ସାତ୍ତ୍ୱିକ ଭୋଜନେ
ମିଳେ ଶକ୍ତି ଆଉ ବଳ।
ଏ ଦେହ ମନ୍ଦିର ଅଛନ୍ତି ଠାକୁର
ପବିତ୍ର ରଖିବା ଭାଇ
ସାତ୍ତ୍ୱିକ ଆହାରେ ପୃଥ୍ବୀ ସୁସ୍ଥ ହେବ
ମୂର୍ଖ ଅପର୍ତ୍ତି କହଇ।