କବିତା - ଆହୁରି ଦେଖିବେ
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୬-୨୦୨୫
ଇଚ୍ଛା ଆଉ ଅନିଚ୍ଛା ଭିତରେ
ବିବେକାନୁମୋଦିତ ଲକ୍ଷଣରେଖା ଟାଣିଦିଅ
ଆଶା ଆଉ ନିରାଶା ଭିତରେ
କରୁଣାନୁମୋଦିତ ସରଳରେଖା ଗାରେଇଦିଅ
ଆଲୋକ ଆଉ ଅନ୍ଧାର ଭିତରେ
ଜ୍ଞାନାନୁମୋଦିତ ମେଘନାଦ ପାଚେରୀ ବନେଇ ଦିଅ
ଦେଖିବ
ଆକାରଣ ଧୂମ ଭ୍ରମ ହେବ ସଂଶୋଧନ
ଅଫୁରନ୍ତ ଉତ୍ସ ଉତ୍ସବ ହେବ ଆଗମନ
ଅନାବିଳ ସ୍ନେହ ପ୍ରେମ କରିବ ଆଲିଙ୍ଗନ
ଅର୍ଥ ଆଉ ଅନର୍ଥ ଭିତରେ
ରହୁ ନିବିଡ଼ ନୀରବତାର ସସ୍ମୋହନ
ସତ୍ୟ ଆଉ ଅସତ୍ୟ ଭିତରେ
ରହୁ କଳ୍ପନା ଜିଜ୍ଞାସାର ପାରଦର୍ଶୀ ଆସ୍ଫାଳନ
ସତ୍ୟାର୍ଥ ଆଉ କଦର୍ଥ ଭିତରେ
ରହୁ ଅଳ୍ପରେ ସନ୍ତୁଷ୍ଟ ମାନସିକତାର ବିପଣନ
ଦେଖିବ
ଛଦ୍ମ ଆତ୍ମିୟତାର କୁହୁଡି ଆବରଣ ଆସ୍ତରଣ
ଅପସରିଯିବ
ବିଷକୁମ୍ଭ ପୟୋଃମୁଖ ଦଳ ବଳ ସଂଖ୍ୟା ଅଚିରେ କମିଯିବ
ସୂକ୍ଷ୍ମରେ ସ୍ଥୁଳ ଚିନ୍ତା ଚେତନା ଭାବନା
ଅଳ୍ପକେ ଗଜୁରିବ
ସ୍ଵାର୍ଥ ବି ରହୁ
ସାଙ୍ଗରେ ପରୋପକାରାୟ8 ସ୍ୱର୍ଗାୟ ଭାବନା
ଲୋଭ ବି ରହୁ
ସାଥିରେ ଦାନାର୍ଥେ ପରିତ୍ରାଣାୟ ସାଧୁନାମ୍ କାମନା
ମୋହ ବି ରହୁ
ମନରେ ଦରିଦ୍ର ନାରାୟଣେ କଲ୍ୟାଣ କଳ୍ପନା
ମୋକ୍ଷ ବି ରହୁ
ଆତ୍ମାରେ ପରମେଶ୍ଵରାୟ ବନ୍ଦନମ୍ ପ୍ରାର୍ଥନା
ଦେଖିବ
ସମସ୍ୟାର ନିଦାନ ସମାଧାନ ହେବ ଅଚିରେ
ଯନ୍ତ୍ରଣାର ତୁରନ୍ତ ଉପସମ ହେବ ସୁସ୍ଥରେ
ପ୍ରତିକୁଳ ଅବସ୍ଥାଚକ୍ର ଅନୁକୁଳ ହେବ ମସ୍ତିରେ
ଆହୁରି ଦେଖିବ
ଜଞ୍ଜାଳ ସବୁ କଳାହାଣ୍ଡିଆ ବାଦଲ ପରି
ଆଚାନକ ଉଠି ଆସିବେ
ଗର୍ଜନ ତର୍ଜନ କରି ମୁଣ୍ଡ ବଥେଇବେ
ତୁମ୍ବି ତୋଫାନ କରି ଧୂଳି ଉଡେଇ ଦେବେ
ବହୁ ଆଡ଼ମ୍ବର କରି ଡରେଇ ଦେବେ
କିନ୍ତୁ ଶେଷରେ ଦେଖିବେ
ହିତକାରୀ ଆଷାଢ଼ର ରିମ୍ ଝିମ୍ ପରି
ଦାରୁଣ ନିଦାଘ ଦୁର୍ବାସା ବି ଖୋଲିପା ଚିରି
ପରୋପକାରୀ ପରିସ୍ଥିତିତନ୍ତ୍ରରେ ମନ୍ତ୍ର କରି
ପଲ୍ଲବିତ ପୁଷ୍ପିତ ଫଳପ୍ରସୁ ଉପବନ ଘେରି
ଜୀବନକୁ ଅମୂଲ୍ୟ ଅତୁଲ୍ୟ ଅବିସ୍ମରଣୀୟ ଆପଣାଛାଏଁ କରିଦେବେ