ଆହତ ଅସ୍ତିତ୍ୱ
ଆହତ ଅସ୍ତିତ୍ୱ
ମନ ତଳେ ଉଙ୍କି ମାରେ ନିରାଶ ପ୍ରୟାସ ଘାରେ
ଦେହେ ଦେହେ ସନ୍ଦେହ ବେଦନା
ହସ ସରି ସରି ଆସେ ଲୁହ ଝରି ଝରି ଆସେ
ମରି ମରି ଯାଏ ସମ୍ଭାବନା ।।
ଅଭାବ ତ ନାହିଁ କିଛି ଇନ୍ଧନ ସଞ୍ଚିତ ଅଛି
ପ୍ରଜ୍ଜ୍ୱଳନ ପ୍ରକଳ୍ପ କଳ୍ପନା
ମିଟି ମିଟି ଜଳୁ ଜଳୁ ଡିବିରି ର ବତୀ ତଳୁ
ଇଙ୍ଗିତ ର ଏ କି ପ୍ରବଞ୍ଚନା।।
ତଳେ ତୈଳ ଢଳ ଢଳ ଜଳନ ଶୀତ ଶିଥିଳ
କବଳିତ ବଳ ବାରମ୍ବାର
ଅବରୁଦ୍ଧ ଏ ପ୍ରଶ୍ୱାସ ଅନୁବନ୍ଧିତ ନିଃଶ୍ୱାସ
ବିଶ୍ୱାସ ବିକଳ ହତାଦର।।
ନିତି ନୀତି ନୀଚ ଗତି ଅନାଦୃତ ଯୁବଶକ୍ତି
ଦିଗଭ୍ରଷ୍ଟ ପଥ ପ୍ରଦର୍ଶକ
ଭ୍ରଷ୍ଟ କ୍ଳିଷ୍ଟ ମନୋବୃତ୍ତି ଅବହେଳିତ ଆପତ୍ତି
ପ୍ରତ୍ୟୟୀ ପୋଷାକେ ପ୍ରତାରକ।।
ପଗତି ଗତି ପ୍ରଖର ଦୁର୍ଗତି ବି ଦୁର୍ନିବାର
ପ୍ରଳୟ ର ଆତଙ୍କ ସମ୍ପ୍ରତି
ଦୁର୍ନୀତି ପୁରିତ ମତି ବିନଷ୍ଟ ବିକୃତ ଗତି
ଅନୁଭବେ ଲଭନ୍ତି କି ତୃପ୍ତି।।
ଏ ମତେ ସମାଜ ଯଦି ରାଜନୀତି ଛନ୍ଦେ ଛନ୍ଦି
ଜାଣୁ ଜାଣୁ ପଥ ଭ୍ରଷ୍ଟ ହୁଏ
ସମାଜର ଭବିଷ୍ୟତ ନିଶ୍ଚିତ ହେବ ଆହତ
ପରିଣାମ ଚିନ୍ତି ହୃଦ ଦହେ।।
ବେଳ ଥାଉ ସାବଧାନ ହେବାକୁ କରେ ଆହ୍ୱାନ
ହେଜ ନିଜ କର୍ତ୍ତବ୍ୟ ମହତ୍ତ୍ୱ
ଦେଶ ଯଶ କୀର୍ତ୍ତି ଧ୍ୱଜ ଧୂମିଳ ନହେଉ ତେଜ
ଜାଗୃତି ଜଗାଅ ସର୍ବତ୍ର।।
ସମୂହ ସ୍ୱାର୍ଥ ନିମିତ୍ତ ସଂସାଧନ ସମାହିତ
ହେଲେ ସିନା ଦେଶର ଉନ୍ନତି
ନହେଲେ ଉନ୍ନତି ପଥ ଅବରୁଦ୍ଧ ଦୃଢ଼ ସତ୍ୟ
ଚେତି ଚିତ୍ତେ ଚିନ୍ତ ବିଜ୍ଞମତି ।।
