ଆହେ ମହାପ୍ରଭୁ
ଆହେ ମହାପ୍ରଭୁ
ତୁମେ ମୋର ଆଶା
ତୁମେ ମୋ ଭରସା
ଆହେ ପ୍ରଭୁ ଜଗନ୍ନାଥ
ଦୁଃଖ କଷ୍ଟ ସହି
ତୁମରି ଦୟାରେ
ଚାଲଇ ଜୀବନ ରଥ।।
ଅଦୃଶ୍ୟ ରେ ଥାଇ
ତୁମରି ନିର୍ଦ୍ଦେଶେ
କରମ କରଇ ମୁହିଁ
ଜୀବନ ରଥ ମୋ
ଟଳ ମଳ ହୁଏ
ସାହା ତୁମେ ଭାବଗ୍ରାହୀ।।
ଏ ସାର ବିଶ୍ୱରେ
ମୃତ୍ୟୁ ବିଭୀଷିକା
କରୋନା କରାଳ ଛାଇ
ତଥାପି ମାନବ
ହିଂସା, ଅହଂକାର
ମନରୁ ପାଶୋରି ନାହିଁ।।
ଦେଖି ଦେଖି ଏହି
ସଂସାରର ରୀତି
ମନରେ ମୁହିଁ ଭାଳଇ
ତୁମ୍ଭ ପରା ନାଥ
ଥାଇ ଏ ଜଗତ
ଡାକେ ଆଜି ତ୍ରାହି ତ୍ରାହି।।
ଆହେ ଶଙ୍କର୍ଷଣ <
/p>
ଫେଢ଼ହେ କଷଣ
ସୃଷ୍ଟି ବିଲୟ କି ହେବ?
ନିଜ ହସ୍ତ ସୃଜି
ସୁନ୍ଦର ଧରାକୁ
ସାଗରେ କି ନିକ୍ଷେପିବ?
ମାଗିନାହିଁ ଧନ
ମାନ ସନମାନ
ତୁମଠାରେ ଅଭିମାନ
ତୁମପରା ପ୍ରଭୁ
ଭରସାରେ ଥାଇ
ହେଉଅଛି ହୀନିମାନ।।
ଦୁଃଖ ଯନ୍ତ୍ରଣା ମୋ
ବଢି ବଢି ଯାଏ
ସର୍ବଦା ତୁମକୁ ଭାଳେ
ସେବାରେ କି ତୁମ
ତ୍ରୁଟି ରହିଗଲା
ସେ ପାଇଁ ଲୋତକ ଢାଳେ।।
ମୋ ନୟନ ନୀରେ
ତୁମ ପାଦ ଧୋଇ
ତୁମକୁ ହୃଦେ ଧ୍ୟାୟିବି
ହେ ରାଧାମାଧବ
ଦୟା ହେଲେ ତବ
ଏ ଜୀବନୁ ତାରଯିବି।।