STORYMIRROR

Benudhar Surujal

Action

3  

Benudhar Surujal

Action

ଆହ୍ବାନ

ଆହ୍ବାନ

2 mins
1.9K

ଗାଅ ନାହିଁ କବି ଆଜ

ପ୍ରେମର ଏ ମିଳନ-ବିରହ ଗାନ,

ଦେଖ ସେଠି ବାଦଲର କିଆଁ

ଛଳଛଳ ଅଶ୍ରୁପୂର୍ଣ୍ଣ ହେଉଛି ନୟନ । (୧)


ଶତଦଳ ପଙ୍କେ ଯୁଗେଯୁଗେ ଯିଏ

ଜୀବନ ଯନ୍ତ୍ରଣା ସଦା ଭୋଗୁଅଛି,

ତୁମ ନୂଆ କ୍ରାନ୍ତିର ଛନ୍ଦରେ

ମୁକ୍ତିର ପଥ ସିଏ ଖୋଜୁଅଛି । (୨)


ତାହାରି ନୟନେ ବହୁଛି ଗଂଗା 

ଛଳକୁଛି କିଆଁ ଆଜି ଯମୁନା,

ମେଣ୍ଟାଇ ପାରୁନି ଗଂଗା ଜଳ ଛିଟା

ତା ହୃଦୟ ସବୁ ତୃଷ୍ଣା । (୩)


ପେଟର କ୍ଷୁଧାକୁ ମେଣ୍ଟାଇବା ପାଇଁ

ଖାଏ ଅଖାଦ୍ୟ ଓ ପିଅଇ ବିଷ ,

ହୃଦୟରୁ ନିଜ ରକ୍ତ ଦେଇ ପୁଣି

ତୃପ୍ତ କରିଥାଏ ନର-ରାକ୍ଷସ । (୪)


କ୍ଷୁବ୍ଧ ଆଜି ନିରୀହ ଜାତି

ରୁଗ୍ଣ ଯେଣୁ ମାନସିକତା,

ରୁଦ୍ଧ ଆଜି କଣ୍ଠସ୍ୱର

ସ୍ତବ୍ଧ ଦେଖି ଏ ଅରାଜକତା । (୫)


ପେଟର ଭୋକକୁ ପିଠିରେ ମାରି

ଦାନ୍ତରେ କାମୁଡ଼ି ଅଫଳନ୍ତି ମାଟି

ଫଳଉଥିଲି ଯା ପାଇଁ ବସ୍ତା ବସ୍ତା ଦାନା ।

ରାତିକୁ ଦିନକରି ,ଛାତିକୁ ପଥର କରି

ନିତି ସହୁ ଥିଲି କେତେ କଷଣ

ଉଡ଼ାଇବ ବୋଲି ଦିନେ ମୋ ବାନା । (୬)


କରି ମୁଁ ନଥିଲି କିଛି ଅଭାବ

ଥିଲା ମୋ ରାଜ୍ୟର ସେ ରାଜକୁମାର,

ନଖାଇ ନପିଇ ଭୋକ ଶୋଷେ ରହି

ପୁରା କରୁଥିଲି ମୁଁ ତାର ଅମାର । (୭)


ଭାବିଥିଲି ଦିନେ ବଡ଼ ହେବ ଯେବେ

ଅସହାୟ ଦୁର୍ଦ୍ଦିନେ ମୋ ଆଶାବାଡି ହେବ ,

ନିଜ ବୁଦ୍ଧି ଜ୍ଞାନ ବଳେ ପିତୃରୁଣ ସୁଝିବାର ପାଇଁ

ସୁଖ ସ୍ୱାଛନ୍ଦ୍ୟରେ ମୋତେ ରଖିବ ।(୮)


ହାଏରେ ବିଧାତା ଏକି କଲୁ

ମୋ ଅସୁମାରୀ ସ୍ୱପ୍ନକୁ ଆଖିର ଲୁହରେ ଭସାଇ ଦେଲୁ, ପୁଅ ବଡ଼ ହୋଇ ହାକିମ ହେଲା

ତଥାପି ଦୁଃଖ ମୋ ପିଛା କିଆଁ ନଛାଡିଲା ।(୯)


ହାକିମ ପୁଅକୁ ବୋହୂ ଡାକ୍ତରାଣୀ

କୋଠା ବାଡ଼ିରେ ଧନସମ୍ପଦରେ ପୁରିଗଲାଣି ।

ଟମି ପାଇଁ ଅଛି ସବୁ ସୁବିଧା ,

ହେଲେ ମୋ ବେଳକୁ ହୁଏ ସବୁ ଅସୁବିଧା ।(୧୦)


ରାତିରେ ନିତି ଯେ ଭିଜା ବିଛଣାରେ ଶୋଇ

ତା ଧନମଣୀ ସେଜ ସଜାଡୁ ଥିଲା,

ସେ ଆଜି କାହିଁକି ଅଲୋଡ଼ା କା ପାଇଁ

ତା ଦେହର ବାସ୍ନା ତା ପାଇଁ କାଳ ହୋଇଲା । (୧୧)


ଏ ରାଜା ରାସ୍ତା ଆଜି ଘର ତା ପାଇଁ

ଦାନ ଥାଳି ତାର ରୋଷେଇ ଘର ,

ଦୁନିଆ ବୁକୁରେ ହଜେଇ ଦେଇଛି

ଘର,ପରିବାର ଠିକଣା ତାର । (୧୨)


ଆସ ତା ସଂସାର ନିର୍ମାଣ ଜଜ୍ଞେ

ଢାଳିବା ଆମର ଆଖିରୁ ପାଣି,

ସୁସଜ୍ଜିତ ହେବ ନବ ନିର୍ମାଣ

ଜଲାଇ ବିପ୍ଳବ ବହ୍ନି । (୧୩)


ଅନାହାରେ କେବେ ତା ମୃତ୍ୟୁ ନହେଉ

ମେଣ୍ଟିଯାଉ ତାର ସବୁ କ୍ଷୁଧା ତୃଷ୍ଣା ,

ଦୁଃଖରେ ସୁଖରେ ଦିନ କଟିଯାଉ,

ଫେରି ପାଉ ତାର ନୁଆଁ ଠିକଣା । (୧୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action