ଆଦର୍ଶ
ଆଦର୍ଶ
ଅଇନା ସଦୃଶ ନମୁନାଟି ପରା
ଆମ ସମାଜେ ଆଦର୍ଶ
ଅନୁକରଣର ଆଗ୍ରହ ବଢ଼ାଇ
ଯାଚି ଦିଏ ଖ୍ୟାତି ଯଶ ।
ପିତାମାତା ଯା'ର ଏ ଗୁଣରେ ବଳି
ସନ୍ତାନ ପାଇଁ ଦର୍ପଣ
ସେମାନେ ଦେଖନ୍ତି ଆନଙ୍କୁ ଦେଖାନ୍ତି
ଯେତେ ନିଖୁଣ ସୁଗୁଣ ।
ଗୁରୁଗୁରୁଜନ କଢା଼ଇ ନିଅନ୍ତି
ନୀତି ଆଦର୍ଶର ପଥେ
ଜୀବନ ଆକାଶ ଉଜ୍ଜ୍ବଳି ଉଠଇ
ବିକାଶକୁ ଧରି ସାଥେ ।
ମଧୁ, ଗୋପବନ୍ଧୁ ମରି ବି ଅମର
ଏହି ଆଦରଶ ବଳେ
ଚିରଦିନ ପାଇଁ ତାଙ୍କ ଗୁଣ ଗାଥା
ରହିଥିବ ଭୂମଣ୍ଡଳେ ।
ଧରମା, ବାଜିଆ, ବିର୍ସା, ଲଇକ୍ଷଣ
ସୁରେନ୍ଦ୍ର ଭଗତ ସିଂହ
ଗରୀୟାନ ହୋଇ ରହି ଯାଇଛନ୍ତି
କୀର୍ତ୍ତି ଘୋଷୁ ଅହରହ ।
ରାଣୀ ଲକ୍ଷ୍ମୀବାଇ, ଗାର୍ଗୀ, ମଇତ୍ରେୟୀ
ପୁରାଣର ପଞ୍ଚସତୀ
ଗରୀୟସୀ ନିଜ ମହତ ଗୁଣରେ
ଯୁଗଯୁଗ ପାଇଁ ଖ୍ୟାତି ।
ପିତୃ ସତ୍ୟ ପାଳି ଶିରୀରାମଚନ୍ଦ୍ର
ହୋଇଥିଲେ ବନବାସୀ
ଏକ ପତ୍ନୀ ବ୍ରତ ପାଳି ସେ ଜୀବନେ
ଥିଲେ ପୁରୁଷ ବିଶ୍ବାସୀ ।
ଏକଲବ୍ଯ, ଉପମନ୍ୟୁ, ବେଦବ୍ୟାସ
ପାଳି ନିଜ ଶିଷ୍ୟ ଧର୍ମ
ଦର୍ପଣ ସଦୃଶ ରହି ଯାଇଛନ୍ତି
ବୁଝାଇ ଆଦର୍ଶ ମର୍ମ ।
ଧରମ ଯୁଦ୍ଧରେ ଜିତାଇ ପାଣ୍ଡବେ
ନୀତି ଆଦରଶ ଦ୍ବାହୀ ।
ଭଗବାନ କୃଷ୍ଣ ଦେବୀ ଗାନ୍ଧାରୀଙ୍କ
ଶାପକୁ ଥିଲେ ମୁଣ୍ଡେଇ ।
ପୁରାଣ ଯୁଗରୁ ଏବ ଯୁଗଯାଏ
କେତେ ଆଦରଶ ଗାଥା
ଅମଳିନ ଅଛି ଆମ ଏ ମହୀରେ
ସଦା ଶୋଭା ବିମଣ୍ଡିତା ।
ଯାହାକୁ ଶୁଣିଲେ ଜାଣିଲେ ଦେଖିଲେ
ପରିବରତନ ସ୍ବର
ଜାଗିବ ହୃଦୟ ବ୍ୟାପିବ ହୃଦୟ
ଧ୍ବନି ଜୟ ଜୟକାର ।
ଭଲ ମଣିଷ ହିଁ ଭଲକୁ ଗ୍ରହଣ
ବିକାଶରେ ରଖେ ମତି
ଏମାନଙ୍କ ସଂଖ୍ୟା ସମାଜେ ବଢ଼ିଲେ
ସମାଜର ଆଗ୍ରଗତି ।
ଆଦର୍ଶ ଜୀବନ ସୁସ୍ଥ ନିରାମୟ
ଜୀବନ ମଙ୍ଗଳମୟ
ତେଣୁ ଚାଲ ସର୍ବେ ହୋଇ ଏକାକାର
ତୋଳୁଥିବା ତା'ର ଜୟ ।
ଝରି ପଡୁଥିବ କରୁଣାଅମୃତ
ବିଭୁଙ୍କର ଶ୍ରୀହସ୍ତରୁ
ତାଙ୍କ ଆଶୀର୍ବାଦେ ଆଦରଶ ରଥେ
ବସି ହେବା ମହାମେରୁ ।