STORYMIRROR

Jagannath Barik

Classics Inspirational

3  

Jagannath Barik

Classics Inspirational

ଆଦର୍ଶ ପତିପତ୍ନୀ

ଆଦର୍ଶ ପତିପତ୍ନୀ

1 min
167

ଏମିତିକା ପତିପତ୍ନୀ ଦେଖିଛ କି କାହିଁ

ଏକାନାମେ ଦମ୍ପତିଙ୍କୁ ଖଞ୍ଜିଛନ୍ତି ସାଇଁ |

ମଧୁ ମଧୁ ଯୋଡ଼ି ବୋଲି ଗାଆଁ ସାରା ଚର୍ଚ୍ଚା

ବୟସ ଯେତେ ବଢ଼ୁଛି ପ୍ରେମ ତେତେ ଫର୍ଚ୍ଚା |

ଦୁଇ ପୁଅ ଦୁଇ ଝିଅ ସୁଖୀ ପରିବାର

ସର୍ବଦା ସନ୍ତୋଷ ଥାଇ ଅଳ୍ପ ରୋଜଗାର |

ତିନି ମାଣ ଭୁସମ୍ପତ୍ତି ସରସ ଉର୍ବର

ଖଟଣିରେ ପତି ପତ୍ନୀ ସଦା ତତପର |

ସରଳ ଉଦାର ପୁଣି ସତ୍ୟ ଧର୍ମେ ମତି

ଦୟା ଦାନ ସେବା ବ୍ରତେ ଅନ୍ତରେ ଆସକ୍ତି |

ଦୁଇ ପୁତ୍ରୀ ରୁବି ଛବି ବିଭା ହୋଇଗଲେ

ବିନା ଯୌତୁକରେ ଭଲ ଜୋଇଁ ପ୍ରାପ୍ତ କଲେ |

ପୁଅ ଦୁଇ ଜଣ ଏବେ ସୁରାଟରେ ଯାଇ

କମ୍ପାନୀରେ କାମକରି ଅର୍ଥାର୍ଜନେ ବାଇ |

ବାର୍ଦ୍ଧକ୍ୟରେ ପତି ପତ୍ନୀ ପ୍ରେମ ମନୋହର

ଛାୟା କାୟା ପରି କେହି ନୁହଁନ୍ତି ଅନ୍ତର |

ବୁଢ଼ା କୋଳେ ବସି ବୁଢ଼ୀ ଗଣ୍ଡେ ଦିଏ ଚୁମା

ରସିକ ରସିକା ମନ ଛୁଁଏ ଭୂ-ରୁ ଭୂମା |

ଜୀବନେ କଳି ଝଗଡ଼ା ନାହିଁ ପରସ୍ପରେ 

ମାନ ଅଭିମାନ ଦୂର ସାମାନ୍ୟ ହସରେ |

ଦେବ ଦୁର୍ଲଭ ଦମ୍ପତି ସମ୍ପତ୍ତି ଯୁଗଳ

ସୁଖେ ଦୁଃଖେ ସମଭାବ ଦୃଢ଼ ମନୋବଳ |

ଗଙ୍ଗାପରି ବିମଳ ବିଶଦ ବେନି ମନ

ଦେହ ଭିନ୍ନ ଆତ୍ମା ଏକ ସୁପ୍ରତିଫଳନ |

ଅକସ୍ମାତ ହୃଦଘାତେ ଚାଲିଗଲେ ପତି

ଆହା ନାଥ କହି ପ୍ରାଣ ଛାଡିଦେଲେ ସତୀ |

ଗୋଟିଏ ଚିତାରେ ଜଳେ ଦୁହିଁଙ୍କର ଜୁଇ

କାନ୍ଦିଲେ ଜନତା କାନ୍ଦୁଥିଲେ ପୁତ୍ର ଦୁଇ |

ପ୍ରତିମୂର୍ତ୍ତି ଗ୍ରାମବାସୀ କରିଲେ ତିଆର

ଦମ୍ପତି ହେବ ଏମିତି ଘୋଷିବ ସଂସାର |


 



Rate this content
Log in

Similar oriya poem from Classics