ଆ' ରେ ମୌସୁମୀ
ଆ' ରେ ମୌସୁମୀ
ମାଟିରୁ ଆକାଶ ହେଲେଣି ହତାଶ
ଅନାଇ ଅନାଇ ତୋତେ
ନକରି ଉଛୁର ଆ' ରେ ମୌସୁମୀ
ରିମଝିମ୍ ସୁର ସାଥେ
ନାଚିନାଚି ଢଳିଢଳି
ସନ୍ତାପିତ ମହୀ ଉତ୍ଫୁଲ୍ଲିତ ହୋଇ
ସରାଗରେ ଧରୁ ତୋଳି ।
ତୋ ସ୍ନିଗ୍ଧ ଶୀତଳ ଛୁଆଁରେ ସକଳ
ଜୀବଜଗତ ପଲ୍ଲବୀ
ଲିଭାଇଣ ତାତି ହରଷରେ ମାତି
ତୋ ପ୍ରେମକୁ ଅନୁଭବି
ମହକିତ କରି ପ୍ରାଣ
ଆନନ୍ଦୋଲ୍ଲାସର ବଜାଇ ମାଦଳ
ଖୁସିରେ କାଟନ୍ତୁ ଦିନ ।
ତୋ ବିନା ଏ ଧରା ନ ଦିଶଇ ତୋରା
ଲାଗେ ସବୁ ହତଶିରୀ
କାହିଁକି ରୁଷିଛୁ ମୁହଁ ଲୁଚାଇଛୁ
ଚାହୁଁ ନାହୁଁ ଟିକେ ଫେରି
ଅଜ୍ଞ ମାନବ ତୋ ଅରି
ଅନ୍ୟମାନେ କିଆଁ ହେବେ ଦହଗଞ୍ଜ
ଫେରି ଆ' ବିଚାର କରି ।
ଧରା ସହ ତୋର ଅଭେଦ ସମ୍ପର୍କ
ଏକଥା କି ଗଲୁ ଭୁଲି
ଅଭିମାନ ତ୍ୟାଗୀ ହୋଇ ଅନୁରାଗୀ
ବେଗେବେଗେ ଆସ ଚାଲି
ମିଳନ ଦୋଳିରେ ଝୁଲି
ହୋଇ ଏକାକାର ସର୍ବ ପ୍ରାଣ ସ୍ଥିର
କରି ଦେ' ରାଣ ମୁଁ ଦେଲି ।
