Ram Prasad Bisoi

Inspirational Classics Others


3  

Ram Prasad Bisoi

Inspirational Classics Others


ଶୂନ୍ୟକୋଣାର୍କ

ଶୂନ୍ୟକୋଣାର୍କ

3 mins 14.2K 3 mins 14.2K

            

ନିଦର ଗହନ ବନକୁ କେତେବେଳୁ ଚାଲି ଯାଇଥିବ ମୋହ ମାୟାର ମୃଗୁଣୀ ମୁଁ କିନ୍ତୁ ବସିଛି ଅଦିନ ବର୍ଷା ମୁଖରିତ ଅମାବାସ୍ୟା ରାତି,ଆଲୋକର ପର୍ବ ଦିନେ,ତୁମ ସ୍ମୃତିରେ, ଶୂନ୍ୟରେ ସଞ୍ଚରୁଛି ପ୍ରାଣ । ଯେମିତି କିଛି ରାତିର ନାହିଁ ମୂଲ । କେବଳ ଯଦି କିଛି ଅଛି ସମ୍ବଳ ଦୀପଟିଏର ରୁକ୍ମ୍ମାକ ଜଳୁଥିବା ଶିଖାର । କିଛି ବର୍ଷାର ଛିଟା ମୁହଁରେ ଆସି ପଡିଗଲା ,ଲାଗିଲା ଯେମିତି ଅନାମିକା ତମେ ଆସି ଛୁଇଁ ଫେରିଗଲ । ଦୀପଟିଏ ଜଳୁଛି ମୋ ସହ । ବେପରୁଆ ଭାବ ତାର । କି ବର୍ଷା,କି ରାତି,କି କାକର,କି ଅନ୍ଧାର ବୋଧେ ଭାବୁଛି ଜଳିବା ଯେତକ ସମୟ ଅନ୍ଧାରକୁ ,କିଛି ତ ଆଲୋକିତ କରିଦେବ ,ଲିଭିବ ତ ଦିନେ ନିଶ୍ଚିତ । ଦୁନିଆଁକୁ ଏ ଯାବତ ବୁଝି ପାରିନି,କେବେ ବୁଝିବ କେଜାଣି,ସେଥିପାଇ ବୋଧେ ସାନ୍ତ୍ୱନା ସ୍ୱରୂପ ଝରି ପଡେ ତା ଆଖିରୁ ଦୁଇ ଧାର ଲୁହ । ସେ ବଞ୍ଚିବା ଶିଖିଛି,ଅହରହ ଯନ୍ତ୍ରଣାର ଛେପ ଢୋକି,ଓଠରେ ଫୁଟାଇ ହସ । ମୁଁ ଅନିମେଷ ସେ ଅନାମିକା ,କଥାରେ, କବିତାରେ, ଏ ଯାବତ ଶିଖି ଚାଲିଛି ତା ଠାରୁ ବଞ୍ଚିବାର କଳା ।

ମୋ ଆଖି ଅନାମିକାକୁ ଦେଖିଛି ଷୋଳ ବର୍ଷୀଯା କିଶୋରୀରୁ ପୂର୍ଣ୍ଣ ଯୌବନବତୀ ସୁନ୍ଦରୀ ତରୁଣୀ ବନିବା ପର୍ଯ୍ୟନ୍ତ । କାରଣ ଆମେ ଦୁହେଁ ସହପାଠୀ ଥିଲୁ। କେତେ ମୁକସାକ୍ଷୀ ଆଜି ବି ପଚରାନ୍ତି ମତେ କୁଆଡେଗଲା ତୋ ପ୍ରେମିକା । ନିରବେ ଫେରି ଆସେ । ସେଇ ତୁମ ଘର,ସେଇ ରେଳ ଧାର,ସେଇ ପଥର ,ତୁମ ଫେରିବା ରସ୍ତାକୁ,ସେମିତି ଚାହିଁ ରହିଛି। 

ସେଦିନ କଥା ମନେ ଅଛି,ଅନାମିକା, କଲେଜ ସରିବା ପରେ ,ତୁମେ ପ୍ରତୀକ୍ଷା କରିଥିଲ, ମୁଁ ପହଞ୍ଚିଲି ଦୁହେଁ ମିଶି ବସିଥିଲେ ଢେର ସମୟତକ, ଶିତୁଆ ସନ୍ଧ୍ୟ ଅନ୍ଧାର ଘନେଇ ଆସୁଥିଲା ,ପ୍ରେମ,ପ୍ରତିଶ୍ରୁତି ,ଅନିଶ୍ଚତତା, ଭିତରେ । କେହି କେବେ ଆଗକୁ ବଢିବାକୁ ପ୍ରସ୍ତୁତ ନ ଥିଲେ । କିନ୍ତୁ ସେଇ ଦିନ ଫେରୁଥିଲେ ଭବିଷ୍ୟତର ଅନିଶ୍ଚିତତା ସହ, ଚିନ୍ତାରେ ଥିଲା ଦୁଇଟି ରକ୍ଷଣଶୀଳ ପରିବାରର ଆଭିଜାତ୍ୟ । କେଜାଣି କାହିଁକି ତୁମେ ମାତ୍ରାଧିକ ଭାବ ପ୍ରବଣ ଥିଲ ଓ ମୋ ବାମ ହାତରେ ଥାମି ଥିଲ ତୁମ ଡାହାଣ ହାତ, ପାଖକୁ ଲାଗି ଚାଲୁଥିଲ ,ବିବ୍ରତ କରିଥିଲା ତୁମକୁ ଅସୁରକ୍ଷିତ ଭବିଷ୍ୟତ, ହରାଇଦେବାର ଜଣେ ଅନ୍ୟ ଜଣକୁ ଭୟ ସହ ।

ହଠାତ, ବୁଲିପଡିଲ, ସାମ୍ନା ଆଡକୁ ଜାବୁଡି ଧରି ଢେର କାନ୍ଦିଥିଲ, ଗୋଲାପି ଓଠକୁ ନେଇ ଆଣି ଥୋଇ ଦେଇଥିଲ ମୋ ଓଠ ଉପରେ,ବ୍ୟତିବ୍ରସ୍ତ ଥିଲା ମନ, ବିଶ୍ଵାସ ଓ ନିଶ୍ବାସର ଘେର ଭିତରେ,ମୋ ଅଜାଣତରେ ଅଶ୍ରୁ ବହି ଚାଲିଥିଲା । ଛୁଇଁ ଥିଲା ତୁମ ଗଣ୍ଡଦେଶ । ସ୍ମୃତିରେ ରହିଗଲା ହୋଇ ଅଲିଭା ପାଉଁଶ ଗଦାର ନିଆଁ ।

ସେଦିନ ଥିଲା ଶେଷ ଦିନ କଲେଜର ,ଅନାମିକା, ତୁମେ ଖବର ଦେଇଥିଲ । ମୁଁ ବି ପହଞ୍ଚିଥିଲି, ଦୁହେଁ ପହଞ୍ଚି ଯାଇଥିଲେ ସମୟର ଦୋମୁହାଁ ଛକ, ଦୁଇଟି ସହଯାତ୍ରୀଙ୍କ ଯାତ୍ରାର ଅନ୍ତିମ ପ୍ରଜ୍ୟାୟ । ବାକରୁଦ୍ଧ ଥିଲା ଶବ୍ଧ ।

ତୁମେ ପଚାରିଥିଲ,ପ୍ରେମର ଇତି କଣ ? ବିବାହ, ଆମେ କଣ ? ଏମିତି ଦୁହେଁ ବିଛୁଡି ଯିବା, ଅନିମେଷ ।  

ମୁଁ କହିଥିଲି, ଏଠାରୁ ରାସ୍ତା ଭିନ୍ନ ସତ, ଅନାମିକା, ହେଲେ ପ୍ରେମ ଏମିତି ମରି ଯାଏନି,ତୁମେ ସ୍ମୃତିରେ ସେମିତି ରହିଥିବ ଏଇ ଶେଷ ଦୃଶ୍ୟରେ ଯେମିତି ଦେଖା ଯାଉଛ, ଜାଣେନା ଭବିଷ୍ୟତ କିନ୍ତୁ ଏ କଥା ବି ସତ, ଆମର ଏ ଜନ୍ମରେ ଆଉ କେବେ ଦେଖା ହୋଇ ନ ପାରେ ,କଥା ଦେଉଛି ତୁମକୁ, ତୁମକୁ ଭଲ ପାଇ କବିତା ଲେଖିବା ଶିଖିଲି , କବିତାରେ,କଥାରେ,କଳ୍ପନାରେ ତୁମେ ଜୀବିତ ହୋଇ ରହିଥିବ । ତମେ ତ ଇତିହାସର ଛାତ୍ରୀ ,ବାରଶହ ବଢେଇ ଗଢିଥିଲେ, କୋଣାର୍କ, ସେମାନଙ୍କ, ପ୍ରେମ ବିରହ,ବିଛେଦ,ପ୍ରେମିକାକୁ ନେଇ, କିଏ ମାନେ ରଖିଛି କୁହ, ସେମାନଙ୍କ ଗାଥା, ଶୂନ୍ୟରେ ସେମାନଙ୍କ ସ୍ଵପ୍ନ, ଆଜିବି ଝୁଲୁଛି। ତୁମେ ଏଇ ସମୟ ପର୍ଯ୍ୟନ୍ତ ମୋର, ଏହା ପରେ ତୁମର ଓ ମୋର ବଦଳିଯିବ ଠିକଣା । ଏମିତି ତ ଆକାଶରୁ ଅନେକ ବର୍ଷା ବିନ୍ଦୁ ଝଋ ପଡେ, କିଛି କାଦୁଅରେ ମିଶି ବହିଯାଏ ,କିଛି ନଦୀରେ,କିଛି ପଦ୍ମ ପାଖୁଡା ଉପରେ ପଡି ଚନ୍ଦ୍ର ପ୍ରତିବିମ୍ବରେ ଝଲସି ଉଠେ ,କିଛି ସମୁଦ୍ରରେ ମିଶି ଯାଏ, କ୍ଵଚିତ କୁ ମିଳେ,ଶାମୁକାର ସାନିଧ୍ୟ, ମୋତିରେ ହେବାକୁ ବିବର୍ତ୍ତିତ। ତୁମେ ଶାମୁକା ଅନାମିକା ,ମୁଁ ବର୍ଷାର ସେଇ ଠିକଣା ବିହୀନ ବିନ୍ଦୁ,ତୁମ ହୃଦୟ କନ୍ଦରରେ ନିବଦ୍ଧ ହୋଇ ରହି ଥିବି,ଅପ୍ରାକାଶ୍ୟ ଭାବରେ,ଆଉ ତୁମେ ବି, ଦେଖ ତ ସାମ୍ନାରେ ଲମ୍ବି ଥିବା ଦୁଇଟି ଗଳିକୁ, ଅନେକ ପଥିକ ଚାଲି ଯାଉଛନ୍ତି, ଦିବା ରାତ୍ରି ଭଳି ସେମାନେ ବଦଳି ଯାଆନ୍ତି, ରାତ୍ରିରେ ପାଲଟି ଯାଅନ୍ତି-ବର୍ବର ଆଦି ମାନବ ଓ ସକାଳୁ ବଦଳି ଯାଏ ତାଙ୍କ ବେଶ,ଅନ୍ତର ଆତ୍ମା ସହ କରି ଦଗା ଅଭିନୟ କରି ବୁଲି ଚାଳନ୍ତି। ଯନ୍ତ୍ରଣାରେ ଅହରହ ଜଳନ୍ତି,ମୁହଁରେ କିନ୍ତୁ ଥାଏ ହସ । ଅଭିନୟ ନୁହେଁ ତ ଆଉ କଣ ? ଅନାମିକା। ତାକୁ ପୁଣି ନାମ ଦିଅନ୍ତି ବଞ୍ଚିବାର କଳା । ଅନେକ ନିଜକୁ ଲୁଚାଇ ଦିଅନ୍ତି ଫରୁଆ ଭିତରେ ଆଉ କିଛି ପରୁଆ ବାହାରେ,କିଛି ଇଚ୍ଛା ବିରୁଦ୍ଧରେ କରନ୍ତି ଶ୍ରୁଙ୍ଗାର,କିଛି ଅନିଚ୍ଛା ସତ୍ବେ ବାଧ୍ୟ ହୁଅନ୍ତି କିଛି ପ୍ରେମରେ ଭୋଗନ୍ତି ବୈରାଗ୍ୟ । 

ଆମ ପ୍ରେମ କିନ୍ତୁ ଭିନ୍ନ ,ଆମ ମିଳନ ଅଲୌକିକ । 

ସବୁ ଚରିତ୍ର ଭିତରେ ରହିଥିବ ତୁମେ ଅନାମିକା,ଏଇ ବର୍ଷା ମୁଖରିତ ରାତ୍ରିର ଜଳୁଥିବ ଦୀପଟିଏ ହୋଇ,ଲିଭି,ବୁଝିବା ପର୍ଯ୍ୟନ୍ତ । ଏଇ ଦେଖ ଭିଜା ବର୍ଷାର ଉଆଁସ ରାତି ମତେ ବି ବାଧ୍ୟ କାଳ ତୁମ ସ୍ମୃତିକୁ ଉଜାଗର କରବା ପାଇଁ,ତଥାପି କହିବି ତୁମକୁ ଗୋଟିଏ ଶେଷ କଥା, ଆରପାରିରେ ତ ଦେଖା ହେବ ଶୁଣିଛି ସେଠି ନ ଥିବ କିଛି ନିବନ୍ଧତା,ପଚାରିବ ତ ,କେମିତି ଅଛ ? ଅନିମେଷ ।

ମୁଁ କିନ୍ତୁ ତୁମେ ପଚାରିବା ପୂର୍ବରୁ ଦୁଇ ହାତ ପ୍ରସାରି ବାନ୍ଧି ରଖିଦେବି, ଯେମିତି ସେଦିନ ତୁମେ ବାନ୍ଧିଥିଲ ମତେ ।

ଗଢି ଚାଲିଛି ଅନାମିକା ଏ ଯାବତ, ଗୋଟି ଗୋଟି କରି ଶିଳ୍ପ, ଶୂନ୍ୟରେ,କଳ୍ପନାରେ,ଭାବରେ,

ସ୍ଵପ୍ନରେ,ନିଦରେ,ଜାଗରଣରେ,ଛାଇରେ,ଆଲୁଅରେ,ଅନ୍ଧାରେ କଳ୍ପନାର ଶୂନ୍ୟକୋଣାର୍କ।

ରାମ ପ୍ରସାଦ ବିଷୋଇ,{କାଶ୍ୟପ}

ରାୟଗଡ଼ା ।


Rate this content
Originality
Flow
Language
Cover Design