Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆତ୍ମହତ୍ୟାର ପ୍ରାକ୍ ପ୍ରସ୍ତୁତି
ଆତ୍ମହତ୍ୟାର ପ୍ରାକ୍ ପ୍ରସ୍ତୁତି
★★★★★

© Nandini RayMohapatra

Drama Others

7 Minutes   590    16


Content Ranking

ଘରେ ପହଞ୍ଚୁ ପହଞ୍ଚୁ ସମୀର ବିରକ୍ତିରେ ବ୍ୟାଗ୍ ଟା ବିଛଣା ଉପରକୁ ଫୋପାଡ଼ି ଦେଲେ। ସୀମା ଘରେ ନାହାନ୍ତି । ପିଲା ମାନଙ୍କୁ ଧରି ବାପା ଘରକୁ ଯାଇଛନ୍ତି। ଫୋନ ଦେଖିଲେ ବୋଉର ପାଞ୍ଚଟା ମିସକଲ୍। ଘରକୁ କଲ୍ ବ୍ୟାକ୍ କଲେ। ଫୋନ ଧରୁ ଧରୁ ବୋଉ କହିଲା, ମୀରାର ବାହାଘରରେ ଯୌତୁକ ବାବଦକୁ ୩ ଲକ୍ଷ ଟଙ୍କା ତୁ ଦେଇ ଦେବୁ। ବାପା ତା ପାଇଁ ଗହଣା ଗାଣ୍ଠି ଆଉ ଆସବାବପତ୍ର କଥା ବୁଝିବେ । କବୀର ବାକି ସବୁ ଭୋଜିଭାତ ଆଉ ଭାର ବେଭାର ଦାୟିତ୍ଵ ନେଇଛି । ସମୀର ଆଉ କିଛି କହିବା ଆଗରୁ ବୋଉ ଫୋନ କାଟି ଦେଇଥିଲା। ବୋଧହୁଏ ବାପା ସେପଟୁ ଡାକୁଥିଲେ ତାକୁ । ବୋଉ ବି ମୀରାର ବାହାଘରକୁ ନେଇକି ବ୍ୟସ୍ତ ଥିବ । ଆଉ ପନ୍ଦର ଦିନ ପରେ ମୀରାର ବାହାଘର। ନହେଲେ ବୋଉ ସବୁବେଳେ ଆଗ ସମୀରର ଖାଇବା ଆଉ ଦେହପା କଥା ପଚାରେ। ଯେତେ ବ୍ୟସ୍ତ ଥିଲେ ବି ବୋଉ ଅନ୍ତତଃ ଗୋଟେ ମିନିଟ୍ ପାଇଁ ତ ପଚାରି ପାରିଥାଆନ୍ତା । ବୋଉ ପ୍ରତି ଅଭିମାନରେ ସମୀରର ଆଖି ଓଦା ଓଦା ହେଇ ଆସିଲା । ଏଇ ବୋଉ ଉପରେ ହିଁ ସମୀର ଏକା ଅଭିମାନ କରେ,ରାଗେ, ରୁଷେ । ବାପାଙ୍କ ଉପରେ ସେ ଚାହିଁଲେ ବି ରାଗି ପାରେନି। ତାକୁ ଲାଗେ ଦୁନିଆ ଯାକର ସବୁ ପୁରୁଷ, ସବୁ ବାପା ଠିକ୍ ତା ଭଳି। ଖୁବ୍ ଅସହାୟ ।ପୁରୁଷ ମାନଙ୍କୁ ଅଭିନୟ କରିବାକୁ ହୁଏ। ସବୁଠି। ଘରେ, ବାହାରେ, ସବୁଠି। ସମସ୍ତେ କହନ୍ତି ନାରୀର ଜୀବନ କୁଆଡ଼େ ଢେର୍ କଷ୍ଟକର। ହେଇପାରେ। କିନ୍ତୁ ସମୀରକୁ ଲାଗେ, ପୁରୁଷ ହୋଇ ବଞ୍ଚିବା ବି କିଛି କମ୍ ଦୁରୂହ ବ୍ୟାପାର ନୂହେଁ। ଦୁଃଖ ହେଲେ କାହା ଆଗେ କହିହୁଏନା। ନିଜ ଟେନସନ୍, ଡର, ଲୁହ, ଅସହାୟତାକୁ ସବୁବେଳେ ନିଜ ଭିତରେ ଚାପି ଦେବାକୁ ହୁଏ। ପୁରୁଷ ମାନେ କୁଆଡ଼େ ଲୁହା ପରି ଟାଣ। ତାଙ୍କ ହୃଦୟ କୁଆଡ଼େ ପଥର ପରି ଶକ୍ତ। ନିଜ ଭିତରଟା ଭାଙ୍ଗିରୁଜି ଖଣ୍ଡ ଖଣ୍ଡ ହେଇଯାଉଥିଲେ ବି ତାକୁ ଦମ୍ଭ ଧରି ଠିଆ ହେବାକୁ ହୁଏ। ପରିବାରକୁ ଦମ୍ଭ ଦେବାକୁ ହୁଏ। ଫମ୍ପା ଦମ୍ଭ। ସମୀର ବେଳେ ବେଳେ ଭାବେ ସେ ବୋଧହୁଏ ଭୁଲରେ ପୁଅ ହୋଇ ଜନ୍ମ ହେଇଯାଇଛି। ବେଳେବେଳେ ଇଚ୍ଛା ହୁଏ,ପୁଣି ଥରେ ସେ ଛୁଆ ହେଇ ଯାଆନ୍ତା। ସବୁକିଛି ଛାଡ଼ି ଦୌଡ଼ି ଦୌଡ଼ି ପଳେଇ ଯାଆନ୍ତା ଗାଁକୁ। ବୋଉ କୋଳରେ ଶୋଇ କଇଁ କଇଁ କାନ୍ଦନ୍ତା। ହେଉ ପଛେ କେଇ ମିନିଟ୍ ପାଇଁ। ହେଲେ ସେତିକି ସମୟ ତ ସେ ସବୁ ଜଞ୍ଜାଳ ମୁକ୍ତ ହେଇ ଯାଆନ୍ତା। କିନ୍ତୁ ସେସବୁ ହେଇ ପାରେନା।

ଡ୍ରେସ୍ ବଦଳେଇ ସୀମାଙ୍କୁ ଫୋନ ଲଗେଇଲା ସମୀର। ପିଲା ମାନେ ଅଜାଙ୍କ ସହ ବୁଲିବାକୁ ଯାଇଛନ୍ତି। ସୀମା କହୁଥିଲେ ଏ ମାସ ତାଙ୍କୁ ଶାଢ଼ୀ ପାଇଁ କୋଡ଼ିଏ ହଜାର ଟଙ୍କା ଦରକାର। ଆଉ ଗୋଟେ ନୂଆ ଡିଜାଇନ୍ ର ହାର ବି ଦେଖିଛନ୍ତି ସେ। ସେଇଟା ପାଖାପାଖି ଦୁଇ ଲକ୍ଷରେ ଆସିଯିବ। ନଣନ୍ଦ ବାହାଘର। ଆଉ ସେ ଘରର ବଡ ବୋହୂ। ସେ ଯଦି ଟିକେ ସାଜ ସଜ୍ଜାରେ ନଯିବେ, ତାହେଲେ ସାଇ ପଡ଼ିଶା କଣ କହିବେ? ସାନ ଯା ଆଗେ ଛୋଟ ଲାଗିବ ତାଙ୍କୁ।

ଏତକ କହିସାରି ସୀମା ପୁଣି ଆରମ୍ଭ କଲେ,”ଆଉ ହଁ, ତୁମେ ବାପ ଛୁଆଙ୍କ ପାଇଁ ବି ମୋତେ ପୁଣି ଲୁଗାପଟା କିଣିବାକୁ ପଡ଼ିବ। ନହେଲେ ସବୁ କହିବେ, ସମୀର ମହାପାତ୍ର ବଡ କଞ୍ଜୁସ। ହାଃ ହାଃ ହାଃ। “

ସୀମାଙ୍କୁ ଅଫିସ୍ ର ଟେନସନ୍ କହିବାକୁ ସମୀରଙ୍କର ଆଉ ଇଚ୍ଛା ହୁଏନି।ଖାଲି ହଁ ହାଁ ମାରି ଦେଇ ଫୋନ ରଖି ଦିଅନ୍ତି ସେ।

ଅଫିସ୍ ରେ ବସ୍ ଙ୍କ ଠୁ ଆଜି ବହେ ଗାଳି ଶୁଣିଛି ସମୀର। ତା ବି ନିଜର କିଛି ଭୁଲ୍ ନଥିବା ସତ୍ତ୍ୱେ। ଏଇଟା ଯେ ଆଜି ନୂଆ, ତା ମଧ୍ୟ ନୂହେଁ। ଏମିତି ବାରମ୍ବାର ହେଇଛି। ପ୍ରତିଥର ଚାକିରି ଛାଡିଦେବାକୁ ଭାବି ମଧ୍ୟ ଛାଡ଼ି ପାରିନି ସେ।

ଡ୍ରଇଁ ରୁମ୍ ରେ ସୋଫା ଉପରେ ପଡ଼ି ଘରର ଚାରିଆଡ଼କୁ ନଜର ବୁଲାଉଥିଲା ସେ। ଇଚ୍ଛା ହଉଥିଲା ସିଲିଂରେ ଟଙ୍ଗା ହେଇଥିବା ଫ୍ଯାନ୍ ରେ ଲଟକି ପଡନ୍ତା ସେ। ବାସ୍ କେଇ ମିନିଟର ଯନ୍ତ୍ରଣା ପ୍ରତିବଦଳରେ ସବୁଦିନ ପାଇଁ କଷ୍ଟ ମୁକ୍ତ ହେଇ ଯାଆନ୍ତା। ଅଫିସ, ଘର, ପରିବାର ସବୁର ଦାୟିତ୍ବରୁ ଉର୍ଦ୍ଧ୍ୱକୁ ଉଡ଼ି ଚାଲିଯାଆନ୍ତା । କେତେ ଆରାମ । କେତେ ଚିନ୍ତା ଶୂନ୍ୟ ଜୀବନ। ଆଃ।

ସମୀର ମରିବା କଥାଟା ଖାଲି ଆଜି ଭାବୁନି। ଆଗରୁ ମଧ୍ୟ ବହୁତ୍ ଥର ଏମିତି ଭାବନା ଆସିଛି ତାର। ପିଲା ବେଳେ ଯେବେ ପଞ୍ଚମ ଶ୍ରେଣୀରେ ଗଣିତରେ ଶହେରୁ ନବେ ଥିଲା, ସେଦିନ ଘରକୁ ଫେରିବା ବାଟରେ ବାପାଙ୍କଠୁ ମାଡ ଖାଇବା ଭୟରେ ମରିଯିବା ପାଇଁ ଭାବୁଥିଲା ସେ। କିନ୍ତୁ କେମିତି ମରିବ, କୋଉଠି ମରିବ ଇତ୍ୟାଦି ଭାବିବା ଭିତରେ ସେ ଘରେ ପହଞ୍ଚି ଯାଇଥିଲା। ଆଉ ସୌଭାଗ୍ୟ ବସତଃ ବାପା ସେଦିନ ତାକୁ ଗାଳି କରିନଥିଲେ। ପୁଣି ଥରେ ମରିବା କଥା ଭାବିଥିଲା ସେ ବୋଉ ହାତରୁ ପ୍ରଥମ ଆଉ ଶେଷ ଥର ପାଇଁ ମାଡ ଖାଇଥିବା ଦିନ। ସେଦିନ ଘରେ ପହଞ୍ଚି, ବୋଉ ଉପରେ ଅଭିମାନ କରି ମରିଯିବା ପାଇଁ ଭାବୁଥିବା ବେଳେ ରୋଷେଇ ଘରୁ ସରୁ ଚକୁଳିର ବାସ୍ନାରେ ପାଶୋରି ଦେଇଥିଲା ଆତ୍ମହତ୍ୟା କଥା।

ପୁଣି ଥରେ ମରିବାକୁ ଇଚ୍ଛା ହେଇଥିଲା, ଅଠର ବର୍ଷର ସମୀରକୁ ନିନାର ବାହାଘର ଦିନ । ନିନାକୁ ମନେ ମନେ ବହୁତ୍ ପସନ୍ଦ କରୁଥିଲା ସିଏ । ଆଉ ପିଲା ଦିନର ଏ ଆକର୍ଷଣକୁ ଭଲପାଇବା ବୋଲି ଭାବିଦେଇ ଥିଲା କେଉଁ ଏକ ପାଗଳାମିରେ । ରାତିସାରା ସାନ ଭଉଣୀ ମୀରା ଆଗେ ଢେର୍ କାନ୍ଦିବା, ଆଉ ସିଙ୍ଘାଣି ନାକୀ ମୀରା, ବୟସ୍କ ଲୋକଙ୍କ ପରି ଦେଉଥିବା ପ୍ରବଚନ ଶୁଣିଲା ପରେ ଧୀରେ ଧୀରେ ନର୍ମାଲ ଅବସ୍ଥାକୁ ଆସିଥିଲା ସେ। ସେ ଦିନର କଥା ମନେ ପଡ଼ିଲେ ଏବେ ବି ଖୁବ୍ ହସେ ସମୀର।

ଅଫିସ ଆଉ ବିବାହିତ ଜୀବନର ଜଞ୍ଜାଳ ରେ ପୁରାପୁରି ପେଷି ହେଇ ମରିଯିବାକୁ ଇଚ୍ଛା ହୁଏ ସମୀରର। ସୀମା ଏସବୁ କିଛି ବୁଝି ପାରନ୍ତିନି। ତାଙ୍କ ମତରେ ପୁରୁଷ ମାନେ ଲୁହା ପରି ଶକ୍ତ ହେବା ଦରକାର। ବେଳେବେଳେ ଓଭର୍ ଟାଇମ୍ କରି କ୍ଲାନ୍ତ ହେଇ ଘରକୁ ଫେରିଲା ବେଳେ ସମୀର ଆଶା କରନ୍ତି କିଛି ପ୍ରସଂଶା, କିଛି ସ୍ନେହ, ଆଉ ବ୍ୟଥା ବାଣ୍ଟିବା ପାଇଁ ଦରଦୀ ସାଥୀ ଟିଏ। କିନ୍ତୁ ସୀମାଙ୍କ ମତରେ ବର୍ତ୍ତମାନ ଲାଇଫରେ ଭାବପ୍ରବଣତା ନିହାତି ଅସ୍ୱାଭାବିକ। ଲୋକ ମାନଙ୍କୁ ପ୍ରାକ୍ଟିକାଲ୍ ହେବା ଦରକାର। ସୀମାଙ୍କ ସହ କେବେ ଯୁକ୍ତି କରନ୍ତିନି ସମୀର। ଯେଉଁ ଲୋକ ପାଖେ ହୃଦୟକୁ ଚିହ୍ନିବାର କ୍ଷମତା ନାହିଁ, ତା ପାଖରୁ ସହାନୁଭୂତି ଆଶା କରିବା ବ୍ୟର୍ଥ।

ସମୀର ବେଳେ ବେଳେ ଢେର୍ ବ୍ୟସ୍ତ ହେଇ ପଡ଼ନ୍ତି। ତାଙ୍କୁ ଲାଗେ ସେ ଆଉ ପାରିବେନି। ସେ ପାଗଳ ହେଇଯିବେ ନହେଲେ କୁଆଡ଼େ ପଳେଇବେ।

ଆଜି କାହିଁକି କେଜାଣି ସମୀରଙ୍କୁ ଜୀବନ ଉପରୁ ସବୁ ମୋହ ତୁଟି ଗଲା ପରି ଲାଗୁଥିଲା। କଣ ଅଛି ମଣିଷ ଜୀବନ ରେ?? ଜନ୍ମ ହେବା ପାଇଁ କାହାର ମାଧ୍ୟମ ଦରକାର। ବଞ୍ଚିବା ପାଇଁ କାହାର ସାହାରା ଦରକାର। ଯେଉଁ ମାନେ ଜନ୍ମ ଦିଅନ୍ତି, ଜୀବନ ଦିଅନ୍ତି ତାଙ୍କ ପାଇଁ କିଛି କରିହୁଏନା। ଯେଉଁମାନେ କରିବେ କି ନାହିଁ କିଛି ଜଣା ନାହିଁ ସେମାନଙ୍କ ପାଇଁ ସବୁକିଛି ଜଳାଞ୍ଜଳି ଦେଲା ପରେ ବି ସେମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହଁନ୍ତି । ମଣିଷ ଜୀବନ ମାନେ କଣ ଏଇଆ?? ଜନ୍ମ ହୁଅ। ଖାଇ ପିଇ ବଞ୍ଚ। ବଂଶ ବୃଦ୍ଧି କର। ଦିନରାତି ଖାଲି ବଡ ହେବା ନିଶାରେ ଖଟ। ବୁଢ଼ା ହୁଅ ଆଉ ମରିଯାଅ। ଯଦି ସବୁର ଅନ୍ତ ମୃତ୍ୟୁ ତାହେଲେ ଏବେଠୁ ମୃତ୍ୟୁ କାହିଁକି ନୂହେଁ??

ନା ।ଆଜି ସେ ଆତ୍ମହତ୍ୟା କରିବ। ପୃଥିବୀ ପୃଷ୍ଠରୁ ଗୋଟିଏ ଲୋକ ମରିଗଲେ ଦୁନିଆ ଅଟକି ଯିବନି। ଅଟକି ଗଲେ ବି ତା’ର କିଛି ଯାଏ ଆସେ ନାହିଁ। ସମୀର ଟିକେ ସ୍ୱାର୍ଥପର ହେବାକୁ ଚେଷ୍ଟା କଲା।

ଟେବୁଲ୍ କୁ ଟାଣି ଆଣି ଠିକ୍ ଫ୍ଯାନ୍ ସିଧାରେ ଥୋଇଲା ସେ। ଆଲମାରୀରୁ ସୀମାଙ୍କ ଓଢଣୀ ଆଣି ଫ୍ଯାନ୍ ରେ ଖୁବ୍ ଟାଇଟ୍ କରି ବାନ୍ଧିଦେଲା । ସୀମାଙ୍କ ଓଢଣୀରୁ ସୀମାଙ୍କ ଦେହର ବାସ୍ନା ଆସୁଥିଲା। ବିବାହର ପ୍ରଥମ ଦିନ ଗୁଡ଼ିକ ମନେ ପଡ଼ିବା କ୍ଷଣି ସମୀରର ମୁହଁରେ ଗୋଟେ ଛୋଟିଆ ହସଟେ ଉଙ୍କି ମାରି ପୁଣି ମିଳେଇ ଗଲା। ଟେବୁଲ୍ ଉପରେ ଚଢ଼ୁ ଚଢୁ ହଠାତ୍ ନଜରରେ ପଡ଼ିଲା ପେନସିଲରେ ଅଙ୍କା ହେଇଥିବା କିଛି ଏଣୁ ତେଣୁ ଚିତ୍ର। ଆରେ ଏଇଟା ତ ସୋନୁ ଆଙ୍କି ଥିଲା ଯେବେ ସିଏ ନୂଆ ନୂଆ ପେନସିଲ ଧରିବା ଶିଖିଥିଲା। ସୋନୁ କଥା ମନେ ପଡ଼ି ସମୀରର ଆଖି ଟିକେ ଭାରି ହେଇ ଆସିଲା। ସୋନୁ ଆଉ ସୋନି, ସମୀରର ପୁଅ ଝିଅ। ଏତେ ଜୋର୍ ରେ ଓଢଣୀ ଭିଡ଼ି ଧରିଥିବା ହାତଟି ତା’ର ଟିକେ ହୁଗୁଳା ହେଇଗଲା। ଏତେ ଦମ୍ଭ ଧରି ମରିବାକୁ ବାହାରିଥିବା ସମୀରର ଛାତି ରେ କେମିତି ଗୋଟେ ମୃଦୁ ଭୂମିକମ୍ପ ହେଲା।

ଆରେ ଏ କଣ? ନା ସେ ଆଜି ଯେମିତି ହେଲେ ସୁଇସାଇଡ କରିବ। ଆଜି କୌଣସି ବି ମୋହ ତାକୁ ପଛକୁ ଭିଡ଼ି ଧରି ପାରିବନି। ଟେବୁଲ ଉପରେ ଚଢିବା ପରେ ପୁଣି ଆଖିରେ ପଡ଼ିଲା କାନ୍ଥ ରେ ଟଙ୍ଗା ହେଇଥିବା ଫ୍ୟାମିଲି ଫଟୋ। ବାପା ବୋଉ ଆଉ ଦୁଇ ଭାଇଙ୍କ ମଝିରେ ଠିଆ ହେଇଥିବା ଗୋଟେ ବୋଲି ଭଉଣୀ ମୀରା। ଅପରିପକ୍ୱ ବୟସରେ, ତା ଠାରୁ ଛୋଟ ହୋଇ ମଧ୍ୟ ତାକୁ ଦିନେ ଆତ୍ମହତ୍ୟାରୁ ବଞ୍ଚାଇଥିବା ମୀରା। ଆତ୍ମହତ୍ୟା କରିବାକୁ ପୁରା ଦୃଢ଼ ନିଷ୍ପତ୍ତି ନେଇଥିବା ସମୀର ଏବେ ଟିକେ ଦୋଦୋପାଞ୍ଚ ହେଲା। ଘଣ୍ଟା ରେ ମାତ୍ର ଆଠଟା କୋଡ଼ିଏ। ମରିବା ପାଇଁ ହାତରେ ଆହୁରି ଅନେକ ସମୟ ଅଛି। ଅତଏବ ମୃତ୍ୟୁ ପୂର୍ବରୁ ସେ ଆଉ ଥରେ ନିଜ ଆତ୍ମୀୟଙ୍କ ସ୍ମୃତି ଚାରଣ କରିପାରିବ। ଟେବୁଲରୁ ଓହ୍ଲେଇ ପୁଣି ଥରେ ସୋଫା ଉପରେ ବସିପଡିଲା ସମୀର। ମୀରାର ବିବାହ ଆଉ ପନ୍ଦର ଦିନ। ସୋନୁର ବାର୍ଷିକ ପରୀକ୍ଷା ଦୁଇ ମାସ ପରେ। ସୋନିକୁ କିଛି ଦିନ ତଳେ ଟାଇଫଏଡ୍ ହେଇଥିଲା। ସୀମା କେବେହେଲେ ସମୀରଙ୍କ ବିନା କିଛି କାମ କରିନାହାନ୍ତି। ସମୀର ମରିଗଲେ ମୀରାର ବାହାଘର ଅନ୍ତତଃ ଗୋଟିଏ ବର୍ଷ ପାଇଁ ଘୁଞ୍ଚିଯିବ। ବାପାଙ୍କ ଆଖି ତଳର କଳା ଦାଗ ଆହୁରି ସ୍ପଷ୍ଟ ଭାବେ ନାଚି ଉଠୁଥିଲା ସମୀର ଆଖି ଆଗେ। ବୋଉର କାନ୍ଦୁରା ମୁହଁ। ପିଲା ମାନଙ୍କର ଅବୁଝା ଚାହାଣି, ସୀମାଙ୍କ ଲୁହ, ମୀରା ଆଖିର ଶୂନ୍ୟତା, ସାନ ଭାଇ କପାଳ ରେ ପଡିଥିବା ଚିନ୍ତାର ରେଖା ସବୁକିଛି ଅଧିକ ଜୀବନ୍ତ ହେଇ ଉଠୁଥିଲେ ସମୀରର ମାନସ ଚକ୍ଷୁରେ।

ବାସ୍ତବିକ୍ ଜୀବନଟା ଗୋଟେ ଅଜବ ପହେଳି। ଗୋଟିଏ ମୁହୂର୍ତ୍ତରେ ସଂସାର ପ୍ରତି ପରମ ବିତୃଷ୍ଣା ଆସୁ ଆସୁ, ଠିକ୍ ତା ପର ମୁହୂର୍ତ୍ତରେ ଅସଂଖ୍ୟ ମୋହ ଜଡେଇ ଧରନ୍ତି ସମଗ୍ର ସତ୍ତାକୁ। ବିଶ୍ବାସର କଳ୍ପବଟଟା ମରିଯାଉ ଯାଉ,ପୁଣି କୋଉ କାନ୍ଥ ଫଟେଇ ଉଠି ଆସୁଥାଏ ଛୋଟିଆ ଚାରାଟେ। ସମ୍ଭାବନାର ସୂର୍ଯ୍ୟଟା ଅସ୍ତ ହଉ ହଉ ପୁଣି କୋଉ ଗୋଟେ କଣରେ ଦିକ୍ ଦିକ୍ ଜଳି ଉଠୁଥାଏ ଆଶାର ଛୋଟିଆ ଦୀପଟେ।

ମୃତ ସ୍ଵପ୍ନ ମାନଙ୍କ କବର ଦେଇ ସାରୁ ସାରୁ ପେଟ ଭିତରେ ଲାତ ମାରୁଥାଏ ଆଉ ଖିଏ ଭରସା। ବାସ୍ ବହୁତ୍ ହେଇଗଲା.. ଆଉ ନୂହେଁ.. ଏଣିକି ବୈରାଗ୍ୟ। ଏତିକି ଭାବୁ ଭାବୁ ପୁଣି ପଛରୁ ଭିଡ଼ି ଧରୁଥାଏ ଚେନାଏ ମୋହ।

ପୁଣି ଥରେ ସିଲିଂ ଫ୍ଯାନ୍ କୁ ଚାହିଁଲା ସମୀର। ଏଥର କିନ୍ତୁ ପାଦ ଆଉ ଆଗକୁ ବଢୁନଥିଲା। ଏଡ଼େ ସାହାସରେ ଯୋଉ ଓଢଣୀକୁ ବାନ୍ଧିଥିଲା, ତାକୁ ଫିଟେଇଲା ବେଳେ ହାତ ଥରୁଥିଲା ତା’ର। ସବୁ ଜିନିଷକୁ ଯଥା ସ୍ଥାନରେ ରଖିସାରିଲା ପରେ ଚା କପ୍ ଟେ ବନେଇ ଚେୟାରରେ ବସିପଡିଲା ସମୀର।

ମୀରାର ବାହାଘର ଆଉ ପିଲା ମାନଙ୍କ ପରୀକ୍ଷା ଇତ୍ୟାଦି ସରିବାକୁ ଆହୁରି ତିନି ମାସ ପାଖା ପାଖି। ତେଣୁ ଅନ୍ତତଃ ତିନି ମାସ ଯାଏଁ ତାକୁ ଆତ୍ମହତ୍ୟା ଉଦ୍ୟମରୁ କ୍ଷାନ୍ତ ରହିବାକୁ ପଡ଼ିବ।

ଚା ପିଉ ପିଉ ନିଜର ଆତ୍ମହତ୍ୟା ପର୍ବର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଭାବି ହସି ପକେଇଲା ସମୀର।

ନନ୍ଦିନୀ ରାୟ ମହାପାତ୍ର

ସମୀର ବିଛଣା ବାପା

Rate the content


Originality
Flow
Language
Cover design

Comments

Post

Some text some message..