ଜୀବନ ଯାତ୍ରା
ଜୀବନ ଯାତ୍ରା


ଅମିତ୍ ଶୋଇ ପଡ଼ିଲେଣି। ତାଙ୍କ ପାଖରେ ବସି ମୁଣ୍ଡ ଆଉଁସି ଦେଉ ଦେଉ ନୀତା ର ଆଖି ବି ଟିକେ ଲାଗିଯାଇଥିଲା। ହଠାତ୍ ଖରାପ ସ୍ଵପ୍ନଟେ ଦେଖି, ଚମକି ଉଠିଲା ନୀତା। ମନଟା ଟିକେ ଗୋଳେଇ ଘାଣ୍ଟି ହେଲା। ଆଉ ନିଦ ହେଲାନି। ଭଲ କରି ଦେଖିଲା ଅମିତ୍ ଙ୍କୁ ସେ। ଖୁବ୍, ନିଷ୍ପାପ ନିରୀହ ଶିଶୁ ପରି ନିଘୋଡ଼ ନିଦରେ ଶୋଇଛନ୍ତି ସିଏ। ତାଙ୍କ ମୁଣ୍ଡରେ ସସ୍ନେହ ହାତ ବୁଲେଇ ଆଣିଲା ନୀତା। ଆସ୍ତେ କରି ଦେଖିଲା, ହଁ ନିଶ୍ଵାସ ଚାଲୁଛି। ଦୀର୍ଘଶ୍ୱାସ ଗୋଟେ ବାହାରି ଆସିଲା ନୀତାର ପଞ୍ଜରା ଥରେଇ। ହୁଏତ କୋଉଦିନ ଏମିତି ଶୋଉ ଶୋଉ, ଅମିତ୍ ଆଉ ଉଠି ନପାରନ୍ତି। ଆଃ! ନୀତା ଆଉ ଆଗକୁ ଭାବି ପାରିଲାନି। ମନଟା ବହୁତ୍ ଭାରି ଭାରି ଲାଗିଲା। ଖୁବ୍ ଧୀରେ ହସ୍ପିଟାଲ ବେଡ୍ ରୁ ଓହ୍ଲାଇ ନୀତା ରୁମ୍ ବାହାରକୁ ଗଲା। କରିଡ଼ର ପୁରା ଶାନ୍ତ। ଖାଲି କେତୋଟି ଚେୟାର ଉପରେ ଢୋଳେଇ ପଡ଼ିଛନ୍ତି ନୀତା ପରି କେତେଜଣ ମଣିଷ। କରିଡ଼ର ଡେଇଁ ହସ୍ପିଟାଲର ଗେଟ୍ ବାହାରକୁ ଗଲା ସେ। ଆଗରେ ଖୁବ୍ ଛୋଟ ପାର୍କ ଟିଏ। ଦିନ ବେଳେ ରୋଗୀ ମାନଙ୍କ ପରିଜନଙ୍କ ଗହଣରେ ପୁରି ଉଠେ ପାର୍କ। ପାର୍କର ସିମେଣ୍ଟ ବେଞ୍ଚ୍ ଉପରେ ବସିପଡିଲା ନୀତା। ହାଲକା ହାଲକା ପବନରେ ଟିକେ ଭଲ ଲାଗିଲା ନୀତାକୁ। ଚାରିଆଡ଼େ ସୁଉଚ୍ଚ ଅଟ୍ଟାଳିକା, ଆଲୋକ ଆଉ ଆଧୁନିକତାର ସ୍ପର୍ଶରେ ରାତି ଦୁଇଟା ବି ଦିନର ଭ୍ରମ ସୃଷ୍ଟି କରୁଥିଲା। ନୀତାକୁ ଟିକେ ଅନ୍ଧାରକୁ ଯିବାକୁ ଇଚ୍ଛା ହେଲା। ଆଲୋକରୁ ଲୁଚିଯାଇ ଟିକେ ରାତିର ଅନ୍ଧକାରକୁ ଆଲିଙ୍ଗନ କରିବାକୁ ମନଟା ଟିକେ ବିକଳି ଉଠିଲା। ହାର୍ଟ ସେପ୍ ରେ କଟା ଯାଇଥିବା କ୍ରୋଟନ ଗଛ ଆଢୁଆଳରେ ବସିପଡିଲା ନୀତା। ନୀତାକୁ ଟିକେ କାନ୍ଦିବାକୁ ଇଚ୍ଛା ହେଲା। ହେଲେ ଏତେ ସବୁ ଘାତପ୍ରତିଘାତ ହୁଏତ ନୀତାକୁ କ୍ରନ୍ଦନ ଶୈଳୀ ଭୁଲେଇ ଦେଇଥିଲା। କାନ୍ଦିବାକୁ ଚାହିଁକି ବି କାନ୍ଦି ପାରୁନଥିଲା ସେ। ଆଖିରୁ ଦି ଟୋପା ଲୁହ ବୋହିଗଲେ ଅନ୍ତତଃ ମନଟା ଟିକେ ହାଲକା ଲାଗନ୍ତା।
ଧେତ୍। ଆକାଶରେ ଲକ୍ଷ ଲକ୍ଷ ତାରା ବିଛେଇ ପଡ଼ିଛନ୍ତି। ଆଗରୁ ନୀତା ଖରାଦିନେ ଛାତ ଉପରେ ଶୋଇ ତାରା ମାନଙ୍କୁ ଦେଖି ଖୁସିରେ ବିଭୋର ହୋଇ ଉଠେ। ପୁରା ଆକାଶଟାକୁ ନିଜ ବାହୁବେଷ୍ଟନୀରେ ଆବଦ୍ଧ କରି ରଖିବାର କଳ୍ପନାରେ ମସଗୁଲ ହୋଇ ଉଠେ। ଯଦିଓ ନୀତାର ସାହିତ୍ୟ ସେତେ ଭଲ ନୁହେଁ ଏବଂ ଲେଖାଲେଖି ଏସବୁ ରେ ତାର ଜ୍ଞାନ ସମ୍ପୂର୍ଣ୍ଣ ଶୂନ୍ୟ କହିଲେ ଚଳେ, ତଥାପି ତା ଭିତରେ ଗୋଟେ ଭାବୁକ ଟିଏ ଯେ ଲୁଚି ରହିଛି ଏକଥା ଖୋଦ୍ ନୀତାକୁ ବି ଅଜଣା। ଏବେ କିନ୍ତୁ ଠିକ୍ ବିପରୀତ। ଆକାଶର ତାରା କି ପୂର୍ଣ୍ଣମୀ ଜହ୍ନ ଉଦବେଳିତ କରେନି ତାକୁ। ଏବେ ଆଉ ଜୀବନ ଜିଇଁବାକୁ ଇଚ୍ଛା ନାହିଁ ତାର। ବାସ୍ ଯେନ ତେନ ପ୍ରକାରେଣ ଜୀବନ କାଟିଦେବା କଥା। କେତେ ଜଲଦି ସମୟ ପରିବର୍ତ୍ତିତ ହେଇଯାଏ। କେତେ ଛୋଟ ଥିବା ନୀତା ଆଜି କେତେ ଗୁରୁଦାୟିତ୍ଵ ମୁଣ୍ଡରେ ଲଦି ବି ଖୁବ୍ ଦମ୍ଭରେ ଠିଆ ହେଇଛି ଛାତିକୁ ପଥର କରି। ନୀତାର ମନେ ପଡିଯାଉଥିଲା ପୁରୁଣା କଥା ସବୁ। ମନେ ପଡୁଥିଲେ ବାପା, ବୋଉ, ପରିବାର, ସାଙ୍ଗସାଥି, ଗାଆଁମାଟି।
ବ୍ରାହ୍ମଣ ଶାସନର ବିବେକାନନ୍ଦ ପଣ୍ଡାଙ୍କ ଏକମାତ୍ର ଝିଅ ନୀତା, ଖୁବ୍ ଅଲିଅଳ, ଖୁବ୍ ଗେଲବସରର। ଦେଖିବାକୁ ଡଉଲ ଡାଉଲ, ଠିକ୍ କଣ୍ଢେଇ ପରିକା ନୀତାକୁ ଘର ଠୁ ଆରମ୍ଭ କରି ବାହାର ଯାଏଁ ସମସ୍ତେ ବହୁତ୍ ଭଲ ପାଆନ୍ତି। ଗୋଲାପୀ ରଙ୍ଗର ଫ୍ରକ୍ ପିନ୍ଧି, ମୁଣ୍ଡରେ ନାଲି ରିବନଫିତା ବାନ୍ଧି, ବାପାଙ୍କ ସାଇକଲ୍ ପଛରେ ବସି, ଫି ରବିବାର ନୀତା ଯେତେବେଳେ ହାଟକୁ ଯାଏ, ଗଲା ଅଇଲା ଲୋକ ଘଡିଏ ଠିଆ ହେଇ ଗେଲ କରନ୍ତି ତାକୁ। ବୋଉ ତ ତାକୁ ଭଲପାଏ ହେଲେ, ବାପାଙ୍କର ଜୀବନଧନ ସେ। ଘରକୁ ଫେରି ବାପା ଆଗେ ନୀତାକୁ ଖୋଜନ୍ତି। ତାକୁ କାଖେଇ ଘେରାଏ ବୁଲେଇବା ପରେ ଯାଇ ଯୋଉକଥା। ଏତେ ଗେଲ ବସରିଆ ନୀତାର ମନଟା ଢେର୍ ସରଳ ଆଉ ନରମ। ପଦିଏ ଟାଣ କଥାରେ ଘଡିଏ କାନ୍ଦିବା ଥୟ। ବୋଉ ସବୁବେଳେ ଚିନ୍ତା କରେ, ଝିଅ ମୋର ଶାଶୁଘରେ କେମିତି ରହିବ କେଜାଣି? ଶାଶୁ ନଣନ୍ଦ ପଦେ କଥା କହିଲେ ତ ଇଏ କାନ୍ଦି କାନ୍ଦି ଅଧାମରା ହେଇଯିବ। ବାପା ହସି ହସି କହନ୍ତି, ମୋ ଝିଅ ପାଇଁ ମୁଁ ରାଜକୁମାର ଠିକ୍ କରିବି। ଆଉ ଶାଶୁ ନୁହେଁ ମା ଟେ ମିଳିବ ମୋ ଝିଅକୁ। ରାଣୀ ହେଇ ରହିବ ମୋ ଝିଅ। ଲାଜେଇ ଯାଏ ନୀତା। ହେଲେ ବି ସମସ୍ତଙ୍କ ଅଗୋଚରରେ ସେଇ ଅଜଣା ରାଜକୁମାର ପାଇଁ ମେଞ୍ଚାଏ ସ୍ଵପ୍ନ ବୁଣିହେଇଯାଏ ନୀତାର ସଜଳ ଆଖିରେ। ବାପାଙ୍କ ଉପରେ ନୀତାର ଅମାପ ଭରସା। ବାପା କହିଛନ୍ତି ମାନେ, ନିଶ୍ଚୟ ରାଜକୁମାର ଖୋଜି ଆଣିବେ। ସେଥିପାଇଁ ସ୍କୁଲ କଲେଜରେ ହଜାରେ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି ନୀତା। ଗପିବା ବା ବୁଲିବା ତ ଦୂରର କଥା, କୋଉ ବି ପୁଅକୁ ଆଡ ଆଖିରେ ବି ଚାହିଁନି ସେ।
ସମୟ ଗଡିଚାଲେ, ନୀତା ବଡ଼ ହୁଏ ଆଉ କମି କମି ଯାଏ ବାପା ବୋଉଙ୍କ ଆୟୁଷ। ଗ୍ରାଜୁଏସନର ଶେଷ ବର୍ଷ ନୀତାର ମାଇଁ ଅମିତ୍ ଙ୍କ ବିବାହ ପ୍ରସ୍ତାବ ନେଇ ଆସନ୍ତି ନୀତା ଘରକୁ। ମା ଟିଏ, ପୁଅ ଟିଏ। ଆଗ ପଛକୁ କେହି ନାହିଁ। ବନ୍ଧୁ ବାନ୍ଧବ ବି ସବୁ ଦୂର ସମ୍ପର୍କୀୟ। ପୁଅଟି ଇଞ୍ଜିନିୟର ଅଛି ଭୂବନେଶ୍ୱରରେ। ମା ପୁଅ ସାଙ୍ଗରେ ରୁହନ୍ତି ସେଇଠି। ଗାଆଁ ରେ ଘର ଅଛି। ପୁନେଇଁ ପରବରେ ଦୁଇ ଦିନ ପାଇଁ ଆସନ୍ତି ଆଉ ଫେରି ଯାଆନ୍ତି ପୁଣି। ମା ଟି ଭାରି ନିରୀହ, ନିର୍ମାୟା ମଣିଷ। ବାସ୍ ଆଉ କଣ ଦରକାର। ଦେଖୁ ଦେଖୁ ରାଜି ହେଇ ଯାଇଥିଲେ ବାପା ବୋଉ। ଦେଖିବାକୁ ଆସିଥିଲେ ଅମିତ୍ ଆଉ ତାଙ୍କ ମା। ପ୍ରଥମ ଦେଖାରେ ନୀଳିମା ଦେବୀଙ୍କ ମନକୁ ପାଇଯାଇଥିଲା ନୀତା। ଏଇ ମୋ ବୋହୂ ହେବ କହି ନୀତା ହାତରେ ପିନ୍ଧେଇ ଦେଇଥିଲେ ଖାନଦାନୀ କଙ୍କଣ। ବାସ୍ ତା ପରେ ସରିଯାଇଥିଲା ବାହାଘର ଖୁବ୍ କମ୍ ଦିନ ଭିତରେ। ଚତୁର୍ଥୀ ରାତିରେ ପ୍ରଥମ ଥର ପାଇଁ ଅମିତ୍ ଙ୍କୁ ଭଲ ଭାବରେ ଦେଖିଲା ନୀତା। ସତରେ କୋଉ ବି ରାଜକୁମାରଙ୍କ ଠୁ କମ୍ ନୁହେଁ ସେ। ସେଇ ପ୍ରଥମ ନଜରରେ ଭଲ ପାଇଯାଇଥିଲା ସେ ଅମିତ୍ ଙ୍କୁ ଆଉ ସମର୍ପି ଦେଇଥିଲା ନିଜର ସମଗ୍ର ସତ୍ତା ଆଉ ଆତ୍ମାକୁ।
ଜୀବନରେ କେବେ ଦୁଃଖ ଦେଖି ନଥିବା ନୀତାକୁ ଲାଗେ ଦୁନିଆଟା ଖୁବ୍ ସୁନ୍ଦର। ପ୍ରତ୍ୟକ ଦିନ ରାତିରେ ଅମିତ୍ ଙ୍କ ଛାତିରେ ମୁଣ୍ଡ ଥୋଇ ନୀତା ଅଭିଯୋଗ କରେ, ଏ ଦିନ ସବୁ ଏତେ ଜଲଦି ସରିଯାଉଛି କଣ ପାଇଁ ? ଅମିତ୍ ହସି ଦେଇ ନୀତାର କପାଳରେ ସରୁଆ ଚୁମ୍ବନଟେ ଆଙ୍କି ଦିଅନ୍ତି। ଆହୁରି ଫୁଲେଇ ହୁଏ ନୀତା, ଆହୁରି ଗେହ୍ଲେଇ ହୁଏ ସେ। ଶାଶୁଙ୍କର ଗେହ୍ଲା ବୋହୂ, ସ୍ଵାମଙ୍କର ପ୍ରାଣପ୍ରିୟା ଆଉ ବାପା ମାଙ୍କର ସର୍ବସ୍ୱ ନୀତାର ଜୀବନ ଯେ ଅନେକ୍ ଲୋକଙ୍କର ଇପ୍ସିତ, ଏହା ଭାବି କୁରୁଳି ଉଠେ ନୀତା।
ସବୁ ଖୁସି ଭିତରେ ଦୁଃଖ ମାଡ଼ିଆସେ ଯେବେ ବାହାଘରର ଆଠମାସ ପରେ ନୀଳିମା ଦେବୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ଖୁବ୍ ଭାଙ୍ଗି ପଡ଼ନ୍ତି ଅମିତ୍,ଜୀବନରେ କେବେ ଦୁଃଖ ଦେଖିନଥିବା ନୀତା ଆହୁରି ଅଧିକ ଭାଙ୍ଗିପଡ଼େ। ବାପା, ବୋଉ ବୁଝାନ୍ତି ଦୁହିଁଙ୍କୁ। ମଣିଷର ଜୀବନ ତ ଏମିତି। ଖୁବ୍ ସନ୍ତର୍ପଣରେ, ଖୁବ୍ ଯତ୍ନରେ ରଖିବାକୁ ହୁଏ। ତଥାପି ନିଜ ଆୟତ୍ତାଧୀନ ନୁହେଁ ସେ। କୋଉ ଗୋଟେ ଅଦୃଷ୍ଟ ଶକ୍ତି ପରିଚାଳିତ ମଣିଷ। ଗୋଟେ ମୁହୂର୍ତ୍ତରେ କଥା କହୁଥିବା, ଜୀବନ୍ତ ଥିବା, ହସୁଥିବା ଲୋକଟା ପର ମୁହୂର୍ତ୍ତରେ ମାଟି ପିଣ୍ଡୁଳାଟେ ପରି ପଡିରହେ। ପ୍ରାଣହୀନ ରକ୍ତମାଂସ ମେଞ୍ଚାଏ ହେଇ, ନିର୍ବାକ୍, ଅବାକ୍ ଭାବେ ପଡ଼ିରହେ। ତା ପରେ ଯେତେ ଯାହା କଲେ ବି ଫେରେଇ ଆଣି ହୁଏନି ଜୀବନ। ସୃଷ୍ଟିର ନିୟମ ଏଇଟା। ଆଉ ନିୟତିର ଏ ଆଇନ ହାତରେ ବନ୍ଧା ବିଚରା ଲାଚାର ମଣିଷ ହାତରେ, କାନ୍ଦି ବୋବେଇ, ଭଗବାନ ଆଉ ଭାଗ୍ୟକୁ ନିନ୍ଦିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥାଏ। ତିନି ଚାରି ମାସ ବିତିଯାଏ। ଆସ୍ତେ ଆସ୍ତେ ସହଜ ହେବାକୁ ଚେଷ୍ଟା କରେ ନୀତା। ଅମିତ୍ ଙ୍କୁ ସାହସ ଦିଏ। ଅଳି ଅର୍ଦ୍ଦଳି ପିଲାଳିଆମୀ ଟିକେ କମେଇ ଦିଏ। ପୁଣି ଧୀରେ ଧୀରେ ଗଡିବାକୁ ଲାଗେ ସଂସାର ଚକ।
ହଠାତ୍ ଦିନେ ଅଫିସ୍ ରୁ ଫେରି ବହୁତ୍ ଥକିପଡନ୍ତି ଅମିତ୍। ମୁଣ୍ଡରେ ଦେହରେ ଖଇଫୁଟା ଜ୍ଵର। ନୀତା ସେବାରେ ଲାଗିପଡେ। ତଥାପି ଜ୍ଵର କମେନି। ନୀତାର ବାରଣ ନମାନି ଅଫିସ ଟୁର୍ ରେ ବାହାରି ଯାଆନ୍ତି ଅମିତ୍।
“ତମେ ବି ନା ନୀତା, ଖାଲି ଖାଲି ଡରୁଛ। ଭାଇରାଲ୍ ଫିଭର ଇଏ। ସାତ ଦିନରେ ମୁଁ ପୁରା ଠିକ୍ ହେଇଯିବି।“ ନୀତା ର ଗାଲ ଚିପିଦେଇ କହନ୍ତି ଅମିତ୍।
ନୀତା କିନ୍ତୁ ଟିକେ ଟିକେ କଥାରେ ଢେର୍ ଅଧିକ ବ୍ୟସ୍ତ ହେଇଯାଏ। ଗାଆଁ ମୁଣ୍ଡ ବୁଢୀ ଜାଗୁଳାଇ ଠୁ ଆରମ୍ଭ କରି, ପୁରୀ ଜଗନ୍ନାଥ ଯାଏଁ ସବୁ ଠାକୁରଙ୍କୁ କେତେ କଣ ମାନସିକ କରିଥାଏ ନୀତା। “ମା ଲୋ! ଅମିତ୍ ଙ୍କ ଜ୍ଵର ଛାଡ଼ିଯାଉ। ତୋ ପାଇଁ ନଡ଼ିଆ ପଠେଇବି। ନିଇତି ପାଞ୍ଚଟା ଘିଅ ସଞ୍ଜ ଦେବି। ହେ ଜଗନ୍ନାଥ ତୁମ ବାଇଶି ପାହାଚରେ ଦଶଥର ଗଡ଼ିବି ପ୍ରଭୁ ହେ। ଯାହା ରୋଗ ହେବା କଥା ମୋତେ ହଉ, ଅମିତ୍ ଙ୍କ ସବୁ କଷ୍ଟ ମୋତେ ମିଳୁ, କିନ୍ତୁ ତାଙ୍କୁ ଭଲ କରିଦିଅ। “
ଟୁର୍ ରୁ ଆସିବା ପରେ ଅମିତ୍ ଅଧିକ ଅସୁସ୍ଥ ହୋଇ ଉଠନ୍ତି। ହସ୍ପିଟାଲରେ ଭର୍ତି କଲାପରେ ଜଣାପଡେ଼ ତାଙ୍କୁ କ୍ୟାନସର୍। ଟି ସେଲ୍ ଲ୍ୟୁକେମିୟା। ନୀତା ମୁଣ୍ଡ ଉପରେ ଆକାଶ ଛିଡ଼ିପଡେ। ଗୋଟିଏ ମିନିଟ୍ ରେ ନୀତାର ସାରା ଦୁନିଆ ଓଲଟପାଲଟ ହେଇଯାଏ। ତା ପରେ ଅଧିକ ଭଲ ଚିକିତ୍ସା ପାଇଁ ଡାକ୍ତର୍ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦିଅନ୍ତି। ଏକା କେତେବେଳେ ମାର୍କେଟ୍ ଯାଇନଥିବା ନୀତା ଏକା ସ୍ଵାମୀଙ୍କୁ ନେଇ ଦିଲ୍ଲୀ ଯାଏ। ବାପା ବୋଉଙ୍କୁ ଲୁଚାଇ। ବାପା ଫୋନ କଲେ ମିଛରେ ହସି ହସି କଥା ହୁଏ ନୀତା। ଲୁହ ମାନଙ୍କ ଆଗେ ନେହୁରା ହେଇ ଅଟକାଇ ରଖେ ତାଙ୍କୁ। କେମୋଥେରାପି ଚାଲେ ଅମିତ୍ ଙ୍କର। କେମୋ ପରବର୍ତ୍ତୀ ଅମିତ୍ ଙ୍କୁ ଦେଖି କଲିଜା ଫାଡ଼ି ହେଇଯାଏ ନୀତାର। ଆଉ ସହିପାରେନି ସେ। ବାପାଙ୍କୁ କହିଦିଏ ସବୁକଥା। ସ୍ତବ୍ଧ ହେଇଯାଆନ୍ତି ବାପା। ତଥାପି ନିଜର ଭୟ, ଅସହାୟତା ଆଉ ଯନ୍ତ୍ରଣାକୁ ଲୁଚେଇ ସାହସ ଦିଅନ୍ତି ବାପା ନୀତାକୁ। ପାରୁ ପର୍ଯ୍ୟନ୍ତ ସବୁ ଚେଷ୍ଟା କରୁଥାଏ ନୀତା। ଆସ୍ତେ ଆସ୍ତେ ଲୁହ ସବୁ ଶୁଖିବାକୁ ଆରମ୍ଭ କରନ୍ତି ନୀତା ଆଖିରୁ। ଆଉ ସେତେ ଲୁହ ନିଗିଡ଼େନି। ନିଜର ପିଲାଳିଆମୀ ମରିଯାଏ କେଉଁଠି ଗୋଟେ ଅଣନିଶ୍ଵାସୀ ହେଇ। ଅମିତ୍ କୁ ଦେଖିଲେ ନୀତାକୁ ଲାଗେ, ଅମିତ୍ ତା ଛୁଆ। ବାସ୍ ସବୁ କଷ୍ଟ ଭୁଲିଯାଏ ନୀତା। ନୀତାର ହାତ ଧରି ପକେଇ ଯେତେବେଳେ ଅମିତ୍ କହନ୍ତି, “ସରି ନୀତା। ମୋତେ ବାହା ହେଇ ତମ ଜୀବନ୍ ବରବାଦ୍ ହେଇଗଲା ନା “, ସେତେବେଳ ଅମିତ୍ ଙ୍କ ମୁଣ୍ଡ ଆଉଁସି ଦେଉ ଦେଉ ନୀତା କହେ “ନାହିଁ ମ, ହସ୍ପିଟାଲରେ, ଏତେ ହ୍ୟାଣ୍ଡସମ୍ ସ୍ଵାମୀ ସହ ରୋମାନ୍ସ କରିବାର ଭାଗ୍ୟ କେତେଜଣଙ୍କର ଥାଏ।“ ହସି ଦିଅନ୍ତି ଅମିତ୍। ହସି ଦିଏ ନୀତା।
କେଇ ଦିନ ପରେ ଗାଆଁ ରୁ ଫୋନ୍ ଆସେ। ବାପା ଆଉ ନାହାନ୍ତି। ଶୋଇଥିବା ବେଳେ ସେମିତି ଚାଲିଗଲେ ବାପା। ବୋଧହୁଏ ପରିଣତ ବୟସରେ ନିଜର କଲିଜାର ଟୁକୁଡ଼ା, ଅଲିଅଳି ଝିଅର ବିଡ଼ମ୍ବିତ ଭାଗ୍ୟକୁ ଦେଖି ଭିତରେ ଭିତରେ ଭାଙ୍ଗି ପଡ଼ିଥିଲେ ବାପା ଆଉ ସେଥିପାଇଁ କାହାକୁ କିଛି ନକହି ଚାଲିଯାଇଥିଲେ ଆର ପାରିକୁ। ନୀତା ହାତରୁ ଫୋନ ଖସି ପଡ଼େନି କି ନୀତା କାନ୍ଦି କାନ୍ଦି ବେହୋସ୍ ହେଇ ଯାଏନି। ବାସ୍ ଅଖଣ୍ଡ ନୀରବତା। ନୀତା ନିଜର ହୃତସ୍ପନ୍ଦନକୁ ଅନୁଭବ କରିପାରେ। ନୀତାକୁ ଇଚ୍ଛା ହୁଏ ସେ ଦୌଡ଼ିବ। ଖୁବ୍ ଦୌଡ଼ିବ। ଥକି ପଡ଼ିବା ଯାଏଁ ଦୌଡ଼ିବ। ଦୌଡ଼ି ଦୌଡ଼ି ମିଳେଇ ଯିବ କୋଉଠି କୋଉ ଗୋଟେ ଅନ୍ଧାରି ଜାଗାରେ। ଲୁଚିଯିବ ଖଟ ତଳେ, ଟେବୁଲ୍ ତଳେ ନହେଲେ ଆଉ କୋଉଠି। ନହେଲେ ଶୋଇଯିବ ଚୁପ୍ ଚାପ୍ ଢେର୍ ଯୁଗ ଯାଏଁ। ହେଲେ ସେମିତି କିଛି ହୁଏନି।
ଅମିତ୍ ର ସେକେଣ୍ଡ କେମୋ ପାଇଁ ତାକୁ ଛାଡ଼ି ଯାଇ ପାରେନି ନୀତା। ସରିଯାଏ ବାପାଙ୍କ କ୍ରିୟାକର୍ମ। ଜୀବନ ସାରା ନୀତାକୁ କେବଳ ଖୁସି ଦେଇଆସିଥିବା ବାପାଙ୍କର ଅନ୍ତିମ ଦର୍ଶନ ବି କରି ପାରେନି ନୀତା। ନୀତାକୁ ରାତିରେ ନିଦ ହୁଏନି। ଯଦିବା ହୁଏ କେବଳ ଘଣ୍ଟାଏ କିମ୍ବା ଦୁଇଘଣ୍ଟା ପାଇଁ। ସେ ପୁଣି ଭାଙ୍ଗିଯାଏ ଥରକୁ ଥର। ଆଖିତଳେ କଳା ଦାଗ ପଡ଼ିବାକୁ ଲାଗେ। ବାପାଙ୍କ ଦେହାନ୍ତ ସମ୍ପର୍କରେ ଅଜ୍ଞ ଅମିତ୍ ବ୍ୟସ୍ତ ହୋଇପଡନ୍ତି ନୀତାକୁ ଦେଖି। “ନୀତା! ତମେ ଦିନକୁ ଦିନ ଦୂର୍ବଳ ହେଇ ଯାଉଛ। ଆରେ ବାବା ମୋର କିଛି ହେବନି। ଡାକ୍ତର୍ କହିଛନ୍ତି ଏଇଟା ସପ୍ରେସ ହେଇ ରହିପାରିବ। ଆଉ ପ୍ରୋପର୍ କେୟାରରେ ରହିଲେ ମୁଁ ତୁମ ସହ ଆମ ମ୍ୟାରେଜର ଗୋଲଡେନ୍ ଜୁବୁଲି ସେଲିବ୍ରେଟ କରିବି। ହାଃ ହାଃ। ତମେ ନିଜର ଠିକ୍ ସେ ଧ୍ୟାନ ରଖ। ନହେଲେ ତୁମ ବାପା ଯେତେବେଳେ ମୋତେ ଦେଖିବେ କହିବେ, ମୁଁ ତୁମକୁ ଠିକ୍ ରେ ଖାଇବାକୁ ଦଉନି।”
ରଚ୍ କିନା ନୀତା ଛାତିରେ କଣ୍ଟା ଫୁଟି ହେଇଯାଏ। ବାପାଙ୍କ ନାଁ ଶୁଣିବା ମାତ୍ରେ ନୀତା ଦେହ ହାତ କୋହଲା ପଡିଯାଏ। କିଛି ଜାଣିପାରନ୍ତିନି ଅମିତ୍। ଶୋଇପଡ଼ନ୍ତି ସେ। ଗୋଟେ ନିଷ୍ପାପ ସରଳ ଶିଶୁ ପରି। ଭବିଷ୍ୟତର ଭୟାବହ କଳ୍ପନାରେ ନୀତାର ଆଖି ବୁଜିହେଇଆସେ। ନିଶ୍ଵାସର ବେଗ ବଢ଼ିଯାଏ। ରୁମ୍ ଛାଡ଼ି କରିଡ଼ର ଆଉ କରିଡ଼ର ପରେ ପାର୍କକୁ ପଳାଏ ସେ।
ଆଃ। ନୀତା ଚାରିଆଡ଼କୁ ନଜର ବୁଲେଇଲା। ଘଣ୍ଟା ଆଣିବାକୁ ଭୂଲି ଯାଇଛି ସେ। ରାତି ପାହିବାକୁ ଆହୁରି ସମୟ ଅଛି। ଅମିତ୍ ଉଠୁ ଉଠୁ ସକାଳ ଆଠଟା। ନୀତା ସେ ବେଞ୍ଚ୍ ରେ ମୁଣ୍ଡ ଥୋଇ ଟିକେ ଘୁମେଇ ପଡ଼ିଲା। ରାତିର ପ୍ରଭାବ କମି ଆସିଲାଣି। ପୂର୍ବ ଦିଗରୁ ସିନ୍ଦୂରା ଫାଟି ଆସୁଛି। ଖୁବ୍ ଦୂରରେ ଗୋଟେ ଛାଇ। ଛାଇ ଆସ୍ତେ ଆସ୍ତେ ନୀତା ଆଡକୁ ଅଗ୍ରସର ହଉଛି। ନୀତା ଟିକେ ଆଖି ମିଳିଲା। ଉଜାଲା ଦିଆ ଧଳା ଧୋତି ପିନ୍ଧି ଆଗରେ ଠିଆ ହେଇଛନ୍ତି ବାପା। ମୁହଁରେ ହସ। ଆଖିରେ ସେଇ ପୁରୁଣା ମୋଟା ଫ୍ରେମ ବାଲା ଚଷମା। ନୀତା ଆଡକୁ ହାତ ବଢେଇଲେ ବାପା। ନୀତାକୁ ଲାଗିଲା ସେ ସେଇ ଗୋଲାପୀ ଫ୍ରକ୍ ପିନ୍ଧା କୁନିଝିଅ। ଧାଇଁଗଲା ସେ ବାପାଙ୍କ ପାଖକୁ। କୋଳେଇ ନେଲେ ବାପା ତାକୁ। ସ୍ନେହରେ ମୁଣ୍ଡରେ ହାତ ବୁଲେଇଦେଲେ। ଏତେ ଦିନ ଧରି ନୀତାର ଛାତି ତଳେ ବରଫ ପରି ଜମାଟ ବାନ୍ଧିଥିବା ଲୁହ ସବୁ ଉଛୁଳି ପଡ଼ୁଥିଲେ ବାପାଙ୍କ ଛାତିରେ।
“ଜୀବନ ଗୋଟିଏ ଅଭିନୟରେ ମା। ଏତେ ସମୟ ପରେ ବାପା ପାଟି ଖୋଲିଲେ। ଏଠି ନିର୍ଦ୍ଦେଶକ ଆଉ ଲେଖକ ହେଉଛନ୍ତି ଅଦୃଷ୍ଟ, ନିରାକାର ପରଂବ୍ରହ୍ମ। ଆମେ ତାଙ୍କ ଦ୍ଵାରା ପରିଚାଳିତ। ଦୁଃଖ ସୁଖ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ବାସ୍ ସବୁ ପରିସ୍ଥିତିରେ ନିଜର କର୍ମ କରି ଚାଲିବା ହିଁ ଆମର କର୍ତ୍ତବ୍ୟ। କର୍ମଣ୍ଯେ ବାଧିକାରସ୍ତୁ, ମା ଫଲେଷୁ କଦାଚନ।”
ଆସ୍ତେ ଆସ୍ତେ ବାପାଙ୍କ ହାତ ହୁଗୁଳା ହଉଥିଲା। ସିନ୍ଦୂରା ଅଧିକ ଅଧିକ ଫାଟି ଆସୁଥିଲା।
“ହାଏ ବେଟା। ତୁମ୍ ଇଧର୍ ହି ଶୋ ଗୈ ଥି କ୍ୟା? “
ମିସେସ୍ ମାଲହୋତ୍ରାଙ୍କ ଡାକରେ ଚମକି ପଡି ଉଠିପଡ଼ିଲା ନୀତା। ସକାଳ ହେଇ ଆସିଥିଲା। ସାମନାରେ ଠିଆ ହେଇଥିଲେ ମିସେସ୍ ମାଲହୋତ୍ରା। ଦୁର୍ଘଟଣାରେ ପରିବାରର ସମସ୍ତଙ୍କୁ ହରାଇଥିଲେ ସେ। ଖାଲି ବଞ୍ଚିଯାଇଥିଲେ ସେ ଆଉ ତାଙ୍କ ତିରିଶ ବର୍ଷର ପୁଅ। ଦୁର୍ଘଟଣାରେ ସେ ହରେଇଥିଲେ ନିଜର ଗୋଟେ ହାତ ଆଉ ତାଙ୍କ ପୁଅ ଥିଲା କୋମାରେ। ଦୀର୍ଘ ଦୁଇ ବର୍ଷ ପରେ କୋମାରୁ ଉଠିଥିଲା ପୁଅ ହେଲେ ବି ଶରୀରର ଅର୍ଦ୍ଧେକ ଅଂଶ ଥିଲା ପାରାଲାଇଜଡ୍। ଏଠି ପୁଅ ଚିକିତ୍ସାଧିନ ଅଛି। ମିସେସ୍ ମାଲହୋତ୍ରା କିନ୍ତୁ ସବୁବେଳେ ହସ ହସ। ତାଙ୍କୁ ଦେଖିଲେ ଲାଗେନି ତାଙ୍କ ସହ ଏତେ ସବୁ ହେଇଯାଇଛି।
“ଗୁଡ଼ ମର୍ଣ୍ଣିଂ ଆଣ୍ଟି।” ହସିଦେଇ କହିଲା ନୀତା।
କାହିଁକି କେଜାଣି ନୀତାକୁ ବହୁତ୍ ହାଲକା ଲାଗୁଥିଲା। ଅମିତ୍ ଙ୍କ ରୁମ୍ ଆଡକୁ ପାଦ ବଢେଇଲା ସେ।