The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Nandini RayMohapatra

Classics

2  

Nandini RayMohapatra

Classics

ଛୁଞ୍ଚି ଚାଲୁଣି

ଛୁଞ୍ଚି ଚାଲୁଣି

4 mins
255


  

କେଶବ ଚନ୍ଦ୍ର ପତ୍ରୀ ଙ୍କ ସହଧର୍ମିଣୀ ହେଉଛନ୍ତି କୁସୁମ ଦେବୀ। କିନ୍ତୁ ତାଙ୍କୁ କେହି କୁସୁମ ଡାକିଲେ ତାଙ୍କ ମରମ ଜଳିଯାଏ। ସାଙ୍ଗ ସାଥି ସମସ୍ତଙ୍କୁ ଏ ପୁରୁଣା କାଳିଆ ନା ରେ ତାଙ୍କୁ ନ ଡାକିବା ପାଇଁ ମ୍ୟାଡମ ତାଗିଦ୍ କରିଛନ୍ତି। ସୁଇଟି। ସୁଇଟି ନା ଟି ତାଙ୍କ ସ୍ଵଦତ୍ତ। ତାଙ୍କ କହିବା ମୁତାବକ ଏଇ ନା ଟି ତାଙ୍କ ପର୍ସନାଲିଟି କୁ ବେଶ୍ ଖାପ ଖାଏ।

ମ୍ୟାଡାମ ଙ୍କ ର ଅନେକ ସଦଗୁଣ ମଧ୍ଯ ରୁ ଗୋଟିଏ ହେଲା, କୋଡପୋଛା ଛୁଆ ର ମଳଦ୍ଵାର ରୁ ମା ଯେମିତି ଖୋଳି ଖୋଳି ଦଶିପୋକ କାଢ଼େ, ସେମିତି ଅନ୍ୟ ମାନଙ୍କର ଟିକିଏ ଖୁଣକୁ ଖୁବ୍ ରାମ୍ପି ବିଦାରି ବଡ଼ କରିବା।

ମ୍ୟାଡମ କିନ୍ତୁ ଆମର ଭାରି ବୁଦ୍ଧିଆ। ସ୍ଵାମୀ ଙ୍କୁ କେମିତି ନିଜ କାଣୀ ଅଙ୍ଗୁଳି ରେ ନଚେଇ ହେବ, ସେଇଟା ତାଙ୍କୁ ବହୁତ ଭଲ ଭାବେ ଜଣା। ସ୍ଵାମୀ ଙ୍କ ଏଟିଏମ କାର୍ଡ ଠୁ ଆରମ୍ଭ କରି, ତାଙ୍କ ବ୍ୟାଙ୍କ୍ ପାସୱାର୍ଡ଼ ଯାଏଁ ସବୁଠି ୟାଙ୍କ ର ରାଜୁତି।

ଏଇ ଆପାର୍ଟମେଣ୍ଟ ରେ ମ୍ୟାଡମ ରହିବାର କେଇ ବର୍ଷ ହେଇଗଲାଣି। ଦାଶ ବାବୁ, ମହାପାତ୍ର ବାବୁ ଆଉ ଜେନା ବାବୁ ଙ୍କ ଘର ବଦଳି ହେବା ପରେ ମ୍ୟାଡମ ହେଉଛନ୍ତି ଏ ଆପାର୍ଟମେଣ୍ଟ ର ସର୍ବ ପୁରାତନ ବାସିନ୍ଦା। ସେଇଥିପାଇଁ ମାଡାମ ଅନ୍ୟ ମାନଙ୍କ ଉପରେ ସିନୟରିଟି ଦେଖାନ୍ତି। ଉପରେ ପଡ଼ି ଅନେକ ଉପଦେଶ ମଧ୍ୟ ଦିଅନ୍ତି। 

ନୂଆ କରି ଆସିଥିବା ପାତ୍ର ବାବୁ ଙ୍କ ସହଧର୍ମିଣୀ ଙ୍କ ଆଗେ ଅନ୍ୟ ମାନଙ୍କର ଚରିତ୍ର ସଂହାର କରି ଖୁସିରେ କୁରୁଳି ଉଠନ୍ତି ସିଏ। ସୋସାଇଟି ର ଯେକୌଣସି ପାର୍ଟି, ମିଟିଂ କିମ୍ବା ଭୋଜିଭାତ ହେଲେ ସବୁବେଳେ ଆଗୁଆ ମିସେସ୍ ପତ୍ରୀ ଓରଫ ସୁଇଟି ମାଡାମ। ନ ଜାଣିବା ଲୋକ ତାଙ୍କୁ ସମାଜସେବୀ କହି ବହୁତ ଗୁଡିଏ ପ୍ରଶଂସା ରେ ପୋତି ପକେଇବ। ମାଡାମ କିନ୍ତୁ ଭିତିରିଆ ଉଦ୍ଦେଶ୍ୟ କଥା ଭାବି ଖୁବ୍ କୁରୁଳି ଉଠନ୍ତି। ଉଦ୍ଦେଶ୍ୟ ଟି ହେଉଛି, ଭୋଜିଭାତ ରେ ଟିକେ ମାମଲତକାର କଲେ, ଅନେକ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ କେଇଦିନ ଯାଏଁ ତାଙ୍କ ଫ୍ରିଜ୍ ର ଶୋଭା ବର୍ଦ୍ଧନ କରେ। ତା ସହିତ ଅନ୍ୟ ମାନଙ୍କ ଆଗରେ କିଛି ଚୁଗୁଲି କରି ମିଳୁଥିବା ଅସୀମ ଆନନ୍ଦ ର ସ୍ମରଣ ରେ ମୁରୁକି ମୁରୁକି ହସି ଦିଅନ୍ତି ସେ। ଏଇଠି କୁସୁମ ଙ୍କ ର ଗୋଟିଏ ଛୋଟିଆ ଅଲିଖିତ ସଂଗଠନ ଅଛି କହିଲେ ଚଳେ। ସେ ସଂଗଠନ ର ମୁଖ୍ୟ ହେଲେ ସ୍ଵୟଂ କୁସୁମ ଦେବୀ। କାହା ସ୍ଵାମୀ ର ଅଫିସ ରେ କୋଉ ସହକର୍ମୀ ସହ ହସଖୁସି ଚାଲିଛି,, କାହା ଝିଅ ର ବ୍ରେକ୍ ଅପ୍ ହେଇଛି, କାହା ପୁଅ ସେଦିନ ରାତିରେ ମଦ ପିଇ ମାତାଲ ହେଇ ଘରକୁ ଫେରିଛି, କାହା ସ୍ତ୍ରୀ କୋଉ ଶାଢ଼ି କିଣିଲା, କିଏ ସୁନ୍ଦରୀ ହେବା ପାଇଁ କଣ ଲଗାଉଛି, କିଏ ଅଲକ୍ଷଣୀ କିଏ ଚୋରଣୀ ସବୁ ଖବର କୁସୁମ ଦେବୀ ଙ୍କ ପାଟିରୁ ଡବଡବ ବାହାରି ପଡ଼ୁଥାଏ।ଅହରହ ଅନ୍ୟମାନଙ୍କ ଦୁର୍ଗୁଣ ଗାଇ ଗାଇ ଯେଉଁ ଅପୂର୍ବ ଆନନ୍ଦ ସେ ପାଆନ୍ତି, ତା କେବଳ ଦେଖିବା ଲୋକ କହି ପାରିବ। ଏଇ ଗୁଣ ପାଇଁ ସ୍ଵାମୀ ଅନେକ ସମୟରେ ବିରକ୍ତ ହେଲେ ବି, କୁସୁମ ଦେବୀ ଙ୍କ ବିକଟାଳ, ବିକୃତ ମୁହଁକୁ ଦେଖି ମନେ ମନେ ସଙ୍କୁଚିତ ହେଇଯାଆନ୍ତି। କୁସୁମ ଙ୍କ କେଳେଙ୍କାରୀ, ହାତଉଠା(ଚୋରି) ତଥା ଅନ୍ୟାନ୍ୟ ସୁଗୁଣ ସମ୍ବନ୍ଧ ରେ ଅନଭିଜ୍ଞ ଅନ୍ୟ ସ୍ତ୍ରୀ ଲୋକ ମାନେ କିନ୍ତୁ ତାଙ୍କ ମୁଖ ନିସୃତ ବାଣୀ କୁ ଶ୍ରବଣ କରି ପୁଲକିତ ହେଇ ଉଠୁଥାନ୍ତି। ଖାଲି ଯେ ଚୁଗୁଲି ତା ନୂହେଁ, କେମିତି ସ୍ଵାମୀ ଙ୍କୁ ଆୟତ୍ତ ରେ ରଖିହେବ, ଶାଶୁ ଶ୍ୱଶୁର ଙ୍କୁ କେମିତି ଗାଆଁ କୁ ପଠେଇ ହେବ,ହୋଟେଲ୍ କିମ୍ବା କୌଣସି ବନ୍ଧୁ ବାନ୍ଧବ ଙ୍କ ଘରୁ କେମିତି ଚାମଚ, ପ୍ଲେଟ୍, କପ୍ ଇତ୍ୟାଦି ଜିନିଷ ର ହାତ ସଫେଇ କରିହେବ ତା ର ମାଷ୍ଟର୍ ଟିପ୍ସ ମଧ୍ୟ ପୁରାପୁରି ମାଗଣା ରେ ଦିଅନ୍ତି ସେ।

ଏବେ ଏବେ ଆପାର୍ଟମେଣ୍ଟ ଙ୍କୁ ନୂଆ କରି ଆସିଛନ୍ତି ସୁଲତା ମାଡାମ। ବୟସରେ କୁସୁମ ଙ୍କ ଠୁ ଢେର୍ ସାନ। ବାହାଘର ଏଇ ଏବେ ଏବେ ହେଇଛି ବୋଧେ। ବାଃ। ନୂଆ ଅନୁଗତା ଟିଏ ମିଳି ଯାଇପାରେ ଭାବି ସନ୍ଧ୍ୟା ବେଳକୁ ବିନା ନିମନ୍ତ୍ରଣରେ ହାଜର ହେଇଗଲେ ସିଏ। ହସି ହସି ଗପି ପକେଇଲେ ମେଞ୍ଚାଏ କଥା। ଏଇ ସୋସାଇଟି ରେ କିଏ କେତେ ଖରାପ, କାହାକୁ କୋଉଟା କହିବନି, କାହାଠୁ ଦୂରେଇ ରହିବ ସବୁ କହିଗଲେ ନିଜ ଆଡୁ। ସୁଲତା ଙ୍କୁ ଏସବୁ ଶୁଣିବାକୁ ଇଚ୍ଛା ନଥିଲେ ମଧ୍ଯ ଭଦ୍ରାମୀ ଦୃଷ୍ଟି ରୁ ଖାଲି ହଁ ହାଁ ମାରି ଶୁଣୁଥିଲେ ସିଏ। ଏତେ ସମୟ ହେଲା କିଏ ଏଡ଼େ ପାଟିରେ ଗପୁଛି ବୋଲି ଦେଖିବାକୁ ଘର ଭିତରୁ ବାହାରି ଆସିଲେ ସୁଲତା ଙ୍କ ବଡ ନଣନ୍ଦ ରାଜେଶ୍ୱରୀ।

“ଆଲୋ କୁସୁମ!” ରାଜେଶ୍ୱରୀ ଙ୍କ ପାଟିରୁ ଏତକ ଶୁଣିଦେଇ ହଲକ ଶୁଖିଗଲା କୁସୁମ ଙ୍କ ର।ଇଏତ ତାଙ୍କ କଲେଜ ବେଳ ର ବାନ୍ଧବୀ ରାଜେଶ୍ୱରୀ। 

“ଆପଣଙ୍କ ନାଁ ପରା ସୁଇଟି।” ବୋଲି ସୁଲତା ଙ୍କ ପାଟିରୁ ଶୁଣି, ଦାନ୍ତ ଟାକୁ ନେଫେଡେଇ କୁସୁମ କହିଲେ, “ଏଁ, ହେଁ ହେଁ। ସେଇଟା ମୋର ଶ୍ରଦ୍ଧା ନାମ ନା ଆଉ। ”

କୁସୁମ ଙ୍କ ର ମନେ ପଡିଯାଉଥିଲା, କୌଣସି କାରଣବଶତଃ ରାଜେଶ୍ୱରୀ ରାଜେଶ ଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିବା ବେଳେ ତାଙ୍କ ନାଁ ରେ କେମିତି ତିଳ କୁ ତାଳ ଯୋଡ଼ି ସମସ୍ତଙ୍କ ଆଗରେ ସେ କହୁଥିଲେ। ଆଉ ଏଇ ସମୟରେ ରାଜେଶ୍ୱରୀ ଆଉ ତାଙ୍କ ବନ୍ଧୁ ମାନେ ମିଶି ଏତେ ଦିନ ଯାଏଁ ସତୀ ସାବିତ୍ରୀ ଙ୍କ ମୁଖା ଧରିଥିବା କୁସୁମ ଙ୍କ ସବୁ ଗୁମର ସମସ୍ତଙ୍କ ଆଗରେ ଖୋଲି ଦେଇଥିଲେ। ହିମେଶ, ସତୀଶ, ରମେଶ, ଚଗୁଲୁ, ବବୁଲୁ, ଟୁବୁଲୁ ଇତ୍ୟାଦି ଙ୍କୁ ଲାଇନ୍ ମାରିବା ଠୁ ଆରମ୍ଭ କରି ରିନା, ମୀନା, ସୁନା ଙ୍କ ନା ରେ ଦୁର୍ଗୁଣ ଗାଇବା, ପାଉଡର ଠୁ ଆରମ୍ଭ କରି ଚପଲ ଚୋରି, ପରୀକ୍ଷା ରେ ରେ ସାର୍ ଙ୍କ ନାକ ତଳେ ବସି କପି କରିବା ଠୁ ଆରମ୍ଭ କରି ବ୍ରଣ ଭର୍ତି ମୁହଁରେ ରାତି ରାତି ଆୟୁର୍ବେଦିକ ଚୂର୍ଣ୍ଣ ମାଖିବା ଯାଏଁ ସବୁ କଥା ତାଙ୍କର ଧରା ପଡିଯାଇଥିଲା ସେଇଠି। ସେଇ ସବୁକଥା ମନେ ପଡିଯିବାରୁ କୁସୁମ ଙ୍କ ର ଡାହାଣ ଆଖି ଖାଲି ଫଡଫଡ ହେଇ ଡେଇଁଲା।ଏତେ ଦିନ ନିଜର ଭାବମୂର୍ତ୍ତୀ କୁ ଏଠି ଏତେ ନିର୍ମଳ ରଖିଥିବା କୁସୁମ ଙ୍କ ର ରାଜେଶ୍ୱରୀ ଙ୍କ ଦର୍ଶନ ମାତ୍ରେ ପେଟ ଗୁଡୁଗୁଡୁ ହେଲା। 

“ରହଲୋ କୁସୁମ। ଏତେ ଦିନପରେ ଦେଖା ହେଇଛି, ଗପିବା ଟିକେ। ଆଲୋ ସୁଲ ଗଲୁ ଚା ଦୁଇ କପ୍ ଆଣିବୁ। ” କହିଲେ ରାଜେଶ୍ୱରୀ।

ଏଠି ଅଧିକ ସମୟ ରହିଲେ ବିପଦ ଭାବି, “ମୋର ତେଣେ କେତେ କାମ ଲୋ। ମୋତେ ସମୟ କାଇଁ ଗପିବା ପାଇଁ। ଆଜି ଯାଉଛି କାଲି ଦେଖା ହେବ” କହିଦେଇ ଛିନଛାଟ୍ ହେଇ ଘରକୁ ଡିଆଁ ମାରିଲେ କୁସୁମ।

ଏତେ ଶୀଘ୍ର ଚୁଗୁଲି ସାରି ଘରକୁ ଫେରି ଆସିଥିବା ପତ୍ନୀ ଙ୍କୁ ଦେଖି ଚମକି ପଡ଼ିଲେ ପତିଦେବ। ଆଜି ସୂର୍ଯ୍ୟ କୋଉ ପଟେ ଉଦୟ ହେଇଛି କେଜାଣି ନିଜକୁ ନିଜେ ପଚାରୁଥିଲେ କେଶବ। 

     



Rate this content
Log in

More oriya story from Nandini RayMohapatra

Similar oriya story from Classics