Nandini RayMohapatra

Others

4.8  

Nandini RayMohapatra

Others

ହସ

ହସ

2 mins
673


ପ୍ରତିମା ଦେବୀ ଙ୍କୁ ଦେଖି ସ୍ମିତା ସବୁଥର ପରି ହସି ଦେଇଥିଲା। ସ୍ମିତା ର ହସ ରେ କୌଣସି ବି ପରିବର୍ତ୍ତନ ନଥିଲା। ପ୍ରତିମା ଦେବୀ କିନ୍ତୁ ବହୁତ୍ ଅପ୍ରସ୍ତୁତ ହୋଇପଡ଼ିଥିଲେ।ଲାଜ ରେ ମୁହଁ ଲାଲ୍ ହେଇଯାଇଥିଲା।ସ୍ମିତା କେମିତିକା ଝିଅ କେଜାଣି? ଏତେ ସବୁ ପରେ କିଏ କଣ ହସି ପାରେ!ତା ପୁଣି ମିଠା ହସ। ଆତ୍ମିୟତା ର ହସ। ପ୍ରତିମା ଦେବୀ ସ୍ମିତା ଜାଗାରେ ଥିଲେ ବିଦ୍ରୁପ ର ହସ ଟିଏ ହସିଥାନ୍ତେ, ନହେଲେ ଅଣଦେଖା କରି ଚାଲିଯାଇଥାନ୍ତେ।

ପ୍ରତିମା ଦେବୀ। ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ରେ କିରାଣୀ ଭାବେ ଅବସ୍ଥାପିତ।ଆଉ ସେଇ ବ୍ଯାଙ୍କ ର ସୁଇପର (ଝାଡୁବାଲି) ହେଉଛି ମାଳତୀ।ସହର ର ଶେଷ ମୁଣ୍ଡ ବସ୍ତି ରେ ରହୁଥିବା ମଦୁଆ ଘନ ର ସ୍ତ୍ରୀ। ପୁଣି ହରିଜନ। ଆଉ ତା'ର ଝିଅ ସ୍ମିତା।

ମାଳତୀ ଯେତେବେଳେ ବି ବ୍ଯାଙ୍କ ଆସେ, ସବୁବେଳେ ସମସ୍ତଙ୍କ ଆଗେ ଝିଅ ର ପ୍ରଶଂସା କରି ବୁଲୁଥାଏ।ସ୍ମିତା କେତେ ଭଲ ପଢୁଛି, ନାଚୁଛି, ଗାଉଛି ସବୁ କହି ହେଉଥାଏ। ଅନ୍ୟ ମାନେ ବି କେବେ କେମିତି ବାହାବା ଦିଅନ୍ତି।ପ୍ରତିମା ଦେବୀ ଏ କଥା କାହିଁକି କେଜାଣି ହଜମ କରିପାରନ୍ତି ନାହିଁ।କେବେ କେମିତି ତାଙ୍କ କାନ ରେ ଏ କଥା ପଡିଗଲେ ଚିଡି ଉଠନ୍ତି। ନିଜ ଝିଅ ବିଶାଖା ବିଷୟ ରେ କହନ୍ତି। ସ୍ମିତା ଆଉ ମାଳତୀ ର ବ୍ୟଙ୍ଗ କରନ୍ତି।

ସ୍ମିତା ବି ବେଳେବେଳେ ବ୍ଯାଙ୍କ କୁ ଆସେ।ଯାହାକୁ ଦେଖେ ହସିଦିଏ।ଭଲମନ୍ଦ ପଚାରି ଦିଏ।ପ୍ରତିମା ଦେବୀ ଙ୍କୁ ରାସ୍ତା ଘାଟ ପରିବା ମାର୍କେଟ ରେ ଦେଖିଲେ ମାଡାମ୍ ନମସ୍କାର କହି ହସିଦିଏ।ଆଉ ତା ହସ ଦେଖି ପ୍ରତିମା ଦେବୀ ଙ୍କ ଦେହ ରେ ନିଆଁ ଚରିଯାଏ।ଏ ଝିଅ ତାଙ୍କ ଚିହ୍ନା ବୋଲି କାଳେ କିଏ ଦେଖି ଦେଲା କି ବୋଲି ସେ ଚାରିଆଡ଼େ ନଜର ବୁଲେଇ ଆଣନ୍ତି।କେବେ କେମିତି ତାକୁ ନୀଚା ଦେଖେଇବା ପାଇଁ ତାଚ୍ଛଲ୍ୟ ଭରା ହସ ଟେ ହସି ଦିଅନ୍ତି।

ସ୍ମିତା ର କିନ୍ତୁ କିଛି ଫରକ୍ ପଡ଼େନି।ସେ ସବୁବେଳେ ସେମିତି ଥାଏ, ହସ ହସ। ଆଉ ତା ହସ ଦେଖି ପ୍ରତିମା ଦେବୀ ବେଳକୁ ବେଳ ଅଧିକ ଅସହିଷ୍ଣୁ ହୋଇ ଉଠନ୍ତି।

ଆଜି ବ୍ୟାଙ୍କ୍ ସ୍ମିତା ର ପ୍ରଶଂସା ରେ ଉଠୁଛି ପଡୁଛି। ସ୍ମିତା ବ୍ୟାଙ୍କିଙ୍ଗ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଇ ମ୍ୟାନେଜର୍ ଭାବେ ଯୋଗ ଦେଉଛି ଏହି ବ୍ୟାଙ୍କ୍ ରେ। ପ୍ରତିମା ଦେବୀ କିନ୍ତୁ ବିଚଳିତା।

ସ୍ମିତା କୁ କେମିତି ସାମନା କରିବେ ଜାଣି ପାରୁନାହାନ୍ତି।

ଠିକ୍ ଏହି ସମୟ ରେ ବ୍ୟାଙ୍କ୍ କୁ ଆସେ ସ୍ମିତା। ଆଉ ହସିଦିଏ ଠିକ୍ ସେମିତି ହସ। ନା ସେଥିରେ ଥାଏ ଗର୍ବ ନା ବିଦ୍ରୁପ ର ତିଳେ ହେଲେ ଆଭାସ।

ସ୍ମିତା ଚାଲିଯିବା ପରେ ପ୍ରତିମା ଙ୍କ ଆଖି ରୁ ଝରି ପଡ଼େ ବୁନ୍ଦେ ଲୁହ। ପଶ୍ଚାତାପ ଆଉ ଆତ୍ମଗ୍ଲାନି ର।

:ନନ୍ଦିନୀ ରାୟ ମହାପାତ୍ର I


Rate this content
Log in