Nandini RayMohapatra

Others

5.0  

Nandini RayMohapatra

Others

ଗୋଟେ ଅଳସୋଇ ରାତି

ଗୋଟେ ଅଳସୋଇ ରାତି

4 mins
862


“ଗୋଟେ ଅଳସୋଇ ରାତି ଆଉ କିଛି ଅବାନ୍ତର ଚିନ୍ତା”

ମୁଁ ଅନ୍ନପୂର୍ଣା ଦାସ। ବୟସ: ପଇଁଚାଳିଶ। ସମୟ :ନୂଆବର୍ଷ ର କେଇ ଘଣ୍ଟା ପୂର୍ବ ନୂଆବର୍ଷ.. କିଛି ତ ନୂଆ ନୂହେଁ, ଯାହା ଯେମିତି ଥିଲା ଠିକ୍ ସେମିତି ଅଛି।ସେଇ ଘର, ସେଇ କାନ୍ଥ, କାନ୍ଥ ଉପର ର ଘଣ୍ଟା,ମିନିଟ୍ କଣ୍ଟା ର ସେଇ ଟିକ୍ ଟିକ୍ ଶବ୍ଦ,ତା ପାଖେ ଚାଲୁଥିବା ଝିଟିପିଟି, ଆଖ ପାଖ ର ସବୁ କିଛି,ସବୁ ସେୟା,ପୁରୁଣା।ଖାଲି ଯାହା ମସିହା ର ଶେଷ ଅଙ୍କ ବଦଳି ଯାଇଛି।

କେତେ ନୂଆ ବର୍ଷ ଯାଏ, କେତେ ନୂଆ ବର୍ଷ ଆସେ। ଗୋଟେ ମାସ ଖାଲି ପିକନିକ୍,ଭୋଜି, ମଦ, ଲେଟ୍ ନାଇଟ୍ ଡିଜେ, ନାଚ, ଗୀତ, କୋଉଠି କେମିତି ଗରିବ ଗୁରୁବା ଙ୍କୁ ସାହାଯ୍ୟ। ତା ପରେ ପୁଣି ବର୍ଷ ପୁରୁଣା ହେଇଯାଏ।

ଲୋକ କହନ୍ତି ମୁଁ କାଳେ ନିହାତି ଗୋଟେ ଡିପ୍ରେସଡ୍ ଲୋକ। ଜୀବନ କୁ ଉପଭୋଗ କରିବାର କଳା ମୋତେ ଜଣା ନାହିଁ। ହେଇପାରେ, ତା ବି ସତ ହେଇପାରେ।

ନୂଆବର୍ଷ ରେ ନୂଆ ଗପ ଟିଏ କିମ୍ବା କବିତା ଟିଏ ଲେଖିବା ପାଇଁ ଭାବେ ମୁଁ, କିନ୍ତୁ କଲମ ଯେ ବହି ଥାକ ରେ। ବିଛଣା ରୁ ଉଠି, ଯାଇ କଲମ ଆଣିବାକୁ ଇଚ୍ଛା ହୁଏନି।କଲମ ବିନା ମୁଁ ଲେଖି ପାରେନି। ଟାଇପ କଲେ ଲେଖିବାର ଫିଲିଂଗ୍ସ ଆସେନି।ଛାଡ଼। ଏଥର ଭାବନା ରେ ଗପ ଟେ ଲେଖିବା। ସତରେ, ଭାବନା ରେ ଲେଖିବା ସବୁଠୁ ସହଜ।ଭାବନା ରେ ଗପ ଟି ଭାରି ସୁନ୍ଦର ହେଇଯାଏ ବିନା ଶାରୀରିକ ପରିଶ୍ରମ ରେ। ଠକ୍ କରି ଝିଟିପିଟି ମୋ ମୁଣ୍ଡ ଉପରେ ଖସି ପଡ଼େ। ମୁଁ ଚିଲ୍ଲେଇବା ଆଗରୁ ଝିଟିପିଟି ପଳାଏ। ଜେଜେମା କଥା ମନେ ପଡେ। ସେ କହେ, ଯାହା ମୁଣ୍ଡ ରେ ଝିଟିପିଟି ପଡ଼େ, ସେ କୁଆଡେ ରାଜ୍ୟ ଲାଭ କରେ। ମୋ ମନ ଖୁସି ହେଇଯାଏ।ମୋର ରାଜ୍ୟ ଲାଭ ହେବ! ଆରେ ବାଃ। ହାଃ ହାଃ। ମନେ ମନେ ହସେ ମୁଁ। ହେଇପାରେ ମୁଁ ପୂର୍ବ ଜନ୍ମରେ ଗୋଟେ ରାଣୀ ଥିଲି। ନିଜକୁ ରାଣୀ ବେଶରେ କଳ୍ପନା କରି ଉଲ୍ଲସିତ ହୁଏ ମୁଁ।ଏ ଜନ୍ମ ରେ ମୁଁ କାହିଁକି ରାଣୀ ନୁହେଁ ଭାବି ମନଦୁଃଖ କରେ। ହଠାତ୍ କୁକୁରଟେ ଜୋର୍ ରେ ଭୁକେ। ତାକୁ ତାଳ ଦେଇ ଆଉ କିଛି କୁକୁର ବି ଭୁକିବା ଆରମ୍ଭ କରିଦିଅନ୍ତି। ସେ ଭୁକିବାଟା କ୍ରମଶଃ ଗୋଟେ କାନ୍ଦଣାରେ ପରିବର୍ତ୍ତିତ ହେଇଯାଏ। ପୁଣି ମନେ ପଡେ ଜେଜେମା। ଜେଜେମା କହେ, କୁକୁର ମାନେ ଭବିଷ୍ୟଦର୍ଶୀ।ସେମାନେ ଆସନ୍ନ ମୃତ୍ୟୁ ସମ୍ପର୍କ ରେ ଜାଣି ପାରନ୍ତି। ହୁଏତ ଖୁବ୍ ନିକଟ ରେ ମୋର ମୃତ୍ୟୁ ହେଇପାରେ।ହୁଏତ ମୋ ଆତ୍ମା କୁ ନେବା ପାଇଁ ସ୍ଵୟଂ ଯମରାଜ ଅଥବା ମୋ ମୃତ ଆତ୍ମୀୟ ସ୍ଵଜନ ଆସି ଥାଇ ପାରନ୍ତି।ରୋମାଞ୍ଚ ମିଶା ଡର ର ଲହରି ମୋତେ ଛୁଇଁ ବହିଯାଏ। ଟିକେ ଶୀତ ଲାଗେ। ମୁଁ ବ୍ଲାଙ୍କେଟ୍ ଭିତରେ ଆଉ ଟିକେ ପଶିଯାଏ।ଖୁବ୍ ଧୀରେ ଧୀରେ ନିଃଶ୍ୱାସ ନେଇ, କାନ ଡେରି ଶୁଣେ, କାଳେ ମୋ ବିଷୟରେ କିଏ କଥା ହଉଚି କି।

ଚୁପି ଚୁପି ଆୱାଜ୍ ଆସେ।ଫିସ୍ ଫିସ୍। ହିସ୍ ହିସ୍ ଆୱାଜ୍।ମୁଁ ଅନ୍ଦାଜ ଲଗାଏ। ହୁଏତ ମୋତେ ମୋ ମୃତ ଆତ୍ମୀୟଙ୍କ ଭିତରୁ କିଏ ଡାକୁଥାଇପାରେ। ଅଥବା ଏମିତି ବି ହେଇପାରେ, ଯମରାଜ, ଚିତ୍ରଗୁପ୍ତ ଙ୍କ ସହ ମୋ ପାପ ପୁଣ୍ଯ ସମ୍ବନ୍ଧ ରେ ଆଲୋଚନା କରିଥାଇପାରନ୍ତି। ମୋ ହୃତ୍ ସ୍ପନ୍ଦନ ବଢ଼ିଯାଏ। ଡର ବି ବଢ଼ିଯାଏ। ଯଥା ସମ୍ଭବ ନିଶ୍ଵାସ ର ବେଗ କୁ ଚାପି ରଖି ମୁଁ ଆଉ ଟିକେ କାନ ଡେରେ।

ହଠାତ୍ ଟିକେ ଦୂରରେ ଥିବା ମସଜିଦ୍ ରୁ କୋରାନ୍ ଶୁଭେ।ମୋ ସବୁ ଡର ଉଭେଇ ଯାଏ। କାନ୍ଥ ରେ ଟଙ୍ଗା ଜଗନ୍ନାଥ, ଦୁର୍ଗା, ଶ୍ରୀକୃଷ୍ଣ ଙ୍କ ଫଟୋ ନଜରରେ ପଡ଼େ। ଗୋଟେ ଅଲଗା ପ୍ରକାର ର ଖୁସି ଦେହ କୁ ଆବୋରି ବସେ। ସମୟ ଦେଖିବାକୁ ସେ ପଟ କୁ କଡ଼ ଲେଉଟାଏ ମୁଁ। ଘଣ୍ଟା ଚାଲିଥାଏ ଟିକ୍ ଟିକ୍।ହଠାତ୍ ଢଂ କରି ଶବ୍ଦ ହୁଏ। ଆରେ, 12 ଟା ବାଜିଗଲା। ନୂଆବର୍ଷ ହେଇଗଲା। ଟୁଂ ଟାଂ ହେଇକି ଫୋନ ବାଜି ଉଠେ। ପୁଳା ପୁଳା ମେସେଜ୍, ଶୁଭ ବାର୍ତ୍ତା। ମନ ର ଆଳସ୍ୟ ହେତୁ ଫୋନ ଖୋଲି ମେସେଜ୍ ଦେଖିବାକୁ ଇଚ୍ଛା ହୁଏନି। ଖଟ ଉପରେ ସେମିତି ଗଡେଇ ପଡେଇ ହୁଏ ମୁଁ।

ମନେପଡେ ଆଗରୁ ନୂଆବର୍ଷ ଦିନ ଲଫାପା ଆସେ, ପିଉସୀ ଘରୁ, ମାଉସୀ ଘରୁ।ସାଙ୍ଗ ମାନଙ୍କ ଠାରୁ ଆସିଥିବା ଗ୍ରିଟିଂସ୍ ଗଣେ ମୁଁ। ଗ୍ରିଟିଂସ୍ ର ପ୍ରକାର ଭେଦ ରେ ତାକୁ ସଜେଇ ରଖେ ମୋ ବହିଥାକ ରେ। ଗାଧୋଇ ପାଧୋଇ ନୂଆ ଡ୍ରେସ୍ ପିନ୍ଧି ମନ୍ଦିର ଯାଏ, ଠାକୁର ଦର୍ଶନ ପାଇଁ।ବୋଉ ର ରୋଷେଇ ଘର ସେଦିନ ଗୋଟେ ଅମୃତ ଭଣ୍ଡାର ପାଲଟି ଯାଏ।କିଛି ଗରିବ ଲୋକ ଖାଇବା ପାଇଁ ଆସନ୍ତି। ସମସ୍ତେ ଖାଇ ସାରିଲା ପରେ ବୋଉ ମୁହଁ ରେ ଆତ୍ମତୃପ୍ତିର ଛିଟା ସ୍ପଷ୍ଟ ବାରି ହୋଇପଡ଼ୁଥାଏ। ସନ୍ଧ୍ୟା ରେ ସାଙ୍ଗ ହେଇ ଗପ, ଗୀତ ଚାଲେ। ଜେଜେମା କହେ ତା ଝିଅ ବେଳ କଥା। ମୁଁ ଶୁଣୁଥାଏ ମନ୍ତ୍ରମୁଗ୍ଧ ହେଇ।ବାପା କହନ୍ତି ନୂଆ ବର୍ଷ ରେ ନୂଆ ସଂକଳ୍ପ କର।ଗତବର୍ଷ ର ଭୁଲ, ଦୋଷ ତ୍ରୁଟି କୁ ଏ ବର୍ଷ ରେ ସୁଧାରିବାର ସଂକଳ୍ପ କର। ମୁଁ ପୁଳାଏ ସଂକଳ୍ପ କରେ। କେତେ ପୂରଣ କରେ ଜଣା ନାହିଁ। ବାସ୍ ସରିଯାଏ ନୂଆବର୍ଷ।

ଫୋନ ରିଙ୍ଗ ହେଲା। ସେମିତି କଡ଼େଇ ପଡ଼ି ଫୋନ କୁ ଚାହିଁ ଦେଲି ମୁଁ। ଟିକେ ଖୁସି ବି ଲାଗିଲା ମନେ ମନେ। ଯାହା ହଉ କିଏ ଟିକେ କଲ୍ କଲା।

ହାଃ ହାଃ। ଏଇଟା ତ କମ୍ପାନୀ ର ନମ୍ବର। ଫୋନ ବାଜି ବାଜି କଟିଗଲା।

ଘର ଭିତରେ ଏବେ ଅଖଣ୍ଡ ନୀରବତା।ଜେଜେମା କହେ ନୀରବତାର ବି କୁଆଡ଼େ ଗୋଟେ ଭାଷା ଥାଏ। ରାତିର ବି ଗୋଟେ ଭାଷା ଥାଏ। ସେ ଭାଷା ସମସ୍ତେ ବୁଝି ପାରନ୍ତିନି। ମୁଁ ଚେଷ୍ଟା କରେ ସେ ଭାଷା ବୁଝିବା ପାଇଁ। ମୋ ହୃତସ୍ପନ୍ଦନ ଆଉ ନିଃଶ୍ୱାସ ମୋତେ କୋଳାହଳ ପରି ଲାଗେ। ଧୀରେ ଧୀରେ ଚାପି ଚାପି ନିଃଶ୍ବାସ ନିଏ ମୁଁ।

ହେଲୋ.. ହେଲୌ… ହେଲୋ.. ହେଲୌ। କଲିଙ୍ଗ୍ ବେଲ୍ ର ଶବ୍ଦରେ ଚମକି ପଡେ ମୁଁ। ଏବେ କିନ୍ତୁ ଆଳସ୍ୟ ତେଜି କବାଟ ଖୋଲିବାକୁ ଯାଏ ମୁଁ। କବାଟ ଖୋଲୁ ଖୋଲୁ ସ୍ଵାମୀ ମୋର କହି ଉଠନ୍ତି, “ହାପି ନ୍ୟୁ ଇଅର୍ ଡାର୍ଲିଙ୍ଗ।“ତାଙ୍କ ମୁହଁ ରୁ ମଦ ଗନ୍ଧ ଭକ ଭକ ବାହାରୁ ଥାଏ। ମୁଁ ବି ଦାନ୍ତ ନେଫେଡେଇ କହେ, “ହାପି ନ୍ୟୁ ଇଅର୍।“

କିଛି ସମୟ ପରେ ପୁଅର ଫୋନ ଆସେ, “ମାମା ମୁଁ କାଲି ରାତିରେ ଯାଇ ଫେରିବି। ତମେ ଦିନରେ ମୋ ପାଇଁ ଅପେକ୍ଷା କରିବନି। ହାପି ନ୍ୟୁ ଇଅର୍ ମାଇଁ ସୁଇଟ୍ ମାମା।“

ମୁଁ କିଛି କହିବା ଆଗରୁ ଫୋନ କଟିଯାଇଥାଏ।

ଝିଅ ଫୋନ୍ କରେ,”ମାମା ଆମେ ଏବେ ହିଲ୍ ଷ୍ଟେସନ ରେ।ଏବେ ବହୁତ୍ ବିଜି ମୁଁ ମାମା। ମୁଁ ଫ୍ରି ହେଇକି କଲ୍ କରିବି। ହାପି ନ୍ୟୁ ଇଅର୍।“

ମୁଁ ବେଡ଼ରୁମ କୁ ଆସେ।ସ୍ଵାମୀ ମୋର ଆରାମ୍ ରେ ଶୋଇ ଘୁଙ୍ଗୁଡ଼ି ମାରୁଥାଆନ୍ତି। ମୁଁ ଖଟ ଧାର ରେ ବସି ପଡ଼େ। ଏପଟେ ସେପଟେ ଅନେଇ ପୁଣି କିଛି ଭାବିବାକୁ ଚେଷ୍ଟା କଲା ବେଳେ, ପାଖ ମନ୍ଦିର ରୁ ଗାୟତ୍ରୀ ମନ୍ତ୍ର ଶୁଭେ। ଝରକା ଖୋଲି ବାହାରକୁ ଚାହେଁ ମୁଁ। ଚେନାଏ ଥଣ୍ଡା ପବନ ମୋ ମୁହଁ ରେ ଲେସି ହୋଇଯାଏ। ଘଣ୍ଟାକୁ ଚାହେଁ ମୁଁ। ପାଞ୍ଚଟା ତିରିଶ।

ଅଳସୋଇ ରାତିଟା ପାହି ଆସୁଥାଏ ଆଉ ମୋ ଅବାନ୍ତର ଭାବନା ବି ପେଡ଼ି ପୁଟୁଳି ବାନ୍ଧି ସାରିଥାଏ ମୋ ମୁଣ୍ଡ ଭିତରେ।

ନନ୍ଦିନୀ ରାୟ ମହାପାତ୍ର।


Rate this content
Log in