Nandini RayMohapatra

Inspirational

4.9  

Nandini RayMohapatra

Inspirational

ବାପା ଓ ଭାବପ୍ରବଣତା

ବାପା ଓ ଭାବପ୍ରବଣତା

6 mins
527


    ବାପା ଓ ଭାବପ୍ରବଣତା ଶବ୍ଦ ଦୁଇଟି ଆଦୌ ମେଳ ଖା’ନ୍ତି ନାହିଁ। ତାଙ୍କ ଭିତରେ କେବେ କୌଣସି ସମ୍ବନ୍ଧ ଦେଖିନି ଚିନ୍ମୟ। ବାପା ଙ୍କ ଅଭିଧାନରେ ଭାବପ୍ରବଣତା ର ସ୍ଥାନ ନାହିଁ। ଚିନ୍ମୟ ବି ଗୋଟେ ବାପା। ସେ ମଣିଷ ହିସାବରେ ଖୁବ୍ ଭାବପ୍ରବଣ, କିନ୍ତୁ ପୁଅ ଆଗରେ କେବେ ଭାବପ୍ରବଣ ହେଇ ଯିବାର ମନେ ନାହିଁ। ପୁଅ ର ବୟସ ମାତ୍ର ଆଠ ଏବଂ ଭାବପ୍ରବଣତା ଭଳି ଗଭୀର ଶବ୍ଦ ବିଷୟରେ ପୁଅ ଆପାତତଃ ଅଜ୍ଞ କହିଲେ ଚଳେ । ଅତଏବ ଚିନ୍ମୟ ର ଧାରଣା ଠିକ୍। ସବୁ ବାପା ମାନଙ୍କଠାରୁ ଭାବପ୍ରବଣତା ର ଦୂରତ୍ୱ ଅପେକ୍ଷାକୃତ ଅଧିକ। 

ଆଜି କିନ୍ତୁ ସେ ପରମ୍ପରା ଭାଙ୍ଗି ଚିନ୍ମୟ ଆଗରେ ବାପା କେଇ ମୁହୂର୍ତ୍ତ ପାଇଁ ଭାବ ପ୍ରବଣ ହେଇ ଯାଇଥିଲେ। ଆଉ ଏତେ ବର୍ଷ ପରେ ଚିନ୍ମୟ ନ ଡରି ବାପା ଙ୍କୁ ଆଶ୍ୱାସନା ଦେଇଥିଲା। ବାପା ଙ୍କ ମୁହଁ ର ଶ୍ଲଥ ଚର୍ମ ଉପରେ ବହିଯାଉଥିବା ଲୁହ କୁ ପୋଛିଦେଇ, ତାଙ୍କ ଶିରାଳ ଦୁଇ ହାତକୁ ନିଜ ବେକରେ ଛନ୍ଦି, ବାପା ଙ୍କୁ ଖୁବ୍ ନିବିଡ଼ ଆଶ୍ଳେଷରେ ନିଜ ସହ ଜଡେଇ ଧରିଲା ଚିନ୍ମୟ। କେଜାଣି କେତେ ବର୍ଷ ତଳେ ଏମିତି କିଏ କେବେ ବାପା ଙ୍କୁ ଜାବୁଡ଼ି ଧରି ତାଙ୍କ ଦୁଃଖ କୁ ଟିକେ କମେଇ ଥିବ କି ନାହିଁ। ଚିନ୍ମୟ ଭାବୁଥିଲା, ସେ ଟିକେ ବେଶି ଡେରି କରିଦେଇନାହିଁ ତ। ଯୁବକ ପୁଅ ର ଉଷ୍ମ ଆଲିଙ୍ଗନ ରେ ହିମାଳୟ ପରି,ବାପା ଙ୍କ ଭିତରେ ଗଦେଇ ହୋଇଥିବା କୋହ, ଅସହାୟତା, ଦୁଃଖ ସବୁ ଗ୍ଲେସିଅର୍ ପରି ତରଳି ଯାଉଥିଲେ। ବାପା କିଛି ସମୟ ପାଇଁ ନିଜକୁ ବାପା ବୋଲି ଭୁଲିଯାଇ, ନିଜ ନୟନ ବାରି ରେ ଆର୍ଦ୍ର କରିଚାଲିଥିଲେ ଚିନ୍ମୟ ର କାନ୍ଧ।କ୍ଷଣିକ ପରେ ସମ୍ବିତ୍ ଫେରି ପାଇ ବାପା ଟିକେ ଅପ୍ରସ୍ତୁତ ହୋଇପଡ଼ିଲେ । ହୁଏତ ପ୍ରଥମ ଥର ପାଇଁ ପୁଅ ଆଗରେ ନିଜ ବିବଶତା ପ୍ରକାଶ କରିବାକୁ ବାପା ଙ୍କୁ ଟିକେ ଅଡ଼ୁଆ ଲାଗୁଥିଲା। ବାପା! ଆଜନ୍ମ ସ୍ୱାଭିମାନୀ, ଲୌହବତ୍ ସୁଦୃଢ, ପାଞ୍ଚ ଫୁଟ୍ ଆଠ ଇଞ୍ଚ ର ଜଣେ ସୁନ୍ଦର ବ୍ୟକ୍ତିତ୍ୱ। ଚିନ୍ମୟ ବାପା ଙ୍କ ହାତରେ ହାତ ଥୋଇଲା ଆଉ କହିଲା, “ବାପା! ମୁଁ ପା ଅଛି।”

ଏତେ ସମୟ ଯାଏଁ ଚୁପ୍ ଥିବା ବାପା ଙ୍କ ଓଠରେ ଏଥର ଦ୍ୱିତୀୟା ଚନ୍ଦ୍ର ପରି ଧାରେ ହସ ଫୁଟି ଉଠିଲା। 

ବାପା ପୁଅ ଙ୍କ ନୀରବତା ଭାଙ୍ଗି ରୁମ୍ ଭିତରକୁ ପଶିଆସିଲେ ସୁପ୍ରିୟା। ଚିନ୍ମୟ ଙ୍କ ସହଧର୍ମିଣୀ। ବାପା ଙ୍କୁ ହର୍ଲିକ୍ସ ପିଆଇ ଦେଇ ରୁମାଲ ରେ ତାଙ୍କ ମୁହଁ ପୋଛି ଦଉ ଦଉ, ଗମ୍ଭିର ମାହୋଲ କୁ ହାଲକା କରିବା ପାଇଁ ସୁପ୍ରିୟା କହିଲେ, “ବାପା! ଏବେ ଆପଣଙ୍କର କାମ ଅଧିକ ବଢ଼ିଗଲା। ଏବେ ପ୍ରତ୍ୟକ ରବିବାର ଆପଣ ମୋତେ ଫ୍ରି କୁକିଂ କ୍ଲାସ ଦେବେ। ଇଂଲିଶ୍ ଗ୍ରାମାର୍ ଆଉ ମ୍ୟାଥ୍ ଶିଖିବାର ବୟସ ମୋର ସିନା ନାହିଁ, କିନ୍ତୁ ଆପଣଙ୍କ ପୁଅ ଙ୍କ ର ଗୋଟିଏ କମ୍ପ୍ଲେନ୍, ବାପା ଙ୍କ ପରି କେବେ ତ ହେଲେ ରୋଷେଇ କର।ଆଉ ଆପଣଙ୍କ ନାତି ତ ଡେଲି ନୂଆ ନୂଆ ଗପ ଶୁଣିବା ପାଇଁ ମୋ ମୁଣ୍ଡ ଖରାପ କରିଦଉଚି।”

ସୁପ୍ରିୟା ର ଏହି ଉକ୍ତି ଟି ପରେ ବାପା ଙ୍କ ଆଖି ଟିକେ ଉଜ୍ଜ୍ଵଳ ହୋଇ ଆସୁଥିଲା। ବାପା ଙ୍କ ହସ ତାଙ୍କ ଓଠ ଦେଇ ସର୍ବ ଶରୀରକୁ ବ୍ୟାପ୍ତ ହେଇଯାଉଥିଲା।

ସୁପ୍ରିୟା ସହ ଆଉ କିଛି ମଜାଦାର ବାର୍ତ୍ତାଳାପ ପରେ ବାପା ଶୋଇ ପଡିଲେ ଆଉ ସୁପ୍ରିୟା ଅନ୍ୟ କାମ ପାଇଁ ରୋଷେଇ ଘରକୁ ଗଲେ। ବାପା ଙ୍କ ପାଖରେ ବସି ତାଙ୍କ ମୁଣ୍ଡ ଆଉଁସି ଦେଉ ଦେଉ ଚିନ୍ମୟ ଙ୍କୁ ଳାଗୁଥିଲା, ଯେମିତି ବାପା ନୂହେଁ, ସାମନା ରେ ଶୋଇଛନ୍ତି ତାଙ୍କ ପୁଅ।ଛୋଟ ଛୋଟ କାମ ପାଇଁ ବାପା ଙ୍କ ଉପରେ ନିର୍ଭରଶୀଳ ଚିନ୍ମୟ କିନ୍ତୁ ଦାୟିତ୍ୱବାନ ହେଇଯାଉଥିଲା। ଚିନ୍ମୟ ଜାଣିଥିଲା ସେ ବାପା ଙ୍କ ପରି ବାପା ଟିଏ ହୋଇ ନପାରେ, କିନ୍ତୁ ବାପା ଙ୍କ ପାଦଚିହ୍ନ କୁ ଅନୁସରଣ କରିବାକୁ ଭରପୁର ପ୍ରୟାସ କରୁଥିଲା ସେ। 

ରାମପୁର ପ୍ରାଇମେରୀ ସ୍କୁଲ୍ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦୟାନିଧି ଦାଶ ଓରଫ୍ ଚିନ୍ମୟ ଙ୍କ ବାପା, ଚିନ୍ମୟ ଙ୍କ ପାଇଁ ଥିଲେ ସୁପର୍ ମ୍ୟାନ୍। ଖୁବ୍ ଛୋଟ ଥିବା ବେଳୁ ବୋଉ ର ଦେହାନ୍ତ ପରେ, ବାପା ହିଁ ଥିଲେ, ଚିନ୍ମୟ ପାଇଁ ଉଭୟ ମାତାପିତା। ସକାଳେ ଚିନ୍ମୟ କୁ ଉଠେଇ ଦାନ୍ତ ଘଷେଇବା ଠୁ ଆରମ୍ଭ କରି, ରାତିରେ ତା ପାଦରେ ରସୁଣ ଫୁଟା ଗରମ ସୋରିଷ ତେଲ ମାରିବା ଯାଏଁ ସବୁ କାମ ବେଶ୍ ସୁଚାରୁରୂପେ କରୁଥିଲେ ବାପା। ଚିନ୍ମୟ କୁ ଲାଗେ ବାପା ହେଉଛନ୍ତି ଅଲ୍ ଇନ୍ ୱାନ। ଦୁନିଆ ର ଏମିତି କିଛି କାମ ନାହିଁ, ଯୋଉଟା ବାପା କରି ନ ପାରିବେ। ସ୍କୁଲ ରେ ରଚନା ପ୍ରତିଯୋଗିତାରେ, ତୁମ ଆଦର୍ଶ ମଣିଷ ଙ୍କ ବିଷୟରେ ଲେଖିବା ପାଇଁ କୁହାଯାଇଥିବା ବେଳେ, ସବୁ ପିଲା କୋଉ ସ୍ଵାଧୀନତା ସଂଗ୍ରାମୀ, ବୈଜ୍ଞାନିକ, ମହାପୁରୁଷ କିମ୍ବା ଅନ୍ୟ କାହା ସମ୍ବନ୍ଧ ରେ ଲେଖିଥିବା ବେଳେ, ଚିନ୍ମୟ କିନ୍ତୁ ଲେଖିଥିଲା ବାପା ଙ୍କ ବିଷୟରେ। ପ୍ରଥମ ପୁରସ୍କାର ପାଇ ବାପାଙ୍କ ବେକରେ ଝୁଲି ପଡ଼ିଥିଲା ସେ। ବାପା ଟିକେ ଖୁସି ରେ କାନ୍ଦ କାନ୍ଦ ହୋଇ ଆସିଲା ବେଳକୁ ସ୍କୁଲ ରେ ଘଟିଥିବା ଅନ୍ୟ କୋଉ ଗୋଟେ ମଜା କଥା କହି ମାହୋଲ କୁ ବଦଳେଇ ଦେଇଥିଲା ସେ। ପିଲାଟି ଦିନରୁ ଖୁବ୍ ମେଧାବୀ ଚିନ୍ମୟ ର ପ୍ରତିଟି ସଫଳତା ପରେ ବାପା ଙ୍କ ଚେହେରା ରେ ଗୋଟେ ଅପୂର୍ବ, ନିଆରା ଚମକ ଆସିଯାଏ।ବାପା ଟିକେ ଅଧିକ ସୁନ୍ଦର ଦେଖା ଯାଆନ୍ତି। ଚିନ୍ମୟ କୁ ସାଙ୍ଗମାନେ କହନ୍ତି, “ଚିନୁ! ତୋ ବାପା ଙ୍କ ବୟସ ଯେତେ ବଢ଼ି ବଢ଼ି ଯାଉଛି, ସିଏ ସେତେ ସୁନ୍ଦର ଦେଖାଯାଉଛନ୍ତି।” ଉପରେ ଖାଲି ହସିଦେଲେ ବି ମନେ ମନେ ଢେର୍ ଖୁସି ହେଇଯାଏ ଚିନ୍ମୟ।ସାରାଦିନ ଚିନ୍ମୟ ପଛରେ ପଡ଼ି, ନିଜକୁ ଅବହେଳା କରୁଥିବା ବାପା ଙ୍କ ମୁହଁ ରେ କିନ୍ତୁ ଗୋଟେ ତେଜ ଥାଏ।ବାପାଙ୍କୁ ଦେଖିଲା ମାତ୍ରେ, ସ୍ୱତଃ କାହାର ମୁଣ୍ଡ ନଇଁଯିବ। ବାପା ଙ୍କ ସାଇକଲ୍ ପଛରେ ବସି ହାଟକୁ ଯିବା ଠୁ ଆରମ୍ଭ କରି, ବାପା ଙ୍କ ସ୍କୁଟର୍ ପଛରେ, ବାପା ଙ୍କ ପେଟକୁ ଧରି ବସିବା, ସବୁକିଛି ଚିନ୍ମୟ ପାଇଁ ବେଶ୍ ସ୍ମରଣୀୟ। ରବିବାର ବାପା ଚିନ୍ମୟ ର ଚୁଟି କାଟିବା ପାଇଁ ବାରିକ ଦୋକାନ କୁ ନେଇ, ଫେରିବା ବେଳେ ଗୁଡ଼ିଆ ପାଖରୁ ବରା ଖୁଆଇବା ଠୁ ନେଇ, ଟାଉନ୍ ରେ ଦଶ ଟଙ୍କିଆ ଦୋଷା ଖୁଆଇବା, ସବୁ କିଛି ଚିନ୍ମୟ ର ମାନସ ପଟ୍ଟ ରେ ବେଶ୍ ଝଲସୁଥିଲା ଆଜି ବି। ବାପା ଙ୍କ ସହ ଛୋଟ ବଡ଼ ସବୁ ସ୍ମୃତି ଏବେ ବି ସତେଜ, ଟିକେ ବି ଧୂଳି କି ଅଳନ୍ଧୁ ଲାଗିନି ସେଠି। ଚିନ୍ମୟ ବି ସବୁବେଳେ ବାପା ଙ୍କ ମନଜାଣି ପାଠ ପଢିଛି।ତା ର କୃତିତ୍ଵ ପାଇଁ ଅନେକ ଥର ବାପାଙ୍କ ଛାତି ଗର୍ବରେ ଫୁଲି ଉଠିଛି। ଚାକିରି କରିବା ପରେ, ନିଜର ସହକର୍ମୀ ସୁପ୍ରିୟା ଙ୍କୁ ପ୍ରେମ ବିବାହ କରିଛି ସେ।ସୁପ୍ରିୟା କୁ ଦେଖିବା ଆଗରୁ ସମ୍ମତି ଦେଇ ଦେଇଛନ୍ତି ବାପା। ସବୁଥର ପରି ଏଥର ବି ଚିନ୍ମୟ କିଛି କହିବା ଆଗରୁ ତା ମନକଥା ଜାଣି ପାରିଛନ୍ତି ସେ। ବିବାହ ପରେ ଅନ୍ତତଃ ଦୁଇ ମାସ ଛୁଟିନେଇ ଘରେ ବାପା ଙ୍କ ସେବା କରିବାକୁ ଜିଦ୍ ଧରି ବସିଥିବା ସୁପ୍ରିୟା ଙ୍କୁ ଜୋର୍ କରି ଅଫିସ ପଠେଇଛନ୍ତି ସେ। ଜୀବନ ଯାକ ଖୁବ୍ ସ୍ୱାଭୀମାନୀ ଭାବେ ବଞ୍ଚି ଆସିଥିବା ବାପା, କୌଣସି ବି କାମ ପାଇଁ ଚିନ୍ମୟ ଙ୍କ ଉପରେ ନିର୍ଭରଶୀଳ ହୋଇନାହାନ୍ତି କି ମାନସିକ ସ୍ତରରେ ଦୁର୍ବଳ ହୋଇ ନାହାନ୍ତି। ଚିନ୍ମୟ କୁ ଲାଗେ ବାପା ହେଉଛନ୍ତି ତା ର ବଳ, ତାର ସବୁ ଶକ୍ତି ର ଉତ୍ସ, ଏକ ଅସରନ୍ତି ଉର୍ଜା। ବାପା ଥିବା ଯାଏଁ ତାର କିଛି ଅସୁବିଧା ହେବନି, ଏ ନେଇ ଖୁବ ବିଶ୍ଵାସୀ ସେ। ଏତେବଡ଼ ହେଲା ପରେ ବି, ଚିନ୍ମୟ ର ଯେ କୌଣସି ଅସୁବିଧା କୁ ବାପା ତାଙ୍କ ଯାଦୁ ବିଦ୍ୟା ରେ ଠିକ୍ କରିଦେଇ ପାରିବେ ବୋଲି ଭାବେ ସେ। ବାସ୍, ସେଥିପାଇଁ ବାପା କେବେ ଚିନ୍ମୟ ଆଗେ ଇମୋସନାଲ ହେଇ ନାହାନ୍ତି। ହୁଏତ ବାପା ଜାଣି ପାରୁଥିଲେ, ସେ ଟିକେ ବି ଭାଙ୍ଗି ପଡ଼ିଲେ, ଚିନ୍ମୟ ର ଆତ୍ମବିଶ୍ୱାସ ର ସୌଧ ଦୋହଲି ଯାଇପାରେ। ସେଥିପାଇଁ ନୀଳକଣ୍ଠ ପରି, ନିଜର ସବୁତକ ଦୁଃଖ, ବେଦନା, ଅସହାୟତା କୁ ଚାପି ସବୁବେଳେ ହସୁଥାଆନ୍ତି ବାପା।

ଏଇ ଦୁଇ ଦିନ ତଳେ, ବାପା ଙ୍କୁ ହୃଦଘାତ ହୋଇଥିବା ଶୁଣି, ଧାଇଁ ଆସିଛନ୍ତି ଚିନ୍ମୟ ଆଉ ସୁପ୍ରିୟା। ଆଠବର୍ଷର ପୁଅ ଶ୍ରେୟ ସ୍କୁଲ ତରଫରୁ, ପନ୍ଦରଦିନିଆ ସାଇନ୍ସ ଟୁର୍ ରେ ଯାଇଛି ତା ସମବୟସୀ ଆଉ ଶିକ୍ଷକ ଙ୍କ ସହ। ଚିନ୍ମୟ ସହିତ ପୁନେ ଯିବାକୁ ମଙ୍ଗି ନଥିଲେ ବାପା। “ଏବେ ତୁମର ଚାକିରି କଣ ହେବ, ଏବେ ତୁମେ ଆରାମ୍ କର। ମୁଁ ତ ଚାକିରି କଲିଣି” ବୋଲି ବାପାଙ୍କୁ କହିବାକୁ ଚିନ୍ମୟ ର ସାହସ ହେଇ ନଥିଲା। ବାପା ଙ୍କ ପାଇଁ ତାଙ୍କ ସ୍କୁଲ ଥିଲା ଖୁବ୍ ଅପଣାର। ଗୋଟେ ଦିନ ସ୍କୁଲ ନଗଲେ ତାଙ୍କୁ ଅଣନିଶ୍ଵାସୀ ଲାଗୁଥିଲା। ପରେ ସୁପ୍ରିୟା ବାଧ୍ୟ କରିବାରୁ ବାପା ସେମାନଙ୍କୁ ବୁଝେଇ ଦେଇ କହିଥିଲେ, “ତୁମେମାନେ ମୋ ପାଇଁ ବ୍ୟସ୍ତ ହୁଅନି, ବାପା ଏବେ ବି ଟୋକା। ହାଃ ହାଃ।”

ଭୁବନେଶ୍ବର ଠାରୁ ଦଶ କିଲୋମିଟର ଦୂରରେ, ଚିନ୍ମୟ ର ଗାଆଁ ।ଗାଆଁ ରେ ବେଶ୍ ଖୁସି ଥିଲେ ବାପା। ସୁଯୋଗ୍ୟ ପୁଅ ବୋହୂ, ସ୍କୁଲ, ଛାତ୍ର ଛାତ୍ରୀ ବାସ୍। ଏତିକି ଦରକାର ଥିଲା ବାପାଙ୍କୁ। ଡେଲି ସନ୍ଧ୍ୟାରେ ବୋହୂ ଆଉ ନାତି ସହ ଘଣ୍ଟାଏ କଥା ହୁଅନ୍ତି ବାପା। ପୂଜା ପର୍ବ କିମ୍ବା ଟିକେ ଛୁଟିରେ ଧାଇଁ ଆସନ୍ତି ଦୁହେଁ। ବାପା କେବେ କୌଣସି ଅଭିଯୋଗ କରନ୍ତିନି। ବରଂ ନାତି ଆଉ ବୋହୂ କୁ ଖୁବ୍ ଯତ୍ନରେ ନିଜ ହାତ ତିଆରି ମାଛଝୋଳ ଖୋଇବା ରେ ବାପାଙ୍କର ଢେର୍ ଆନନ୍ଦ। ସବୁଦିନ ସମାନ ଯାଏନି। ଅବସର ନେଲା ପରେ ବ୍ ବିଭିନ୍ନ ସରକାରୀ ନିୟମ ଯୋଗୁଁ ବାପାଙ୍କ ସ୍କୁଲ ଯିବା କମିଯାଏ। ସନ୍ଧ୍ୟା ବେଳେ କିଛି ଗରିବ ପିଲାଙ୍କୁ ମାଗଣାରେ ପଢାନ୍ତି ସେ। ସେଦିନ ସନ୍ଧ୍ୟାରେ ଅଚାନକ଼୍ ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲ୍ କୁ ଅଣାଯାଏ ତାଙ୍କୁ ଆଉ ଖବର ପାଇ ତତ୍କାଳ ଟିକଟ କରି ଆସି ପହଞ୍ଚନ୍ତି ଚିନ୍ମୟ ଆଉ ସୁପ୍ରିୟା।

ଆଃ! ଦୀର୍ଘଶ୍ୱାସ ଟିଏ ଛାଡିଲେ ଚିନ୍ମୟ। ବାପା ନିଘୋଡ ନିଦରେ ଶୋଇପଡିଲେଣି କେତେବେଳୁ। ହସି ହସି ରୁମ୍ ଭିତରକୁ ପଶି ଆସିଲେ ସୁପ୍ରିୟା।

“ବ୍ୟସ୍ତ ହୁଅନି। ଆଉ ମାସେ ଅଥବା ଦୁଇମାସରେ ଆମ ଦୁଇଜଣଙ୍କର ଭୁବନେଶ୍ବର କୁ ବଦଳି ହେଇଯିବ ପାଇଁ ଅଫିସ ରୁ କନ୍ଫର୍ମ ଲେଟର ଆସିଛି।ଆମେ ଘରୁ ପ୍ରତିଦିନ ଅଫିସ କୁ ଅପ୍ ଡାଉନ୍ କରିପାରିବା। ବାକି ରହିଲା ଶ୍ରେୟ। ଭୁବନେଶ୍ବର ରେ ଏବେ ବହୁତ ଭଲ ଭଲ ସ୍କୁଲ। ଆଉ ପରିବହନ ସୁବିଧା ବି ଢେର୍ ଆଗୁଆ। ତା ବ୍ୟତୀତ, ମୋ ସ୍ୱାମୀ ଙ୍କୁ ହୀରା ଟିଏ ପରି ଗଢି ତୋଳିଥିବା ବାପା ଙ୍କ ତତ୍ତ୍ଵାବଧାନରେ ଆମ ପୁଅ ଯେ ଗୋଟେ ହୀରା ହେଇ ବାହାରିବ, ସେଇଟା ମୁଁ ଜାଣେ।”

ନିଜ କାନକୁ ବିଶ୍ବାସ କରିପାରୁନଥିଲେ ଚିନ୍ମୟ। ଏ ଯୁଗରେ ବି ସୁପ୍ରିୟା ଙ୍କ ପରି ସ୍ତ୍ରୀ ଲୋକ ଅଛନ୍ତି ଜାଣି ତାଙ୍କ ମୁଣ୍ଡ ନଇଁ ଯାଉଥିଲା ସେଇ ଦେବୀ ପ୍ରତିମା ଟି ଆଗରେ। ଖୁସି ରେ ସୁପ୍ରିୟା ଙ୍କୁ କୋଳ କୁ ଭିଡ଼ି ଆଣୁ ଆଣୁ, ହେଃ ଫାଜିଲ କହି ହସିଦେଇ ବାପା ଙ୍କ ବିଛଣା ର ଆରପଟକୁ ଯାଇ ବସିପଡିଲେ ସୁପ୍ରିୟା। ଏତେ ବେଳ ଯାଏଁ ଶୋଇରହିବାର ନାଟକ କରି ଚୁପଚାପ୍ ପୁଅ ବୋହୂ ଙ୍କ କଥା ଶୁଣୁଥିବା ବାପା ଏଥର ଭେଁ ଭେଁ କରି କାନ୍ଦୁଥିଲା। ଆଜି ବାପା ଙ୍କ ଏ ଭାବପ୍ରବଣତା ଦେଖି ଚିନ୍ମୟ ର ଆତ୍ମବିଶ୍ୱାସ ଭାଙ୍ଗି ନପଡି ବରଂ ସୁଦୃଢ ହେଉଥିଲା। ବାପା ଙ୍କୁ କୋଳେଇ ନେଇ ଚିନ୍ମୟ ପାଲଟି ଯାଉଥିଲା ବାପା ଙ୍କ ବାପା।


 


Rate this content
Log in

Similar oriya story from Inspirational