Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଖୁ
ଆଖୁ
★★★★★

© Chinmayee Barik

Drama Others

3 Minutes   7.1K    13


Content Ranking

    ଆଖୁ ଖଣ୍ଡିଏ ଦେଇ ହୁଏନି କିନ୍ତୁ କଳସିଏ ଗୁଡ ଦେବାକୁ ପଡେ ।ପିଲାବେଳେ ପଢିଥିଲି ।ଭିତର କଥା ବୁଝିବା ମୋ ବୁଦ୍ଧିର ବାହାରେ ଥିଲା ।

ଏହାର ତାତ୍ପର୍ଯ୍ୟ ସେ ଦିନ ବୁଝିଲି ଯେଉଁ ଦିନ ଅରୁଣା ମାଉସୀ ଦାଣ୍ଡ ପିଣ୍ଡାରେ ଗାଲରେ ହାତ ଦେଇ ଚୁପ୍ ଚାପ୍ ବସିଥିଲେ ।ଯିଏ ତାଙ୍କର ନିତି ପିନ୍ଧା ବାପ୍ତା ଶାଢୀଟେ ଚୋରୀ ହୋଇଗଲା ବୋଲି ପାଟିକରି,ହୋ ହଲ୍ଲା କରି ସାଇ କମ୍ପାଇ ଘର ଘର ତଲାସ କରିଥିଲେ, ସେ ସେଦିନ ଏକମାତ୍ର ଝିଅ ଗୋଟେ ବସ୍ କଣ୍ଡକ୍ଟର ସାଥୀରେ ଚୋରା ପୀରତି କରି ଘରୁ ଫେରାର ହୋଇଯାଇଥିଲା ଆଉ ଅରୁଣା ମାଉସୀ କାହାକୁ କିଛି ନ କହି ଭାଗ୍ୟର ଦୋଷ ଦେଇ ଚୁପ୍ ଚାପ ବସିଥିଲେ ।ମୋତେ ସେ ଘଟଣା ଆଶ୍ଚର୍ଯ୍ୟ କରିଥିଲା ।

ଏ ଛୋଟ ମୁଣ୍ଡଟି ସବୁବେଳେ ଅନୁସନ୍ଧାନରେ ଥାଏ କିଛି ନା କିଛି କଥାକୁ ।ଏ ଆଖୁ ଘଟଣା ମୋ ସହିତ ବି ଘଟିଛି ।ଛାତିରେ ଲକେଟ୍ ଟିଏ ପକାଇ ସ୍କୁଲକୁ ଯିବା ଭାରି ଗୌରବର କଥା ଥିଲା ସେତେବେଳେ ।ବାବା ଦିନେ ସାଇବାବାଙ୍କ ଲକେଟ୍ ଟିଏ ଆଣିଥିଲେ ।ତାକୁ କଳା ସୂତାରେ ଲଗାଇ ଠିକ୍ ଦେଖା ହେଲାଭଳି ଜାମା ଉପରେ ପକାଇ ସ୍କୁଲ୍ କୁ ଗଲି ।ଓଃ ,ପନ୍ଦର ଜଣ ମୋ ଚାରିପାଖେ ଘେରି ଯାଇ କେଉଁଠି ଆଣିଲୁ ,କେତେ ପଇସା ପଡିଛି ବୋଲି ଅନାରଘାତିଆ ପଚାରୁ ଥିଲେ ।ମୋ ଛାତି ଫୁଲି ଉଠି ଥିଲା ।କୋଡିଏ ପଇସାର ଲକେଟଟିକୁ ପଚାଶ ପଇସା କହି ବାହାଦୂରି ଗୋଟାଇଥିଲି ।ଦୁଇଦିନ ପରେ ବୋହୂ ଚୋରୀ ଖେଳୁ ଖେଳୁ ସେଇଟା ହଜିଗଲା ମୋ ଛାତିରୁ ।ଘରକୁ ଫେରିଲି କାନ୍ଦ କାନ୍ଦ ହୋଇ ।ବାବା,ବୋଉ ମୋତେ କେୟାର ଲେସ୍ ,ଫାଜିଲ କହି ଅନେକ ଗାଳିଦେଲେ ।ଦୁଇ ଦିନ ଯାଏଁ ମୋ ଉପରେ ଏଇ କଥାକୁ ଦେଖେଇ ଅନେକ ଗାଳି ହେଉଥାଏ ।ସିଲୁ ଦେଇ ଖାଲି ମୋତେ ଆଖି ଠାରି ଚୁପ୍ ରହିବାକୁ କହୁଥାଏ ।ଚୁପ୍ ରହିଲି ମୁଁ ...ଲୁଚେଇ ଲୁଚେଇ କାନ୍ଦି ।

ପୁଣି ଗୋଟିଏ ଦିନ ।ଈବ୍ ନଦୀ ମୋର ପ୍ରିୟ ଥିଲା ।ଟିକେ ଫୁରସତ ମିଳିଲେ ସେଇ ନଦୀ କୂଳରେ ମୁଁ ପହଂଚିଯାଏ ।ଆମ ଘରଠୁ ନଦୀ ତିନି କିଲୋମିଟର ଥିଲା ।ଏଇ ତିନି କିଲୋମିଟର ମୋ ଛୋଟ ପାଦକୁ କମ୍ ପଡେ ।ଦୁଇ ଚାରିଟା ହୁଂପାରେ ସେଠି ହାଜର ।ସେଠିକାର ଗୋଲ୍ ଗୋଲ୍ ପଥର ମୋ ଜାମାରେ ଗୁଡାଇ ଘରକୁ ଆଣେ ।କଟା ଖେଳେ ।ଏଇ କଟା କେତେଥର ବୋଉ ଫିଙ୍ଗି ଦେଇଛି ହେଲେ ତା ପରଦିନ ମୋ ବହି ଝୁଲାରେ ପୁଣି ମେଂଚାଏ କଟା ।ଇବ୍ ନଦୀର ଆକର୍ଷଣ ମୋତେ ପାଗଳ କରେ ।ମିଠା ସ୍ୱଛ ପାଣି ।ନଦୀକୂଳରେ ଛୋଟବଡ ଗୋଲ୍ ଗୋଲ୍ ପଥର ।ସେଦିନ ବି ଖେଳୁ ଖେଳୁ ମୋ ପାଦର ଗୋଟେ ରୂପା ପାଉଁଜ ହଜାଇ ଦେଇ ଆସିଲି ।(ଆଜିଯାଏ ମୋ ବାଁ ପାଦର ପାଉଂଜି ହିଁ ହଜେ।)

ଘର ପାଖ ହେଲାବେଳେ ସାଂଗଟି କହିଲା ତୋ ପାଉଁଜି କାହିଁ?ମୋ ମଥା ଗୁଡୁମ୍ ।ସେଇଠୁ ଏକା ମୁହଁରେ ଧାଇଁଲି ନଦୀକୂଳ ଧୂମ ଖରାରେ ଏକା ଏକା ।କାନ୍ଦୁଥାଏ ।ଖୋଜୁଥାଏ ଖାଲି ପାଦରେ ତତଲା ବାଲିକୁ ଏଡାଇ ।ପାଦ ସେତେବେଳକୁ ଫୋଟକା ହେବା ଉପରେ ।ହେଲେ ନଦୀର ଇଛା ଥିଲା ମୋ ବାଁ ପାଦର ପାଉଁଜିକୁ ଲୁଚାଇ ରଖିବାକୁ ।ପାଇଲିନି ।ଫେରିଲି ଅଣନିଃଶ୍ୱାସୀ ହୋଇ ,ଠିକ୍ ସମୟରେ ପୁଣି ଘରକୁ ଫେରିବାକୁ ପଡିବ ନା! ଆସିଲା ବେଳକୁ ସାଥୀରେ ଅମିରୀ ବାଡିଟେ ଭାଙ୍ଗି ଆଣିଥିଲି କାରଣ ଯେତେବେଳେ କଦବା କ୍ୱଚିତ୍ ମାଡ ଖାଇଛି ସେତେବେଳେ ମୋ ହାତରେ ହିଁ ବାଡିଟିଏ ଅଣାଯାଏ ।ଫେରିଲି ଏକା ଏକା ।କାନ୍ଦି ନ ଥିଲି କାରଣ ମାଡ ହେଲା ପରେ ତ କାନ୍ଦିବାକୁ ପଡିବ ମୋତେ ।ମୋତେ ଗେହ୍ଲା ହେବାକୁ ଭଲ ଲାଗେ ।ମାଡ ଗାଳି ଭଲ ଲାଗେନି ମୋଟେ ।

ଆସିଲା ବେଳକୁ ବାବା,ବୋଉ ଗେଟ୍ ପାଖରେ ଅସ୍ତ ବ୍ୟସ୍ତ ।ମୁଁ ଜାଣିଗଲି ଆଗକୁ କଣ ହେବ ।ମୋ ସାଙ୍ଗ ପାଖରୁ ସବୁ କଥା ସେ ଶୁଣି ସାରିଥିଲେ । ତାଙ୍କ ଆଗକୁ ଯାଇ ଗେଟ୍ ପାଖରେ ବହି ଝୁଲା ଥୋଇ ବାବାଙ୍କ ହାତକୁ ବାଡିଟି ବଢାଇ ଦେଲି ।ତଳକୁ ମୁହଁ ପୋତି ଠିଆ ହେଲି ।ଗରମ ଝାଳ ମଥାରୁ ବୋହି କାନ ଦେଇ ଥପ୍ ଥପ୍ ହୋଇ ମୋ ବେକରେ ପଡୁଥିଲା ।ମୁହଁ ପିତ୍ତଳ ରଂଗ ହୋଇ ସାରିଥିଲା ।ସିଲୁଦେଇ କବାଟ ପାଖରେ ଗୁଣୁ ଗୁଣୁ ହୋଇ ଠାକୁରଙ୍କୁ ଡାକୁଥିଲା ବୋଧେ ।

ମୋ ପିଠି ଅପେକ୍ଷା କରିଥିଲା ସେ ବାଡିର ସ୍ପର୍ଶକୁ ଯାହା କିଛି ଦିନ ତଳେ ମିଳିଥିଲା ସତରକ ପଣିକିଆ କହି ପାରିଲିନି ବୋଲି ।

ହଠାତ୍ ବାବା ବାଡିଟି ଫୋଫାଡି ଦେଇ ମୋତେ ଶୂନ୍ୟରେ ଉଠାଇ ନେଲେ ।ଦଉଡିଯାଇ ଖଟରେ ଶୁଆଇ ମୋ ପାଦ ଆଉଁଶୁ ଥିଲେ ।ବୋଉ କାନ୍ଦି କାନ୍ଦି ମୋ ପାଦର ଫୋଟକାରେ ମଲମ ମାରୁଥିଲା ।ଏତେ ଯାଏଁ କାନ୍ଦି ନ ଥିଲି ।ବାବା ତାଙ୍କ ଗାଲ ମୋ ଗାଲରେ ଘସିଲା ବେଳେ ଭେଁ କରି କାନ୍ଦି ପକାଇଲି ।ସିଲୁ ଦେଇ ପାଣି ଗିଲାସେ ଧରି ମୋ ପାଖରେ ଠିଆ ହୋଇଥିଲା ।

ମୁଁ ବୁଝି ପାରୁ ନ ଥିଲି କୋଡିଏ ପଇସାର ଲକେଟ୍ ଲାଗି ତିନି ଦିନ ଗାଳି ଖାଇଛି ହେଲେ ରୂପା ଦାମୀ ପାଉଁଜ ହଜାଇ ମୁଁ କେତେ ଆଦର ପାଉଛି ।

ହୃଦ୍ ବୋଧ ହେଲା ଆଖୁ ଖଣ୍ଡିଏ ଦେଇ ହୁଏନି କିନ୍ତୁ କଳସିଏ ଗୁଡ ଦେବାରେ ଆପତ୍ତି ନ ଥାଏ ।

ଘରୁ ଛୁନ୍ଚି ଚୋରି ହୋଇଗଲେ ମଣିଷ ଅସ୍ଥିର ହୁଏ କିନ୍ତୁ ଘର ପୋଡିଗଲେ ସେହି ପୋଡା ଗଦାରୁ ସ୍ଥିର ମସ୍ତିଷ୍କରେ ଛୁନ୍ଚି ଖୋଜୁଥାଏ ।

ବଡ ହେଲା ପରେ ଜାଣିଲି ଯାହା ମଣିଷ ନିଜର ଆକ୍ତିୟାରରେ ଥାଏ ବୋଲି ଭାବେ ତାହା ଲାଗି ଅସ୍ତ ବ୍ୟସ୍ତ ହୁଏ,ଅସ୍ଥିର ହୁଏ ହେଲେ ,କଷ୍ଟ ପାଏ ...ଆଉ ଯେତେବେଳେ ଜାଣେ ତା ଆକ୍ତିଆରରେ କିଛି ନାହିଁ ସେତେବେଳେ ସେ ସ୍ଥିର ନିଶ୍ଚଳ ହୁଏ ।

...... ବାବା କହିଥିଲେ ଯେତେବେଳେ ତୁ ଅସ୍ଥିର ହେବୁ ସେତେବେଳେ କୌଣସି ଉଚ୍ଚ ଜାଗାକୁ ଉଠିଯାଇ ତଳକୁ ଦେଖିବୁ ।ସେତେବେଳେ ତୋର ଅନୁଭବ ହେବ ଯେ କେତେ ଛୋଟ ଛୋଟ କଥାରେ ତୁ ଅସ୍ଥିର,ଅଧର୍ଯ୍ୟ ....ବଡ ବଡ ଘଟଣା ଯେ ଆଗକୁ ଅପେକ୍ଷାରେ ରହିଛି ।

ଆଖୁ ନଦୀ ପାଉଁଜି

Rate the content


Originality
Flow
Language
Cover design

Comments

Post

Some text some message..