ଦେଶ ଭକ୍ତ
ଦେଶ ଭକ୍ତ
ଇଣ୍ଟରନେଟରେ ଭାଇରାଲ ହୋଇଥିଲା ସେଇ ପାଇଲଟଙ୍କ ଭିଡିଓ।ରକ୍ତାକ୍ତ ଅବସ୍ଥାରେ ଶତ୍ରୁ ହାତରେ ଧରା ପଡି ସୁଦ୍ଧା ନିଜର ମନୋବଳ ହରାଇନଥିଲା ଭଳି ସେଇ ପାଇଲଟଙ୍କୁ ଦେଖି ଗର୍ବ ଆସୁଥିଲା ଦେଶବାସୀଙ୍କ'ର।
ପେଣ୍ଡାଲ ଉପରେ ଏକାଠି ଠିଆ ହୋଇଥିଲେ ଶାସକ,ବିରୋଧୀ ଓ ଦେଶର ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନେ।
ଦେଶଭକ୍ତିର ନିଦର୍ଶନ ସ୍ୱରୂପ ନିଜ ନିଜ ଦଳର ନୀତିଗତ ପାର୍ଥକ୍ୟକୁ ଭୁଲି, ସବୁଦଳ ଆତଙ୍କବାଦ ବିରୋଧରେ ଦେଶର ଲଢେଇକୁ ସମର୍ଥନ କରି ,ଯୁଦ୍ଧବେଳେ ପଡୋଶୀ ଦେଶ ହାତରେ ଧରାପଡିଥିବା ସେଇ ପାଇଲଟଙ୍କ ଅସୀମ ସାହାସ ଓ ଦେଶଭକ୍ତିର ଭୂୟସୀ ପ୍ରଶଂସା କରି କହୁଥିଲେ,
- ତାଙ୍କର କିଛି ହେଲେ ଆମେ ଆମ ଶତ୍ରୁ ଦେଶକୁ କ୍ଷମା କରିବାନି।ଦେଶମାତୃକା ପାଇଁ ଜୀବନକୁ ବାଜି ଲଗାଉଥିବା ଏଭଳି ଦେଶଭକ୍ତଙ୍କ ପାଇଁ ଆମେ କିଛି ବି କରିପାରିବୁ।ଦରକାର ପଡିଲେ ନିଜେ ଲଢିବୁ।"
(ଅବଶ୍ୟ ସେମାନଙ୍କ ଉଦ୍ଦେଶ୍ୟ ନିର୍ବାଚନ ଲଢ଼ିବା ଥିଲା)
ସମବେତ ସାଧାରଣ ଜନତା ହତବାକ ,ନେତାଙ୍କ ଗଭୀର ଦେଶଭକ୍ତି ଓ ବୀର ସୈନିକଙ୍କ ପାଇଁ ଏଇ ଅଦ୍ଭୁତପୂର୍ବ ବିଚାର ପାଇଁ।ତେବେ ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ ,ଆମ ପାଇଲଟ ସକୁଶଳ ଫେରିବ ତ ?
ଏଇ ମିଳିତ ସଭାକୁ ସିଧାସଳଖ ପ୍ରସାରଣ କରୁଥିବା କିଛି ଚ୍ୟାନେଲର ଉପସ୍ଥାପକ(ଆଙ୍କର)ମାନେ କୌତୁକପୋଷାକ ପ୍ରତିଯୋଗିତାରେ ଭାଗନେଲା ଭଳି ନିଜକୁ ସୈନ୍ୟ ପୋଷାକରେ ସଜାଇ, ସବୁଠୁ ବଡ଼ ଦେଶଭକ୍ତ ଓ ଯୁଦ୍ଧବିଶାରଦ ଭଳି, ରଣହୁଙ୍କାର ଦେଇ କହୁଥିଲେ,"ଏବେ କେଵଳ ଆକ୍ରମଣ ।ସେଇ ପାଇଲଟ ର ମୁକ୍ତି ପାଇଁ ଆମେ କାହା ଆଗରେ ମୁଣ୍ଡ ନୂଆଇଁବା ନାହିଁ।ଏହାହିଁ ପ୍ରକୃଷ୍ଟ ସମୟ ଆକ୍ରମଣର । ସମଗ୍ର ଦୁନିଆ ଦେଖୁ ଆମ ଦେଶଭକ୍ତି ର କାରନାମା।ଆସନ୍ତୁ ଦେଶ ପାଇଁ ଲଢ଼ି ଜୀବନ ଦେବା।"
ପେଣ୍ଡାଲ ଉପରେ ଥିବା ନେତାମାନେ ଜନତାଙ୍କୁ ପଚାରୁଥିଲେ,"ଏବେ କଣ କରିବା ଉଚିତ,ଆପଣମାନେ ନିଜ ମତ ଦିଅନ୍ତୁ।
ସଭାରେ ଉପସ୍ଥିତ ସମସ୍ତ ସାଧାରଣ ଜନତା ହାଠାତ୍ ଏକସ୍ୱରରେ ପାଟି କରି କହିଉଠିଲେ,"ଯୁଦ୍ଧ ପାଇଁ ହୁଙ୍କାର ଦେଉଥିବା ଦେଶଭକ୍ତ ଟିଭି ଆଙ୍କର,ଓ ନେତାମାନଙ୍କୁ ଯୁଦ୍ଧକୁ ପଠାଯାଉ । ଦେଶପାଇଁ ଯୁଦ୍ଧ କରିଥିବା ସୈନିକମାନଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଧରାପଡିଥିବା ଏଇ ଦେଶଭକ୍ତ ପାଇଲଟଙ୍କୁ ସବୁଦଳ ମିଶି ଆଗାମୀ ନିର୍ବାଚନରେ ସର୍ବଦଳୀୟ ପ୍ରଧାନମନ୍ତ୍ରୀ ପ୍ରାଥୀ ଭାବେ ଚୟନ କରନ୍ତୁ।ଏହାହିଁ ହେବ ଆପଣମାନଙ୍କ ଦେଶଭକ୍ତି ର ପ୍ରକୃତ ପରୀକ୍ଷା।"
ହାଠାତ୍ କାହିଁକି କେଜାଣି ଅନେକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ କରିଦେଲେ ଓ ପେଣ୍ଡାଲ ଉପରେ ଠିଆ ହୋଇଥିବା ସବୁଦଳ'ର ନେତାମାନେ କିଏ କୁଆଡେ ପଳାଇଗଲେ।
(@ଅରବିନ୍ଦ ଦାସ)