Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4.6  

Panchanan Jena

Inspirational

ଆତ୍ମା

ଆତ୍ମା

6 mins
638


ବିଶ୍ଵନାଥ ବାବୁ ନିଜ ପୁରୁଣା ମାରୁତି ୮୦୦ କାରରେ ଏକା ଏକା ଯାତ୍ରା କରୁଥିବାବେଳେ ଏଫ.ମ. ରେଡିଓ ନିଶ୍ଚୟ ବଜେଇଥାନ୍ତି ଏବଂ ଗୀତର ତାଳେ ତାଳେ ଗୁଣୂଗୁଣେଇ ମହୁମାଛିପରି ଭୂଣୁଭୁଣେଇ ଗାଇଚାଲନ୍ତି ।ଯାତ୍ରାର କ୍ଳାନ୍ତି ଓ ଏକେଲାପଣିଆ ଆଦୌ ଜଣାପଡେନା । ଆପେ ଆପେ ସ୍ମିତ ହାସ୍ୟଟା ମୁଁହ ଉପରକୁ ଆସିଯାଏ ଯେ ଚେହେରାଟା ସାଇଡ଼ ମିରରରେ ବି ଭଲ ଲାଗେ –ସ୍ମାଟ-ସୁନ୍ଦର –ଏକଦମ ଝକାସ । କଳା ମଚମଚ ନିଶ ଯୋଡେ କିଞ୍ଚିତ ବର୍ଦ୍ଧିତ ଗାଲର ମଧ୍ୟଭାଗକୁ ଏମିତି ସଜେଇଦିଏ ଯେ "କି ସୁନ୍ଦର ଆହା, କି ଆନନ୍ଦମୟ"। ଯଦି ବାହାଘର ପୂର୍ବରୁ ଏମିତି ଅଭ୍ୟାସ ଖଣ୍ଡେ ଥାଆନ୍ତା ତାହେଲେ ........ ଛାଡ଼ ! ବେଳେ ବେଳେ ଏମିତି ଅବାନ୍ତର କଥା ଆଉତ୍ସ୍ବିଙ୍ଗର କ୍ରିକେଟ ବଲ ପରି ଜୀବନର ପିଚ ଉପରକୁ ଧସେଇ ପଶିଆସିଲେ ଅସହାୟ ବି ଲାଗେ । ମନର ୱିକେଟଟା ଛିନ ଛତର ହେବାର ଡର ଲାଗେ ।

ଏମିତି ଏକ ଶୁଭସମୟ ସେପ୍ଟେମ୍ବର ୨୦୧୮ରେ ଆସିଲା । ଗଣେଶ ପୂଜା , ଈଦ-ଓଲ-ଫିତର ଛୁଟି ସାଙ୍ଗକୁ ରବିବାର ଆସିବାରୁ ଗାଁ ଆଡେ ଘେରେ ବୁଲି ଆସିଲେ ହୁଅନ୍ତା , ବୃଦ୍ଧା ମାକୁ ଦେଖି ଆସିଲେ ହୁଅନ୍ତା କଥା ମନରେ ହେଜିଲା । ଛୁଆମାନଙ୍କର ଫାଷ୍ଟ ଟର୍ମ ସ.ଏ. ୱାନ ପରୀକ୍ଷା ମୁଣ୍ଡଉପରେ , ଟିଉସନ ବନ୍ଦ କରିହେବନି ।ପିଲାମାନେ ଯିବାର ତ ଆଦୌ ଦିଶୁନି ଏବଂ ଶ୍ରୀମତୀଙ୍କ ଯିବା ହେବ କେମିତି ? ତେଣୁ ଅଫିସରୁ ଛୁଟି ଦରଖାସ୍ତ ପାସକରି ଶନିବାର ଇଭିନିଙ୍ଗରେ ଏକା ଏକା ବାହାରି ପଡିଲେ ବିଶ୍ଵନାଥ ବାବୁ ନିଜର ଜନ୍ମମାଟି ଗାଁ ବଗଦା ଆଡକୁ ......।  ଏଫ .ମ .ରେ ଗୀତ ବାଜୁଥିଲା -


" ଜଣେ ରାଧା ଜଣେ ମୀରା, ନଈ ଏକ ଦୁଇ ଧାରା

ଜଣେ ଆଖିକୁ ନିଜର ହେଲା

ଜଣେ ଆକାଶର ଦୂର ତାରା

 ଜଣେ ରାଧା ଜଣେ ମୀରା, ନଈ ଏକ ଦୁଇ ଧାରା ....." ।


ବାଲେଶ୍ଵର ସହର ଠାରୁ ମାତ୍ର ୫୫ କି.ମି. ଦୂର ଝାଟିମାଟି ଗାଁ । ନିହାତି ମଫସଲ ଅନାମଧେୟ ବଗଦା ଗ୍ରାମ । ବିଶ୍ଵନାଥ ବାବୁ ପିଲାଦିନ ବିତେଇଛନ୍ତି ସେହି ଗାଁରେ । ତେଣୁ ଗୀତର ତାଳେ ତାଳେ ଚପଳ ବାଲ୍ୟ-କୈଶୋରାବସ୍ଥାର ପେନ୍ଥା ପେନ୍ଥା ମହକ ମାନସ ପଟଳରେ ଉଙ୍କି ମାରୁଥିଲା । ଗୋରୁ ମଣା, ଘାସକଟା, ବଗଧରା,ବଉଲମଞ୍ଜି-କଣ୍ଟା-କେଟାସ ଖେଳ , ମାଛଧରା , ଛନ୍ଦି-ଝାନ୍ପିବସା, ପିଜୁଳି-ଆମ୍ବ-ବେତାପୀ-ଟଭା-କୁସୁମ କୋଳି ଚୋରୀ ,କରମଙ୍ଗା-ଓଉ ଜୁଆଁ, କବାଡ଼ି-ଲମ୍ବେଇ-ଡୁଡୁ ଖେଳ , ଟେଙ୍କି-ଡାବଲ ଖେଳ, କୁଲୁବର ସାଜିବା, ନିମ୍ବ ଫଳ କୋଢା, ଫୁଲ ତୋଳା , ଗଡ଼ିଆ ପହଁରା , ପଙ୍କ କାଢା...... ଅସୁମାରି କ୍ରିୟା କିର୍ତ୍ତୀମାନ....... ଗପବହିର ପୃଷ୍ଠା ଓଲଟେଇଲା ପରି ଧାଡି ବାନ୍ଧି ଦଳ ଦଳ ହୋଇ ଭାସି ଯାଉଥିଲେ ......


" ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ

ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ଵନୀ କହେ ତୁମେ ତୁମେ ......"

ଗୀତର ଧୁନ ହିଁ ବିଶ୍ଵନାଥ ବାବୁଙ୍କୁ ଚମକେଇ ଦେଲା ।


 ଫୁଲାଡ଼ି-ନିଧିପଣ୍ଡା ମଝିରେ ଥିବା ବାବା ଆଖଣ୍ଡଳମଣୀ ପେଟ୍ରୋଲ ପମ୍ପରୁ ତେଲ ପକେଇବାକୁ ଏନ.ଏଇଚ. ୬୦ରୁ ସାଇଡ କାଟିକାରି ତଳକୁ ଓଲ୍ଲେଇଲେ ।ମାତ୍ର ଭୀଷଣ ଭିଡ ଫକୀରମୋହନ ଗୋଲେଇର ଟ୍ରାଫିକ ପରି ଲାଗିଲା । ଲାଇନରେ ଗାଡିକୁ ରଖିଲେ ମାତ୍ର କାନକୁ କିଛି ଗୁଣୁଗୁଣୁ ଗୀତର କିୟଦଂଶ କତିପୟ-ଅଂଶ ଧସେଇ ଆସି ପଶିଲା ମାତ୍ର ଟିକିଏ ନିରେଖି ତନଖି ଏପଟ ସେପଟ ଚିହିଙ୍କି ପିହିଙ୍କି ଦେଖିଲେ କି ପେଟ୍ରୋଲ ଦେଉଥିବା ମେଞ୍ଚଡ ଟୋକାଟା ପରିସ୍ଥିତିକୁ ଖାପଖୁଆଇ ଗୁଣୁ ଗୁଣେଇ ଧୀରେ ଧୀରେ ଗାଇ ଚାଲିଛି ଆଉ ବେସ ମନ ସରାଗରେ କାମ କରି ଚାଲିଛି ।


        ବଡ ଆଶ୍ଚର୍ଯ୍ୟ ! ଚକିତ ନୟନ ବିସ୍ଫାରିତ ମୁଦ୍ରାରେ ବିଶ୍ଵନାଥବାବୁଙ୍କୁ ସୁର ଝଙ୍କାର ଅର୍କେଷ୍ଟ୍ରାଭଳି ପ୍ରତୀୟମାନ ହେଲା । ସାଧୁ ! ସାଧୁ ! ସୁନ୍ଦର ଅଭ୍ୟାସଟିଏ ନିହାତି । କ୍ଳାନ୍ତ ବିବ୍ରତ ମନ ପାଇଁ , ବ୍ୟସ୍ତ-ତ୍ରସ୍ତ-ଶଙ୍କାଗ୍ରସ୍ତ ମାନସ, ଆତ୍ମାର ଆହାର ପାଇଁ ଭଲ ଉପଚାର ବାଛି ନେଇଛି ପିଲାଟି ।

ଅଗତ୍ୟା ରୋଗୀକି ନେଇ ଆମ୍ବାସାଡ଼ାରଟା ଧସେଇ ପଶି ଆସିଲା । ରୋଗୀ ସିରିୟସ, ଏମାର୍ଜେନ୍ସି, ରୋଡ ଏକ୍ସିଡେଣ୍ଟ ,କଟକ ବଡ ଡାକ୍ତରଖାନା ଯାଉଛି । ତାକୁ ଆଗେ ଅଗାଧିକାର --" ମିଛ ଦୁନିଆରେ ଗୋଟିଏ ସତ , ଜଗନ୍ନାଥ ଜଗନ୍ନାଥ ।"

 ଭିକାରି ବଳଙ୍କ ଭଜନ ପରିବେଶକୁ ବେଶ କରୁଣାରେ ଭିଜେଇ ଦେଲା ହଜେଇ ଦେଲା । ଆପେ ଆପେ ମୋର ଜୋଡ ହସ୍ତ ବି ସେହି ଜଗତର ନାଥ କରୁଣାର ହାତ ଶ୍ରୀଜଗନ୍ନାଥସ୍ଵାମୀ ନୟନପଥଗାମୀ ପରମକାଋଣିକ ସ୍ଵାମୀଙ୍କ ଉଦ୍ଦେଶ୍ବରେ ଓପରକୁ ଓଠିଗଲାଣି ଜାଣିପାରିଲିନି ।

ବିଶ୍ଵନାଥ ବାବୁ ଦେଖିଲେ ଦଳେ ବଗୁଲା ଉଡିଚାଲିଛନ୍ତି । ଭସା ବାଦଳର ଝୋଟିଟା ନୀଳ ଆକାଶର ଅଗଣାକୁ ବେସ ମାନୁଛି । ଟାଟା ଇଣ୍ଡିକାର ପାଳି । ଦଶ ବାର ଜଣ ଯାତ୍ରୀ । ଦୁଇ ଚାରି ଜଣ ଟିକେ ଫ୍ରେଶ ହେବା ପାଇଁ ଓଲ୍ହେଇଲେ, କମର ସିଧା କରୁଛନ୍ତି, କେଉଁ ଦୁରରାଇଜରୁ ଆସିଲେ କି ?


" ଶୁଭକାମନା ଘେନ ଶୁଭକାମନା

ଆଗୋ ବର ବଧୁ ପ୍ରୀତିବରଣା

ନୀତି ଝରୁ ମନେ ସୁଖ ଝରଣା

କରେ କାମନା

ଶୁଭକାମନା ଘେନ ଶୁଭକାମନା ।"


ଜଣା ପଡିଲା ଝିଅ ଦେଖିବା ପାଇଁ ନିଳଗିରି ଆଡକୁ ଗସ୍ତ । ସଙ୍ଗେ ସଙ୍ଗେ ଗୀତର ତାଳ ଆଉ ଧୁନ ବଦଳିଗଲା ।


" ରୂପ ହୋଇଥିବ ଲାବଣ୍ୟବତୀ

ଗୁଣରେ ଲାଗୁଛି ମଉନାବତୀ

ଏମିତି ଯଦି ମିଳିବ ସାଥି

ମଧୁ ବରଷିବ ରାତି ରାତି ।"


ପଛକୁ ପଛ ସଫାରିରେ ପୁରା ପରିବାର ଥିଲେ । ମତଲବ ବଡ଼ରୁ ସାନ ତାଙ୍କର କଥା ବାର୍ତ୍ତାରୁ ଅନୁମାନ ହେଲା ଯେ ତୀର୍ଥ ଭ୍ରମଣରୁ ଫେରୁଛନ୍ତି ।ମାନସିକ ଥିଲା କେଉଁଝର ଘଟଗାଁ ମା ତାରିଣୀ ପୀଠରେ ପଢୁଆଁ ପୁଅର ବାଳ ପକେଇ ମୁଣ୍ଡନ କରି ଆସିଛନ୍ତି ।


" ଆମ ଘର ଏକ ମନ୍ଦିର

ସେତ ସରଗଠୁଁ ସୁନ୍ଦର

ମମତାର ମୁରତି, ମନେ ଦିଏ ଶକତି

ଏଇ ଆମ ସଂସାର ।"


ପରେ ପରେ ନାଲି ମାରୁତି କାରଟା ଲାଇନରେ ଆସିଲା । ଦମ୍ପତି ଯୋଡିଏ । ଗୀତର ଗୁଞ୍ଜନଟା ଟିକେ ମତୁଆଲା ରୋମାଣ୍ଟିକ ଲାଗୁଥିଲା ।


" ବୟସର କୃଷ୍ଣଚୂଡା ରଙ୍ଗ ତୁମ ମନ୍ଦନୁହେଁ

ବୟସର ନନ୍ଦିନୀଗୋ ସଙ୍ଗ ତୁମ ମନ୍ଦ ନୁହଁ ।"


ହଠାତ ଝପେ ବରଷା ରିମ ଝିମ କରି ମାଡି ଆସିଲା ଟୁପୁରୁ ଟାପର । ବର୍ଷାର ବର୍ଷଣ ଆଉ ମାଟିର କାମୁକ ଗନ୍ଧ ଗଗନ ପବନକୁ ଆଚ୍ଛାଦିତ କରି ପକେଇଲା । ସଙ୍ଗେ ସଙ୍ଗେ ସଙ୍ଗୀତର ମୂର୍ଚ୍ଛନା କଡ ଲେଉଟେଇଲେ , ପୁଣି ପରିବର୍ତ୍ତନ ।


" ବର୍ଷା ପଡିଲାନି କେମେତି ଯିବା , ଯିବା କଥା ଆମେ ପରେ ଭାବିବା ।"

ମୋତେ ବହୁତ ଅଡୁଆ-ଖାଡୁଆ ଲାଗୁଥାଏ । ବ୍ୟସ୍ତତା ବି ଧୀରେ ଧୀରେ ସେଚୁରେସନ ପଏଣ୍ଟରେ ପହଞ୍ଚିବାକୁ ହେଲାଣି । ସବୁର ଏକ ସୀମାରେଖା ଥାଏ । ଭାଇ ଜଳଦୀ କର । ମାତ୍ର ପିଲାଟିର ଗୁଣୁଗୁଣେଇବାରୁ ବେଶ ମଜା ନେଉଥାଏ ।


ହୋଣ୍ଡା ସିଟି ଗାଡିଟା । ପୁରା ସୋରୁମରୁ ବାହାରିଛି । ସଦ୍ୟସ୍ନାତା ଗୋରି ଝିଅ ପରି ଲାଗୁଥାଏ । ପ୍ରେମିକ-ପ୍ରେମିକା ପ୍ରାୟ ।


" ତୋ ବିନା ଲଗେନା ଭଲ କିଛି

ନା ମନ ବୁଝେ ନା ବୁଝେ ଆଖି

ନା ନିଦ ଆସେ ନା ପାହେ ରାତି

ତୋ ବିନା ଲାଗେନା ଭଲ କିଛି ।"

ପର ଚାରିଚକିଆରୁ ଭୁରୁ ଭୁରୁ ବାସ୍ନା ଭକ ଭକ କରି ଭାସି ଭାସି ଆସୁଛି ଆଉ ନାକପୁଡାରେ ନମାନି ପଶିଯାଉଛି । ସ୍ଵାମୀ-ସ୍ତ୍ରୀ ଦୁଇ ପ୍ରାଣୀ । ଆଗ ସିଟରେ ଶ୍ରୀମତୀ ନିରୀହ କପୋତି ପରି ଲାଜକୁଳୀ ସରମିଲତିକାସମ ଗୁମସୁମ ।


" ପିନ୍ଧି ପାଟ ଶାଢୀ କାନେ ମଲ୍ଲି କଢି

ହାତେ ରେଶମୀ ଚୁଡି

ମୋତେ ଧର ମୋତେ ଧର

ମୁଁ ଜୀବିକି ପଡି ...।"

ବରଯାତ୍ରୀ ଗାଡିଟା ପ୍ରାୟ ମାନେ ହେଉଛି । " ପଲ୍ଲୀ ୱେଡ୍ସ ମଲ୍ଲି " ଲେଖାରୁ ଜଣାପଡୁଛି ।


" ଏ ଅଗଣା ଏ ଘର ଏ ଦାଣ୍ଡ ଦୁଆର

ମୋତେ କଲା ପର ଟୋପାଏ ସିନ୍ଦୂର "।

ପୁଣି ଆଉ ଏକ ଧୁନ ପବିତ୍ର ବାହାଘର ଉପରେ ଶୁଭିଲା ।


" ଆସିବ ବର ତୋର ହୋଇବ ବାହାଘର

ତା ପରେ କି ହେବ କହ ଲୋ

ବାଜିବ ସାହାନାଇ ଫୁଲେଈ ହେଉକାହିଁ

ଲେଖିବୁ ତା ପର ଖବର ।"

ଏମିତି ଊଣା ଅଧିକ ଅଧ ଘଣ୍ଟାଏ ପରେ ବିଶ୍ଵନାଥ ବାବୁଙ୍କର ପାଳି ପଡିଲା । ମୁଁ ତ ଏକା ଏକା .....


" ଏଇ ଯେ ବନ ଲତା ପାହାଡ଼

ଆହାରେ ଦିଶେ କେଡେ ସୁନ୍ଦର

ଏଠି ରାତି ସରେନା

ଏଠି ଦିନ ସରେନା

ଏଇ ଯେ ବନ ଲତା ପାହାଡ଼ ।ତେଲ ପୁରାଉଥିବା ପିଲାକୁ ପଚାରିଲି- ଭାଇ ! ଭଲ ଗୁଣୁଗୁଣେଉଛ । ପରିସ୍ଥିତିକୁ ପରଖୀ- ନିରେଖି ନୂଆ ପୁରୁଣା ସିନେମା ଗୀତର ଧାଡି ସବୁ ବେଶ ମାନେ ମାନେ ଗାଇ ଚାଲୁଛ । କେହି କେହି ତ ରାଗୁଥିବେ ନିଶ୍ଚୟ ? କଣ ପାଇଁ କରିଛ ଭାଇ ? ଟିକେ ଜଲଦି କର । ବହୁତ ଡେରି ହେଲାଣି । ବହୁତ ଆଗକୁ ଯିବାକୁ ହେବ ।


ବାବୁଙ୍କର ବକରବାକର ଯେମିତି ନ ଶୁଣିଲାପରି କାମ କରିଚାଲିଥାଏ ବକଟେ ପିଲାଟି । ବେଳେ ବେଳେ ମୋତେ ଚାହୁଁ ଥାଏ ଆଖି ନଚେଇ ମିଟରକୁ ଚାହୁଁ ଥାଏ । କାମ ସରିଲା । ପଇସା ଗଣି କରି ନେଲା । ତେଲ ଟାଙ୍କିର ଠିପି ମାରିଲା । ଚାବି ଦେଲା ।


"ପରମ ଆତ୍ମତୃପ୍ତି ମିଳେ,ଚରମ ଶାନ୍ତି ମିଳେ, ଆତ୍ମାକୁ ସୁକୁନ ମିଳେ, ଆତ୍ମ ହରା ହୋଇଯାଏ "। ପିଲାଟି ମୃଦୁ ମୃଦୁ ହସି ହସି ଫିକ କିନା କହିଦେଲା ।

ମୁଁ ତ ଗାଡି ଷ୍ଟାର୍ଟ କରି ଆଗକୁ ଚାଲିଲି । ମନକୁ ମନ ହସୁଥିଲି । ସବୁ ଅଛି ପାଖରେ । ଅଭାବ ଥିଲା ଭଳି ମନେ ହୁଏନା ମାତ୍ର ସବୁ ବେଳେ ଅସୁବିଧା ଚିନ୍ତାର ଧାରା । ଏକର ସମାଧାନ ନ ହେଉଣୁ, ଏକର ସରୁ ନ ସରୁ ଆଉ ଗୋଟେ ଗୋଡ କାଢି ବସିଛି , ଦୁଇ ପାଦ ଲମ୍ବେଇ ବସିଛି । କାମ ତ ଅସରନ୍ତି । ଚିନ୍ତା-ଜଞ୍ଜାଳ ବି ଅଗଣିତ । ତେଣୁ କାହିଁ ଶାନ୍ତି କାହିଁ ତୃପ୍ତି ?କାହିଁ ଆତ୍ମାର ନିର୍ବାଣ ? କାହିଁ ଆତ୍ମାର ନିଦାନ ?କାହିଁ ଆତ୍ମାର ଡ୍ୟାଗନୋସିସ ଯାହା ଫଳରେ ମଣିଷ ଜନ୍ମରୁ ମୁକ୍ତି ? ବିଚରା ମଣିଷ ବାପୁଡା ପେଶୀ ହୋଇ ଯାଉଛି ।

ମାତ୍ର ଦେଖ ! ଏ ମେଞ୍ଚଡ ଟୋକାଟା ଏକ ଛୋଟକାଟିଆ ଅଭ୍ୟାସ ବଳରେ ତୃପ୍ତି ଶାନ୍ତିକୁ ହାତ ମୁଠାରେ ରଖିଛି, ଆତ୍ମାକୁ ଜାଣିଛି,ଚିହ୍ନିଛି,ଭେଟିଛି ।ଆତ୍ମାକୁ ତୁଷ୍ଟ, ସନ୍ତୁଷ୍ଟ,ସନତୃପ୍ତ କରିବାର ବେଶ ସିଧା ବାଟ ବାହାର କରିନେଇଛି ।ନିଜର ପେଟ ପାଟଣା ସହିତ , ଦୈନିକ ରୋଜଗାରର ସାଥେ ସାଥେ ଗୁଣୁ ଗୁଣୁ ହୋଇ ମନ ଖୁସିରେ, ବିନଦାସ ଢଙ୍ଗରେ ,ଚାଙ୍ଗା ମନରେ କାମରେ ଖିଲାପ ନକରି ଚାରିଗୁଣା ଉତ୍ସାହରେ କାମ ଚାଲିଛି ଆତ୍ମାର ଇଶାରାରେ ।


  ଆତ୍ମାର ଡାକରା , ସମାଧାନର ପନ୍ଥା , ଆତ୍ମତୃପ୍ତିର ଚାବିକାଠି , ଚିନ୍ତାର ଚେରକୁ ଉପାଡିବାକୁ ଏକ ସିଧା ସାଧା ଭଲ ଉପାୟ ଯେମିତି ମିଳିଗଲା ବିଶ୍ଵନାଥ ବାବୁଙ୍କୁ, ମିଳିଗଲା ଆର୍କମେଡିସଙ୍କୁ ଯେମିତି ପ୍ଲାବନର ସୂତ୍ର ମିଳିଥିବା ପରି ।


ଧନ୍ୟବାଦ ଭାଇନା ... ଗୁରୁଦେବ ସ୍ଵାମୀ ....। ଓହ ! ଓହ ! ଓହ !

 ମାତ୍ର  ଅବଶୋଷ ଯେ ତା ନାଁ ଟା ପଚାରିପାରିଲିନି । "




Rate this content
Log in

Similar oriya story from Inspirational