Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Inspirational

3  

Trupti Paikaray

Inspirational

"ଚାଳ ଫାଙ୍କରୁ ବର୍ଷା"

"ଚାଳ ଫାଙ୍କରୁ ବର୍ଷା"

6 mins
7.5K


"ଚାଳ ଫାଙ୍କରୁ ବର୍ଷା"

ଦିନ ପ୍ରାୟ ସନ୍ଧ୍ୟା ୫ଟା ପାଖାପାଖି ହେବ, ସେଦିନ ମାଧବ (ମାଧବ କୁମାର ମହାନ୍ତି) ଏକ ଭୋଜି ଆଟେଣ୍ଡ କରି ନିଜ ପରିବାର ସହ ଫେରୁଥାନ୍ତି I ଏଇ ମାସ ହେଲା ତାଙ୍କର ପୋଷ୍ଟିଙ୍ଗ ହେଇଛି ଜିଲ୍ଲା କଲେକ୍ଟର ହିସାବରେ I ଏହା ପୂର୍ବରୁ ସେ ଅନେକ ଜିଲ୍ଲାରେ ବିଭିନ୍ନ ପଦପଦବୀରେ ରହି କାମ କରିଛନ୍ତି I ବର୍ଷାଦିନ ହେଇଥାଏ, ତେଣୁ କେତେବେଳେ ବି ଅଚାନକ ବର୍ଷା ହେଇଯାଏ l ସେଦିନ ବି ଭାରି ଜୋରସେ ବର୍ଷା ଉଠେଇଥାଏ, ସେ ଭୋଜିରୁ ଫେରି ନିଜ ସରକାରୀ ବାସଭବନକୁ ଫେରୁଥାନ୍ତି, ସାଙ୍ଗରେ ପତ୍ନୀ ଗୋପା ଆଉ ପୁଅ ୟଶ l କଳାହାଣ୍ଡିଆ ମେଘ ଦେଖି ସେମାନେ ଜଲଦି ଘରେ ପହଞ୍ଚିବେ ବୋଲି, ଆଉ ବାଟରେ କୋଉଠି ଗାଡି ନରଖି ଯିବାକୁ ଗୋପା ଅନୁରୋଧ କଲେ ସ୍ୱାମୀଙ୍କୁ I

 

ମାଧବ ବାଟରେ ଥିବା ନିଜର ଅଫିସିଆଲ କାମସବୁ କ୍ୟାନ୍ସଲ କରି ନିଜ ଡ୍ରାଇଭର ନିରଞ୍ଜନଙ୍କୁ ଗାଡି ନରଖି  ସିଧା ଘରକୁ ଯିବାକୁ କହିଲେ l କିଛି ବାଟ ଗଲାପରେ କଦମପୁର, ସେଠାରୁ ତାଙ୍କ  ଘର ଆଉ ୧୫ କିଲୋମିଟର ହେବ I ଆଗରେ ଗାଈପଲ ଦେଖି ଡ୍ରାଇଭର ଗାଡି ଅଟକାଇଲା, ସେତେବେଳେ କଳାହାଣ୍ଡିଆ ମେଘ ସାଙ୍ଗକୁ ସୁଲୁଶୂଲିଆ ଥଣ୍ଡା ପବନ, ଜଙ୍ଗଲୀ ଫୁଲର ମିଠାମିଠା ବାସ୍ନା I ମାଧବ ନିଜ ଗାଡିର କାଚ ଖୋଲି ରାସ୍ତାର ସେ ସୁନ୍ଦର ଦୃଶ୍ୟ ଉପଭୋଗ କରୁଥାନ୍ତି, କିଛି ଦୂରରେ ତାଙ୍କ ନଜର ପଡିଲା ୧୦/୧୫ ଲୋକ ପାହାଡ ପାଖ ଗାଁରୁ କଣସବୁ ଯେମିତିକି ନଡା, ନଡ଼ିଆ ବାଉଙ୍ଗା, ଆଉ ଶୁଖିଲା ତାଳଗଛ ପତ୍ର ସବୁ ଧରି କିଛି ଲୋକ ଚାଲିଚାଲି ଆସୁଥାନ୍ତି I ବର୍ଷା ଉଠେଇଥିବା ଦେଖି ସେମାନେ ଜୋରରେ ଚାଲିବାକୁ ଲାଗିଲେ l ସେମାନଙ୍କ ଭିତରେ ଗୋଟେ ବୁଢ଼ିଥାଏ, ବୟସ ପାଖାପାଖି ୭୦ ହେବ, ଦେହରେ ବଳ ନାହିଁ, ତଥାପି ମନରେ ଅନେକ ଆଶା, ଦେଖିବଳୁ ଭାରି ରୁଗ୍ଣ, ଚିରI ଲୁଗାଖଣ୍ଡେ ଗୁଡ଼େଇ ହେଇଛି I ହାତରେ ଦିପଟ ମୋଟାମୋଟା କଙ୍କଣ, ଭିଡିଭିଡି ସେ ନଡ଼ିଆ ବାଉଙ୍ଗା ଆଉ ଶୁଖିଲା ତାଳଗଛ ପତ୍ର ନେଉଥାଏ, ସେପଟେ ମୁଣ୍ଡରେ କଣସବୁ ଗୋଟେ ଟୋକେଇରେ ମୁଣ୍ଡେଇମୁଣ୍ଡେଇ ଚାଲୁଥାଏ, ହେଲେ ହଟାତ ତା ମୁଣ୍ଡ କଣ ହେଇଗଲା ବୋଧେ କାହିଁକି କେଜାଣି ଗୋଟେ ଗଛ ମୂଳେ ଟିକେ ବସିପଡିଲା l ଅନ୍ୟମାନେ ଆଗକୁ ବଢିଚାଲିଥାନ୍ତି, ହେଲେ ସେଇ ବୁଢ଼ୀସେଇଠି ଅଟକିଗଲା l ଏସବୁ ମାଧବ ନିଜ ଗାଡି ଭିତରେ ରହି ଦେଖୁଥିଲେ ଆଉ ଟିକେ ବ୍ୟାକୁଳ ହେଇପଡ଼ିଲେ I ଡ୍ରାଇଭର କହିଲା "ସାର ଏମାନେ ସବୁ ଆଗ କେଶୁପୁର ଗାଁ ଲୋକ, ସେମାନେ ଜଙ୍ଗଲକୁ ଯାନ୍ତି, ଏମାନେ ଗରିବଲୋକ, ମୁଣ୍ଡଗୁଞ୍ଜିବାକୁ ଘର ଖଣ୍ଡେନାହିଁ, ଆଉ ବର୍ଷାଦିନେ ଏମାନଙ୍କ ଆଖିର ଲୁହ ଶୁଖେନା, କାରଣ ବର୍ଷା ପାଣି ତାଙ୍କ ଘର ଚାଳ ଆଉ କାନ୍ଥ ଦେଇ ଘର ନଷ୍ଟ କରିଦିଏ,କେତେ କଷ୍ଟରେ ଏମାନେ ଚଳନ୍ତି I

 

ଏସବୁ ଶୁଣି ମାଧବଙ୍କ ଆଖିରୁ ଲୁହ ଦିଟୋପା ଆସିଗଲା, ସେ ଡ୍ରାଇଭରକୁ କହିଲେ ସେଇ ବୁଢ଼ୀମା ପାଖକୁ ଟିକେ ଗାଡି ନେଇଚାଲ, ଡ୍ରାଇଭର ଏସବୁ ଶୁଣି ଆବାକାବା, କଲେକ୍ଟର ସାର ହେଇ, ସେ ପୁଣି ଏହି ବୁଢ଼ୀପାଖକୁ ଯିବେ l ଯାହାହେଉ, ସାରଙ୍କ ଅର୍ଡର ମାନି ଯିବାକୁ ହେବ, ତେଣୁ ସେ ଗାଡ଼ିନେଇ ସେଇ ବୁଢ଼ୀ ପାଖରେ ଅଟକାଇଲା I ଗୋପାବି ଲାଗିପଡ଼ିଲେ ନିଜ ଫଟୋଗ୍ରାଫିରେ, ଏତେ ସୁନ୍ଦର ପରିବେଶରେ ନିଜ କ୍ୟାମେରା ଲେନ୍ସରେ କୟେଦ କରିବାରେ I

ମୁଁ ଟିକେ ଆସୁଛି କହି ସେ ବାହାରିଗଲେ ସେଇ ବୁଢୀମା ପାଖକୁ, ଝାଳକୁ ଲୁଗାକାନିରେ ପୋଛି, ଟିକେ ଥକ୍କା ମେଣ୍ଟାଉଥାଏ ସେ I ମାଧବକୁ ଆସୁଥିବାର ଦେଖି ସେ ଟିକେ ଆଶ୍ଚର୍ଯ୍ୟ ହେଇଗଲା, ହେଲେ ସେ କିଛି କହିବା ପୂର୍ବରୁ  ମାଧବ ତାଙ୍କୁ ହାତରେ ଧରିଥିବା ପାଣି ବୋତଲ ଦେଖେଇ ପଚାରିଲେ, "ମା ପାଣିଟିକେ ପିଇବ କି"? ଏତିକି କହି ସେ ପାଣି ବୋତଲଟି ବଢ଼େଇଦେଲେ, ଆଉ ବୁଢ଼ୀ ସାଙ୍ଗେସାଙ୍ଗେ ଢକଢକ କରି ସବୁ ପାଣି ପିଇଦେଲା, କେତେ ଶୋଷ ତାକୁ ଲାଗୁଥିଲା କେଜାଣି I ଆଉ ସିଏ କିଛି ପଚାରିବା ପୂର୍ବରୁ ମାଧବ କହିଲେ "ମୁଁ ଏହି ଜିଲ୍ଲାର କଲେକ୍ଟର, ଏହି ରାସ୍ତା ଦେଇ ଯାଉଥିଲି, ହଟାତ ତୁମକୁ ଏମିତି ଦେଖି ଭାବିଲି ତୁମେ କିଛି ଅସୁବିଧାରେ ପଡ଼ିଛ, ତେଣୁ ପଚାରିବାକୁ ଆସିଲି" I ବୁଢ଼ୀ ଯେତେବେଳେ ଶୁଣିଲା ସେ ସେହି ଜିଲ୍ଲା କଲେକ୍ଟର, ଆଶ୍ଚର୍ଯ୍ୟ ହେଇଗଲା ଆଉ ଟିକେ ଡରିଗଲା, ହେଲେ ତାକୁ ଦେଖି ମାଧବ ପଚାରିଲେ "ମାଆ ତୁମେ କୁଆଡେ ଯାଇଥିଲ, ଆଉ ଏସବୁ କଣ ନେଇ ଯାଉଛ, ତୁମେ ବୁଢ଼ୀଲୋକ କେମିତି ନେଇକି ଏତେ ଜିନିଷ ଘରକୁ ଯିବ”?

ତାପରେ ବୁଢ଼ୀ ଆଖିରୁ ଲୁହ ବାହାରିଆସିଲା, ଆଉ କହିଲା "ବାବୁ ଆମେ ଗରିବ ଲୋକ, ଏସବୁ ଆମ ନିତିଦିନିଆ କାମ, ହେଲେ ବର୍ଷାଦିନ ଆସିଲେ ଆମ ପିଣ୍ଡରୁ ସତେ ଯେମିତି ପରାଣ ଚାଲିଯାଏ, ଆମେ ଏହି କେଶୁପର ଗାଁରେ ରହୁ, ଏଠାରୁ ଆଉ ୨କିଲୋମିଟର ହେବ, ଆମ ଗାଁ ଭାରି ଗରିବ ଗାଁ ବାପା, ସେଠି ମୁଣ୍ଡ ଗୁଞ୍ଜିବାକୁ ଆମର ଘର ଖଣ୍ଡେ ନାହିଁ I କେତେ ଡହଳବିକଳ ଆମେ ମୁଣ୍ଡଗୁଞ୍ଜିବାକୁ, ବର୍ଷା ଆସିଲେ ଆମ ଚାଳ ଫାଙ୍କ ଆଉ କାନ୍ଥ ବାଟେ ବର୍ଷା ପଶିଆସେ I ରାତିରାତି ଆମେ ଅନିଦ୍ରା ରହୁ, ପିନ୍ଧିବାକୁ ଲୁଗାଟିଏ ବି ଶୁଖିଲା ନଥାଏ, ଖାଇବା କଥା କିଏ ପଛରେ, ହେଲେ ବାବୁ ତୁମେ ବଡଲୋକ ତମେ ସେ ବର୍ଷା ଦେଖିନ ବାବୁ, ଭାରି ଭୟଙ୍କର ସେ ବର୍ଷା”, କହିଲାବେଳକୁ ସେ ବୁଢ଼ୀର ଆଖି ବଡବଡ ହେଇ ବାହାରକୁ ଦେଖା ଯାଉଥାଏ, ସତେ ଯେମିତି ଅନେକ କୋହ ଆଉ ଭୟ ତା ଭିତରେ I

   ଏସବୁ ଭିତରେ କଳାହାଣ୍ଡିରେ ମେଘର ବାଦଲ ଆକାଶରୁ ଟିକେ ହଟିଯାଇଥିଲା, ଆଉ ଆକାଶ ସଫା ଲାଗିଆସୁଥାଏ, ବୋଧେ ବର୍ଷା ନହେବାର ସୂଚନା, ତେଣୁ ବୁଢ଼ୀ ଆଖିରେ ଟିକେ ଖୁସି ଦେଖି ମାଧବ କହିଲେ, "ମାଆ ମୁଁ ତୁମପରି ବର୍ଷା ଦେଖିନି, ହେଲେ ଚାଳ ଫାଙ୍କରୁ ସେଇ ବର୍ଷାକୁ ଦେଖିଛି" I ମାଧବ ନିଜ ଲୁହକୁ ଚାପି ରଖିପାରିଲେନି, ଆଖିରୁ ଲୁହ ନିଗିଡି ଆସିଲା I ବୁଢ଼ୀ ଦେଖି କିଛି ବୁଝି ପାରୁନଥାଏ, ତାପରେ ମାଧବଙ୍କର ସେଇ ପିଲାଦିନ ତାଙ୍କ ଆଖିଆଗରେ ଝଲସି ଉଠୁଥାଏ, ଯେତେବେଳେ ତାଙ୍କୁ ମାତ୍ର / ବର୍ଷ ହେIଇଥାଏ, ତାଙ୍କ ସେ ପିଲାଦିନ ତାଙ୍କର ମନେପଡ଼ିଗଲା, ଆଉ ସେ ଅଜାଣତରେ ନିଜ ସେଇ ଅତୀତର କାହାଣୀ ସେ ବୁଢ଼ୀଆଗରେ କହିଚାଲିଥାନ୍ତି,

ସେତେବେଳେ ମୁଁ ବହୁତ ଛୋଟ ହେଇଥାଏ, ମା’ଙ୍କ ସେ ଡାକ“ଗୋଲୁ... ଗୋଲୁ, ଧନରେ ଯା ତୋ ବହିସବୁ ବାପା ଯେଉଁ ଜରି ଆଣିଛନ୍ତି ତା ଭିତରେ ପୁରେଇ ବାନ୍ଧି ଦେ, ଯେମିତି ବର୍ଷାରେ ଓଦା ହେବନି, ହେଲେ ଗୋଲୁର ପାଠ ପଢା ସରୁନଥାଏ, ସେଇ କଅଁଳିଆ କଣ୍ଠରେ କହିଚାଲେ, ମାଆ ମୁଁ ପାଠ ପଢି ବଡ ମଣିଷ ହେବି ଆଉ ଆମର ବଡ ଘରହେଇଯିବ, ତା ଭିତରେ ଏମିତି ବର୍ଷା ଆଉ ପଶିପାରିବନି” I ଗୋଲୁ ବାପା ବିଲରେ କାମ କରୁଥିବା ଜଣେ ଚାଷୀ, ପୁଣି ଭାଗଚାଷୀ, ଆଉ ମାଆ ଏଠିସେଠି କାମ କରି ଘର ଚଳେଇବାରେ ସାହାଯ୍ୟ କରେ I ମୁଣ୍ଡ ଉପରେ ଭଙ୍ଗା ଚାଳିଆଟିଏ, ଉପରେ ଚାଳ ମେଲା ହେଇ ଆକାଶ ଦେଖାଯାଏ, ଆଉ ଚାରିପଟୁ ମାଟି କାନ୍ଥର ଅତଡ଼ା, ସେମାନେ ଭାଇଭଉଣୀ, ମାଧବ ସବାବଡ ପୁଅ, ତା ତଳକୁ ଭଉଣୀ, ଆଉ ସାନଭାଇ I

ଗୋଲୁକୁ / ବର୍ଷ ହେବ, ତା ତଳକୁ ସାନ ଭଉଣୀ ତାକୁ ବର୍ଷ ହେଇଥିବ, ଆଉ ସାନ ଭାଇ ମାତ୍ର ବର୍ଷକର I ବର୍ଷା ଆସିଲେ ଗୋଲୁ ବାପାବୋଉ ଭୋଭୋ ହେଇ କାନ୍ଦନ୍ତି ଆଉ ଠାକୁରଙ୍କୁ ନେହୁରା ହୁଅନ୍ତି କେମିତି ମୋ ଛୁଆମାନେ ବର୍ଷା କବଳରୁ ବଞ୍ଚିକି ରୁହନ୍ତୁ I ଘରକରିବାକୁ ବାପାଙ୍କ ପାଖରେ ପଇସା ନଥାଏ, ସେଇ ଖଣ୍ଡିଆ ଘରେ ଭଗବାନଙ୍କ ଭରଷାରେ ବଞ୍ଚିବାକୁ ହୁଏ I ବର୍ଷା ଦିନର ସେ ଦୁଃଖ କହିଲେ ସରେ, ଚାଳ ଫାଙ୍କରୁ ଆଉ କାନ୍ଥ ଫାଙ୍କରୁ ବର୍ଷା ପଶିଆସେ, ସାପ, ବେଙ୍ଗ ଆଉ ଜୋକ ଭୟ, କେତେ ଥର ସାପ ବି କଡରେ ଶୋଇଥାଏ, ଦିନରେ ଯଦି ବର୍ଷା ହୁଏ ଟିକେ ମଣିଷ ସମ୍ଭାଳିନିଏ, ହେଲେ ନିଶାର୍ଦ୍ଧର ସେ ବର୍ଷା ଭାରି ଭୟଙ୍କର ଥିଲା I ଘରେ କିଛି ନଥାଏ, ଗୋଟେ ଖଟ ପଡିଥାଏ, ବର୍ଷାଦିନ ସନ୍ଧ୍ୟାହେଲେ ବୋଉ ଝଅଟ  କିନା ଭାତଗଣ୍ଡା ଫୁଟେଇଦିଏ କେମିତି ଜଲଦି ଖିଆପିଆ ସରିଯିବ I ତା ଭିତରେ ବୋଉ ଆସି ଲଣ୍ଠନରେ ତେଲ ଭରିଦିଏ, ଅନ୍ଧାରକୁ ଏକ ମାତ୍ର ଭରଷା I ଗୋଲୁର ପାଠପଢା ବନ୍ଦ, କାରଣ ବହିସବୁ ଜରିରେ ପୁରାହେବ” I

 

ଏମିତି ବର୍ଷା ଆସିଯାଏ, ଆଉ ବାପା ଆମ ଭାଇ ଭଉଣୀଙ୍କି ସେଇ ଉଚ୍ଚI ଖଟ ତଳେ ଶୁଆଇଦିଅନ୍ତି, କାରଣ ଚାଳବାଟେ ପାଣିପଡ଼ି ସବୁଆଡେ ଓଦା, ଆଉ ସେଇ ଏକମାତ୍ର ଜାଗା ଟିକେ ରକ୍ଷା, ତାପରେ ବାପା ଆଉ ବୋଉ ସେମିତି ରାତିଯାକ ଅନିଦ୍ରା ରହି ଆମକୁ ଜଗିବସନ୍ତି I ସାନ ଭାଇ ମୋର ଜ୍ୱରରେ କମ୍ପୁଥାଏ ଦିନେ, ବୋଉ ମୋର କାନ୍ଦିକାନ୍ଦି ପଡିଯାଉଥାଏ, ବାପା ଖାଲି ବିକଳ ହେଇ ଇଆଡ଼େସିଆଡେ ଦଉଡୁଥାନ୍ତି I ସବୁଦେଖି ଦେଖି ମୁଁ କୁହେ, "ବୋଉ ତୁ କାନ୍ଦେନା, ମୁଁ ବହୁତ ପାଠ ପଢି ବଡ ମଣିଷ ହେବି, ଆଉ ଆମ ଘରେ ପାଣିପଶିବନି” I ମୋ କଥା ଶୁଣି ବୋଉ ଆହୁରି କାନ୍ଦେ, କହେ "ଧନରେ ପ୍ରଭୁ ତତେ ବଢ଼ାଇକୁଢ଼ାଇ ଭଲରେ ରଖନ୍ତୁ", ଏସବୁ କହିଲାବେଳକୁ ମାଧବ କାନ୍ଦୁଥାନ୍ତିଆଉ ବୁଢୀମା ବି I “ମୁଁ ବର୍ଷାକୁ  ଦେଖିଚି, ସେଇ ଚାଳ ଫାଙ୍କରୁ, କାନ୍ଥ ଫାଙ୍କରୁ ବହୁତ ନିକଟରୁ, ତାକୁ ନେଇ ମୋ ପିଲାଦିନ କଟିଗଲା, ହେଲେ ବାପା ଘର ଖଣ୍ଡେ କରିପାରିଲେନି” I

“ମୁଁ ବହୁତ ଭଲ ପଢ଼ୁଥିଲି, କାରଣ ମୋର ଇଛା ଥିଲା କେମିତି ବଡ ମଣିଷ ହେଇ ଗୋଟେ ଘର କରିବି ଆଉ ମୋ ବାପାବୋଉ ଭଲରେ ରହିବେ I ତାପରେ ମୁଁ ସ୍କଲାରସିପ ପାଇଲି ଆଉ ପଢିପଢି ଏହି ଜାଗାରେ ପହଞ୍ଚିଛି” I ଏସବୁ ଭିତରେ ମାଧବ ସେ ବୁଢୀକୁ କହିଲେ ଆସ, “ମୁଁ ତୁମକୁ ତୁମ ଗାଁରେ ଛାଡ଼ିଦେବି”, ସେ ବୁଢୀକୁ ଗାଡ଼ିରେ ବସେଇ ତା ଗାଁରେ ଛାଡିଲେ I ଆଉ ସେଇ ବାହାନାରେ ସେ ଗାଁ ବି ଟିକେ ଦେଖିଲେ, ସବୁ ଘର ଝାଟିମାଟି ଆଉ ନଡ଼ା ଛପର, ସବୁ ଘର କାନ୍ଥଭଙ୍ଗା ଆଉ ଚାଳ ମେଲା, ମାଧବ ଏସବୁ ଦେଖି ଚୁପ ହେIଇଗଲେ ଆଉ ବୁଢ଼ୀ ମା କହିଚାଲିଥାଏ, "କଣ କରିବି ବାପା, ମୋର ଗୋଟେ ଭେଣ୍ଡାପୁଅ ଘରେ, ତାକୁ ଯେତେ କହୁଛି ଯା ଖଟିବୁ,କିଛି ପଇସା ମିଳିଲେ ପକ୍କା ଘର ଗୋଟିଏ ବଖରା ହଉପଛେ କରିଦବା, ଆଉ ତା ବିଭାଘର ପରେ ତା ସ୍ତ୍ରିପିଲା ପଛେ ଘରେ ଶୋଇବେ, ମୁଁ ବାହାରେ ଶୋଇଯିବି, ହେଲେ ସେ କଣ ଶୁଣୁଛି, ମଦ ଗଂଜେଇ ରେ ପଇସା ଉଡାଉଛି” I କହିକହି ବୁଢ଼ୀ କାନ୍ଦିବାକୁ ଲାଗିଲା, ଆଉ ମାଧବ କହିଲେ କାନ୍ଦନା ମା’, "ମୁଁ ନିଶ୍ଚୟ ସରକାର ତରଫରୁ ଆଉ ମୋ ଚେଷ୍ଟାରୁ କିଛି ସୁବିଧା କରିବି” I ଏତିକି କହି ସେ ଫେରି ଆସିଥିଲେ , ହେଲେ ସେଦିନ ପୁରୁଣା ସ୍ମୃତିସବୁ ତାଙ୍କ ଆଖି ଆଗରେ ନାଚୁଥାଏ, ସତେ ଯେମିତି ବୋଉ ଆସି ଡାକୁଛି "ଗୋଲୁ....ଗୋଲୁ....ବର୍ଷା ଆସିଗଲା, ଘର କେବେ କରିବୁ”? ଆଜି ସେ ତାଙ୍କ ବାପାବୋଉ ଦିଜଣକୁ ହରେଇସାରିଛନ୍ତି, ହେଲେ ସେ ଦିନଗୁଡା ତାଙ୍କ ମନକୁ ଭାରାକ୍ରାନ୍ତ କରିଦିଏ I ସେ ସରକାରୀ ସ୍ଥରରେ ଆଲୋଚନା କରି ସେ ଗାଁକୁ ଆଡପଟ କରିନେଲେ, ଅତି ଶୀଘ୍ର ସେଠି ସବୁ ପରିବାରକୁ ପକ୍କାଘର କରିବାକୁ କିଛି ସରକାରୀ ସହାୟତା ମିଳିଲା, ଆଉ ଅନ୍ୟାନ ଉନ୍ନତିମୂଳକ ଯୋଜନାର ଅନ୍ତର୍ଭୁକ୍ତ କରାଗଲା I ଏବେ କିନ୍ତୁ ବର୍ଷାଦିନେ ସେ ଗାଁରେ ଆଉ କିଛି ଅସୁବିଧା ନାହିଁ, ଆଉ ସେ କଲେକ୍ଟର ହିସାବରେ ନିଜ ଜିଲ୍ଲା ପାଇଁ ବହୁତ କିଛି କାମ କରିଚାଲିଛନ୍ତି I ହୁଏତ ଆହୁରି କେତେ ଗୋଲୁ ଆଉ ତା ବାପାବୋଉ ଟିକେ ବର୍ଷାଦିନେ ଆରାମରେ ରହିବେ I

 

BY: Trupti Paikaray


Rate this content
Log in

Similar oriya story from Inspirational