Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନାଲି ଗୋଲାପ
ନାଲି ଗୋଲାପ
★★★★★

© Bismita Sahoo

Inspirational Others Tragedy

6 Minutes   400    41


Content Ranking

କୃଷ୍ଣା ସିଧା କାନ୍ଦି କାନ୍ଦି ଘରକୁ ଏକାମୁହାଁ ହୋଇ ଛୁଟିଲା। ଆସି ଦେଖେ ତ ଘରେ ତାଲା ପଡ଼ିଛି। କଣ କରିବ ଭାବି ଭାବି ଘର ବାରଣ୍ଡାରେ ବସି ପଡ଼ିଲା। ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କଣ ଭାବୁଥିଲା କେଜାଣି।

କେତେବେଳେ ତା ଆଖି ଲାଗିଯାଇଛି ସେ ଜାଣିନି। କାହାର କୋମଳ ସ୍ପର୍ଶରେ ତା ନିଦ ଭାଙ୍ଗିଗଲା। ଦେଖେ ତ ମା ଅତି ସରାଗରେ ତା ମୁଣ୍ଡରେ ଆଙ୍ଗୁଠି ସଂଚାଳନ କରୁଛି। ବିଜୁଳି ଝଟକା ଖାଇଲା ପରି ଉଠିପଡ଼ି ମା'ର ହାତଟିକୁ ଛିଞ୍ଚାଡ଼ି ଦେଲା। ମା ତାର ହାବଭାବ ଦେଖି କିଛି ବୁଝିପାରିଲେନି। କୃଷ୍ଣା ତାଙ୍କୁ କିଛି ବୁଝେଇବାକୁ ଚାହୁଁ ନ ଥିଲା ମଧ୍ୟ। ତରତର ହୋଇ ରୋଷେଇ ଘରୁ କ୍ଷୀରି ଗିନାଟିଏ ଆଣି ମା ଚାମୁଚେ କୃଷ୍ଣା ପାଟିରେ ଦେଲେ। ସେ ଥୁ ଥୁ କରି ଫିଙ୍ଗିବାକୁ ଯାଉଥିଲା କିନ୍ତୁ କ୍ଷୀରିର ମହମହ ବାସ୍ନା ଓ ଅମୃତସମ ସ୍ୱାଦ ତାକୁ ସେପରି କରିବାକୁ ଦେଲାନି।

ମା'ର ହାତରନ୍ଧା ପ୍ରତ୍ୟେକଟି ଖାଦ୍ୟ କୃଷ୍ଣାକୁ ଭଲ ଲାଗେ। ସର୍ବୋପରି କ୍ଷୀରି। ଚାକିରୀ ସହିତ ଘରକାମରେ ସଦାବେଳେ ବ୍ୟସ୍ତ ରହୁଥିବାରୁ ମା' କୁ ସମୟ ମିଳେନି ତା ପସନ୍ଦ ଚିଜ କ୍ଷୀରି ବନେଇବା ପାଇଁ। କେବଳ ତା ଜନ୍ମଦିନ ଓ ମା-ବାପାଙ୍କ ବିବାହ ବାର୍ଷିକୀରେ ତାକୁ ଏହା ଖାଇବାକୁ ମିଳେ। ହେଲେ ଆଜି ତ ସେପରି କିଛି ବିଶେଷ ଦିନ ନ ଥିଲା, ତେବେ ମା କେଉଁ ଖୁସିରେ ଏ କ୍ଷୀରି ତିଆରି କରିଛି? ମା ତ ନିଜେ କୁହେ ତା ପାଇଁ କେବଳ ଏଇ ଦୁଇଟି ଦିନ ହିଁ ଅବିସ୍ମରଣୀୟ। ବାପାଙ୍କୁ ବିବାହ କରିବା ପରେ ତାର ପରିଚୟ ଝିଅରୁ ସ୍ତ୍ରୀରେ ବଦଳି ଥିଲା ଓ ସେ ଜନ୍ମ ହେବାପରେ ସ୍ତ୍ରୀରୁ ମା। ଦୁନିଆରେ ନାରୀ ବ୍ୟତିରେକ କାହା ଜୀବନରେ ବାରମ୍ବାର ପରିଚୟ ବଦଳେନି। ବାପା ନିଳିମା ଡାକିଲେ ମା ଯେତିକି ଖୁସି ନ ହୁଏ କୃଷ୍ଣାମା ଡାକିଲେ ବେଶୀ ଖୁସି ହୁଏ।

କୃଷ୍ଣାକୁ ଛାଡ଼ି ମା ଦଣ୍ଡେ ରହି ପାରନ୍ତିନି। ତାର ମନେଅଛି ଯେଉଁଦିନ ସେ ପ୍ରଥମକରି ସ୍କୁଲ ଯାଇଥିଲା ମା ସ୍କୁଲ ଗେଟ୍ ବାହାରେ ଅପଲକ ନୟନରେ ତା ଫେରନ୍ତାପଥକୁ ଚାହିଁ ରହିଥିଲା। ଆଖିରୁ ବହି ଚାଲିଥିଲା ଅଶ୍ରୁର ଝରଣା। ବାପା ଜବରଦସ୍ତି ମା ହାତ ଟାଣି ଟାଣି ଘରକୁ ଆଣିଥିଲେ। କୃଷ୍ଣାକୁ ଛାଡ଼ି ମା କ୍ଷଣଟିଏ ରହି ପାରନ୍ତିନି ବୋଲି ବାପା ଦିନେ ଅଭିମାନରେ କହିଥିଲେ କୃଷ୍ଣା ଜନ୍ମ ହେବା ପରଠାରୁ ମା ତାଙ୍କୁ ଆଗପରି ଆଉ ଭଲ ପାଉନାହାନ୍ତି। ତେଣୁ ମା'କୁ ଛାଡ଼ି ବାପା ଦୂରକୁ , ବହୁ ଦୂରକୁ ଚାଲିଯିବେ।ଯେଉଁଠାରୁ କେବେ କେହି ଫେରନ୍ତିନି। ମା ଏହିକଥା ଶୁଣି ବାପାଙ୍କ ଛାତିରେ ମୁଣ୍ଡ ରଖି ଖୁବ୍ କାନ୍ଦିଥିଲା। କହିଥିଲା ତୁମେ କି ଜାଣିବ ମା'ର ମନ କଥା। ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରିବା ପରେ ନିଜ ସନ୍ତାନ ସହିତ ମା'ର ଯେଉଁ ଅନାବିଳ ସମ୍ପର୍କ ଗଢ଼ି ଉଠିଥାଏ ତା ଆଗରେ ସାରା ଦୁନିଆ ବି ତୁଚ୍ଛ ଲାଗେ।ଆଉ ଏହି ସୁଖ ତ ବାପାଙ୍କ ପାଇଁ ମିଳିଛି। ତେଣୁ ଦୁନିଆରେ ଯଦି ସିଏ ସବୁଠାରୁ କାହାକୁ ବେଶୀ ଭଲପାଏ ତେବେ ସେ ହେଉଛନ୍ତି କୃଷ୍ଣାର ବାପା ଓ ତା'ପରେ କୃଷ୍ଣା। ଏକଥା ଶୁଣି ବାପା ଦୌଡ଼ିଯାଇ ବାଡିରୁ ସଜଫୁଟା ନାଲି ଗୋଲାପଟିଏ ଆଣି ମା'ର ଘନ କେଶରେ ଲଗେଇ ଦେଇଥିଲେ। ମା ଲାଜରେ ଏତେ ଝାଉଁଳି ଗଲାଯେ ତାକୁ ଲାଗୁଥିଲା ନାଲି ଗୋଲାପଟି ଯେମିତି ମା-ବାପାଙ୍କ ଭଲ ପାଇବା ଦେଖି ଖୁସିରେ ଆହୁରି ରଙ୍ଗୀନ ହେଇ ଉଠୁଛି।

ମା ସେ ଗୋଲାପଟିକୁ ତା ପଅରଦିନ ନ ଫିଙ୍ଗି ତା ଡାଇରୀରେ ସଯତ୍ନରେ ରଖିଥିଲା ଓ ତା ତଳେ ନାଲି, ନୀଳ ସ୍କେଚରେ ସୁନ୍ଦର ଭାବରେ ଲେଖିଥିଲା- କୃଷ୍ଣା ବାପା, କୃଷ୍ଣାମା'କୁ ଦେଇଥିବା ପ୍ରଥମ ପ୍ରୀତି ଉପହାର।

ମା ଏବେ ବି ସେ ଡାଇରୀ ଖୋଲି ଗୋଲାପ ଫୁଲଟିକୁ ଦେଖେ। ତା' ପାଖୁଡା ଗୁଡ଼ିକ ଶୁଖି ଫୁଲ ଦେହରୁ କେବେଠାରୁ ଅଲଗା ହେଇ ଗଲେଣି ହେଲେ ମା ଆଜିଯାଏ ବାପାଙ୍କୁ ଭୁଲି ପାରିନି।

ସେଦିନର କଥା ଏବେବି ତା ଆଖିରେ ଜଳ ଜଳ ହୋଇ ଦିଶୁଛି। ମା-ବାପାଙ୍କ ବିବାହ ବାର୍ଷିକୀ ଥାଏ। ବାପା ମା'କୁ ସରାଗରେ କୋଳରେ ତୋଳିଧରି ତା ମଥାରେ ଏକ ପ୍ରୀତିଚୁମ୍ବନ ଦେଇ କହିଲେ ଆଜି ନୂଆ ବୋହୁ ପରି ସଜେଇ ହେଇଥିବ। ପାଦରେ ଅଳତା, ମଥାରେ ନାଲି କୁଂକୁମ, ହାତରେ ନାଲି ଚୁଡ଼ି ଓ ଓଠରେ ମୋ ପ୍ରିୟ ନାଲି ଲିପଷ୍ଟିକ। ଠିକ୍ ଯେମିତି ପ୍ରଥମ ଥର ପାଇଁ ଏ ଘରେ ପାଦ ଥାପିଥିଲ। ହଁ ସେ ରୁଣୁଝୁଣୁ ପାଉଁଜି ଯେମିତି ପିନ୍ଧିବାକୁ ନ ଭୁଲିଯାଅ। ଆଜି ଝିଅକୁ ମା ପାଖେ ଛାଡ଼ିଦେଇ ଟିକେ ପାର୍କ ଆଡ଼କୁ ଯିବା। ଆମ ବିବାହ ବାର୍ଷିକୀକୁ ଧୁମଧାମରେ ପାଳନ କରିବା।

ମା ଲାଜେଇ ଯାଇ ରୋଷେଇ ଘରକୁ ଚାଲିଗଲା। ବାପା ଅଫିସରୁ ଜଲଦି ଆସିବେ ବୋଲି କଥା ଦେଇ ଗଲେ। ମା କାଜୁ, କିସମିସ, ବାଦାମ ପକେଇ କ୍ଷୀରି ବନେଇଲା। ତା ବାସ୍ନାରେ ଘରସାରା ଚହଟି ଯାଉଥାଏ। ମା ବାପାଙ୍କ କହିବା ମୁତାବକ ନୂଆବୋହୁ ସାଜି ଅପଲକ ନୟନରେ ବାପାଙ୍କ ଫେରିବା ପଥକୁ ଚାହିଁ ରହିଥିଲା। ଠିକ୍ ସମୟରେ କଲିଂ ବେଲ୍ ବାଜି ଉଠିଲା। ମା ହାତରେ କ୍ଷୀରି ଗିନା ଧରି ଦୌଡ଼ିଗଲା ବାପାଙ୍କୁ ଖୁଆଇବାକୁ।

କିନ୍ତୁ ସବୁ କିଛି ଓଲଟ ପାଲଟ ହେଇଯାଇଥିଲା। ବାପା ତ ଘରକୁ ଫେରିଥିଲେ କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ। ବିବାହବାର୍ଷିକୀରେ ମା'କୁ ତା ପ୍ରିୟ ନାଲି ଗୋଲାପଟିଏ ଉପହାର ଦେବେ ବୋଲି ଗାଡ଼ିରୁ ଓଲ୍ହାଇ ରାସ୍ତା ପାର ହେଉଥିବାବେଳେ ପଛରୁ ଟ୍ରକଟିଏ ଦାନବ ସାଜି ଧକ୍କା ଦେଇଥିଲା ବାପାଙ୍କୁ। ବାସ୍ ଘଟଣାସ୍ଥଳରେ ହିଁ ବାପାଙ୍କ ଜୀବନଦୀପ ଲିଭି ଯାଇଥିଲା।

ସେଦିନଠାରୁ ମା'ର ଗୋଲାପ ପ୍ରତି ଅତ୍ୟନ୍ତ ଘୃଣା। ଏପରିକି ସେ ବାଡ଼ିରେ ଗୋଲାପ ଗଛ ଲଗେଇଲେ ବି ମା ନିଜେ ତାକୁ ଉପାଡି ଫିଙ୍ଗିଦିଏ। ହେଲେ ରାତି ହେଲେ ସେ ଯେତେବେଳେ ଶୋଇ ପଡ଼ିବାର ଅଭିନୟ କରେ ମା ତା ଡାଇରୀ ଖୋଲି ବାପା ଦେଇଥିବା ଗୋଲାପ ଫୁଲ ଗୁଡିକର ପାଖୁଡା ଧରି ଖୁବ୍ କାନ୍ଦେ। ସକାଳ ହେଲେ ମା ଦେଖାଦିଏ ଭିନ୍ନ ରୂପରେ। ସୂର୍ଯ୍ୟସମ ତେଜୋବନ୍ତ ମନୁଷ୍ୟ। କୃଷ୍ଣାକୁ ସେ ମା କମ୍ ବେଶୀ ବେଶୀ ବାପା ପରି ଲାଗନ୍ତି। ନାକ କାନ୍ଦୁରୀ ମା ଯାଗାରେ ଏବେ ଜଣେ ଧେର୍ଯ୍ୟବାନ, ଦାୟିତ୍ୱବାନ ବ୍ୟକ୍ତି ଦେଖା ଦିଅନ୍ତି ଯାହାର ନିଜ ପରିବାରର ଖୁସି ହିଁ ପ୍ରଥମ କର୍ତ୍ତବ୍ୟ।

ବାପାଙ୍କ ଯିବା ପରେ ମା'ଙ୍କୁ ବାପାଙ୍କ ଅଫିସରେ ଚାକିରି ମିଳିଛି। ମା ଘରକାମ ସହିତ ଚାକିରି, ଜେଜିମା'ର ସେବା ଶୁଶ୍ରୁଷା, ତା'ର ପାଠପଢ଼ା କେଉଁଥିରେ ଅବହେଳା କରିନି। ଯନ୍ତ୍ରଚାଳିତ ରୋବଟ ପରି କେବେ ଥକିବା ବି ଦେଖିନି। ବାପା ଯିବାର ଦୀର୍ଘ ଦଶ ବର୍ଷ ବିତି ଗଲାଣି। କୃଷ୍ଣା ଏବେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ। ସେ ମନଦେଇ ପଢୁଛି। ତାର ଇଚ୍ଛା ସେ ପାଠ ପଢ଼ି ବଡ଼ ଚାକିରି ଟିଏ କରିବ ଏବଂ ମା ତାର ଟିକିଏ ଆରାମ କରିବ। ମା'ର ଖାଲି ହାତ ଓ ଖାଲି ମଥା ଦେଖିଦେଲେ ତା'ର ଛାତି ଭିତରଟା ଘାଣ୍ଟି ହେଇଯାଏ। ଦୁନିଆ କେତେ ଆଗକୁ ଗଲାଣି। ଆଜିକାଲି ଏସବୁ କିଏ ମାନୁଛି? ଜେଜିମା ମା'କୁ କେତେ ବାଧ୍ୟ କରିଥିଲା ତା ସାନଦାଦାଙ୍କୁ ବିବାହ କରିବା ପାଇଁ। ହେଲେ ମା ରାଜି ହେଲାନି। କହିଲା କୃଷ୍ଣା ବିନା ତାର କେହି ଦରକାର ନାହିଁ। ସାନଦାଦା ଗାଁରେ ଚାଷବାସ କରନ୍ତି। ସେ ବି ମା'କୁ ବହୁତ ବୁଝେଇଥିଲେ। ମା'ର ଜିଦ ଆଗରେ ହାରିଯାଇଥିଲେ। ସେଥିପାଇଁ ରାଗିକି ଆଜିଯାଏ ଏଠାକୁ କେବେ ଆସନ୍ତିନାହିଁ।

ମା ପାଇଁ କୃଷ୍ଣାର ଭଲ ପାଇବା ଯେତିକି ସମ୍ମାନ ତତୋଧିକ। ସାଇ ଲୋକମାନେ କଥା କଥାକେ ମା'ର ଉଦାହରଣ ଦିଅନ୍ତି। ସେ ନାରୀ ମାନଙ୍କ ଅଦର୍ଶ। ଆଉ ଆଜି ସେହି ଆଦର୍ଶ ନାରୀ--------

ଛିଃ---ତା ଦେହ ଭିତରଟା ଖାଲି ବିଷ ଚରି ଯାଉଛି। ଯେତେବେଳେ ବୟସ ଥିଲା ମା ବିବାହ କରିବାକୁ ମନା କରିଦେଲେ ଅଥଚ ଆଜି "ଭାଲେଣ୍ଟାଇନ ଡେ"ରେ ମା ନିଜ ସହକର୍ମୀ ଅମର ଅଙ୍କଲଙ୍କ ହାତ ଧରି ପାର୍କରେ ବୁଲୁଥିବାର ଦୃଶ୍ୟ ସେ ନିଜ ଆଖିରେ ଦେଖିଛି। ଖାଲି ସେତିକି ନୁହେଁ ଅମର ଅଙ୍କଲ ମା'ର ମଥାରେ ନାଲି ଗୋଲାପଟିଏ ବି ଲଗେଇଦେଇଥିଲେ। ସେ ନିଜ ଆଖିକୁ ବିଶ୍ୱାସ କରି ପାରୁନି। ତା ମା, ଯିଏ ନିଜ ଜୀବନକୁ ପରିବାର ପାଇଁ ତିଳ ତିଳ କରି ଜାଳି ଦେଇଛି ସେଇ ନାରୀ ମନ ଭିତରେ ଯେ ଏତେ କଥା ଅଛି ସେ ବୁଝିପାରିଲାନି କେମିତି? ଲୋକମାନେ କଣ କହିବେ? ଯାହାକୁ ସେମାନେ ମୁଣ୍ଡରେ ବସେଇଥିଲେ ତାର ଏ କାର୍ଯ୍ୟକଳାପ ଜାଣିଲେ କି ପ୍ରକାର ବ୍ୟବହାର ସେମାନେ କରିବେ? ମା ପାଇଁ ସେ ବାହାରେ ମୁହଁ ଦେଖାଇ ପାରିବତ?

ମୁଣ୍ଡ ତାର ଘିର ଘିର କରି ଘୁରୁଥିଲା। ଫ୍ରିଜରୁ ଥଣ୍ଡାପାଣି ଟିକିଏ ଆଣି ମୁହଁରେ ଛିଞ୍ଚିଲେ ଭଲ ଲାଗିବ ବୋଲି ସେ ରୋଷେଇ ଘରକୁ ପଶୁଛି ଦେଖିଲା ମା ଅମର ଅଙ୍କଲ ଦେଇଥିବା ନାଲି ଗୋଲାପଟିକୁ ହାତରେ ଧରି ନିଜ ଗାଲରେ ଲଗାଉଛି ଓ ମୁରୁକି ମୁରୁକି ହସୁଛି।

ହସିଲେ ମା'ର ଗାଲରେ ଏମିତି ଭଉଁରି ଟିଏ ଖେଳିଯାଏ ବୋଲି ସେ ପ୍ରଥମ କରି ଜାଣିଲା। ଦୀର୍ଘ ଦଶ ବର୍ଷ ପରେ ମା ତାର ଆଜି ପ୍ରଥମ କରି ହସୁଛି। ସେ ପ୍ରତିଦିନ କେତେ ଚେଷ୍ଟା ନ କରିଛି ମା'କୁ ହସେଇବା ପାଇଁ। ତା'କୁ ଟିକିଏ ଖୁସି କରିବା ପାଇଁ ଯେତେସବୁ ମଜା କଥା ଜାଣିଛି ମା'କୁ କୁହେ। ମା ତା'କଥା ଶୁଣି ହସନ୍ତି, କିନ୍ତୁ ସେ ହସରେ ନ ଥାଏ ସରାଗ। ହେଲେ ଆଜି ତା ମା ମୁହଁରେ ଯେଉଁ ହସ ଝଲକୁଛି ତାହା ସେହି ହସ ସହିତ ମେଳ ଖାଉଛି ଯେଉଁଦିନ ବାପା ମା'ର କେଶରେ ଗୋଲାପ ଫୁଲଟିଏ ଲଗେଇ ଦେଇଥିଲେ। ତେବେ ସେ କାହିଁକି ଦୁଃଖୀ ହେଉଛି? ସେ ତ ଚାହୁଁଥିଲା ମା ପୁଣି ପୂର୍ବପରି ହସନ୍ତୁ। ଖୁସିରେ ରୁହନ୍ତୁ। ସତରେ କଣ ମା ଖୁସି ହୁଅନ୍ତୁ ବୋଲି ସେ ଚାହୁଁଥିଲା ନା ଏହା ତାର ଛଳନା ଥିଲା? ତା ମାଙ୍କର କଣ ସବୁ ନାରୀ ମାନଙ୍କ ପରି ଖୁସିରେ ରହିବାର ଅଧିକାର ନାହିଁ? ଯଦି ସ୍ତ୍ରୀ ମରିବାର ଦଶ ଦିନ ନ୍ ହେଉଣୁ ସ୍ୱାମୀ ଅନ୍ୟତ୍ର ବିବାହ କରି ପାରୁଛି ତେବେ ସ୍ତ୍ରୀ ବିବାହରେ ଅସୁବିଧା କେଉଁଠି? ଜେଜିମା ଚାହିଁଥିଲେ ତା ମା ବିବାହ କରନ୍ତୁ କିନ୍ତୁ ସେ ଜାଣେ ତାଙ୍କ ଡର ଥିଲା ମା ଯଦି ଅନ୍ୟ କାହାକୁ ବାହା ହୋଇଯିବ ତେବେ ମାସକୁ ମାସ ଆସୁଥିବା ଦରମା ଟଙ୍କାଟା ହାତଛଡା ହେଇଥିବ। ତେଣୁ ତାଙ୍କ ଅଧା ପାଠୁଆ , ଗାଉଁଲି ପୁଅ ସାଙ୍ଗରେ ତାଙ୍କ ବୋହୂକୁ ବିବାହ କରିଦେଲେ ଦରମା ଟଙ୍କାଟା ଘରେ ରହିଯିବ ଓ ବୋହୂର ଅନ୍ୟତ୍ର ବିବାହକୁ ନେଇ ଭୟ ନ ଥିବ।

ସେ ବି ତା ଜେଜିମା'ର ଅବିକଳ ରୂପ ନୁହେଁ କି? ଯଦି ନା-------

ତେବେ ତା ଖୁସି ପାଇଁ ନିଜକୁ ସଳିତା ପରି ନିଃଶେଷ କରି ଦେଉଥିବା ମା'ଙ୍କ ମୁହଁରେ ଚେନାଏ ହସ ଦେବାରେ ସେ ଏତେ କୁଣ୍ଠିତ କଣ ପାଇଁ? କଣ ମା'ଙ୍କର

ସ୍ୱଚ୍ଛନ୍ଦରେ ଚଳିବାର ଅଧିକାର ନାହିଁ? ସେ ଏତେ ପାଠଶାଠ ପଢ଼ି ଏପରି ସଂକୀର୍ଣ୍ଣ ଚିନ୍ତାଧାରାର ବଶବର୍ତ୍ତୀ ହେଲା କେମିତି? ଅମର ଅଙ୍କଲ ମା'ଙ୍କୁ ଗୋଲାପ ଫୁଲ ଦେବାର ଦୃଶ୍ୟ ତାଙ୍କୁ ବିଚଳିତ କରିଲା କିପରି? ଆଜିଯାଏ ମା ତାଙ୍କ କର୍ତ୍ତବ୍ୟରେ କେବେବି ଅବହେଳା କରିନାହାନ୍ତି। ନିଜେ ବାପା-ମା ଦୁହିଁଙ୍କ କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦନା କରୁଛନ୍ତି ତେବେ ତାର କଣ ଝିଅ ହିସାବରେ କିଛି କର୍ତ୍ତବ୍ୟ ନାହିଁ?

ନା-----ସେ ବି ଝିଅର କର୍ତ୍ତବ୍ୟ କରିବ।

ଅବ୍ୟବହାର୍ଯ୍ୟ ହୋଇ ପଡ଼ି ରହିଥିବା ଟ୍ରଙ୍କ ଟି କୃଷ୍ଣା ଖଟ ତଳୁ ଟାଣି ଆଣିଲା। ତା ଭିତରୁ ଦି ପଟ ନାଲି ଶଙ୍ଖା ଆଣି ମା'ଙ୍କ ହାତରେ ପିନ୍ଧେଇ ଦେଇ କହିଲା ମା ଏବେ ତୋ ହାତ ଦୁଇଟି ଖୁବ୍ ସୁନ୍ଦର ଦେଖାଯାଉଛି। ତୋ ଜୀବନ ତୋର। ତୁ ଯାହାକୁ ବିବାହ କରିବାକୁ ଚାହୁଁଛୁ କର ମୋର କୌଣସି ଆପତ୍ତି ନାହିଁ। ତୋ ଖୁସିରେ ମୋ ଖୁସି। ଏହା କହି ସେ ମା'କୁ କୁଣ୍ଢେଇ ଧରିଲା। ମାଙ୍କ ଆଖିରୁ ଝରି ପଡ଼ିଲା ଗରମ ଗରମ ଲୁହ ଦୁଇ ବୁନ୍ଦା ଯାହା ପଶିଗଲା କୃଷ୍ଣାର ପାଟି ଭିତରକୁ। କୃଷ୍ଣା ଅମୃତବୁନ୍ଦା ପରି ଶୋଷିନେଲା ସିଧା ତା ହୃଦୟ ଭିତରକୁ।

(ବିସ୍ମିତା ରାଣୀ ସାହୁ)

ମାର୍ଫତ-ସଞ୍ଜୟ କୁମାର ସାହୁ

ମଦନ ମୋହନ ପଡ଼ା

ତାଲା ଚିନ୍ତାଧାରା କ୍ଷୀରି

Rate the content


Originality
Flow
Language
Cover design

Comments

Post

Some text some message..