Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବର୍ଷା ଏକ ଅଲିଅଳି ରାଜକୁମାରୀ
ବର୍ଷା ଏକ ଅଲିଅଳି ରାଜକୁମାରୀ
★★★★★

© Padmalaya Mishra

Inspirational

3 Minutes   7.3K    14


Content Ranking

ବାହାଘରର ସାତବର୍ଷ କୋଳ ଶୂନ୍ୟ। କେତେ କଥା ନଶୁଣିଚି ରାଧିକା...ଆଣ୍ଠୁକୁଡି, ଅଲକ୍ଷଣୀ ଇତ୍ୟାଦି ଇତ୍ୟାଦି। ତଥାପି କାହାକୁ ପଦେ ଓଲଟା ଜବାବ ଦେଇନି। ଖାଲି ଯାହା ନିଜ ଭାଗ୍ୟକୁ ନିନ୍ଦିଚି ଆଉ ଭଗବାନଙ୍କ ଉପରେ ଅଭିମାନ କରିଛି। ଯେତେବେଳେ ରାକେଶଙ୍କ ଆଗରେ କାନ୍ଦିଚି ସେ ସାନ୍ତ୍ଵନା ଦେଇଛନ୍ତି ସବୁ ଠିକ୍ ହେଇଯିବ ବୋଲି।

କେତେ ହୋମିଓପ୍ୟାଥିକ, ଆୟୁର୍ବେଦ, ତାବିଜ, ତୋଟକା, ଝଡାଫୁଙ୍କ ସବୁ ସରିଗଲାଣି। ସରକାରୀ ଡାକ୍ତରଙ୍କଠୁ ପ୍ରାଇଭେଟ୍ କ୍ଲିନିକ୍ ସବୁଠି ଟଙ୍କା ଖର୍ଚ୍ଚ ସରିଲାଣି ହେଲେ ଫଳ ଶୂନ।

ଅନେକ ଚିକିତ୍ସା ପରେ ଟାଙ୍ଗରା ଭୂଇଁରେ ଦୁବ କଅଁଳିବା ସମ୍ଭାବନା ଦେଖାଦେଲା। କନଫର୍ମ ହୋଇଛି ଯେ ରାଧିକା ପ୍ରେଗନାଣ୍ଟ।

ନ’ମାସର ଯତ୍ନ ଓ ପ୍ରତୀକ୍ଷାର ଅନ୍ତ ଘଟାଇ କୋଳପୂର୍ଣ କରି ଆସିଲା କନ୍ୟା ରତ୍ନଟିଏ। ସେ ବର୍ଷ ମୌସୁମୀ ଡେରିରେ ଆସିଲା। ଅସହ୍ୟ ଗରମରୁ ସଭିଙ୍କୁ ରକ୍ଷା କଲା। ଆକାଶରେ ଘଡଘଡି ବିଜୁଳି ମାରୁଥିଲା। ଲାଗୁଥିଲା କନ୍ୟାର ଜନ୍ମ ପାଇଁ ବାଣ ଫୁଟୁଛି, ଆକାଶ ବି ଖୁସିରେ ବର୍ଷା ରୂପୀ ପୁଷ୍ପ ବୃଷ୍ଟି କରୁଛି। ତେଣୁ ନା ରଖାଗଲା ବର୍ଷା ।

ଘରେ ସମସ୍ତଙ୍କ ଗେଲ୍ହୀ ଅଲିଅଳି ରାଜକୁମାରୀ ବର୍ଷା। ଆକାଶର ବର୍ଷା ଆଉ ତା’ ଭିତରେ ଅନେକ ସାମଞ୍ଜସ୍ୟ । କେବେ ଶାନ୍ତ ଝିପିଝିପି ବର୍ଷା ପରି ଧୀରେ ଧୀରେ ନିଜ କାମରେ ମନ ଦେଇଥିବ ତ କେବେ କାହା କଥା ନଶୁଣି ଅମାନିଆ ଝଡ଼ ପରି ଘର ଉଠେଇ ପକେଇ ସମସ୍ତ ଜିନିଷ ଫୋପଡା ଫିଙ୍ଗା କରିଦବ। କେବେ ପୁଣି କାଳବୈଶାଖୀ ପରି ଅଚାନକ ଫାଟି ପଡେ।

ଏବେ ବର୍ଷା ପୂର୍ଣ୍ଣ ଯୌବନା। ଶରୀରର ପ୍ରତ୍ୟେକ ଅଙ୍ଗ ନିଖୁଣ। ଯିଏ ଦେଖିବ ନିଶ୍ଚୟ ଲୋଭେଇବ। ରାଧିକା ଏବେ ବର୍ଷା ପ୍ରତି ପୁରା ଦୃଷ୍ଟି ରଖିଛନ୍ତି। ଆଜିକାଲି ଯୁଗକୁ ଝିଅ ପିଲା ଘରେ ବାହାରେ ସବୁଠି ଜଗି ରଖି ଚଳିବାକୁ ହେବ। ରାଧିକା ଆଖିକୁ ଆଉ ପ୍ରାୟ ନିଦ ନଥାଏ।

କଲେଜ ଗଲେ କି ଗୀତ ଶିଖିବାକୁ ଗଲେ ଘରେ ରାଧିକା ମନ ଅସ୍ଥିର ରୁହେ। ଯେତେ ଯିଏ ବୁଝାନ୍ତି ଯେ ବର୍ଷା ଆଜିକାଲିକା ଝିଅ। ସବୁ ପରିସ୍ଥିତିକୁ ସେ ଆରାମରେ ହାଣ୍ଡେଲ୍‌ କରି ପାରିବ, ବେଶି ଟେନସନ୍ ନେ ନା.... କିନ୍ତୁ ମା' ମନ ତ ସବୁବେଳେ ଚିନ୍ତା।

ଆଜି ବହୁତ ଦିନ ପରେ ମା’ -ଝିଅ ଏକାଠି ବାହାରକୁ ଯାଇଛନ୍ତି। ଘରର ଅନ୍ୟମାନେ ଆଉ ଏକ ସହରକୁ ଯାଇଛନ୍ତି ବିବାହ ଭୋଜିରେ ଯୋଗ ଦେବାକୁ, ବର୍ଷାର କଲେଜ ଥିଲା ତେଣୁ ମା’-ଝିଅ ଘରେ ରହିଲେ। ସନ୍ଧ୍ୟାରେ ଘରେ ବସି ବୋର୍ ନହେଇ ଏକାଠି ବଜାର ବୁଲି ଯିବାକୁ ସ୍ଥିର କଲେ।

ବିଭିନ୍ନ ଦୋକାନ ବୁଲି ମନ ପସନ୍ଦର ଜିନିଷ କିଣି ହୋଟେଲରେ ଖାଇ ଆଜି ଉଭୟ ଖୁସିରେ ଥିଲେ। ରାତି ପ୍ରାୟ ଆଠଟା ହେଇଗଲାଣି ଘରକୁ ଫେରିବା ବେଳକୁ ହଠାତ ପବନ ଘଡଘଡି ହୋଇ ମେଘ ମାଡି ଆସିଲା। ଅଳ୍ପ ସମୟରେ ଗହଳି ବଜାର ଖାଲି ଲାଗିଲା। ଯିଏ ଯୋଉଠି ଆଶ୍ରୟ ଖୋଜି ନେଲେ। ରାଧିକା ଓ ବର୍ଷା ବି ସେଇ ହୋଟେଲର ରିସେପସନରେ ବସି ରହି ବର୍ଷା ଛାଡିବାକୁ ଅପେକ୍ଷା କଲେ।

ପାଖାପାଖି ଦୁଇ ଘଣ୍ଟା ଆକାଶ ଅଶାନ୍ତ ରହିବା ପରେ ବର୍ଷା ଛାଡିଲା। ଘଡଘଡି ବିଜୁଳି କିନ୍ତୁ ମାରୁଥାଏ। ହୋଟେଲରୁ ବାହାରି ଅଟୋ ଟାକ୍ସି ପାଇଁ ରାସ୍ତାରେ ପୁଣି କୋଡିଏ ପଚିଶ ମିନିଟ ଅପେକ୍ଷା କଲେ। ହେଲେ କିଛି ବି ମିଳିଲାନି। ସେଠାରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଘର। ତେଣୁ ମା’-ଝିଅ ଚାଲିବା ଆରମ୍ଭ କଲେ।

ଅବଶ୍ୟ ଏଇ ରାସ୍ତା ଚିର ପରିଚିତ। କିନ୍ତୁ ରାଧିକା ଆଜି ଡରୁଥାନ୍ତି। ଡର ଥାଏ ବର୍ଷା ପାଇଁ। ଏ ଶୂନଶାନ୍ ସଡକ କଳା ମଚମଚ ରାତି। ସାଥିରେ ବଢିଲା ଝିଅ। କିଛି ଉଚ୍ଚବାଚ ହେଲେ ସେ କ'ଣ କରିବେ। ପବନ ଯୋଗୁଁ ଗଛର ଶବ୍ଦ ଓ ଘଡଘଡି ବିଜୁଳି ଚମକେଇ ଦଉଥାଏ। ମନେମନେ ତେତିଶ କୋଟି ଦେବାଦେବୀଙ୍କୁ ସ୍ମରଣ କରି ଚାଲିଥାନ୍ତି।

ଆଉ ମାତ୍ର ଅଧ କିଲୋମିଟର ଅଛି ଘରେ ପହଞ୍ଚିବାକୁ। ଏକ ଝିଅ ପିଲାର ବିକଳ ଚିତ୍କାର ବଞ୍ଚାଅ.... । ଡରିଗଲେ ରାଧିକା। ବର୍ଷା ହାତକୁ ଯୋରରେ ଟାଣି ଚାଲିବାର ବେଗ ବଢାଇଲେ। ବର୍ଷା ଜାଣିପାରିଲା ମା’ ମନର କଥା।

ମା’ ସେ ଝିଅ ଯାଗାରେ ଯଦି ମୁଁ ଥାନ୍ତି, ତମେ କ’ଣ ଏମିତି ପଳେଇ ଯାଇ ପାରିଥାନ୍ତ ....

ତୁ ଚୁପଚାପ ଜଲିଦି ଚାଲ।

ନା ମା' ରୁହ।

ଦଉଡି ଗଲା ବର୍ଷା ଶବ୍ଦକୁ ଅନୁସରଣ କରି। ତା ପଛରେ ଦଉଡୁ ଥାନ୍ତି ରାଧିକା... ରହିଯା’ ବର୍ଷା...

ଟିକିଏ ଅନ୍ଧାରୁଆ ଯାଗାରେ ଗୋଟେ ଚଉଦ ପନ୍ଦର ବର୍ଷ ଝିଅକୁ ମାଡି ବସିଛନ୍ତି ତିନି ଜୁଆନ ପୁଅ। ହଲି ପାରୁ ନଥାଏ ବିଚାରି ଝିଅ।

ବର୍ଷା ଝପଟି ପଡିଲା ସେମାନଙ୍କ ଉପରକୁ। ଜଣଙ୍କୁ ଜଣଙ୍କୁ ଏମିତି ପିଟିଲା ଯେ, ସେମାନେ ଯାହା ଝିଅ ପିଲା ଭାବି ହାଲୁକା ନେଇଥିଲେ, ଛତ୍ରଭଙ୍ଗ ଦେଲେ। ଆକାଶରୁ ବର୍ଷାର ତାଣ୍ଡବ ସରିଗଲା ପରେ ଭୂମି ଉପରେ ବର୍ଷାର ତାଣ୍ଡବ ଦେଖି ରାଧିକା ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି।

ମା’ ଚାଲେ.... । ପ୍ରକୃତିସ୍ଥ ହେଲେ ରାଧିକା।

ଚାଲେ ଆଗ ମିଲିକୁ ତା ଘରେ ଛାଡିଦବା ତାପରେ ଆମ ଘରକୁ ଯିବା।

ବାଟରେ ମିଲିକୁ ବର୍ଷା ବୁଝଉଥାଏ। ସେ ଯୁଗ ଗଲା। ଆମେ ଅବଳା ହେଲେ କ’ଣ ଚଳିବ ? ତୁମେ ଡେଲି ଟିଉସନ୍ ଯାଉଛ। ସବୁବେଳେ କିଏ କ’ଣ ମିଳିବ ରକ୍ଷା କରିବା ପାଇଁ। ନିଜକୁ ଷ୍ଟ୍ରଙ୍ଗ କର।

ମିଲିକୁ ତା ଘରେ ଛାଡି ରାଧିକା ଓ ବର୍ଷା ନିଜ ଘରେ ପହଞ୍ଚିଲେ। ରାଧିକା କ’ଣ ଘଟିଗଲା ରାସ୍ତାରେ ଭାବୁଥାଏ।

ମା’.... ବର୍ଷାର ସ୍ନେହ ବୋଳା ଡାକରେ ରାଧିକା ପ୍ରକୃତିସ୍ଥ ହେଲେ।

ମା’... ତୁମେ ବ୍ୟସ୍ତ ହୁଅନି। ତୁମ ବର୍ଷା ସବୁ ସମ୍ଭାଳି ପାରିବ.... ।

ରାଧିକା ଭାବୁଥାଏ ଆଜିର ଏ ବର୍ଷା ପ୍ରିୟଙ୍କରୀ ଥିଲା ନା କ’ଣ....

ପଦ୍ମାଳୟା ମିଶ୍ର

ରାଧିକା ବର୍ଷା ମିଲି

Rate the content


Originality
Flow
Language
Cover design

Comments

Post

Some text some message..