ଆଜିର ଝିଣ୍ଟିକା ,ପିମ୍ପୁଡ଼ି କାହାଣୀ
ଆଜିର ଝିଣ୍ଟିକା ,ପିମ୍ପୁଡ଼ି କାହାଣୀ
ସକାଳର କଅଁଳ ଖରା ଚାରିଆଡେ ବିଛାଡି ହୋଇପଡିଥିଲା।
ଘାସ ଗାଲିଚାରେ କାକର ବିନ୍ଦୁ ଚମକୁଥିଲା ମୋତି ଭଳି। ପବନରେ ମୁଣ୍ଡ ହଲାଇ ନାଚୁଥାନ୍ତି ଫୁଲମାନେ।
ଝିଣ୍ଟିକାଟିଏ ଗୀତ ଗାଇ ଗାଇ ଖେଳୁଥିଲା। ପାଖରେ ଧାଡି ବାନ୍ଧି କାମରେ ବ୍ୟସ୍ତଥିବା ପିମ୍ପୁଡିମାନଙ୍କୁ ଦେଖି ହସି ହସି କହିଲା,"ଆରେ, ଏତେ ସୁନ୍ଦର ପାଗରେ ତମେ ମାନେ ନଖେଳି ମୁର୍ଖଙ୍କ ପରି କାମ କରୁଛ ?"
ପିମ୍ପୁଡ଼ି ଦଳର ରାଣୀ ସାମ୍ନାକୁ ଆସି କହିଲା,"ଏଇ ଅଳସୁଆ ଝିଣ୍ଟିକାର କାହାଣୀ ତମେ ମାନେ ଜାଣିଛ। ଆଗକୁ ବର୍ଷାଦିନ ଆସୁଛି। ଏବେଠୁ ଖାଦ୍ୟ ନସଞ୍ଚିଲେ, ଝିଣ୍ଟିକା ପରି ଅନାହାରରେ ମରିବାକୁ ପଡିବ।"
ହସୁଥିଲା ଝିଣ୍ଟିକା । ତା ହାତରେ ଥିଲା ଏକ କାର୍ଡ ।
ପୁଣି ମାତିଲା ସେ ଖେଳରେ ।
କିଛିଦିନ ପରେ ଆସିଗଲା ବର୍ଷା । ଚାରିଆଡେ ପାଣି । ପିମ୍ପୁଡ଼ିମାନେ ନିଜେ ଆଗରୁ ସଞ୍ଚିଥିବା ଖାଦ୍ୟ ଖାଇ ଆରାମ କରି ,ଅନାଇଥିଲେ ଝିଣ୍ଟିକାକୁ । ସମସ୍ତେ ଚିନ୍ତାକରୁ ଥିଲେ ଝିଣ୍ଟିକା କଣ କରିବ ? କେମିତି ବଞ୍ଚିବ ? ଅଳସୁଆ ଝିଣ୍ଟିକା ନିଶ୍ଚୟ ମରିବ ଏଥର ।
ହାଠାତ୍ ଅଟକିଲା ଏକ ସରକାରୀ ରିଲିଫ ଡଙ୍ଗା । ଝିଣ୍ଟିକା ନିଜ ହାତରେ ଥିବା କାର୍ଡ ଦେଖାଇଲା ସରକାରୀ ବାବୁଙ୍କୁ ।
ଯତ୍ନରେ ସେମାନେ ଡଙ୍ଗା ଉପରକୁ ଝିଣ୍ଟିକାକୁ ଉଠାଇଲେ ଓ ରିଲିଫ ସେଣ୍ଟରରେ ଛାଡିଦେଲେ । ଝିଣ୍ଟିକାକୁ ମିଳିଲା ବସ୍ତା ଭର୍ତ୍ତି ଶୁଖିଲା ଖାଦ୍ୟସାମଗ୍ରୀ ,ଗରମ ପୋଷାକ,ପିଇବା ପାଣି,ରନ୍ଧା ଖାଦ୍ୟ ସହିତ ନୂଆ ପକ୍କା ଘର ଓ ଟଙ୍କା । ସବୁ ରିଲିଫ ସାମଗ୍ରୀ ବିଲକୁଲ ମାଗଣାରେ ।
ମନ ଆନନ୍ଦରେ ପୁଣି ଖେଳିଲା ଝିଣ୍ଟିକା।
ଦୂରରେ ଥାଇ ପିମ୍ପୁଡ଼ିମାନେ ରାଣୀ ପିମ୍ପୁଡିକୁ ପଚାରିଲେ,"ଅଳସୁଆ ଝିଣ୍ଟିକା ତ କାମ ନକରି ଏବେ ମଜାରେ ରହିଲା। ତା ହାତରେ ଥିବା ସେ କାର୍ଡଟା କଣ ଯାହା ଆମ ପାଖରେ ନାହିଁ ?
ଦୀର୍ଘ ନିଶ୍ଵାସ ଛାଡି ରାଣୀ ପିମ୍ପୁଡ଼ି କହିଲା, "ଆମେ ପରା ଖଟିଖିଆ ମଧ୍ୟବିତ୍ତ ପ୍ରାଣୀ । ଆମ ପାଇଁ କିଛି ସରକାରୀ ସୁବିଧା ନାହିଁ । ଅଳସୁଆ ଝିଣ୍ଟିକା ପରି ଜୀଵଙ୍କ ପାଖରେ ଅଛି ଆଜି'ର ବ୍ରହ୍ମାସ୍ତ୍ର " ବି ପି ଏଲ କାର୍ଡ "।
ଅରବିନ୍ଦ ଦାସ