Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପଦକ ଜିତିଲା ପରେ
ପଦକ ଜିତିଲା ପରେ
★★★★★

© Aravinda Das

Inspirational Others

4 Minutes   7.4K    19


Content Ranking

ଖବରଟାକୁ ଜମା ବିଶ୍ଵାସ କରିପାରୁ ନଥିଲା ଶାନ୍ତି। ମାତ୍ର ୪୮ ଘାଣ୍ଟା ଭିତରେ ତା’ ଜୀବନ ଯେମିତି ୟୁ ଟର୍ନ ନେଉଥିଲା । କିଛି ଘଣ୍ଟା ତଳ କଥା ମନେ ପକାଉଥିଲା ଶାନ୍ତି।

" ଏୟାରପୋର୍ଟରେ ଆମ ଏନଗେଜମେଣ୍ଟ ସେରିମନି କରି ସମସ୍ତଙ୍କୁ ସରପ୍ରାଇଜ ଦେବା । କଣ କହୁଛ ?ଆମ ବାହାଘର ପରେ ବି ତମେ ଖେଳ କ୍ୟାରିଅର ଜାରି ରଖିପାରିବ । ମୋର ଆପତ୍ତି ନାହିଁ । ତମେ ତ ଏବେ ଷ୍ଟାର । ଦୁଇ କୋଟି ପୁରସ୍କାର ଘୋଷଣା ହୋଇଛି । ଆଗକୁ ଆହୁରି ମିଳିବ । କଳିଙ୍ଗ ଷ୍ଟାଡିଅମ ପାଖରେ ଫୋର ରୁମ ଡିଲକ୍ସ ଫ୍ଲାଟଟେ ବୁକ୍ କରିଦେବା । ତମକୁ ପ୍ରାକ୍ଟିସ୍ ପାଇଁ ସୁବିଧା ହେବ। "

ଫୋନ୍ ରେ ଗୌରବଙ୍କ କଥା ଶୁଣି,ଶାନ୍ତି ଯେତିକି ଆଶ୍ଚର୍ଯ୍ୟ ନହେଲା ତାଠାରୁ ଅଧିକ ଆମୋଦିତ ହେଉଥିଲା।

ଚମତ୍କାର ସମସ୍ତଙ୍କ ଜୀବନରେ ହୁଏ । ତେବେ କେତେବେଳେ ହେବ,କେମିତି ହେବ ତାହାର ଆଗୁଆ ଅନୁମାନ କେହି କରିପାରନ୍ତି ନାହିଁ।

ଏତେ ବଡ଼ ଖେଳରେ, ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିଲା ପରେ ଶାନ୍ତି ପାଇଁ ଯେମିତି ଚମତ୍କାରର ସୁନାମୀ ଆସିଯାଇଥିଲା । ତାକୁ ଖେଳ ଛାଡ଼ିବା ପାଇଁ କହୁଥିବା ବନ୍ଧୁ ଗୌରବ, ଆଜି ବାହାଘର ପାଇଁ ନିଜ ଆଡୁ ପ୍ରସ୍ତାବ ଦେଉଛି । ସ୍ଵାର୍ଥପର କେଉଁଠିକାର।

"ଗୌରବ,ମୁଁ ଭାବୁଛି ଏବେ ଆଉ ଦୁଇଟା ଅଲମ୍ପିକ ପାଇଁ ଚେଷ୍ଟା କରିବି ।ତେଣୁ ଆଉ ଆଠ ବର୍ଷ ପର୍ଯ୍ୟନ୍ତ ବାହାହେବିନି । ତମେ ତ ଜାଣ ,ଆମ ଘର ଦାୟିତ୍ଵ ବି ମୋ ଉପରେ । ତେଣୁ ଆମେ ଭଲ ସାଙ୍ଗ ହୋଇ ରହିବା।"

ଆରପଟୁ ଅନୁରୋଧ କରୁଥିଲା ଗୌରବ।

ବାପାଙ୍କ ଫୋନ୍ , "ଗାଁ ବାଲା ଆସି ଜିଦି ଲଗାଇଛନ୍ତି,ଠାକୁରାଣୀ ମନ୍ଦିରଟାକୁ ପକ୍କା କରିଦେବା ପାଇଁ ଓ ମା'ଙ୍କ ପାଇଁ ....ହେଇ ନେ,ନଟ ନନାଙ୍କ ସହ ଟିକେ କଥା ହୋଇଯା’।"

ଗଳା ଖଙ୍କାରି ନଟ ନନା ଆରମ୍ଭ କଲେ, "ମା,ଶାନ୍ତି, ଆମ ଗାଁ ନାଁ ଜାଣି ତୁ ରଖିଲୁ । ସମସ୍ତେ ଭାରି ଖୁସି । ତୁ ପଦକ ଜିତିବୁ ବୋଲି ପରା ଅଷ୍ଟପ୍ରହରୀ, ମାର୍ଜନା କରାହୋଇଥିଲା । ସବୁ ସେଇ ମାଆଙ୍କ କରୁଣା । ତେଣୁ ତୁ କିଛି ସୁନା ଅଳଙ୍କାର ମା'ଙ୍କ ପାଇଁ ଗଢେଇ ଦେବୁ । ମନ୍ଦିରଟା ବି ତୋଳେଇ ଦେବା ।ଟଙ୍କା କିଛି ଲକ୍ଷ ଖର୍ଚ୍ଚ ହେବ । ତୁ କଣ ଆଗ ଶାନ୍ତି ହୋଇ ରହିଛୁ ? ଏବେ କୋଟିପତି । ଆଗକୁ ପୁଣି ଅଲମ୍ପିକ ଆସୁଛି।"

ଟିକିଏ ହସିଦେଇ ଶାନ୍ତି କହିଲା, "ପୂର୍ବ ଅଲମ୍ପିକ ଓ ଅନ୍ୟ ଖେଳରେ ଭାଗ ନେଲାବେଳେ ଏ ପୂଜା ଆଗରୁ କାହିଁକି କରିନଥିଲେ ନନା ?ଆଜି ପଦକ ଜିତିଲା ପରେ ଟିଭି କ୍ୟାମେରାକୁ ଦେଖାଇ ଏ ପୂଜା !! ଆଜି ହାଠାତ୍ ମୁଁ ଓ ଆମ ଘର ଲୋକ କେମିତି ମାନେ ପଡିଲୁ ?ଆମକୁ ପରା ମନ୍ଦିର ଭିତରକୁ ପ୍ରବେଶ ନିଷେଧ । ଆମ ଛୋଟ ଜାତିଙ୍କ ଦାନରେ କଣ ମନ୍ଦିର ଓ ଅଳଙ୍କାର ତିଆରି ହେବ ?"

"ଛି ମା,ସେଇ ପୁରୁଣା କଥାକୁ ଧରି ବସିଛୁ ?ନୂଆ ମନ୍ଦିରରେ ଏସବୁ କିଛି ରହିବ ନାହିଁ।"

ଫୋନ୍ କାଟିଦେଲା ଶାନ୍ତି । ଏସବୁ ସୁବିଧାବାଦୀ ଲୋକଙ୍କ ଛଳନାର ଚକ୍ରବ୍ୟୁହ । ସମ୍ପଦେ ସଭିଏଁ ସଖା । ସେ ଭଲ ଭାବେ ଚିହ୍ନି ସାରିଛି ଦୁନିଆକୁ । ଅଧା ପେଟ ଖାଇ,ଭଙ୍ଗା ଚାଳ ଘରର କଣା ଛପର ଭିତରୁ ଆକାଶ ଓ ତାରାଙ୍କୁ ରାତିରେ ଶୋଇଲା ବେଳେ ଦେଖି କେତେ ସ୍ଵପ୍ନ ଦେଖିଛି ସେ ?କେତେ ଲୁହ ଝରାଇଛି ?କାହିଁ ସେତେବେଳ ତ ଆହା କହିବାପାଇଁ କେହି ଆସୁନଥିଲେ।

ଦାରିଦ୍ରତା ଓ ଜୀବନ ସଂଘର୍ଷ ବୋଧେ ସବୁଠୁ ବଡ଼ ଅଭ୍ୟାସର ଖୋରାକ ତା ଭଳି ଖେଳାଳୀ ପାଇଁ।

ସାନ ଭଉଣୀ ଫୋନ୍ ରେ କହୁଥିଲା, "ଅପା ,ଜାଣିଛୁ ?ଟିଭି ବାଲା ଆସି ଆମ ଘରେ ଲାଇନ ଲଗାଇଛନ୍ତି । ବାପା,ବୋଉ ଓ ଆମର ଇଣ୍ଟରଭିଉ ନେଇଛନ୍ତି । ଆମ ପକ୍କା ଖଞ୍ଜା,ଟିଭି ,ମଟରସାଇକେଲ ଇତ୍ୟାଦି ସୁଟିଂ ନକରି କେବଳ ଚାଳ ଖଞ୍ଜା ଓ ଗୁହାଳ ଘରର ସୁଟିଂ କରିଛନ୍ତି । ଆମ ସମସ୍ତଙ୍କୁ ପୁରୁଣା ଲୁଗା ପିନ୍ଧିବାକୁ କହିଲେ । ବାପା ତ କେବଳ ଲୁଙ୍ଗି ପିନ୍ଧିଥିଲେ । ହେଲେ ମୁଁ ଭଲ ଡ୍ରେସ ପିନ୍ଧିଲି । ସେମାନେ କହୁଛନ୍ତି, ଯେତେ ଅଧିକା ଗରିବୀ ଦେଖାଇବ,ପୁରସ୍କାର ଟଙ୍କା ସେତେ ଅଧିକ ମିଳିବ । ସମସ୍ତେ ବାପା,ବୋଉଙ୍କୁ ପଚାରୁଛନ୍ତି ଝିଅର ପୁରସ୍କାର ଟଙ୍କା କେମିତି ଖର୍ଚ୍ଚ କରିବ । ମୁଁ ବୁଝି ପାରୁନି ଅପା,ଆମ ଗରିବୀ ,କଷ୍ଟ ଦେଖାଇ ଏ ଟିଭି ବାଲାଙ୍କୁ କଣ ମିଳିବ ?

"ରିଏଲିଟି ଶୋ ଭଳି, ସେମାନଙ୍କୁ ଟି ଆର ପି ଦରକାର । ଛାଡ଼ ସେସବୁ । ତୋ ପାଇଁ କଣ ନେବି କହିଲୁ।"

ପ୍ରଶଂସାର ସୁଅ ଛୁଟିଥିଲା ଶାନ୍ତି ପାଇଁ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ,ଅଜଣା ଲୋକଙ୍କ ପର୍ଯ୍ୟନ୍ତ।

" ମିସ୍ ଶାନ୍ତି,ଆପଣ ଆମ କମ୍ପାନୀ "ଗୋରୀ ଓ ସୁନ୍ଦରୀ" ଫେସ୍ କ୍ରିମ୍ ର ବ୍ରାଣ୍ଡ ଆମ୍ବାସାଡ଼ାର ବନିବେ । ପାଞ୍ଚ ବର୍ଷର କଂଟ୍ରାକ୍ଟ । ବିଜ୍ଞାପନରେ ଆପଣ ଏତିକି କହିବେ ଯେ,ଆମ କମ୍ପାନୀର ଫେସ୍ କ୍ରିମ୍ ଲଗାଇଲା ପରେ ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ପାଇଲା ଓ ସ୍ଵର୍ଣ୍ଣ ପଦକ ଜିତିଲେ । ଟଙ୍କା ବହୁତ ମିଳିବ।"

କମ୍ପାନୀର ଅଫର ଶୁଣି ବିରକ୍ତ ହୋଇ ଶାନ୍ତି କହିଲା, "କ୍ଷମା କରିବେ,ପଇସା ପାଇଁ ମୁଁ ମିଛ କହି ପାରିବିନି । ତା ଛଡ଼ା ରଙ୍ଗ ଭେଦରେ ମୁଁ ବିଶ୍ଵାସ କରେନା । ମୋ ରଙ୍ଗ ଶ୍ୟାମଳ ଓ ସେଥିପାଇଁ ମୁଁ ଗର୍ବିତ । ଖେଳ ମୋର ନିଶା,ସେଥିପାଇଁ ମୁଁ ପାଗଳ ;ଗୋରା ରଙ୍ଗ ପାଇଁ ନୁହେଁ।"

ବ୍ୟସ୍ତ ହୋଇପଡୁଥିଲା ଶାନ୍ତି। କେମିତି ଘରେ ପହଂଚିବ।

ହ୍ବାଟ୍ସଅପରେ ମେସେଜ୍। "ଶାନ୍ତି ,ଆମ ଦଳ ତୁମକୁ ଆଗାମୀ ନିର୍ବାଚନରେ ଟିକେଟ ଦେବ ଓ ତୁମେ ଖେଳ ମନ୍ତ୍ରୀ ବନିବ । ଟିକେ ଆମ ଦଳ ପାଇଁ ପ୍ରଚାର କରିବ।"

ଅନ୍ୟ ଏକ ମେସେଜ୍ । ଏୟାରପୋର୍ଟରୁ ଆମ ଦଳର ୧୦ ହଜାର କର୍ମୀ ତୁମକୁ ପାଛୋଟି ଆଣିବେ, ଆମ ଦଳ ତୁମକୁ ରାଜ୍ୟସଭାକୁ ପଠାଇବ,ତୁମ ଭାଇ ଏମ ଏଲ ଏ ହେବ ।ପ୍ରଚାର ପାଇଁ ତମେ ଆମ ଦଳ.....।

ମୋବାଇଲ ସୁଇଚ ଅଫ କଲା ଶାନ୍ତି । ଓଡିଶାରେ ପହଁଚିଲା ପରେ କଣ କରିବ ତାହା ଜାଣିପାରୁନଥିଲା।

ହଠାତ୍ ଆଶ୍ଚର୍ଯ୍ୟ କଲା ଭଳି ଏ ସମ୍ବାଦ !!!

ଏୟାରପୋର୍ଟ ରେ ଓହ୍ଲାଇଲା ବେଳକୁ ଚାରିଆଡ଼ ଶୁନଶାନ । ମାତ୍ର ଅଳ୍ପ କିଛି ମିଡିଆ ବାଲା ଓ ଯା ଆସ କରୁଥିବା ଲୋକେ ତାକୁ ଏକ ଭିନ୍ନ ସନ୍ଦେହୀ ଦୃଷ୍ଟିରେ ଦେଖୁଥିଲେ। ସତେ ଯେମିତି ସେ ଏକ ଅପରାଧୀ।

ଏୟାରପୋର୍ଟ ରେ ଟିଭି ରେ ଦେଖାଉଥିଲା,"ଲଜ୍ୟାଜନକ ଖବର। ଡୋପ୍ ଟେଷ୍ଟରେ ସ୍ବର୍ଣ୍ଣ ପଦକ ବିଜେତା ଖେଳାଳୀ ଶାନ୍ତି ଅସଫଳ। ଦ୍ଵିତୀୟ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି । ସମସ୍ତ ପୁରସ୍କାରକୁ ସରକାର ବାତିଲ କରିଛନ୍ତି।"

ଶାନ୍ତି ଆଖିରେ ଢଳ ଢଳ ଲୁହ,ମନରେ ଅସରନ୍ତି କୋହ । ସେ କୌଣସି ଡ୍ରଗ୍ ସେବନ କରିନି । ନିଶ୍ଚୟ କିଛି ଭୁଲ ହୋଇଥିବ।

ତାର ମନେ ପଡିଗଲା ବନ୍ଧୁ ଖେଳାଳୀ ଦୂତି ଚାନ୍ଦଙ୍କ କଥା, "ମନ ଜମା ଖରାପ କରନା ଶାନ୍ତି । ସତ ନିଶ୍ଚୟ ସାମ୍ନାକୁ ଆସିବ ଓ ସବୁ ଅପବାଦ ଦୁରେଇ ଯିବ । ଦରକାର ଟିକେ ଧୈର୍ଯ୍ୟ ଓ ସଂଘର୍ଷ କରିବାର ଶକ୍ତି,ସାହାସ ;ଠିକ୍ ମୋ ଭଳି । ଦେଖିବୁ ଦୁଇ ଦିନ ପରେ ସମସ୍ତେ ପୁଣି ତୋ ଗୁଣଗାନ କରିବେ। "ମନକୁ ଦୃଢ଼ କରି ଏୟାରପୋର୍ଟ ଗେଟ ଆଡ଼କୁ ଆଗେଇଲା ଶାନ୍ତି, ଏକ ବିଜୟୀ ଖେଳାଳୀ ଭଳି।

(ଅରବିନ୍ଦ ଦାସ)

ଶାନ୍ତି ଗୌରବ ଦୂତି ଚାନ୍ଦ

Rate the content


Originality
Flow
Language
Cover design

Comments

Post

Some text some message..