Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନୁଭୁତି - ୪
ଅନୁଭୁତି - ୪
★★★★★

© Santosh Kumar Misra

Inspirational

7 Minutes   14.3K    13


Content Ranking

ଅନୁଭୁତି – ୪


ସେ ଦିନ ଥିଲା ରବିବାର | ସାପ୍ତାହିକ ହାଟର ଦିନ | ମୋ ଘର ସାମ୍ନାରେ ହାଟ ବସେ | ଆଗିଲା ସାତଦିନ ପାଇଁ  ଯାହାର ଯାହା ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ସେ ସେହି ହାଟରୁ ହିଁ ସଂଗ୍ରହ କରିଥାଏ | ତେଣୁ ହାଟଟି ସ୍ୱାଭାବିକ ଭାବରେ ଟିକିଏ ଭିଡ ରହେ | ମୁଁ ମର୍ଣିଂୱାକ୍‌ ରୁ ଫେରି ଚା’ କପ ଟି ହାତରେ ଧରି ମୋ ବଗିଚାରେ ବୁଲୁଥାଏ| ମୋ ଗେଟ୍‌ ବାହାରେ ପରିବା ହାଟ ରେ ଭିଡ ଜମି ଆସୁଥାଏ | ଯିଏ ଆଖିରେ ନ ଦେଖିଥିବ ସେ ଦୃଶ୍ୟ ସେ ଅନୁଭବ କରି ପାରିବନି ତାହା କେମିତି ଆଉ କେତେ ଦୃଷ୍ଟିରେ ନିଆରା୤ ସବୁ ତଟକା ପରିବା, ତା’ ପୁଣି ଜୈବିକ ସାର ପ୍ରସ୍ତୁତ, ଭେଜାଲର ପ୍ରଶ୍ନ ହିଁ ନାହିଁ | ଚା’ ପିଉ ପିଉ ମୁଁ ସକାଳ ହାଟର ସେ ମନୋରମ ଦୃଶ୍ୟକୁ ଉପଭୋଗ କରୁଥାଏ|

କିଛି ସମୟ ପରେ ମୁଁ ଦେଖିଲି ପ୍ରାୟ ଚାଳିଶ କି ପଚାଶ ଜଣ ଲୋକ ମୋ ଗେଟ୍‌ ଫିଟେଇ ମୋ ଘର ଭିତରକୁ ଆସିବାକୁ  ଚେଷ୍ଟା କରୁଥିଲେ କିନ୍ତୁ ମୋତେ ବଗିଚାରେ ବୁଲୁଥିବାର ଦେଖି ହୁଏତ ସାହାସ କଲେନି ଗେଟ୍‌ ଫିଟେ‍ଇ ପଶି ଆସିବାକୁ | ମୁଁ ସେମାନଙ୍କର ଏ ପ୍ରକାର ସଂଭ୍ରମତା ଦେଖି ସେମାନଙ୍କୁ ହାତଠାରି ଭିତରକୁ ଡାକିଲି | ଏତେ ଲୋକଙ୍କୁ ଏକାଠି ଆସିବାର ଦେଖି ମୁଁ ଟିକିଏ ଅବଶ୍ୟ ଚିନ୍ତିତ ହେଲି | କାରଣ ସେମାନଙ୍କର କିଛି ବି କାମ ହେଇପାରିବନି ଯେହେତୁ ସେଦିନ ରବିବାର ଥିଲା୤ ସେମାନେ ଆସି ମୋ ଆଗରେ ଠିଆ ହେଲେ ଏବଂ କହିଲେ ଯେ ସେମାନେ କିଛି ପରାମର୍ଶ ଲାଗି ଆମପାଲି ଗ୍ରାମରୁ ଆସିଛନ୍ତି୤ ଏତେ ଲୋକଙ୍କୁ ବସିବାକୁ ଦେବାକୁ ମୋ ଘରେ ସେହି ମାତ୍ରାରେ ଚୌକି ନଥିଲା | ତେଣୁ ମୁଁ ସେମାନଙ୍କୁ ମୋ ପୂର୍ବରୁ କେହି ଜଣେ ଅଧିକାରୀ ଘର ଆଗରେ ତିଆର କରିଥିବା କିଛି ସିମେଣ୍ଟ ଚୌକିରେ ବସିବାକୁ କହିଲି୤ ଯା ହେଉ ସମସ୍ତେ ସେହି ସିମେଣ୍ଟ ଚୌକିରେ ଖୁନ୍ଦା ଖୁନ୍ଦି ହୋଇ ବସିଲେ୤ ଏହି ଭିତରେ ମୋ ଅର୍ଦ୍ଦଳି ମୋ ପାଇଁ ଘରୁ ଗୋଟିଏ ଚୌକି ଆଣି ଆସି ସାରିଥାଏ୤ ମୁଁ ସେମାନଙ୍କର ମଝିରେ ବସିଲି୤ ବସିବା ପର୍ବ ସରିଯିବା ପରେ ମୁଁ ପଚାରିଲି କୁଆଡେ ସବୁ ଆସିଥିଲେ?

                    ସମସ୍ତଙ୍କର ଅନୁରୋଧ କ୍ରମେ ମଧୁ ମାଷ୍ଟ୍ରେ ଛିଡା ହେଲେ କିଛି କହିବା ପାଇଁ୤ ସେ ଥିଲେ ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ୤ ସେହି ଗାଁ ରେ ଚାକିରୀ ଆରମ୍ଭ କରିଥିଲେ ଆଉ ସରକାରୀ ଚାକିରୀରୁ ଅଧୁନା ଅବସର ଗ୍ରହଣ କରିବାପରେ ସେହି ଗାଁରେ ସ୍ଥାୟୀ ଭାବରେ ରହିଯାଇଛନ୍ତି୤ ଗ୍ରାମ ବାସୀଙ୍କର ତାଙ୍କ ଉପରେ ଅନେକ ଭରସା୤ ସେମାନେ ମନେ କରନ୍ତି ମଧୁ ମାଷ୍ଟ୍ରେ ତାଙ୍କର ବଳିଷ୍ଠ ଯୁକ୍ତି ବଳରେ ସବୁ ସରକାରୀ ବାବୁ ମାନଙ୍କୁ ଅଚିରେ ବଶ କରିନେଇ ପାରନ୍ତି୤ ମଧୁ ମାଷ୍ଟ୍ରେ ସାଙ୍ଗରେ ଥିଲେ ଗ୍ରାମବାସୀଙ୍କର ସାହାସ ଆସିଯାଏ୤ ମୋର ମନେ ପଡୁଥିଲା ମୁଁ ବଦଳିରେ ଆସି ନୂଆ କରି ଏହି ଜାଗାରେ ଯୋଗଦେଲା ପରେ ଥରେ ସେହି ଗାଁକୁ କୌଣସି କାମରେ ଯାଇଥିଲି୤ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ଥାଏ ଗାଁକୁ ଗଲା ସମୟରେ ସବୁ ବିଭାଗର କାମ ପ୍ରତି ନଜର ଦେଇ କିଛି ଅଘଟଣ ଘଟୁଥିଲେ ତାଙ୍କୁ ଜଣେଇବା ପାଇଁ୤ ସେହି ଅନୁସାରେ ମୁଁ ମୋ ସହକର୍ମୀ ମାନଙ୍କ ସହିତ ସେ ଗାଁର ସ୍କୁଲକୁ ଯାଇଥିଲି ୤ ଖରାଦିନ ଥିଲା୤ ମଶିଣା ଖଣ୍ଡିଏ ପକେଇ ମଧୁମାଷ୍ଟ୍ରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ବେଶ ଗାଢ ନିଦରେ ଶୋଇଥିଲେ୤ ଜଣେ ଶିକ୍ଷୟତ୍ରୀ ପାଚିକା ଆସି ନ ଥିବାରୁ ମଧ୍ୟାହ୍ନ ଭୋଜନ ରାନ୍ଧୁଥିଲେ ପିଲାଙ୍କ ପାଇଁ୤ ପିଲା କୋଡିଏ କି ବାଇଶି ସ୍କୁଲ ବାରଣ୍ଡାରେ କାଚ ବାଟି ଖେଳିବାରେ ବ୍ୟସ୍ତଥିଲେ୤ ଏପରି ଅବ୍ୟବସ୍ଥା ଦେଖି ମୋ ଦେହ ସହିଲାନି ୤ ମୁଁ ସବୁ ଦୃଶ୍ୟକୁ ମୋ ମୋବାଇଲ୍‌ କ୍ୟାମେରାରେ ଫଟୋ କରି ଆଣିଲି ଏବଂ ପରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲି୤ ଏହି ଘଟଣାରେ ମଧୁମାଷ୍ଟ୍ରେ ଦଣ୍ଡିତ ହେଇଥିଲେ୤ ତାଙ୍କର ମୋ ଉପରେ ବେଶ୍‌ ରାଗ ଥାଏ୤ ତାଙ୍କ ଭାଷାରେ ମଉକା ପାଇଲେ ସେ ମୋତେ ନିଶ୍ଚୟ ଦେଖିଦେବେ୤ ଆଜି ତାଙ୍କୁ ଲୋକମାନଙ୍କ ଗହଣରେ ଦେଖି ମୋ ମନକୁ ପାପ ଛୁଇଁଥାଏ୤ ତଥାପି ମୁଁ ଧୈର୍ଯ୍ୟର ସହିତ ତାଙ୍କୁ ଶୁଣିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାଏ୤

                    ମଧୁମାଷ୍ଟ୍ରେ ଆରମ୍ଭ କଲେ କହିବା୤ ସେହି ଗାଁର ଗରୁଡ ବେହେରାକୁ ଆଗ ମୋତେ ପରିଚୟ କରାଇଦେଲେ୤ ପରେ ପରେ ସେ ଯାହା କହିଲେ ତାର ସାରମର୍ମ ଏପରି ଥିଲା:

ଗରୁଡ ବେହେରା ଆମପାଲି ଗ୍ରାମର ଜଣେ କୃଷି ଶ୍ରମିକ୤ ସ୍ତ୍ରୀ ଓ ଅର୍ଜ୍ଜୁନ ନାମରେ ଗୋଟିଏ ସାବାଳକ ପୁଅକୁ ନେଇ ତା’ର ଘର ସଂସାର୤ ପୁଅଟି ସେହି ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲା କିନ୍ତୁ ପରୀକ୍ଷାରେ ପାଶ କରି ପାରିନଥିଲା୤ ଜମି ବାଡି ବୋଲି ଗରୁଡର ମାତ୍ର ଅଧ ଏକର ଚାଷଜମି ସହିତ ନଅହାତ ଘରଡିହ ଯାହା ଉପରେ ସେ ସରକାରଙ୍କର ଇନ୍ଦିରା ଆବାସ ଯୋଜନାରେ ବ୍ଲକ ସହାୟତାରେ ଖଣ୍ଡେ ଘର ତିଆରି କରିଛି୤ ତା ଛଡା ଅନ୍ୟ ମାନଙ୍କର ଜମିରେ ବାପ ପୁଅ ମୂଲିଆ ଭାବରେ କାମ କରି ଦୁଃଖେ ସୁଖେ ଚଳନ୍ତି୤ ପୁଅ ତାର ପାଖ ଗାଁର ନିଧି ପଧାନଙ୍କ ଝିଅ ମିତାଲି ସହିତ ଗାଁ ସ୍କୁଲରେ ପଢୁଥିଲା୤ ସେତେବେଳ ଠାରୁ ଉଭୟେ ପରସ୍ପର ପ୍ରତି ଆକୃଷ୍ଟ ହେଇଥିଲେ ଏବଂ ବିବାହ କରିବାକୁ ମନସ୍ଥ କରିଥିଲେ୤

                    ପୁଅର ଏହି ସମ୍ପର୍କ କଥା ଜାଣିବା ପରେ ଗରୁଡ ନିଜେ ଦିନେ ତା’ ପୁଅର ବିବାହ ପ୍ରସ୍ତାବ ନେଇ ନିଧି ପଧାନଙ୍କ ଘରକୁ ଗଲା୤ ଅପର ପକ୍ଷରେ ନିଧି ପଧାନ କିନ୍ତୁ କଥାଟିକୁ ସାଧାରଣ ଭାବରେ ଗ୍ରହଣ କଲେ ନାହିଁ୤ କାରଣ ଯାହା ଜଣାଗଲା, ଗରୁଡ ଥିଲା ନିହାତି ଗରୀବ୤ ସମ୍ପତ୍ତି ବାଡି ବୋଲି ତା’ର ମାତ୍ର ଅଧ ଏକର ଚାଷ ଜମି ଓ ନଅ ହାତର ଘରଡିହ ଖଣ୍ଡେ ଥିଲା୤ ନିଧି ପଧାନ ଗରୁଡ ଠାରୁ କିଛି ମାତ୍ରାରେ ଅଧିକ ସ୍ୱଚ୍ଛଳ ଥିଲେ୤ ଗରୁଡ କେବେ କେମିତି ନିଧିଙ୍କ ଜମିରେ କୃଷି ଶ୍ରମିକ ଭାବରେ କାମ ମଧ୍ୟ କରିଛି୤ ତେଣୁ ନିଧିଙ୍କର ମତ ଥିଲା ତାଙ୍କ ହଳିଆ ଭାବରେ କାମ କରୁଥିବା ଗରୁଡର ପୁଅ ସହିତ ତାଙ୍କ ଝିଅର ବାହାଘର କଲେ ତାଙ୍କ ନାକ କଟିଯିବ ସମାଜରେ୤ ତେଣୁ ସେ ଗରୁଡକୁ ଏପରି ଧୃଷ୍ଟତା କରିଥିବାରୁ ଯାବତୀୟ ତିରସ୍କାର କଲେ୤ ବିଚରା ଗରୁଡ ସେଦିନ ନିଧି ପଧନଙ୍କ ଘରୁ ଅପମାନିତ ହେଇ ଲେଉଟି ଆସିଲା୤ ଘରେ କିନ୍ତୁ କାହାରିକୁ କିଛି କହିଲା ନାହିଁ୤

                    ଏଣେ ଅର୍ଜ୍ଜୁନ ଓ ମିତାଲିଙ୍କର ପ୍ରେମ ସମ୍ପର୍କ ହାଟରେ ପଡି ଦାଣ୍ଡରେ ଗଡିବାକୁ ଆରମ୍ଭ କଲା୤ ଗାଧୁଆ ତୁଠରେ ଗାଁ ମାଇପେ ଫୁସୁରୁଫାସର ହେଲେ୤ ନିଧିଙ୍କୁ ଗାଁର ବୟସ୍କ ଲୋକ ମାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହେଲା୤ ନିଧିଙ୍କର ସ୍ତ୍ରୀ ନିଧିଙ୍କୁ ପୁଣି ସେ ପ୍ରସ୍ତାବ ଉପରେ ବିଚାର କରିବାକୁ ଏକପ୍ରକାର ବାଧ୍ୟ କରିବାକୁ ଲାଗିଲେ୤ ନିଧି କଅଣ କରିବେ ବା କଅଣ ନକରିବେ ଭାବି ପାରିଲେନି୤ ନିଧିଙ୍କର ଏହି ଭାବାନ୍ତର ଭିତରେ ଗାଁର ଜଣେ ବୟସ୍କ ଲୋକ ନିଧିଙ୍କୁ ବୁଝାସୁଝା କରି ପୁଣିଥରେ ଅର୍ଜ୍ଜୁନ ଓ ମିତାଲିଙ୍କର ବିବାହ ପ୍ରସ୍ତାବକୁ ଆଗେଇ ନେବାକୁ ଗାଁର କେତେଜଣ ମୁଖିଆ ଲୋକଙ୍କୁ ଦାୟୀତ୍ବ ଦେଲେ ଏବଂ ପ୍ରସ୍ତାବ ଆଗେଇଲା୤

                    ନିଧିଙ୍କର କିନ୍ତୁ ଗୋଟିଏ ଜିଦ୍‌୤ ତାଙ୍କ ଘରେ ଯିଏ ହଳିଆ କାମ କରୁଛି ତା’ର ପୁଅକୁ ସେ ଜ୍ବାଇଁ କରିବେ କିପରି୤ ତାଛଡା ଅର୍ଜ୍ଜୁନ ର ସେମିତି କିଛି ଆଖିଦୃଷ୍ଟିଆ ରୋଜଗାର ନଥିଲା୤ ଏ ସମସ୍ୟାର ସମାଧାନ ପାଇଁ ମଧୁମାଷ୍ଟ୍ରେ ତାଙ୍କ ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ କରି ଏକ ପ୍ରସ୍ତାବ ଦେଲେ୤ ପ୍ରସ୍ତାବଟି ହେଲା ଗରୁଡ ବେହେରା ତାର ଜମିବାଡି ତା’ ପୁଅ ନମରେ ରେକର୍ଡ କରିଦେବ୤ ଗରୁଡ ବେହେରା ମଧୁମାଷ୍ଟ୍ରଙ୍କର ଏହି ପ୍ରସ୍ତାବରେ ସାଙ୍ଗେସାଙ୍ଗ ରାଜି ହେଇଗଲା୤ ତାର କହିବା କଥା ଥିଲା ଅର୍ଜ୍ଜୁନ ତ ତାର ଗୋଟେ ବୋଲି ସନ୍ତାନ୤ ଜମିବାଡି ତା’ ନାମରେ ରହୁ କି ତା’ ପୁଅ ନମରେ ରହୁ ସେଥିରେ କିଛି ଫରକ ନାହିଁ୤ ଗାଁ ଲୋକଙ୍କ ଚାପରେ ନିଧି ପଧାନ ମଧ୍ୟ ରାଜି ହେଲେ ବିବାହ ପ୍ରସ୍ତାବରେ କିନ୍ତୁ ସର୍ତ୍ତ ରଖିଲେ କି ବିବାହର ଯଥେଷ୍ଟ ପୂର୍ବରୁ ଅର୍ଜ୍ଜୁନ ନାମରେ ଘରବାଡି କାଗଜ ପତ୍ର ପ୍ରସ୍ତୁତ ହେଇଯିବା ଆବଶ୍ୟକ୤ ତାହା ହିଁ ହେଲା ୤ ଗରୁଡ ଗାଁ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ପୁଅ ଅର୍ଜ୍ଜୁନ ନାମରେ ତାର ସମସ୍ତ ଚାଷ ଜମି ଓ ଘର ଡିହ କବଲା କରିଦେଲା ୤

                    ଅର୍ଜ୍ଜୁନ ଓ ମିତାଲିଙ୍କର ବିବାହ ସମ୍ପନ୍ନ ହେଲା ୤ ଗରୁଡ ସରକାରଙ୍କ ଠାରୁ ପାଇଥିବା ଇନ୍ଦିରା ଆବାସ ଘରଟି ପୁଅ ବୋହୁଙ୍କ ପାଇଁ ଛାଡି ଦେଲା ଏବଂ ନିଜେ ନିଜର ଗୁହାଳଟିକୁ ବାସପୋଯୋଗୀ ଭାବରେ ସଜାଡିଦେଇ ସେହିଠାରେ ରହିବାକୁ ଲାଗିଲା ୤ କେତେ ଦିନ ଗଲା ପରେ ଦିନେ ବୋହୁ କହିଲା ଯେହେତୁ ଘରେ ଆଉ ବଳକା କୋଠରି ନାହିଁ କେହି ଘରକୁ ଆସିଗଲେ ବସାଉଠା କରିବାକୁ ଅସୁବିଧା ହେଉଛି ତେଣୁ ତାର ପ୍ରସ୍ତାବ ଥିଲା ଗରୁଡ ଏବଂ ତାର ସ୍ତ୍ରୀ ଘର ବାରଣ୍ଡାରେ ତାଟିତୁଟା ବୁଜିଦେଇ ରହିବେ ଓ ସେ ରହୁଥିବା ଚାଳିଆଟି ଘରକୁ ଆସୁଥିବା ଅତିଥି ଅଭ୍ୟାଗତଙ୍କ ପାଇଁ ଖାଲି ରହିବ୤ ପ୍ରଥମେ ବୋହୁ କଥାରେ ଗରୁଡ ବହୁତ କଷ୍ଟ ପାଇଲା କିନ୍ତୁ ତାର ସ୍ତ୍ରୀ ତାକୁ ବୁଝାସୁଝା କରିବାରୁ ସେ ବୋହୁର ପ୍ରସ୍ତାବରେ ରାଜି ହେଲା୤ କହିବାକୁ ଗଲେ ଗରୁଡ କ୍ରମଶଃ ବେଘରିଆ ହେଲାପରି ଅନୁଭବ କଲା ୤ ପୁତ୍ର ମୋହରେ ବାଇ ଗରୁଡ କିନ୍ତୁ ଚୁପ୍ ରହିଲା ୤

                    ଗରୁଡ ପେଷାରେ ଥିଲା କୃଷି ଶ୍ରମିକ ୤ ତେଣୁ ସକାଳୁ ଗଣ୍ଡେ ବାସି ପଖାଳ ଖାଇ ବିଲକୁ ଯିବା ତାର ଅଭ୍ୟାସ୤ ହଠାତ ଦିନେ ସକାଳୁ ସେ ବିଲ କୁ ଗଲାବେଳକୁ ବୋହୁ କହିଲା ତୁମେ ବୁଢା ବୁଢି ଅଲଗା ରୋଷେଇ କର, ମୁଁ ତୁମ ପାଇଁ ରୋଷେଇ କରି ପାରିବିନି୤ ଗରୁଡ ବୋହୁ କଥାରେ କାନ୍ଦି ପକେଇଲା ୤ କାହକୁ କିଛି ନକହି ବୁଢାବୁଢି ଅଖିଆ ଅପିଆ ବାହାର ବାରଣ୍ଡାରେ ପଡି ରହିଥାଆନ୍ତି ୤ ମଧୁ ମାଷ୍ଟ୍ରେ ସେହି ବାଟେ ଗଲାବେଳେ ତାଙ୍କ ନଜର ପଡିଲା

ବୁଢାବୁଢିଙ୍କ ଉପରେ ୤ ସେ ଅନୁମାନ କଲେ କି କିଛି ଅଘଟଣ ଘଟିଛି ନିଶ୍ଚୟ ଗରୁଡ ପରିବାରରେ୤ ସେ ପାଖକୁ ଯାଇ ସବୁ କଥା ବୁଝିଲେ୤ ଗାଁ ରେ କଥା ପକେଇଲେ ମଧୁ ମାଷ୍ଟ୍ରେ୤ ଗାଁ ତରଫରୁ ଗରୁଡ ଓ ତା ସ୍ତ୍ରୀ ନିମିତ୍ତ ଖୁରକିର ବନ୍ଦୋବସ୍ତ କରିଦିଆଗଲା ଏବଂ ଗରୁଡର ସମୁଦି ନିଧି ପଧାନଙ୍କୁ ଖବର ଦିଆଗଲା୤ କିନ୍ତୁ ସେ ଆସିଲେ ନାହିଁ ୤ ଫଳରେ ଗାଁ ଲୋକେ ଏହି ଘଟଣାର ଏକ ଫଳପ୍ରସୁ ନିଷ୍ପତ୍ତି କରାଇବାରେ ପ୍ରଶାସନର ସହାୟତା ଲୋଡିବା ଉଦ୍ଦେଶ୍ୟ ରଖି ମୋ ପାଖକୁ ଆସିଥାଆନ୍ତି ୤

                    ଏହା ଥିଲା ଏକ ସମ୍ପୂର୍ଣ୍ଣ ପାରିବାରିକ ଘଟଣା ୤ ଜଣେ ବିଡିଓଙ୍କର ଏଭଳି ଏକ ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ କରିବାର ଆଇନଗତ ଅଧିକାର ନାହିଁ୤ ତଥାପି ମାନବିକତା ଦୃଷ୍ଟିରୁ ମୁଁ ଗରୁଡକୁ ସାହାଯ୍ୟ କରିବାକୁ ମନେ ମନେ ସ୍ଥିର କଲି୤ ଘଟଣାଟି ବାରମ୍ବାର ତର୍ଜମା କରୁ କରୁ ମୋର ମନେ ହେଲା କି ଗରୁଡ ତା’ ନାମରେ ରେକର୍ଡଭୁକ୍ତ ଥିବା ଜାଗାଜମି ତା’ ପୁଅ ନାମରେ କରିବା ଯୋଗୁଁ ଏତେ ଅସୁବିଧା ଭୋଗ କରୁଛି୤ ତେଣୁ ପ୍ରଥମେ ସେ ଜାଗାଜମି ସଂକ୍ରାନ୍ତରେ କରିଥିବା ଦଲିଲଟି ନାକଚ କରେଇଦେବାଟା ହିଁ ତା ସମସ୍ୟା ସମାଧାନର ସହଜ ଉପାୟ୤

                    ସ୍ଥାନୀୟ ତହସିଲଦାର ସେହି ଜାଗାରେ ନିଜେ ଭୂମି ନିବନ୍ଧକ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ ୤ ମୁଁ ତାଙ୍କ ସହିତ ଯୋଗାଯୋଗ କରି ଜାଣିଲି ଯେ ଗରୁଡ ପ୍ରସ୍ତୁତ କରି ଦାଖଲ କରିଥିବା ଦଲିଲଟି ଉପରେ ବାକିଆ କର୍ଯ୍ୟାନୁଷ୍ଠାନ ଶେଷ ହେଇନି ୤ ତେଣୁ ଦଲିଲଟି ଗରୁଡ ନାକଚ କରେଇଦେବାରେ ବିଶେଷ ଅସୁବିଧା ନାହିଁ ୤ ଏ କଥା ଜାଣିଲା ପରେ ମୁଁ ଗରୁଡକୁ ସାହାଯ୍ୟ କରିବାକୁ ଚଉକଷ କରି ଅଣ୍ଟା ଭିଡିଲି ୤ ମଧୁମାଷ୍ଟ୍ରେ ଗାଁର ମନ୍ତ୍ରଣା ଦାତା୤ ମୁଁ ତାଙ୍କୁ ଘଟଣାଟି ବୁଝେଇଦେଲା ପରେ ତାଙ୍କ ମୁହଁରେ ସ୍ମିତ ହାସ୍ୟ ଆସିଗଲା୤ ତାଙ୍କରି ପ୍ରଚେଷ୍ଟାରେ ଗରୁଡ କରିଥିବା କବଲାଟି ନାକଚ ହେଇଗଲା ୤

                    ନିଧି ପଧାନ ନେପଥ୍ୟରେ ରହି ପୁରା ଘଟଣାଟି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ୤ ସେ ଯେତେବେଳେ ଜାଣିଲେ ଯେ ଗରୁଡ ବିବାହ ଆଗରୁ ପୁଅ ନାମରେ କରିଥିବା କବଲାଟି ନାକଚ କରି ଦେଇଛି ସେ ତାର ଝିଅକୁ ଫେରେଇ ନେବାକୁ ଧମକ ଦେଲେ୤ କିନ୍ତୁ ବିବାହ ତ ସରିଯାଇଥିଲା୤ ଅର୍ଜ୍ଜୁନ ଓ ମିତାଲି ସେ ଦିନର ତାରିଖରେ ଆଇନ୍‌ତଃ ଭାବରେ ଥିଲେ ସ୍ୱାମୀ ଓ ସ୍ତ୍ରୀ୤ ତାଙ୍କୁ ବା କିଏ ଅଲଗା କରି ପାରନ୍ତା୤ ଏଣେ ଗରୁଡକୁ ଗାଁ ଲୋକେ ତାର ଇନ୍ଦିରା ଆବାସ ଘରେ ରହିବାକୁ କହିଲେ କିନ୍ତୁ ସେ ପୁଣି ସେହି ଚାଳ ଛପର ଘରକୁ ଯିବାକୁ ଇଛାକଲା ୤ କିନ୍ତୁ ତା ପର ଠାରୁ ଗରୁଡର ଘରେ ଦୁଇଟି ଚୁଲି ଜଳିଲା୤ ପୁଅର ମନସ୍ତାପ କିନ୍ତୁ ଗରୁଡକୁ କୌଣସି ମତେ ପ୍ରଭାବିତ କରି ପାରି ନଥିଲା୤

(ସମାପ୍ତ)

-----------------------------------------------------

ଶ୍ରମିକ ଶିକ୍ଷକ ବିଡିଓ

Rate the content


Originality
Flow
Language
Cover design

Comments

Post

Some text some message..