Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମଣିଷ ଭିତରେ ଦେବତ୍ଵ
ମଣିଷ ଭିତରେ ଦେବତ୍ଵ
★★★★★

© Shanti Mishra

Inspirational

7 Minutes   356    50


Content Ranking

ଅନୁଭୂତିରୁ ପଦେ

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

ଅତ୍ୟାଧୁନିକ ସହରର, ଅତ୍ୟାଧୁନିକ ଜୀବନ ଶୈଳୀରୁ କିଛି ସମୟ ଓହୋରି ଯାଇ ପୁଣିଥରେ ସେଇ ପୁରୁଣା ସମୟକୁ ଫେରିଯିବା ପାଇଁ ଆମେରିକାର ଲୋକ ମାନେ ବେଶ୍ ଆଗ୍ରହ ପ୍ରକାଶ କରିଥାନ୍ତି । ସେଥି ପାଇଁ ଜଙ୍ଗଲ ଭିତରେ ସେମାନଙ୍କ ମନୋରଞ୍ଜନ ପାଇଁ କଟେଜ ଘର ସବୁ ତିଆରି କରାହୋଇ ଥାଏ । ବ୍ୟସ୍ତ ଜୀବନରୁ କିଛି ଦିନ ଓହୋରି ଯାଇ ସେମାନେ ସେଠାରେ ଯାଇ ଭଡା ଦେଇ ରୁହନ୍ତି । ସହରି ଜୀବନୀର ଶ୍ରୁଖଂଳାବଧ ନିୟମ କାନୁନରୁ ଦୂରରେ, ନିଜ ଇଛାରେ ସକାଳୁ ଉଠିବା , ନିଜ ଇଛାରେ ରାତିରେ ଶେଯକୁ ଯିବା, ନିଜ ଇଛାର ବେଶ ପୋଷାକ ପିନ୍ଧିବାକୁ ବେଶ୍ ଭଲ ପାଆନ୍ତି । ଯାନବାହାନର ପ୍ରାବଲ୍ୟତା ନଥିବାରୁ ପିଲାମାନେ କଟେଜ ବାହାରେ ନିଜ ନିଜ ଖେଳନା ବା ସାଇକଲ ଧରି ଖେଳା ଖେଳି କରନ୍ତି ।

ସେ ଘର ଗୁଡିକରେ ଇଲେକଟ୍ରିକ୍ ଲାଇଟ୍ ଥାଏ, ଛୋଟ ରେଫ୍ରିଜେଟର ଗୋଟେ ଥାଏ, ସ୍ଟୋଭ୍ ଥାଏ ରୋଷେଇ ବାସ ପାଇଁ ।ରୋଷେଇ ଘର ସରଯଂ|ମ ବି କିଛି ଥାଏ ଯଥା ବାସନକୁସନ ଇତ୍ୟାଦି । କଟେଜ୍ ବାହାରେ ବାରବିକ୍ୟୁ କରିବାକୁ ଚୁଲାର ସୁବିଧା ବି ଥାଏ । ଅତି ସାଧାରଣ ଧରଣର କାଠ ଖଟ ଥାଏ | ସାଧାରଣ ଗଦି ଟାଏ ପଡିଥାଏ । ଅନ୍ୟାନ୍ୟ ଜିନିଷ ଯଥା ଚାଦର, ତକିଆ, କମଳ ପ୍ରଭୃତି ନିଜକୁ ନେଇ କରି ଯିବାକୁ ପଡେ । ନିଜର ଅନ୍ୟାନ୍ୟ ଆବଶ୍ୟକିୟ ଜିନିଷ ମଧ୍ୟ ନିଜକୁ ନେଇକରି ଯିବାକୁ ପଡେ ।

ପ୍ରକୃତ୍ତି ସଂଗରେ ମିଳି ମିଶି ରହିବା ପରି ପରିବେଶ । ପାଖରେ ଥିବା ହ୍ରଦ, ପୋଖରୀ, ନଈ ବା ସମୁଦ୍ର ଯାହା ବି ପାଖରେ ଥାଏ ଲୋକମାନେ ସେଠି ଯାଇ ଗାଧାନ୍ତି । କମନ୍ ବଥାରୁମ୍ ଥାଏ କିନ୍ତୁ । ବାହାରେ ଏକ ବା ଦୁଇ କରିବା ମନା । ସବୁ କ୍ୟାମ୍ପ ଗ୍ରାଉଣ୍ଡ୍ ରେ ଏକା ପ୍ରକାର ସୁବିଧା ଉପଲବଧି ନଥାଏ । ସେଇ ଅନୁସାରେ ନିଜକୁ ପ୍ରସ୍ତୁତି କରି ଯିବାକୁ ପଡେ ।

ଆମେରିକାରେ ତିନି ବର୍ଷ ରହିଲା ପରେ ଆମକୁ ଥରେ ସେପରି ସୁଯୋଗ ମିଳିଥିଲା ଯାଇ କଟେଜ୍ ରେ ରହିବାକୁ । ଜଣେ ଆମେରିକାନ ସାଂଗ ଯିଏକି ମୋ ସ୍ବାମୀଙ୍କ ଅଫିସ୍ ରେ ସେତେବେଳେ କାମ କରୁଥିଲେ, ତାଙ୍କ ବାପା କାମ କରୁଥିବା କମ୍ପାନିର ଏକ ନିଜସ୍ବ କ୍ୟାମ୍ପ ଜାଗା ଥିଲା ସେ ଆମକୁ ସେଠାକୁ ନିମନ୍ତ୍ରଣ କରିଥିଲେ । ଆମର ବାହାରେ କ୍ୟାମ୍ପରେ ଯାଇ ରହିବାର କୌଣସି ଅଭିଜ୍ଞତା ନଥିଲା ଆଗରୁ । ପଢିଥିଲୁ କେବଳ ବହିରେ ଆମେରିକାନ୍ ଲୋକ ମାନେ ଭଲ ପାଆନ୍ତି ଏପରି ଯାଇ ଜଙ୍ଗଲରେ କିଛି ଦିନ ରହିବାକୁ ।

ଆମେ ରାଜି ହେଲୁ ଯିବାକୁ କିଛି ନୁଆ କଥା ଜାଣିବା ପାଇଁ । ଏମିତିରେ ବି ଆମେରିକା ଆସିଲା ଦିନରୁ ଆମେ କିଛି ନା କିଛି ନିତି ଶିଖି ଚାଲିଛୁ । ଅତ୍ୟାଧୁନିକ ଆମେରିକାର ଅତ୍ୟାଧୁନିକ ଚାଲି ଚଳଣ ଦେଖି ପ୍ରଥମେ ଆମେ ତଟସ୍ଥ ହୋଇ ଯାଇଥିଲୁ । ସେମାନଙ୍କ ରହଣୀ, ଚାଲି ଚଳଣ, ଭାଷା, ଖାଦ୍ୟ, ବେଶ ପୋଷକ ସବୁକୁ ଆପଣେଇ ସେମାନଙ୍କ ସହିତ ନିଜକୁ ମିଶେଇ ନେଇ ଚଳିବା ଶିଖୁ ଶିଖୁ ଏହା ଆଉ ଏକ ଅଭିଂଜ୍ଞତା ଆମକୁ ଯୋଗେଇବ ।

ଆମ ତିନି ବର୍ଷର ଝିଅକୁ ନେଇ ଆମେ ବାହାରିଲୁ, ନିର୍ଧାରିତ ଦିନରେ । ଗୋଟେ ସପ୍ତାହ ପାଇଁ ଯାଇଥିଲୁ ଯଦିଓ ଅନଭିଜ୍ଞାତାର କାରଣରୁ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ଜିନିଷ ଦୁଇ ସପ୍ତାହ ପାଇଁ ଗାଡି ଭର୍ତି କରି ନେଇକରି ଯାଇଥିଲୁ । ପାଞ୍ଚ ଘଣ୍ଟାର ରାସ୍ତା ଯଦିଓ, ଆମେ ଗାଡିରେ ସବୁ ଜିନିଷ ଭର୍ତି କରି ବାହାରୁ ବାହାରୁ ଟିକେ ଡେରି ହୋଇଗଲା । ପ୍ଲାନ୍ ଥିଲା ଦିନ ଥାଉ ଥାଉ ଯାଇ ସେଠାରେ ପହଂଚିବା ପାଇଁ । ନୁଆ ଜାଗା । ରାସ୍ତା ଘାଟ ବି ଜଣା ନାହିଁ ।

ସେତେବେଳେ ଜିପିଏସ୍ ନଥିଲା ତେଣୁ ମ୍ୟାପ୍ ଦେଖି ଯିବାକୁ ପଡୁଥିଲା । ସବୁ ରେଡି କରି ବାହାରିଲୁ । ମନରେ ବହୁତ ଅଗ୍ରାହ ପୁଣି ଆଶଂକା ବି ଥାଏ । କିପରି ହୋଇଥିବ ଜାଗା । ଜଙ୍ଗଲ ଭିତରେ ରହିବାକୁ ପଡିବ । ଜଙ୍ଗଲ ମାନେ ଗୋଟେ ଭୟଙ୍କର ପରିବେଶ ହୋଇଥିବ ବୋଲି ମୋ ମନରେ ଥିଲା । ପିଲାବେଳେ ଆଇ ଜେଜେ ମାଙ୍କ କାହାଣୀ ବର୍ଣିତ ବାଘ ଭାଲୁ ଘେରା ଅସୁର ମାନଙ୍କ ବାସସ୍ଥଳି ସେଠାରେ ଥାଇପାରେ । ତେଣୁ ଡରି ଡରି ମୁଁ ବାହାରୁଥାଏ । ଗୋଟେ ଛୋଟ ପିଲାକୁ ଧରି ମୋର ସେପରି ଇଛା ନଥିଲେ ବି ଯିବାକୁ, ସ୍ବାମୀଙ୍କ ଆଗ୍ରାହ ଯୋଗୁ ବାହାରି ବାକୁ ବାଧ୍ୟ ହେଲି ।

ଯିବା ରାସ୍ତାରେ ବହୁତ ସୁନ୍ଦର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖି ମନ ଖୁସି ହୋଇ ଯାଉଥାଏ । ମଝିରେ ମଝିରେ ଗାଡି ରଖି ଜାଗା ଗୁଡ଼ିକ ଦେଖୁଥିଲୁ । ଏମିତି ଭାବରେ ଯାଉ ଯାଉ ଟିକେ ଡେରି ହୋଇଗଲା ଗନ୍ତବ୍ୟ ସ୍ଥଳରେ ପହନ୍ଚି ବାକୁ । ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗରେ ଏତେ ବୁଡି ଯାଇଥିଲୁ ଯେ ଆମର ସମୟ ଜ୍ଞାନ ରହିଲାନି ।

ଆମେ ହଠାତ୍ ରାସ୍ତା ଭୁଲିଗଲୁ । ଯାହା ଘରୁ ହିସାବ କରି ମ୍ୟାପ୍ ଦେଖି ଯେତିକି ସମୟ ଲାଗିବାର କଥା ତା ଠୁ ଅଧିକ ସମୟ ହୋଇ ଗଲାଣି କିନ୍ତୁ ଆମର ଗନ୍ତବ୍ୟ ସ୍ଥଳରେ ଆମେ ପହଞ୍ଚି ପାରିନୁ । ସେତେବେଳେ ମୋବାଇଲ୍ ଫୋନ୍ ବି ନଥିଲା ଯେ ସାଙ୍ଗକୁ ପଚାରି ବୁଝିବାକୁ । ଜଙ୍ଗଲ ଭିତରେ ଶୀଘ୍ର ସନ୍ଧ୍ୟା ହୋଇ ଯାଇ ଅନ୍ଧାରୁଆ ଅନ୍ଧରୁଆ ଦିଶିବା ଆରମ୍ଭ ହୋଇ ଯାଇ ଥାଏ । ରାସ୍ତାରେ ସେପରି ବତୀ ଖୁଣ୍ଟ ବିଷେଶ ଭାବରେ କିଛି ନଥାଏ । ଗାଡି ଲାଇଟରେ ଯାହା ଯେତିକି ଦେଖା ଯାଉଥାଏ ସେତିକିରେ ଦେଖି ଦେଖି ଯାଉ ଥାଉ ।

ପୁରା ନିଛାଟିଆ ଜାଗା ଗାଡି ମଟର ବି କିଛି ରାସ୍ତାରେ ଯାଉଥିବାର ଦିଶୁ ନଥାଏ । କାହାକୁ ପଚାରିବାକୁ ରାସ୍ତା ବିଷୟରେ କେହି ହେଲେ ବି କୁଆଡେ ଦିଶୁ ନଥାନ୍ତି । ସ୍ବାମୀ ମଝିରେ ମଝିରେ ଗାଡି ରଖି ରାସ୍ତାରେ, ମ୍ୟାପ୍ ଦେଖୁଥାନ୍ତି । ମୁଁ ଡରରେ ମନେ ମନେ ଭଗବାନଙ୍କୁ ଡାକୁଥାଏ । ସେତେବେଳେ ଯେଉଁ ଦେବ ଦେବତା ମନେ ପଡୁ ଥାନ୍ତି ଜଗନ୍ନାଥଙ୍କ ଠୁ ଆରମ୍ଭ କରି କଟକ ଚଣ୍ଡି, ମା ଦୁର୍ଗା ସମସ୍ତଙ୍କୁ ମୁଣ୍ଡିଆ ମାରି ଚାଲୁଥାଏ ।

ଘରକୁ ଫେରିବା ବି ସମ୍ଭବ ନୁହେଁ ବର୍ତମାନ, ଘର ଠାରୁ ବହୁ ଦୂରରେ ଆମେ । ରାତିର ଅନ୍ଧାର ଧିରେ ଧିରେ ବଢି ଚାଲିଚି । କିଛି କୋଉଠୁ ବସ୍ତି ଆଲୁଅ ବି ଦିଶୁ ନଥାଏ । ଜନ ମାନବ ଶୂନ୍ୟ ରାସ୍ତାରେ ଆମେ ଡ୍ରାଇଭିଙ୍ଗ କରି ଚାଲୁଥାଉ । ଆହୁରି ଗୋଟେ ବଡ ଡର ଥିଲା ଗାଡିରୁ ଯଦି ଗ୍ୟାସ୍ ସରି ଯାଏ ତେବେ କଣ ହେବ । ସେଇ ଅନ୍ଧାର ଜଙ୍ଗଲରେ ରାସ୍ତା କଡରେ ବସି ରାତି ବିତେଇବାକୁ ପଡିବ, ଭାବି ଦେହ ଶିତେଇ ଉଠୁଥାଏ । କି ପ୍ରକାର ଜନ୍ତୁ ଜୁନ୍ତା ସେଠାରେ ଅଛନ୍ତି ମୋ କଲ୍ପନାର ବାହାରେ । ଆଗକୁ ଆଉ ବେଶୀ କିଛି ଭାବି ପାରିଲିନି ।

ଆମେ ମ୍ୟାପରୁ ଜାଣୁଥାଉ ଜାଗାଟା ସେଇ ପାଖ ଆଖରେ କୋଉଠି କିନ୍ତୁ ପ୍ରକୃତରେ କୋଉଠି ଜାଣି ପାରୁ ନଥାଉ ତେଣୁ ଏପଟ ସେପଟ କରି ଗାଡି ଚଳେଇ ବୁଲୁଥାଉ । ଅନ୍ୟ କିଛି ଉପାୟ ନାହିଁ । ଏମିତି ଅଲକ୍ଷ ଭାବରେ ବୁଲୁ ବୁଲୁ ଦୂରରୁ ଟିକେ କୋଉଠି ଆଲୋକ ଦିଶିଲା । ଭାବିଲୁ କେହି ମଣିଷ ସେଠାରେ ଥାଇ ପାରନ୍ତି ବା କାହାର ଘର ହୋଇ ପାରିଥାଏ । ତେଣୁ ସେହି ଆଲୋକକୁ ଲକ୍ଷ କରି ଗାଡି ଚଲେଇକି ସେହି ଦିଗକୁ ଯିବା ଆରମ୍ଭ କଲୁ ।

ଯାଇ ପହଂଚିଲା ବେଳକୁ ଦେଖିଲୁ ସେଇଟା ଗୋଟେ ଛୋଟ ଗାଡି ରିପେୟାର ଦୋକାନ ଟିଏ । ଆମେରିକାନ ଭଦ୍ର ବ୍ୟକ୍ତି ଜଣେ ଏକାକୀ ଭିତରେ ବସି ଥାନ୍ତି । ଦୋକାନ ବନ୍ଦ କରିବାର ପ୍ରସ୍ତୁତି କରୁଥାନ୍ତି । ଆମକୁ ଦେଖି କାମ ଛାଡ଼ି ଆମ ପାଖକୁ ଆସିଲେ । ବୟସ ପାଖାପାଖି ପଚାଶ ହେବ । ସମ୍ଭାଷଣର ଆଦାନ ପ୍ରଦାନ ପରେ ଆମେ ତାଙ୍କୁ ଆମ ରାସ୍ତା ଭୁଲି ଯିବା କଥା କହିଲୁ । ସେ କହିଲେ ସେ ଜାଣିଚନ୍ତି ଜାଗାଟି କୋଉଠି । ଆମକୁ କହିଲେ ଏଠୁ ପ୍ରଥମେ ଡାହାଣ କୁ ଯିବେ ତାପରେ ବାମ କୁ ଯିବେ ସିଧା ଯିବେ ଏହିପରି କହିଲା ପରେ ସେ ନିଜେ ଆମ ଭାବ ଭଣ୍ଗିରୁ ଅନୁଭବ କରି ପାରିଲେ ଆମେ ତାଙ୍କ କଥା ବିଶେଷ ବୁଝିପାରିଲୁନି ବୋଧେ ।

ଝିଅ ମୋର ଆରାମରେ ମୋ କୋଳରେ ଶୋଇ ପଡିଥାଏ । ମୁଁ ଡରି ଜଡ଼ ପ୍ରାୟ । ସେତେବେଳକୁ ରାତି ନଅଟା ପରେ । ତାପରେ ସେ ଲୋକଟି କହିଲେ କିଛି ବ୍ୟସ୍ତ ହବାର ନାହିଁ ମୁଁ ତୁମକୁ ସେଠାରେ ନେଇ ଛାଡ଼ି ଦେଇ ଆସିବି । ତୁମେ ମୋ ଗାଡିକୁ ଅନୁଶରଣ କରି କରି ମୋ ପଛେ ପଛେ ଆସ । ସେ ଜାଗାଟା ସିଧା ରାସ୍ତାରେ ନୁହଁ । ମୁଖ୍ୟ ରାସ୍ତା ପରେ ଦୁଇ ତିନି ଗଳି ରାସ୍ତା ଦେଇ ଯିବାକୁ ହେବ । ରାତି ଅନେକ ହେଲାଣି । ସେ ତାଙ୍କ ଦୋକାନ ବନ୍ଦ କରି ନିଜ ଗାଡି ଟି ଧରି ଆମ ଆଗେ ଆଗେ ଚାଲିଲେ । ଅମେ ଆମ ଗାଡିରେ ତାଙ୍କୁ ଅନୁଶରଣ କରି କରି ଗଲୁ । ଲକ୍ଷେ ନୁହଁ କୋଟିଏ ଧନ୍ୟବାଦ ଭଗବାନଙ୍କୁ ଏବଂ ସେ ଭଦ୍ର ବ୍ୟକ୍ତିଙ୍କୁ ମନେ ମନେ ଦେଲି । ମତେ ସେଇ ମୁହୁର୍ତ୍ତରେ ଲାଗିଲା ସେ ମଣିଷ ନୁହନ୍ତି ମଣିଷ ରୁପରେ ଦେବତା ଜଣେ । ତାଙ୍କର କଣ ଦରକାର ନିଜ ଦୋକାନ ବନ୍ଦ କରି ସମ୍ପୁର୍ଣ ଅଜଣା ଲୋକକୁ ଯାଇ ସାହାଯ୍ୟ କରିବା । ଜଗନ୍ନାଥ ଏପରି ଅସହାୟକୁ ଲୋକ ପଠେଇ ସାହାଯ୍ୟ କରିବା କଥା ଶୁଣିଥିଲି କିନ୍ତୁ ସେଦିନ ନିଜ ଆଖିରେ ଦେଖିଲି ।

ଆମେ ପନ୍ଦର ମିନିଟ୍ ଦୁରରେ ଥିଲୁ ଆମ ଗନ୍ତବ୍ୟ ସ୍ଥଳ ପାଖରୁ କିନ୍ତୁ ଅନ୍ଧାର ଯୋଗୁ କିଛି ଦେଖି ପାରୁନଥିଲୁ । ଗୋଟେ ଗଳି ଯାହାରକି ଦୁଇ ସାଇଡ ରେ ବଡ଼ ବଡ଼ ଗଛ ଥିଲା ତାରି ଭିତର ଦେଇ ସେ ଗଳି ଭିତରେ ପ୍ରବେଶ କରିବାର ଥିଲା । ଆମ ଆମେରିକାନ ସାଙ୍ଗ ସେ ଆମ ନାମ ଲେଖି କାଗଜରେ ତୀର ଚିହ୍ନ ଦର୍ଶାଇ ଗଛର ଗଣ୍ଡିରେ ଲଗେଇ ଦେଇଥିଲେ । ଆମକୁ ସହଜ ହେବ ବୋଲି ଜାଗା ଖୋଜିବାରେ । କିନ୍ତୁ ଗଛର ଡାଳ ପତ୍ର ଦ୍ବାରା ଗଳି ରାସ୍ତାଟି କିଛି ପରିମାଣରେ ଆଛର୍ଣ୍ଣ ହୋଇ ରହିଥିବାରୁ ମୁଖ୍ୟ ରାସ୍ତାରୁ ତାହା ଦେଖିବା ସମ୍ଭବ ହୋଇ ପାରୁ ନଥିଲା । ସେ ଭଦ୍ରବ୍ୟକ୍ତି ପୁରା ଆମକୁ କ୍ୟାମ୍ପ ଗ୍ରାଉଣ୍ଡ ପାଖରେ ନେଇ ଛାଡ଼ି ଦେଇ ଆସିଲେ । ଅନେକ ଧନ୍ୟବାଦ ସହ ତାଙ୍କୁ ବିଦାୟ ଦେଲୁ ।

ଆମ ବନ୍ଧୁ ଆମ ଅପେକ୍ଷାରେ ଥିଲେ ଏବଂ ଟିକେ ଦୁଶ୍ଚିନ୍ତାରେ ଥିଲେ ମଧ୍ୟ, ଆମର ଏତେ ଡେରି ହୋଇଯିବା କାରଣରୁ । ଦେଖି ଖୁସି ହେଲେ । ଭାବ ବିନିମୟ ପରେ କଟେଜ୍ ଭିତର ନେଇ ବୁଲେଇ ଦେଖେଇଲେ । କାରଣ ସେମାନେ ତା ପର ଦିନ ସକାଳୁ ଫେରି ଯିବାର ଥିଲା । ସେ ବି ତାଙ୍କ ପରିବାର ଧରି ଆସିଥିଲେ । ଆମର ଏପରି କଟେଜରେ ରହିବା ଜଙ୍ଗଲ ଭିତରେ ପ୍ରଥମ ଅନୁଭୂତି । ତେଣୁ ସେଠିକାର ନିୟମ କାନୁନ୍ ମଧ୍ୟ ଆମର ଜାଣିବା ଦରକାର । ବନ୍ଧୁ ଜଣଙ୍କ ସବୁ ଆମକୁ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବରେ ବୁଝେଇ ଦେଲେ । ସେଠାରେ ରହିବା ସମୟରେ କଣ କରିବୁ ,କଣ ଦେଖିବୁ ଇତ୍ୟାଦି ।

ନେଇଥିବା ଭାରତୀୟ ଖାଦ୍ୟ ଚିକେନ୍ ବିରିୟାନି ଓ ଚିକେନ୍ ତରକାରୀକୁ ଫ୍ରିଜ୍ କରି କୁଲର ଭିତରେ ନେଇ କରି ଯାଇଥିଲୁ । ସେଠାରେ ଗରମ କରି ସମସ୍ତେ ସାଙ୍ଗ ହୋଇ ଖାଇ ସାରିବା ପରେ, ଶୋଇବା ପାଇଁ ନିଜ ନିଜ ପ୍ରକୋଷ୍ଟକୁ ଗଲୁ । ସେଇ କଟେଜ୍ ଟି ଟିକେ ବଡ଼ ଥିଲା ଦୁଇ ପରିବାର ରହିବା ପାଇଁ ବ୍ୟବସ୍ଥା ଥିଲା । ତେଣୁ କିଛି ଅସୁବିଧା ହେଲା ନାହିଁ ସତ କିନ୍ତୁ ରାତି ସାରା ଭଲ ନିଦ ହେଲା ନାହିଁ । ନୂଆ ଜାଗାକୁ ନୂଆ ପରିବେଶ, ନିଦ ନଆସିବା ସ୍ବାଭାବିକ ।

ଶେଯରେ ପଡି ଖାଲି ଭାବୁଥାଏ ଚିହ୍ନା ନାହିଁ ଜଣା ନାହିଁ ନିଜର ବ୍ୟବସାୟକୁ ସମୟ ଆଗରୁ ବନ୍ଦ କରି ଯିଏ ଆସି ପରକୁ ସାହାଯ୍ୟ କରିପାରେ ସେ କେବଳ ଭଗବାନ୍ ହିଁ ହୋଇ ପାରନ୍ତି । ସେଦିନ ପୁରା ବିଶ୍ବାସ ହୋଇଥିଲା ପିଲାବେଳୁ ଶୁଣିଥିବା ଗପ ବିପଦରେ ଭଗବାନଙ୍କୁ ଡାକିଲେ ସେ ସିନା ନିଜେ ଆସନ୍ତିନି ସତ କିନ୍ତୁ ଆଉ କାହା ମାଧ୍ୟମରେ ସାହାଯ୍ୟ ପଠେଇ ଦିଅନ୍ତି ।

ଅନେକ ଖରାପ ଭାବନା ବି ଆସି ନିଦରେ ବ୍ୟାଘାତ ଘଟୋଉ ଥିଲା । ଯଦି ସେ ଲୋକ ଆମକୁ ମିଛ କହି ବାଟ ଭୁଲେଇ ଆମକୁ ଇଚ୍ଛା କରିଥିଲେ ଲୁଟି ବି ପାରି ଥାନ୍ତେ । ଭୁତେଇ ଆମଠୁ ସବୁ ଜିନିଷ ଛଡ଼େଇ ନେଇ ଯାଇ ପାରିଥାନ୍ତେ ସିନେମାରେ କଲା ଭଳି । ବହୁତ ଖରାପ ପରିସ୍ଥିତି ହୋଇ ପାରିବାର ସମ୍ଭାବନା ଥିଲା ଆମ ପାଇଁ ସେଦିନ । କିନ୍ତୁ ନା ସେପରି କିଛି ହୋଇ ନଥିଲା । ଧନ୍ୟବାଦ ସେହି ଦେବତାଙ୍କୁ ଆଉ ଗଢିଥିବା ଏହିପରି କିଛି ଦେବତ୍ବ ଗୁଣରେ ଭରା ମଣିଷଙ୍କୁ ।

ଏହିପରି ଭାବନା ଭିତରେ କେତେବେଳେ ନିଦ ହୋଇ ଯାଇଥିଲା । ସକାଳୁ ନିଦ ଡ଼େରିରେ ଭାଙ୍ଗିବା କଥା କିନ୍ତୁ ବିଭିନ୍ନ ପ୍ରକାର ଚଢେଇ ମାନଙ୍କ କଳ କାକ୍କଳି ରେ ନିଦ ଭାଙ୍ଗି ଯାଇଥିଲା । ସହରରେ ଚଢେଇ ମାନଙ୍କ ଏପରି ଖିଆଲୀ ସ୍ବର ଝଙ୍କାର ରେ ଭରା କିଚିରୀ ମିଚିରୀ ଶବ୍ଦ କେବେ ଶୁଣିବାକୁ ମିଳେନା । ସମସ୍ତେ ଉଠି ବାହାରକୁ ଗଲୁ । ରାତିର ଅନ୍ଧ|ରରେ ଯାହା ଭୟଙ୍କର କୁରୂପ ଦିଶୁଥିଲା, ସକାଳର ସୁନେଲି ସୂର୍ଯ୍ୟ କିରଣରେ ତାହା ଜୀବନ୍ତ ହୋଇ ସୌନ୍ଦର୍ଯ୍ୟରେ ଭରି ଯାଇଥିଲା । ମନେ ପଡୁଥିଲା କବି ଙ୍ଗଗାଧର ମେହରଙ୍କ କାବ୍ୟ ‘’ତପସ୍ବିନୀ’’ ରେ ସୀତାଙ୍କ ଦୃଷ୍ଟିରେ ସେ ଜଙ୍ଗଲର ବର୍ଣନା । ସେହି ପରି ଏହା ଦୃଶ୍ୟମାନ । ତା ଠୁ ଆଉ ଅଧିକ ଚମତ୍କାର ବର୍ଣ୍ଣନା ହୁଏତ ମୁଁ କରି ନପାରେ ।

**************

ଆମେରିକା ରାସ୍ତା କଟେଜ୍

Rate the content


Originality
Flow
Language
Cover design

Comments

Post

Some text some message..