Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Inspirational

3  

Kamala Satpathy

Inspirational

ନାନୀର କବିତା ଓ ବୋଉର ପ୍ରଶଂସା

ନାନୀର କବିତା ଓ ବୋଉର ପ୍ରଶଂସା

6 mins
7.5K


କାହିଁକି ଲେଖେ ? ଜାଣିନି କି ଚିନ୍ତା ବି କରିନି କେବେ, କାହିଁ ରାତି ରାତି ଉଜାଗର ରହି, ସାଙ୍ଗସାଥୀଙ୍କ ଠାରୁ ଦୂରେଇ ରହି, ଟିଭି ସିନେମା ମଉଜ ମଜଲିସରେ ସମୟ ନକଟେଇ, କାଗଜ କଲମ ସହିତ ରୀତିମତ ଯୁଦ୍ଧ ଚଲେଇଛି ମୁଁ ଦୀର୍ଘ ବର୍ଷରୁ ! କ’ଣ ରହିଛି ମୋ ଉଦ୍ଦେଶ୍ୟ ! .. କିଛି ବି ତ ନାହିଁ ! ଆଜି ନାହିଁ କି ସେଦିନ ବି ନଥିଲା, ଯୋଉଦିନ ପ୍ରଥମ କରି ପଢାବହି ଭିତରେ ଲୁଚେଇ ଛପେଇ ଖାତା ରଖି, ପାଠ ନୁହେଁ, ବରଂ କାହାଣୀଟିଏ ଲେଖିବାର ପ୍ରଯାସ ମୁଁ କରିଥିଲି। ମନ ଭିତରେ ଖେଳି ବୁଲୁଥିବା ଅନେକ ଭାବନା ସବୁକୁ ଗାରେଇ ପକେଇ ଭାବିଥିଲି କାହାଣୀଟିଏ ଲେଖି ପକେଇଛି। ସେଇଟା ଅବଶ୍ୟ ଅଲଗା କଥା ଯେ ସେ କାହାଣୀର ଅସ୍ତିତ୍ୱ ମାତ୍ର ଦୁଇ ତିନି ପୃଷ୍ଠା ଭିତରେ ହଜି ଯାଇଥିଲା। ଆଜି ବି ସେ କାହାଣୀର ଚରିତ୍ରମାନେ ମୋର ମନେ ଅଛନ୍ତି, କିନ୍ତୁ ସେମାନଙ୍କୁ ପ୍ରକୃତ ଜୀବନ ମୁଁ ଦେଇ ପାରିନଥିଲି ସେତେବେଳେ। କାରଣ ଥିଲା, ଅପରିପକ୍ୱ ମନ .. ଆଉ ଘରଲୋକଙ୍କ କଡା ଶାସନ।

ପାଠପଢା ଛାଡି କାହାଣୀ ଲେଖା ? ଭାରି ପଣ୍ଡିତଟେ ତ .. ଲେଖିବାକୁ ବସିପଡିଲା କାହାଣୀ !

ବିନା ଉଦ୍ଦେଶ୍ୟରେ ବି କେତେ କ’ଣ କରିହୁଏ ସତରେ .. ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କାଗଜ କଲମ ମାଧ୍ୟମରେ ନିଜକୁ ଚିହ୍ନିବା, ଜାଣିବା ଆଉ ନିଜ ଭିତରେ ସୃଷ୍ଟି ହେଉଥିବା ଅସଂଖ୍ୟ ପ୍ରଶ୍ନ ସବୁର ଉତ୍ତର ଖୋଜି ବୁଲିବା, ବୋଧହୁଏ ମୋ ଲେଖାଲେଖିର କାରଣ ତାହା ହୋଇପାରେ। କିନ୍ତୁ ଏ ଅଜବ କାରଣ ପାଇଁ ଘଣ୍ଟା ଘଣ୍ଟା ଧରି ଘର ପରିବାରଠୁ କଟିଯିବା କ’ଣ ଗୋଟେ ଯୁକ୍ତିଯୁକ୍ତ ପଦକ୍ଷେପ ? ସେପରି ପ୍ରୟାସ ନକଲେ କ’ଣ ହୁଅନ୍ତାନି ! ଏ ଲେଖାଲେଖିର ଦୁନିଆ ଭିତରେ ନିଜକୁ ନହଜେଇ ଅନ୍ୟ କିଛି କାମ କଲେ କ’ଣ ହୁଅନ୍ତାନି ! ନିଶ୍ଚୟ ହୁଅନ୍ତା । ଏ ସଂସାରରେ କାଗଜ କଲମ ଠାରୁ ଦୂରରେ ବି ତ ବହୁତ ଲୋକ ରହୁଛନ୍ତି। ତେବେ ମୁଁ କାହିଁ ନୁହେଁ ?

କେଜାଣି .. ଜଣାନାହିଁ, କିନ୍ତୁ କିଛି ନଲେଖି ରହିହୁଏନା। ଲାଗେ, ମୁଣ୍ଡ ଭିତରେ ସୃଷ୍ଟି ହେଉଥିବା ଭାବନା ସବୁ ଛଟପଟ ହେଉଛନ୍ତି, ଅଣନିଶ୍ବାସୀ ହେଉଛନ୍ତି ପଦାକୁ ବାହାରି ଆସିବାକୁ । ଏ ଭାବନା ସବୁ ଏପରି ଯେ କାହାରି ଆଗେ କହିବସିଲେ, ଠିକରେ କହିହୁଏନି। ବୁଝେଇବାକୁ ଚାହିଁଲେ, ଲାଗେ କୋଉଠି କେମିତି ଅଜାଣତରେ ବହୁତ କିଛି ଛାଡି ହୋଇଯାଉଛି, ପଥହରା ହେଇଯାଉଛି ବହୁ ମୂଲ୍ୟବାନ୍ ତଥ୍ୟ .. ହାତରୁ ଖସି ହଜିଯାଉଛି ଦୁନିଆର ଭିଡ ଭିତରେ .. ଯାହାକୁ ସହଜରେ ଗୋଟେଇ ହେଉନାହିଁ । ଏମିତି ବି, କାହା ପାଖରେ ଏତେ ସମୟ ଅଛି ଯେ ଘଣ୍ଟା ଘଣ୍ଟା ଧରି ଏ ଅଜବ ଭାବନା ସବୁକୁ ଧୈର୍ଯ୍ୟର ସହ ଶୁଣିବାକୁ ଯିବ ! କିନ୍ତୁ ନକହି ପାରିଲେ ମୁଁ ତ ପାଗଳ ହେଇଯିବି ! ବୋଧହୁଏ ନିଜକୁ ହାଲୁକା କରିଦେବାକୁ ଏ ଲେଖାଲେଖି ପରି ଏକ ଦୁନିର୍ବାର ଚେଷ୍ଟାକୁ ମୁଁ କରିବସେ ।

ସେଇ ଯେଉଁ ପ୍ରଥମ ଲେଖାଟି ଲେଖିଥିଲି ନୂଆ ନୂଆ କଲେଜ୍ ମାଡିଲା ବେଳେ, ତାକୁ ବହୁ ବର୍ଷ ପର୍ଯ୍ୟନ୍ତ ନିଜ ଶେଯ ତଳେ ଲୁଚେଇ ରଖିଥିଲି ସମସ୍ତଙ୍କ ଦୃଷ୍ଟି ଆଢୁଆଳ କରି । କେବଳ ସେଇ କାହାଣୀଟି ନୁହେଁ, ଆହୁରି ଅନେକ ଚରିତ୍ର ମନ ଭିତରକୁ ପଶି ଆସିଛନ୍ତି ଠିକ୍ ପାଠ ପଢିଲା ବେଳେ ହି। ଭାରି ବିକଳ ଲାଗେ ଗାରେଇ ପକେଇବାକୁ। କିନ୍ତୁ ନାନୀର କଠୋର ଦୃଷ୍ଟି ମୋ ଉପରେ ନିବଦ୍ଧ ଥାଏ । ମୁଁ ଅପେକ୍ଷାରେ ଥାଏ ନାନୀର ଉଠିଯିବାକୁ। ଗୋଟେ ପଟରେ ଥାଏ ନାନୀର କଡା ନିର୍ଦ୍ଦେଶ, ପାଠ ନସରିଲେ ଶୋଇବାକୁ ଯାଇ ପାରିବୁନି, ଆଉ ଅନ୍ୟ ପଟରେ ମୋ କାହାଣୀର ଚରିତ୍ରମାନେ ମତେ ବାରମ୍ୱାର ଉସୁକାନ୍ତି ଶୀଘ୍ର ଖଟ ଉପରକୁ ଯାଇ ମଶାରି ତଳେ ଲୁଚିଛପି ସେମାନଙ୍କ ହାତ ଧରି ଧରି ଅନ୍ୟ ଏକ ଦୁନିଆରେ ହଜିଯିବାକୁ। କିନ୍ତୁ ମୁଁ ଯାଇ ପାରେନା। ପରୀକ୍ଷା ଥାଏ ମୁଣ୍ଡ ଉପରେ। ଯେମିତି ହେଉ ସବୁ ପାଠ ସାରିବାକୁ ପଡିବ ।

ସେ ସମୟରେ ସାଙ୍ଗସାଥୀମାନଙ୍କ ଠାରୁ ମଗାମଗି କରି ଓଡିଆ ଆଉ ହିନ୍ଦୀ ଉପନ୍ୟାସ ପଢିବାଟା ଗୋଟେ ନିଶା ପାଲଟି ଯାଇଥିଲା। ନିଜ ସଞ୍ଚିତ ପଇସାରୁ ବି କିଛି କିଛି ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ ହେଇଯାଉଥିଲା। ନାନୀ ଯେହେତୁ ଓଡିଆରେ ଏମ୍‍.ଏ. କରୁଥିଲା, ତା’ ପାଇଁ କଲେଜ ଲାଇବ୍ରେରୀରୁ ଭାଇନା ବିଶିଷ୍ଟ ସାହିତ୍ୟିକ ମାନଙ୍କର ବହୁ କାଳଜୟୀ କୃତି ଘରକୁ ଆଣୁଥିଲେ, ଯାହାକୁ ସେ ପଢିବା ଆଗରୁ ମୁଁ ଲୁଚେଇ ଛପେଇ ବୁଝେ କି ନବୁଝେ ପଢି ଯାଉଥିଲି । ସେହି କ୍ରମରେ ପରଜା, ହା ଅନ୍ନ, ମାମୁ, ଛ’ମାଣ ଆଛଗୁଣ୍ଠ, ଲଚ୍ଛମା, ଗୋଦାନ, ମାଟି ମଟାଳ, ମାଟିର ମଣିଷ .. ଆହୁରି କେତେ କ’ଣ ପଢି ପକେଇଛି, ତା’ର ନାଁ ବି ମନେ ନାହିଁ ।

ସେଇ ପଢିବା ସମୟରେ ବାରମ୍ୱାର ମନକୁ ଆସେ, ମୁଁ ଯେମିତି ରାତି ରାତି ଉଜାଗର ରହି ଏମାନଙ୍କ ବହିସବୁ ପଢିଯାଉଛି, ଏମିତି କ’ଣ ଦିନ କେବେ ଆସିବ, ଯେବେ ମୁଁ ଲେଖିବି ଆଉ ଅନ୍ୟମାନେ ରାତି ଉଜାଗର ରହି ତାକୁ ପଢିବେ ! ମୋ ପରି ସେମାନେ ବି ମୁଗ୍ଧ ହେଇ କଳ୍ପନା ରାଜ୍ୟରେ ବିଚରଣ କରିବେ ମୋ ଲେଖା ସବୁ ପଢୁ ପଢୁ !

ସେମିତି ଏକ ସ୍ୱପ୍ନ ବାସ୍ତବ କରିବାର କଳ୍ପନା କରି ଧାଇଁଯାଏ ମୁଁ ଟେବୁଲ୍ ପାଖକୁ ଆଉ ଗାରେଇ ପକାଏ ଇଆଡୁ ସିଆଡୁ କରି ଯାହା ମନ ଭିତରେ ଖେଳି ବୁଲୁଥାଏ ସେତେବେଳେ ।

ସେ ସମୟରେ ସବୁଠାରୁ ଅଧିକ ପଠନୀୟ ପତ୍ରିକା ଭାବରେ ‘ଶିଶୁଲେଖା’ର ଆଦର ଘରେ ଘରେ ଥିଲା । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ତାକୁ ନିଶ୍ଚୟ ପଢୁଥିଲେ । ଲେଖାର ମାନ ଅତ୍ୟନ୍ତ ଉଚ୍ଚକୋଟିର ରହୁଥିଲା । 1975-76 ମସିହାର କଥା । ନାନୀର ଲେଖାଟିଏ ସେଥିରେ ପ୍ରଥମ କରି ପକାଶ ପାଇଲା – ‘ମା’ର ମମତା’ । ନନାବୋଉଙ୍କ ସେତେବେଳର ଖୁସି ଆଜି ବି ମୋର ମନେ ଅଛି । ଗଲା ଅଇଲା ସବୁ ଲୋକଙ୍କୁ ବୋଉ ସେ କବିତା ପଢି ଶୁଣେଇଥିବ । ବାଟରେ ଘାଟରେ, ଗାଁରେ, ସମସ୍ତଙ୍କ ଆଗରେ ସେ କବିତାର ଚର୍ଚ୍ଚା କରିଥିବ । ଖୁସିରେ ଦପ୍ ଦପ୍ କରୁଥିବା ତା’ର ସେ ଚେହେରା ଆଜି ଏତେ ବର୍ଷ ପରେ ବି ମୋ ନଜରରୁ ଲିଭି ଯାଇନାହିଁ ।

ମୋର ଇଚ୍ଛା ହେଉଥିଲା, ଏମିତି କିଛି ମୁଁ ବି ଲେଖନ୍ତି, ଯାହାକୁ ପଢି ବୋଉ ଗର୍ବ କରନ୍ତା ଆଉ ସମସ୍ତଙ୍କ ଆଗରେ କହିବୁଲନ୍ତା ମୁଁ ଲେଖିଚି ବୋଲି ! କେତେ ଥର ଚେଷ୍ଟା କରିଛି, କିନ୍ତୁ ପାରିନି । ରାଗ ଆସିଛି ନିଜ ଉପରେ । ଏତେ ଏତେ ଲୋକ କେତେ କ’ଣ ଲେଖୁଛନ୍ତି, ଆଉ ମୁଁ ସାମାନ୍ୟ କବିତାଟେ ବି ଲେଖି ପାରୁନାହିଁ ? ଏତେ ବହିପତ୍ର ପଢି ତା’ହେଲେ କି ଲାଭ ହେଲା ? ତା’ମାନେ ଶିଶୁଲେଖାର ପୃଷ୍ଠାରେ ମୋର ନାଁ କେବେ ବି ବାହାରିବନି ?

ଦୁଃଖରେ ଭାଙ୍ଗିପଡେ ମୁଁ । ରଫ୍ ଖାତାରେ ଗାରଇଥିବା ସବୁ ଲେଖାକୁ ଚିରି ଚାରି ଫୋପାଡିଦିଏ । ଏବଂ ଶପଥ ନିଏ ଆଉ ଏସବୁରେ ମୁଣ୍ଡ ପୂରେଇବିନି । ହେଲେ ଦିନ କୋଇଟା ଭିତରେ ନିଜ ଶପଥ ମୁଁ ଭୁଲିଯାଏ । କୋଉଠି ପ୍ରଜାପତିଟିଏ କି କଙ୍କିଟିଏ, ଅଥବା ସୁନ୍ଦର ଫୁଲଟିଏ ଦେଖିଲେ ମନ ମୋର ପୁଣି ଉଚ୍ଚାଟ ହୁଏ ଲେଖିବାକୁ । ମନେ ମନେ ଭାବେ, କିଏ ପଢୁ କି ନପଢୁ, ଲେଖିବାକୁ ମତେ ଭଲ ଲାଗୁଛି, ତେଣୁ ମୁଁ ଲେଖିଯିବି ।

କିନ୍ତୁ ଖୁବ୍ ଶୀଘ୍ର ସେ ସୁଦିନ ମୋ ଜୀବନରେ ଆସିଲା ଆଉ ସବୁ ହତାଶ ମୋର ଶେଷ ହେଇଗଲା ଯେତେବେଳେ 1983 ମସିହାରେ ଶିଶୁଲେଖାରେ ‘ଗର୍ବର ଫଳ’ ନାମରେ ମୋର ଗୋଟିଏ କାହାଣୀ ଛପା ହେବାକୁ ଯୋଗ୍ୟ ହେଇଗଲା । ଖୁସିରେ ଆତ୍ମହରା ହେଇଉଠିଲି । ମୁଁ ଯେ ଲେଖାଲେଖି କରିପାରିବି, ସେ ବିଶ୍ବାସ ମୋର ହେଇଗଲା । ସମସ୍ତଙ୍କୁ ନେଇ ପଢେଇଲି । କିନ୍ତୁ ବାସ୍ତବରେ ସେ କାହାଣୀଟା ଯେ ମୋ ଦ୍ୱାରା ଲେଖା ହେଇଥିବ, ତାହାର ବିଶ୍ୱାସ କେହି ବି କରିନଥିଲେ। ମତେ ପ୍ରମାଣ ଦେବାକୁ ହେଲା ରଫ୍ ଖାତାରେ ଗାରେଇଥିବା ଲେଖାକୁ ଦେଖେଇ। ସମସ୍ତେ ଖୁସି ତ ହେଲେ, ମାତ୍ର ଯିଏ ଦେଖିଥିଲେ ସବୁଠାରୁ ବେଶି ଖୁସି ହେଇଥାନ୍ତା, ସମସ୍ତଙ୍କ ଆଗରେ କହି ବୁଲିଥାନ୍ତା, ସେତେବେଳକୁ ସେ ଆଉ ଏ ଇହଧାମରେ ନଥିଲା । ହଁ, 1982 ମସିହା ଦିପାବଳୀର ରାତି, ଆମ ପାଇଁ ଥିଲା ସବୁଠାରୁ ଅନ୍ଧାରର ରାତି । ବୋଉ ଆମକୁ ଛାଡି ଚାଲି ଯାଇଥିଲା ସେଇ ରାତିରେ।

ଆଜି ଏତେ ବର୍ଷ ପରେ ହଜାରେ ଉପରେ ଲେଖା ଲେଖି ପୁରସ୍କୃତ ହେଲା ପରେ, ପାଠକୀୟ ପ୍ରଶଂସା ପାଇଲା ପରେ ବି ମନରେ ଅବସୋସର ପାହାଡ ଜମାହେଇ ରହିଛି ଯେ ନାନୀର ସେଇ ଛୋଟିଆ କବିତାଟି ଯେଉଁ ପ୍ରକାରର ପ୍ରଶଂସା ପାଇଥିଲା, ସେପରି ପ୍ରଶଂସା ଥରେ ବି ମୋ ଜୀବନରେ ମୁଁ ପାଇ ପାରିଲି ନାହିଁ।

ସ୍ୱଳ୍ପ ଶିକ୍ଷୀତା ହୋଇ ବି ବୋଉର ସାହିତ୍ୟ ପ୍ରତି ଥିଲା ଦୁର୍ବାର ଆକର୍ଷଣ। ପିଲାଛୁଆଙ୍କ ଜଞ୍ଜାଳ ସାଙ୍ଗକୁ କୁଣିଆ ମଇତ୍ରଙ୍କ ଭିଡ ଭିତରୁ ବି ସମୟ ବାହାର କରି ପଢିପଢିର ନିଜ ରୁଚିକୁ ସେ ନିଶ୍ଚୟ ପୂରା କରୁଥିଲା। ସୁଚରିତା, ଆସନ୍ତାକାଲି, ନବରବି, ଝଙ୍କାର, ଜହ୍ନମାମୁ, ଶିଶୁଲେଖା, ଏସବୁ ପତ୍ରିକା ଆମ ଘରକୁ ସେତେବେଳେ ଆସୁଥିଲା ଏବଂ ସବୁକୁ ସେ ନିଶ୍ଚୟ ପଢୁଥିଲା । ମନଛୁଆଁ କାହାଣୀଟିଏ ହୋଇଥିଲେ ତାକୁ ବାରମ୍ୱାର ପଢୁଥିଲା, ସମସ୍ତଙ୍କ ଆଗରେ ପ୍ରଶଂସା ବି କରୁଥିଲା । ତା’ ସହିତ ପଢୁଥିଲା ରାମାୟଣ, ଦାର୍ଢ୍ୟତା ଭକ୍ତି, ଦାଣ୍ଡୀ ରାମାୟଣ, ଲକ୍ଷ୍ମୀ ପୁରାଣ, ନନ୍ଦକିଶୋର ଗ୍ରନ୍ଥାବଳୀ, ରାଧାନାଥ ଗ୍ରନ୍ଥାବଳୀ .. ଏମିତି ଏମିତି କେତେ କ’ଣ ।

ତା’ ପରି ପାଠିକାଟିଏ କିନ୍ତୁ ମୋର କୌଣସି ଲେଖା ପାଇଁ ନଥିଲା । ତାହା ହିଁ ମୋ ଜୀବନର ସବୁଠାରୁ ବଡ ଦୁର୍ଭାଗ୍ୟ । ତେବେ ମନରେ ଏତିକି ସନ୍ତୋଷ ରହିଛି ଯେ ଯେଉଁପରିକା ଲେଖା ସେ ପଢିବାକୁ ଭଲ ପାଉଥିଲା, ସେମିତି ଲେଖା ମୋ ଅଜାଣତରେ ମୋ କଲମରୁ ଅନେକ ବାହାରିଛି ଏବଂ ପାଠକୀୟ ସ୍ୱୀକୃତି ମଧ୍ୟ ପାଇଛି । ସେହି ପାଠକମାନଙ୍କ ମଧ୍ୟରେ ବୋଉ ବି ଥାଇପାରେ, ହେଉ ପଛେ ଅନ୍ୟ କେଉଁ ରୂପରେ .. ଅବା ଅନ୍ୟ କେଉଁ ଅଞ୍ଚଳରେ ! ମୋର ବିଶ୍ୱାସ ସେ କାହାଣୀ ସବୁ ତାକୁ ନିଶ୍ଚୟ ପସନ୍ଦ ହେଉଥିବ, ଆଉ ଆଜି ବି ଅନ୍ୟମାନଙ୍କ ଆଗରେ ସେସବୁର ବର୍ଣ୍ଣନା ନିଜ ଅଜାଣତରେ ସେ କରି ଚାଲିଥିବ।

ଏବେ ଅବଶ୍ୟ ସେ ଧାରାରେ ପରିବର୍ତ୍ତନ ଆସିଗଲାଣି । ସମୟ ସହିତ ତାଳ ଦେଇ ଲେଖାରେ ଆଧୁନିକତାର ପ୍ରବେଶ ହେଇଗଲାଣି, କିନ୍ତୁ ସତ କହିବାକୁ ଗଲେ, ଏବେ ବି ମଣିଷ ମନର ଦ୍ୱନ୍ଦ୍ୱକୁ ନେଇ ଲେଖା ଲେଖିବାକୁ ମତେ ବହୁତ ଭଲ ଲାଗେ । ମଣିଷ ମନ ପରି ଅଦ୍ଭୁତ ଜିନିଷ ଏ ସଂସାରରେ ଆଉ କିଛି ନାହିଁ । ଏ ମନ ଭିତରେ ଖେଳୁଥିବ କିଛି, ହେଲେ କହିଲା ବେଳକୁ କହୁଥିବ ଅନ୍ୟ କିଛି । ହୁଏତ ସେପରି କରିବାକୁ ସେ ବାଧ୍ୟ ହେଉଥିବ, ଅଥବା ପରିସ୍ଥିତିକୁ ବଞ୍ଚେଇବାକୁ ଚେଷ୍ଟା କରୁଥିବ । କିଏ ଜାଣେ, କ’ଣ ପାଇଁ ମଣିଷ ନିଜ ପାଖରେ ହି କେତେ ଅପରିଚିତ ଥାଏ କେବେ କେବେ ! ଗୋଟାଏ ଅନିଚ୍ଛିତ ବୋଝକୁ ମୁଣ୍ଡେଇ ଧରି ବାଟ ଚାଲିବାର ଦୁଃଖକୁ ଭୋଗି ଚାଲିଥାଏ । ତା’ର ସେ ଦୁଃଖ, ସେ ବ୍ୟାକୁଳତା ମତେ ସବୁବେଳେ ଆନ୍ଦେଳିତ କରିଥାଏ । ଆଉ ଯେପର୍ଯ୍ୟନ୍ତ କରୁଥିବ, ମୋର କଲମ ସେମିତି ଚାଲୁ ରହିଥିବ !

-0-


Rate this content
Log in

Similar oriya story from Inspirational