ଆକାଶର ଖୁଣ୍ଟ
ଆକାଶର ଖୁଣ୍ଟ
ଭୁବନେଶ୍ଵରରେ ଚାକିରି ନିମନ୍ତେ ସ୍ଵଳ୍ପ ରହଣି ଭିତରେ ପ୍ରତି ଶୁକ୍ରବାର ନୟାଗଡକୁ ଯାଇ ସୋମବାର ଫେରିବାକୁ ପଡ଼ୁଥିଲା। ପ୍ରତି ଥରର କିଛି ନା କିଛି ତିକ୍ତ ଅନୁଭୂତି ଭିତରେ ଥରେ ଘଟିଥିଲା ଏକ ଅପ୍ରତ୍ୟାଶିତ ଘଟଣା। ବସରେ ବସିବା କ୍ଷଣି ପାଖରେ ଆସି ବସିଗଲା ଜଣେ ଯୁବକ। ଆଉ ବସ୍ ଛାଡ଼ିବା ଆଗରୁ ଦୁଇ ମିନିଟ୍ ମଧ୍ୟରେ ହିଁ ଅଭଦ୍ରାମି ଆରମ୍ଭ କରିଦେଲା ବାହାନାରେ ମୋ ଦେହର ବିଭିନ୍ନ ସ୍ଥାନରେ ହାତ ବଜେଇ। ବସରେ ଭର୍ତ୍ତି ଲୋକ। ସମସ୍ତେ ଦେଖି ନଦେଖିବା ପରି ରହୁଛନ୍ତି। ଲାଜ, ଅପମାନରେ ଥରି ଥରି ପ୍ରତି ଥର ମୁଁ ତାକୁ ସତର୍କ କରୁ ଥାଏ ଠିକରେ ବସିବାକୁ। କିନ୍ତୁ ସେ ଲୋକ ତା'ର କାର୍ଯ୍ୟ କଳାପ ଜାରୀ ରଖିଥାଏ ଓ ମୁଁ ଅସହାୟ ଭାବରେ ତାକୁ ଧମକେଇ ଚାଲିଥାଏ।
ହଠାତ୍ ଏକ ଚାପା ହସର ଶବ୍ଦରେ ପଛକୁ ଚାହିଁଲି। ବେକରେ କୌଣସି ଏକ କମ୍ପାନୀର କାର୍ଡ ଗଳେଇ ଥିବା ଜଣେ ଶିକ୍ଷିତ ଯୁବକ ମୋ ସହ ଚାଲିଥିବା ହାସ୍ୟ ରସ ସମ୍ବଳିତ ଦୃଶ୍ୟକୁ ଉପଭୋଗ ପୂର୍ବକ ନିଜର ହସକୁ ରୋକି ନ ପାରି ଥିବାର ଜାଣି ମୋର ଅବସ୍ଥା କାନ୍ଦିବା ପ୍ରାୟ ହେଇଗଲା। ଶେଷ ବସ୍, ଘରେ ଅପେକ୍ଷା କରି ଥିବା ମୋ କୁନି ଛୁଆ କଥା ଭାବି ବସରୁ ଓହ୍ଲେଇ ପାରୁ ନଥାଏ। ବସ୍ ଛାଡ଼ିବା ସମୟ ହେଇ ଯିବାରୁ ବସର କଣ୍ଡକ୍ଟର ଜଣକ ବସକୁ ଉଠିଲେ । ଦୁଇ ମିନିଟ୍ ମଧ୍ୟରେ ସେଇ ଲୋକକୁ ମୋ ପାଖ ସିଟରୁ ଏଇଟା ଲେଡିଜ ସିଟ୍ କହି ଉଠେଇ ଆଉ ଜଣେ ଝିଅକୁ ଡାକି ବସେଇଲେ। ସେ ଝିଅ କିଛି ସମୟ ପରେ ଚାଲି ଯିବା ପରେ, ମାଡାମ୍ ଦୁଇଟି ସିଟର ପଇସା ଦେଇଛନ୍ତି କହି ବିଭିନ୍ନ ଲୋକଙ୍କ ଗାଳି ତଥା ପ୍ରଶ୍ନର ସାମ୍ନା କରି ସୁଦ୍ଧା ନୟାଗଡ଼ ଯାଏ ଆଉ କାହାକୁ ବସିବାକୁ ଦେଇ ନଥିଲେ। ଗାଡ଼ିରୁ ଓହ୍ଲେଇବା ବେଳେ ତାଙ୍କ ପାଖକୁ ଯାଇ ହାତ ଯୋଡ଼ି ଧନ୍ୟବାଦ ଦେଲା ବେଳେ ସେ କହିଲେ: ”ମାଡାମ୍, 16 ବର୍ଷ ହେଲା ଏଇ ଲାଇନ୍ରେ କାମ କରୁଛି। ଲୋକଙ୍କୁ ଦେଖି ତାଙ୍କ ମନୋଭାବ ବୁଝି ପାରେ ମୁଁ।”
ମନେ ମନେ ସେହି ଶିକ୍ଷିତ ଧୋବ ଧାଉଳିଆ ହସକୁରା ଯୁବକଙ୍କ ସହ ଏହି ପାନ ଖିଲ ଖଣ୍ଡେ ଯାକି ସ୍ଵଳ୍ପ ଶିକ୍ଷିତ ଜଣା ପଡ଼ୁଥିବା ଲୋକ ଜଣଙ୍କୁ ତୁଳନା କରି କରି ଘରକୁ ଫେରିଲି। କି ଲାଭ ସେ ଶିକ୍ଷା ଦୀକ୍ଷାର! ଛିଃ..
ଗୋଟେ ଗପ ପଢିଥିଲି। ଥରେ ଜଣେ ବୋକା ଆକାଶଟାର ଖୁଣ୍ଟ ନ ଦେଖିପାରି, ସେଇଟା କୋଉ ମୁହୂର୍ତ୍ତରେ ଛିଣ୍ଡି ପଡ଼ିବ ଆଶଙ୍କା କରି ଅତର୍ଚ୍ଛା ଦୌଡୁ ଦୌଡୁ ଭେଟିଲା ଜଣେ ସାଧୁଙ୍କୁ। ତାଙ୍କୁ ନିଜ ଆଶଙ୍କା ସମ୍ବନ୍ଧରେ ଅବଗତ କରନ୍ତେ, ସେ ଏକ ଉପାୟ ବତେଇଲେ। ବୋକା ଗଲା ପାଖ ଗାଁକୁ। ଏକ ଘର ସାମ୍ନାରେ ବସି ଗୃହ କର୍ତ୍ତାଙ୍କୁ ଅତ୍ୟନ୍ତକୁ ଭାଷାରେ ଗାଳି ଦବାକୁ ଲାଗିଲା ଓ ତାପରେ ତାଙ୍କୁ ଭିକ୍ଷା ମାଗିଲା। ଗୃହ କର୍ତ୍ତା ଆସି ଦି’ଟା ଗଳା ଧକ୍କା ଦେଇ ବିଦା କଲେ। ସେ ଆଉ କିଛି ଘରେ ସମାନ କାର୍ଯ୍ୟ କରି ଚାଲିଲା ଓ ମାଡ ଖାଇ ଚାଲିଲା। ପରିଶେଷରେ ଜଣେ ଗୃହ କର୍ତ୍ତା ଆସି ତାକୁ ଭିକ୍ଷା ଦବା ସହ ନିଜ ଡେରି ପାଇଁ କ୍ଷମା ମଧ୍ୟ ମାଗିଲେ। ବୋକା ଆସି ସାଧୁଙ୍କୁ ସମସ୍ତ କଥା ବଖାଣନ୍ତେ, ସାଧୁ ବୁଝେଇଲେ :ଶେଷ ଗୃହ କର୍ତ୍ତା ହେଲେ ସେହି ଖୁଣ୍ଟ ଯିଏ ନିଜ ଧର୍ମ ବଳରେ ଆକାଶକୁ ଖସି ପଡ଼ିବାରୁ ବଞ୍ଚେଇ ରଖିଛନ୍ତି।
ଆଉ ମୁଁ ଭାବୁଥିଲି, ସେହି ଅର୍ଦ୍ଧ ଶିକ୍ଷିତ କଣ୍ଡକ୍ଟର ଜଣଙ୍କ ବୋଧେ ସେହି ଖୁଣ୍ଟ ମଧ୍ୟରୁ ଗୋଟିଏ…