ମୋନାଲିସାର ହସ
ମୋନାଲିସାର ହସ
ମୋନାଲିସାର ହସ
ଲିଓନାର୍ଡୋ ଦା ଭିନସିଙ୍କର ‘ମୋନାଲିସାର ହସ’ ଭିନସିଙ୍କୁ ବିଶ୍ୱବିଖ୍ୟାତ କରାଇଥିଲା l ଆମ ବିଦ୍ୟାଳୟର ମୋନାଲିସାର ହସ ମଧ୍ୟ ମୋନାଲିସାକୁ ସମସ୍ତଙ୍କଠାରୁ ଭିନ୍ନ ଏକ ବ୍ୟକ୍ତିତ୍ୱ ରୂପେ ସୂଚାଇ ଦେଉଥିଲା l ମୋନାଲିସା, ମହାବିଦ୍ୟାଳୟର ବିଗତ ଦୁଇ ବର୍ଷର ଶ୍ରେଷ୍ଠ ଛାତ୍ରୀ ପୁରସ୍କାର ବିଜୟିନୀ ଥିଲା l ରୂପରେ ସ୍ୱର୍ଗର ଅପସରୀ ଭଳି ମୋନାଲିସାର ବିଦ୍ୟା, ବୁଦ୍ଧି, ଗୁଣ ମଧ୍ୟ ଚମତ୍କାର ଥିଲା l କେହି ଜଣେ ମୋନାଲିସା ଭଳି ନ ଥିଲେ l ଯିଏ ଯାହା କହିଲେ, କାହାକୁ ପ୍ରତ୍ୟୁତ୍ତର ଦେବାର ଦେଖି ନ ଥିଲେ l ଯିଏ ଯାହା କହିଲେ ମଧ୍ୟ ମୋନାଲିସା ତା’ର ସରୁ ଓଠ ଧାରରେ ସ୍ମିତ ହାସ୍ୟ ଖେଳାଇ ଚାଲି ଯାଉଥିଲା l ତେଣୁ ମହାବିଦ୍ୟାଳୟରେ ସେ ଭିନ୍ସିଙ୍କର ‘ମୋନାଲିସାର ହସ’ ରୂପେ ବେଶ୍ ଜଣାଶୁଣା ଥିଲା l ପାଠ ପଢାରେ ମୋନାଲିସା ପ୍ରଥମ ହେବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟରେ ହେଉଥିବା ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ଗଳ୍ପ ଲିଖନ, ସ୍ଲୋଗାନ୍ ଲିଖନ ଆଦି ସମସ୍ତ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଉପରେ ନିଜର ଅଧିକାର ସାବ୍ୟସ୍ତ କରିଥିଲା l ବିଗତ ଦୁଇ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ମୋନାଲିସା ହିଁ ଥିଲା l
ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରର କୋଟିପତି ଯୁପ ଶିଳ୍ପପତି ଶୁଭକାନ୍ତ ରାୟ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବାର ଥିଲା l ଶୁଭକାନ୍ତ ସହରର ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗୀ, ସମାଜସେବୀ ଭାବେ ବେଶ୍ ଜଣାଶୁଣା ବ୍ୟକ୍ତି ଅଟନ୍ତି l ରୂପ, ଗୁଣ, ବିଦ୍ୟା, ବୁଦ୍ଧି, ସମ୍ପତ୍ତି, ପ୍ରତିପତ୍ତିରେ କେହି ତାଙ୍କ ସହ ସମାନ ହେବେ ନାହିଁ l ଶୁଭକାନ୍ତଙ୍କୁ କୁବେର ପୁତ୍ର କହିଲେ ମଧ୍ୟ ଭୁଲ ହେବ ନାହିଁ l ସଫଳତାର ଶୀର୍ଷରେ ଥାଇ ମଧ୍ୟ ଶୁଭକାନ୍ତଙ୍କ ମନରେ ଗର୍ବ, ଅହଙ୍କାରର ସ୍ଥାନ ନ ଥିଲା l ସହରର ସବୁ ଅବିବାହିତାଙ୍କ ମନର ମଣିଷ ଥିଲେ ଶୁଭକାନ୍ତ l
ବାର୍ଷିକୋତ୍ସବ ଦିନ ମହାବିଦ୍ୟାଳୟର ପ୍ରତ୍ୟେକ ତରୁଣୀ ମନରେ ଅସୁମାରୀ ଆକାଂକ୍ଷା, ହୃଦୟରେ ଉଚ୍ଚାଭିଳାଷ, ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥିଲେ ଶୁଭକାନ୍ତଙ୍କୁ ଟିକେ ଦେଖିବା ପାଇଁ l ସମସ୍ତେ ଶୁଭକାନ୍ତଙ୍କ ବିବାହ ଓ ଭାବି ପତ୍ନୀଙ୍କୁ ନେଇ ପରସ୍ପର ମଧ୍ୟରେ ଆଲୋଚନା ଚଲାଇଥିବା ବେଳେ ଶୁଭକାନ୍ତ ସମସ୍ତଙ୍କ ହୃଦୟ ଭାଙ୍ଗି ଅପ୍ରତ୍ୟାଶିତ ଭାବେ ଏଭଳି ଏକ ଘୋଷଣା କରି ବସିବେ, କେହି କଳ୍ପନା ସୁଦ୍ଧା କରି ନ ଥିଲେ l ଶ୍ରେଷ୍ଠ ଛାତ୍ରୀ ପୁରସ୍କାର ଗ୍ରହଣ କରିବା ପାଇଁ ମୋନାଲିସା ମଞ୍ଚ ଉପରେ ଥିବା ବେଳେ ଶୁଭକାନ୍ତ ସର୍ବ ସମ୍ମୁଖରେ ତା’କୁ ବିବାହ ପ୍ରସ୍ତାବ ଦେଇଥିଲେ l ମୋନାଲିସା ଚିରାଚରିତ ଢଙ୍ଗରେ ନିଜ ସରୁ ଓଠଧାରେ ହସ ଖେଳାଇ ଦେଇ ପୁରସ୍କାର ଗ୍ରହଣ କରିବା ପୂର୍ବକ ମଞ୍ଚରୁ ଓହ୍ଲାଇ ଆସିଲା l କେହି କିଛି ବୁଝିବା ପୂର୍ବରୁ ଉପସ୍ଥିତ ସାମ୍ବାଦିକମାନେ ମୋନାଲିସାକୁ ଘେରିଗଲେ l ତା’ର ସମ୍ମତିସୂଚକ ସ୍ମିତ ହାସ୍ୟ ପାଇଁ ଅନେକ ଶୁଭେଚ୍ଛା, ଶୁଭକାମନା ସହ ନାନା ପ୍ରଶ୍ନ ପଚାରିଥିଲେ l କିନ୍ତୁ ମୋନାଲିସା କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଚୁପଚାପ୍ ସେଠାରୁ ଚାଲି ଯାଇଥିଲା l
ଏହା ପରେ ପ୍ରତିଦିନ ଖବର କାଗଜରେ ଶୁଭକାନ୍ତ ଓ ମୋନାଲିସାର ବିବାହ ସମ୍ବନ୍ଧୀୟ ଖବର ପ୍ରଥମ ପୃଷ୍ଠା ମଣ୍ଡନ କରିବାରେ ଲାଗିଲା l ମୋନାଲିସାର ଘର ସାମ୍ନାରେ ସାମ୍ବାଦିକଙ୍କର ଭିଡ ଲାଗି ରହିଥାଏ l କିନ୍ତୁ ମୋନାଲିସାର ଘର ଭିତର ପଟରୁ ବନ୍ଦ ରହିଥିଲା l ସାମ୍ବାଦିକମାନଙ୍କ ଉତ୍ତର ଦେବା ପାଇଁ କେହି ବାହାରକୁ ଆସି ନ ଥିଲେ l ହଠାତ୍ ଶୁଭକାନ୍ତ ସାମ୍ବାଦିକ ସମ୍ମିଳନୀ ଡକାଇ ବିଧିବଦ୍ଧ ଭାବେ ମୋନାଲିସା ଘରକୁ ବିବାହ ପ୍ରସ୍ତାବ ନେଇ ଯିବେ ବୋଲି ଘୋଷଣା କଲେ l ସେହି ସମୟରେ ଜଣେ ମଧ୍ୟବୟସ୍କା ମହିଳା ସେଠାକୁ ଆସି ଚିତ୍କାର କରି କହିଲେ, “ରହିଯାଅ ଶୁଭକାନ୍ତ ! ଚୁପ୍ ରହ l ତୁମେ ଯାହା କହୁଛ, ବୁଝି ବିଚାରି କୁହ l ତୁମେ କ’ଣ ସତରେ ଲିସାକୁ ବିବାହ କରିବ ? ଲିସା ବିଷୟରେ ତୁମେ କ’ଣ ଜାଣିଛ ? ଦୁଇ ତିନି ଥର ଦେଖାରେ ରୂପ ଗୁଣରେ ମୁଗ୍ଧ ହୋଇ କିପରି ବିବାହ ନିଷ୍ପତ୍ତି ନେଇଗଲ ? ଲିସା କ’ଣ ଚାହେଁ ନ ବୁଝି ସାମ୍ବାଦିକ ସମ୍ମିଳନୀ ଡକାଇ ଏପରି ତାମସା କରିବାରେ ତୁମର କ’ଣ ଅଧିକାର ଅଛି ? ତୁମେ କାହିଁକି ଏପରି କରୁଛ ?” ସେହି ସମୟରେ ସୁରକ୍ଷାକର୍ମୀ ମହିଳାଙ୍କ ଆଡକୁ ମାଡି ଆସିଲେ l ଶୁଭକାନ୍ତ ସେମାନଙ୍କୁ ବାରଣ କରି ମଞ୍ଚ ଉପରୁ ଓହ୍ଲାଇ ଆସିଲେ l ଭଦ୍ରମହିଳାଙ୍କ ଏଭଳି ରାଗ, କ୍ଷୋଭର କାରଣ ଜାଣିବାକୁ ଚାହିଁଲେ l ମହିଳା ଜଣକ ଟିକେ ଶାନ୍ତ ହୋଇ କହିବାକୁ ଆରମ୍ଭ କଲେ, “ମୁଁ ନିରୁପମା ମିଶ୍ର, ମୋନାଲିସାର ମାଆ l ଲିସା ମୋର ଏକମାତ୍ର ଝିଅ l ମୁଁ ହିଁ ତା’ର ବାପା, ମାଆ ସବୁ କିଛି l ସେମିତି ସିଏ ହିଁ ମୋର ଦୁନିଆଁ l ” ଶୁଭକାନ୍ତ ତାଙ୍କୁ ପ୍ରଣାମ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଲେ l ଶୁଭକାନ୍ତଙ୍କର ଅମାୟିକ ବ୍ୟବହାର ଯୋଗୁଁ ତାଙ୍କର ରାଗ, କ୍ଷୋଭ ପାଣି ଫୋଟକା ଭଳି ମିଳେଇଗଲା l ସେ ସାଷ୍ଟାମ ହୋଇ କହିବାକୁ ଆରମ୍ଭ କଲେ, “ଶୁଭକାନ୍ତ ! ମୋ ବିଷୟରେ, ଲିସା ବିଷୟରେ ସବୁ ଜାଣି ସାରିବା ପରେ ଯଦି ତୁମେ ଲିସାକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କର, ମୋର ଏହି ବିବାହରେ କୌଣସି ଆପତ୍ତି ରହିବ ନାହିଁ l”
ଲିସାର ବାପା ଜଣେ ପଦସ୍ଥ ସରକାରୀ ଅଧିକାରୀ ଅଟନ୍ତି l ରୂପ, ଗୁଣ, ଧନ, ବିଦ୍ୟା, ବୁଦ୍ଧି, ପ୍ରତିପତ୍ତି ଥାଇ ମଧ୍ୟ ତାଙ୍କ ମନ ବହୁତ ଛୋଟ ଥିଲା l ଆମର ଝିଅ ଜନ୍ମ ହେଉ, ସେ ଚାହୁଁ ନ ଥିଲେ l ଲିସା ଜନ୍ମ ହେବା ପୂର୍ବରୁ ଲିଙ୍ଗ ପରୀକ୍ଷଣ ଦ୍ୱାରା ସେ ଯେତେବେଳେ ଗର୍ଭସ୍ଥ ଶିଶୁ ଝିଅଟିଏ ବୋଲି ଜାଣିଲେ, ଗର୍ଭପାତ କରେଇନେବା ପାଇଁ ମୋତେ ବାଧ୍ୟ କରିଥିଲେ l ମୁଁ କିନ୍ତୁ ଅକାଳରେ ମୋ ସନ୍ତାନକୁ ମାରିଦେବା ପାଇଁ ଚାହିଁ ନ ଥିଲି l ମୋର ଜିଦ୍ ଯୋଗୁଁ ଲିସା ଭୂମିଷ୍ଠ ହେଲା l ଲିସାର ଜନ୍ମ ପରେ ତା’ର କଅଁଳ ସୁନ୍ଦର ମୁହଁ, ସୁନ୍ଦର ହସ ତା’ ବାପାଙ୍କ ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆଣିଥିଲା ସତ, କିନ୍ତୁ ମୋ ଜୀବନରେ ଦୁର୍ଦ୍ଦିନ ପୁଣି ସେହି ଦିନ ଆସିଲା, ଯେଉଁ ଦିନ ଡାକ୍ତରୀ ପରୀକ୍ଷା ଦ୍ୱାରା ଲିସା ଦିବ୍ୟାଙ୍ଗ ବୋଲି ଜଣା ପଡିଲା l ଡାକ୍ତର ପରୀକ୍ଷା କରି ଦର୍ଶାଇଲେ ଯେ, ମୋ ଲିସା କଥା କହି ପାରିବ ନାହିଁ, କି ଶୁଣି ପାରିବ ନାହିଁ l ଲିସାର ବାପାଙ୍କ ବ୍ୟବହାର ଆମ ପ୍ରତି ହଠାତ୍ ବଦଳିଗଲା l ତାଙ୍କର ଯୁକ୍ତି ଥିଲା, ସେ ଝିଅ ଚାହୁଁ ନ ଥିବା ସତ୍ତ୍ୱେ ମୁଁ ଝିଅ ଜନ୍ମ ଦେଲି l ଝିଅଟିଏ, ପୁଣି ବିକଳାଙ୍ଗ l ତେଣୁ ଏ ସବୁ ପାଇଁ ସେ ମୋତେ ଦୋଷ ଦେବାରେ ଲାଗିଲେ l ବାପା ହିସାବରେ ଝିଅକୁ ସ୍ନେହ ଆଦର କରିବା ଦୂରର କଥା, ସେ ଲିସାର ମୁହଁ ଚାହିଁବାକୁ ପସନ୍ଦ କରୁ ନ ଥିଲେ l ଦିନକୁ ଦିନ ତାଙ୍କର ଦୁର୍ବ୍ୟବହାର ବଢିବାରେ ଲାଗିଲା l ମୁଁ ତାଙ୍କର ଏହି ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ଝିଅକୁ ନେଇ ତାଙ୍କ ଘରୁ, ତାଙ୍କ ଜୀବନରୁ ଚାଲିଯିବା ପାଇଁ ସେ ମୋତେ ଶୁଣେଇଦେଲେ l ସେହିଦିନ ଠାରୁ ଲିସା ପାଲଟିଗଲା, ଜଣେ ସ୍ୱାମୀ ପରିତ୍ୟକ୍ତାର ବିକଳାଙ୍ଗ ଝିଅ l ଲିସା କଥା କହିପାରେନା, ଶୁଣିପାରେନା l କିନ୍ତୁ ଅନ୍ୟ କୌଣସି ଗୁଣରେ ସେ କାହାଠାରୁ କମ୍ ନୁହେଁ l ତା’ର ଭଲ ପାଳନ ପୋଷଣ ପାଇଁ ମୁଁ ଏହି ସହରକୁ ଚାଲି ଆସିଲି l ଏକ ଛୋଟ ଘରୋଇ ଉଦ୍ୟୋଗରେ କାମ କରି ଯାହା ରୋଜଗାର କଲି ଆମେ ମାଆ, ଝିଅ ସୁରୁଖୁରୁରେ ଚଳି ଯାଉଥିଲୁ l ଲିସା ତା’ ବାପାଙ୍କ ଭଳି ସରକାରୀ ଅଧିକାରୀ ହେବା ପାଇଁ ଚାହେଁ l ତେଣୁ ସବୁ ବାଧା ବିଘ୍ନ ସତ୍ତ୍ୱେ ପାଠ ପଢାକୁ ସେ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାଏ l କିନ୍ତୁ କଥା କହିପାରେନା ବୋଲି ଅନ୍ୟମାନଙ୍କ କଥାର ପ୍ରତ୍ୟୁତ୍ତର ଦିଏ ନାହିଁ l କେବଳ ହସି ଦିଏ l ଶୁଣିପାରେ ନାହିଁ ବୋଲି ମୋ ଜୀବନର ଏହି ଅନାଲୋଚିତ ଦିଗ ବିଷୟରେ ସେ କିଛି ଜାଣେ
ନାହିଁ l ମୁଁ ମଧ୍ୟ ତା’କୁ କେବେ କିଛି ଜଣାଇବାକୁ ଚେଷ୍ଟା କରି ନାହିଁ l ଲିସା କେବଳ ମୋର ଝିଅ ନୁହେଁ, ସେ ମୋର ସବୁ କିଛି l ସେ ମୋର ଅଭିମାନ, ମୋର ଗର୍ବ l କିନ୍ତୁ ତୁମର ତା’କୁ ବିବାହ ପ୍ରସ୍ତାବ ଦେବା, ସାମ୍ବାଦିକମାନଙ୍କର ପ୍ରଶ୍ନ, ଖବରକାଗଜ ପୃଷ୍ଠା ମଣ୍ଡନ କରି ତା’ ବିଷୟରେ ପ୍ରକାଶିତ ଖବର ଇତ୍ୟାଦିରେ ଅତିଷ୍ଟ ହୋଇ ମୁଁ ଆଜି ଏଠାକୁ ଚାଲି ଆସିଲି l ଏବଂ ଏହିଭଳି ପ୍ରତିକ୍ରିୟା ପ୍ରକାଶ କଲି l ବର୍ତ୍ତମାନ ତୁମେ କୁହ ଶୁଭକାନ୍ତ, ତୁମେ କ’ଣ ସତରେ ମୋ’ ଲିସାକୁ ବିବାହ କରିବ ? ଆମ ବିଷୟରେ ସବୁ ଜାଣିସାରିବା ପରେ ତୁମର ଯାହା ନିଷ୍ପତ୍ତି ହେଉନା କାହିଁକି, ମୋ ପାଇଁ ସ୍ୱାଗତଯୋଗ୍ୟ ହେବ l
ଶୁଭକାନ୍ତ ହଠାତ୍ ନିଜ ଆସନରୁ ଉଠି ଠିଆ ହୋଇ କହିଲେ, “ମାଆ ! ଆପଣଙ୍କ ଲିସା ପାଇଁ ଆପଣ ଯଦି ମୋତେ ଉପଯୁକ୍ତ ଭାବୁଥାଆନ୍ତି, ତା’ ହେଲେ ଆପଣ ନିଜର ନିଷ୍ପତ୍ତି ଶୁଣାନ୍ତୁ l ମୁଁ ମୋର କଥା କହିସାରିଛି l ଲିସା ମୋ ପାଇଁ କାଲି ଯାହା ଥିଲା, ମୁଁ ତା’ ପାଇଁ ଯାହା ଅନୁଭବ କରୁଥିଲି, ଆପଣଙ୍କ କଥା ଶୁଣିବା ପରେ ସେଥିରେ ସାମାନ୍ୟତମ ପରିବର୍ତ୍ତନ ଆସି ନାହିଁ l ସେ କଥା କହିପାରେନା l ତା’ ପାଇଁ ମୁଁ କଥା କହିବି l ସେ ଶୁଣି ପାରେନା, ତା’ ପାଇଁ ମୁଁ ଶୁଣିବି l ଲିସାକୁ ମୁଁ ମୋର ଜୀବନରେ ଚାହେଁ l ତା’ ଛଡା ମୋର କିଛି ଆବଶ୍ୟକ ନାହିଁ l”
ନିରୁପମା ଦେବୀଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହି ଚାଲିଲା l